Unknown

 

 

 

 

 

 

 

 

 

 

 

ବ୍ୟାକୁଳ ବସନ୍ତ

ପରମାନନ୍ଦ ଅଧିକାରୀ

 

 

 

 

 

 

 

 

 

ଉତ୍ସର୍ଗ

 

ଶ୍ରଦ୍ଧାରେ, ମୂରାରୀକୁ...............

 

ପରମାନନ୍ଦ

ତା ୧୪ । ୪ । ୭୮

 

ମନ କଥା

 

ମନ କଥା ଖୋଲି କହି ଦେଲେ ଅନେକ ସମୟରେ ଦୁଃଖ ଲାଘବ ହୋଇଯାଏ । ମନର ମୂଳେ ଏ ଜଗତ । ହଁ, କଣ କହୁଥିଲି ? ଉପନ୍ୟାସ ଏକ ଶ୍ରେଷ୍ଠ କଳା । ଉପନ୍ୟାସ ଲେଖିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୁଏ ନାହିଁ । ଆଜିକାଲି ବହୁତ ଉପନ୍ୟାସ ଲେଖା ହେଉଛି; ମାତ୍ର ସେମାନଙ୍କ ମଧ୍ୟରୁ ଅଧିକାଂଶ ଉପନ୍ୟାସ ପଦବାଚ୍ୟ ନୁହନ୍ତି । ସେହିସବୁ ଉପନ୍ୟାସରେ ଜୀବୀଧର୍ମର ଯୌକ୍ତିକତା, ଅଶ୍ରୁଳ ଅଭିଜ୍ଞତାର ଆଲେଖ୍ୟ, ସ୍ୱେଦାନୁଭୂତିର ସମବେଦନା, ସୃଷ୍ଟି ସୃଜନର ରଦସ୍ୟ, ସାମାଜିକ ଔଚିତ୍ୟବୋଧ, ବର୍ଣ୍ଣାଢ଼୍ୟ ଐତିହାସିକତା, ବିଭୁଭକ୍ତି, ପ୍ରତ୍ୟକ୍ଷାନୁଭୂତି, ଚଳଣୀର ପ୍ରକୃଷ୍ଟ ଛବି ଓ ଜୀବନ ସଂଘର୍ଷର ଅମର କାହାଣୀ ସଂପର୍କରେ କିଞ୍ଚିତ ସୂଚନା ତ ନ ଥାଏ ବରଂ ସମାଜ, ଜୀବନକୁ କଳୁଷିତ କରି ଅନ୍ଧକାରର ଗହ୍ୱର ଆଡ଼କୁ ଟାଣି ନେବାର ପ୍ରଚ୍ଛନ୍ନ ଉଦ୍ୟମ ହୋଇଥାଏ । ସତ୍ୟ, ଶିବ, ସୁନ୍ଦରର ସ୍ପର୍ଶ ଦେବା ନାଆଁରେ ଉପନ୍ୟାସର ଛତ୍ରେ ଛତ୍ରେ କୁରୁଚି ଓ ଯୌନବିଭତ୍ସତାକୁ ଭରିଦେଇ ଭବିଷ୍ୟତ ବଂଶଧରମାନଙ୍କୁ ପଙ୍ଗୁ କରି ଦେବାର ଚତୁର କୌଶଳ ଅବଲମ୍ବନ କରାଯାଇଥାଏ ।

 

ସେହିସବୁ ଉପନ୍ୟାସକୁ ମା' ପାଖରେ ପୁଅ ପଢ଼ି ପାରେନା । ଭାଇ ପାଖରେ ଭଉଣୀ ପଢ଼ି ପାରେନା, ଗୁରୁଜନ ପାଖରେ ଲଘୁଜନ ପଢ଼ି ପାରେନା । ସାର୍ବଜନୀନତାର ମୂଲ୍ୟବୋଧ ଯଦି ଉପନ୍ୟାସର ପ୍ରାଣାଧାରକୁ ପରିପୁଷ୍ଟ ନ କରେ, ସର୍ବ-ଶ୍ରଦ୍ଧେୟ ଔପନ୍ୟାସିକ ଯଦି ଉପନ୍ୟାସର ସ୍ଵକୀୟ ଧର୍ମ ରକ୍ଷା କରିବାରେ କୃତକାର୍ଯ୍ୟ ନ ହୁଅନ୍ତି, ତେବେ ସେ କି ଉପନ୍ୟାସ ? ତେବେ ସେ କି ଔପନ୍ୟାସିକ ?

 

ମୁଁ ଜାଣେନା, 'ବ୍ୟାକୁଳ ବସନ୍ତ' ଉପର୍ଯ୍ୟୁକ୍ତ ପର୍ଯ୍ୟାୟଭୁକ୍ତ ଉପନ୍ୟାସ କି ନୁହେଁ, ତାହା ସ୍ଥିର କରିବେ ଅଗଣିତ ବିଜ୍ଞ ରସିକ ପାଠକ, ପାଠିକା ଓ କୋଟି ଆୟୁ ଘେନି ବର୍ତ୍ତିଥିବା ଅସଂଖ୍ୟ ବିବେକୀ ଗ୍ରାହକ ।

 

ଦୁନିଆଁରେ ମୁହଁ ଦେଖା, ଆନ୍ତରିକତାବିହୀନ, ଶସ୍ତା-ପ୍ରଶଂସା ମିଳେ ବହୁତ; ମାତ୍ର ପ୍ରକୃତ ବିବେକୀ ଗ୍ରାହକର ଅମୁଲ୍ୟ ଗ୍ରାହକତ୍ୱ ମିଳେ କ୍ୱଚିତ୍‍ । ଓଡ଼ିଆ ସାହିତ୍ୟର ଜନକ, ଆଦିକବି ଶାରଳା ଦାସଙ୍କ କଥାରେ କହିଲେ–"ନୁହେଁ ପଣ୍ଡିତ ମୁଁ ଯେ ସ୍ଵଭାବେ ମୂର୍ଖ ଜନ" କବିପଣକୁ କିପରି ହୋଇବି ଭାଜନ ? "ମନ୍ଦ କବି ମୁଁ ଯଶ ପ୍ରାର୍ଥୀ" ହେବି କାହିଁକି ? ସର୍ବୋପରି 'ବ୍ୟାକୁଳ ବସନ୍ତ'ର ଚିରନ୍ତନତ୍ୱ ସଂପର୍କରେ ବିଚାର କରିବ ସର୍ବଗ୍ରାସୀକାଳ ।

 

ଉପନ୍ୟାସର ବିଷୟବସ୍ତୁ ସଂପର୍କରେ କିଛି ନ କହିଲେ ମନରେ ଅବଶୋଷ ରହିଯିବ । ପାରାଦ୍ୱୀପ ବନ୍ଦରର କଳ୍ପନା ସରିଥାଏ । ସେହି କଳ୍ପନାକୁ ରୂପଦେବା ପାଇଁ ପ୍ରଥମେ ପାରାଦ୍ୱୀପ ବନ୍ଦରର ପୂଣ୍ୟ ମାଟି ସ୍ପର୍ଶ କରିଥିଲା ଏକ ବିଦେଶୀ ଜାହାଜ "ୟାମାସିଟାମାରୁ" । ବହୁ ବର୍ଷ ପରେ ସେଇଥିରେ ଫେରିଥିଲେ ଜଣେ ଉତ୍କଳବାସୀ । ପାରାଦ୍ୱୀପରେ ପହଞ୍ଚି, ବିସ୍ମୟ ବିମୂଢ଼ ହୋଇ ସେ ଯେଉଁ ଅଭୁତପୂର୍ବ କୌତୁହଳ ପ୍ରକାଶ କରିଥିଲେ ତାହାକୁ ଉପନ୍ୟାସର ମୌଳିକ ଭିତ୍ତିଭୂମୀ ରୂପେ ଗ୍ରହଣ କରାଯାଇଛି । ଉପନ୍ୟାସଟି ଏକାନ୍ତ ସତ୍ୟ ଘଟଣାମୂଳକ ନ ହେଲେ ବି ପୂର୍ଣ୍ଣ କାଳ୍ପନିକ ବୋଲି କୁହାଯାଇ ପାରିବ ନାହିଁ ।

 

ଉପସଂହାରରେ 'ବ୍ୟାକୁଳ ବସନ୍ତ'ର ଦୁର୍ଭାଗ୍ୟ ସଂପର୍କରେ ଦି'ପଦ କହି ସଂଭ୍ରମରେ ବିଦାୟ ନେବି । ଉପନ୍ୟାସଟିକୁ ଜଣେ ପ୍ରସିଦ୍ଧ ପ୍ରକାଶକ ବନ୍ଧୁ ନେଇ, ଦୁଇବର୍ଷ ରଖିଲା ପରେ ଜଣେ ଅନ୍ତରଙ୍ଗ କବି ବନ୍ଧୁଙ୍କୁ ଛାପିବା ପାଇଁ ଦେଇଦେଲେ । ସେହିଠାରେ 'ବ୍ୟାକୁଳ ବସନ୍ତ'ର ମନ ମରିଗଲା । ସବୁ ସୁରଭି ଉଡ଼ିଗଲା । ଦୀର୍ଘ ଦିନ ଧରି ଆପାଙ୍‍କ୍ତେୟ ଅଳିଆ ଗଦା ଭିତରେ ପାଣ୍ଡୁଲିପି ଓ କିଛି ପ୍ରକାଶିତ ଅଂଶ ପଡ଼ି ରହିଗଲା । ଉପନ୍ୟାସଟିକୁ ପାଇବାର ଆଶା ଛାଡ଼ିବାକୁ ହୋଇଥିଲା । ଶେଷରେ ଜଣେ 'ମହୀୟସୀ ମହିଳା' ପାଣ୍ଡୁଲିପିଟିକୁ ଉଦ୍ଧାର କରି ମୋ' ନିକଟରେ ଚିର ସ୍ନେହ ସ୍ପଦା ହୋଇ ରହିଗଲେ । କବିବନ୍ଧୁଙ୍କଠାରେ ବି ଋଣୀ ହୋଇ ରହିଗଲି ।

 

ପୁସ୍ତକଟିକୁ ଆଶୁ ପ୍ରକାଶ କରି ଜନସେବୀ ଶ୍ରୀ ଲିଙ୍ଗରାଜ ବେହେରା ଯେପରି ଚିର ପ୍ରଂଶସାର୍ହ ହୋଇଛନ୍ତି, ମୋର ଶିଳ୍ପୀ ବନ୍ଧୁଶ୍ରୀ ଶିବ ପାଣିଗ୍ରାହୀ ପ୍ରଚ୍ଛଦପଟ୍ଟଟି ଆଙ୍କିଦେଇ ସେହିପରି ଧନ୍ୟବାଦାର୍ହ ହୋଇଛନ୍ତି । ଘର ସଂସାରର ଜଞ୍ଜାଳ ଭିତରେ ଶ୍ରୀମତୀ କଳାବତୀ ଦେବୀ 'ପ୍ରେସ କପି' ପ୍ରସ୍ତୁତ କରିବାରେ ପୂର୍ଣ୍ଣପ୍ରାଣରେ ସାହାଯ୍ୟ କରିଥିବାରୁ ତାଙ୍କୁ ମଧ୍ୟ ଏହି ଅବସରରେ ସଶ୍ରଦ୍ଧ ସାଧୁବାଦ ଜ୍ଞାପନ କରୁଛି ।

 

ଜୟ ଜଗନ୍ନାଥ

 

ପରମାନନ୍ଦ ଅଧିକାରୀ

ତା ୧୪ । ୪ । ୭୮

Image

 

ଅଗ୍ନି-ସ୍ନାନ ପରେ ଯେପରି କାଞ୍ଚନର ରଙ୍ଗ ଚହଟି ଉଠେ, ମଣିଷକୁ ସେହିପରି ଦୁଃଖ ଦୁର୍ବିପାକ, ବାଧା, ବିଘ୍ନ, ପ୍ରତିବନ୍ଧକ ହିଁ ମଣିଷ କରି ଠିଆ କରାଏ । ମାନବିକତା ଉଜ୍ଜ୍ଵଳି ଉଠେ । ବିବେକ ରସାଣିତ ହୁଏ । ପ୍ରତିଭାର ବିକାଶ ଘଟେ । ଯେଉଁ ମଣିଷ ବେଦନାର ମୂଲ୍ୟ ନ ବୁଝେ, ସମବେଦନାରେ ସମଭାଗୀ ନ ହୁଏ, ସେ କି ମଣିଷ ?

 

ଯେଉଁ ମଣିଷ, ଜୀବନରେ ଦିନେ ତୁଳୀ-ତଳ୍ପ ଶଯ୍ୟାରୁ ତଳକୁ ଓହ୍ଲାଇନି, ହନୁହାଡ଼ରେ ଅଶ୍ରୁମୋଚନର ଆକୁଳତା ଅନୁଭବ କରିନି, ଜୀବନ-ପଥରେ ବାଧା ବିଘ୍ନର ସମ୍ମୁଖୀନ ହୋଇନି, ଅଶନ, ବସନ, ବାସ ଅଭାବର ଭୟାବହତା ଜାଣିନି, ବିଳାସ ବ୍ୟସନରେ ନିଜକୁ ବୁଡ଼ାଇ ଧରାକୁ ସରା ମଣିଛି, ସେ କାହୁଁ ବୁଝିବ ପରର ମନ ? ସେ କାହୁଁ ହୋଇବ ପ୍ରଭୁ ପଣକୁ ଭାଜନ ?

 

ନିଜର ଗୋଷ୍ଠୀ ବର୍ଦ୍ଧନ ପାଇଁ, ନିଜର ଆତ୍ମମ୍ଭରୀତାର ଜୟ ଢକ୍‍କା ବଜାଇବା ପାଇଁ, ନିଜର ନିଷ୍ଫଳ ଆଭିଜାତ୍ୟର ଜୈତ୍ର ବାନା ଉଡ଼ାଇବା ପାଇଁ, ନିଜର ପାର୍ଶ୍ଵଚରମାନଙ୍କର ସନ୍ତୋଷ ବିଧାନ କରିବା ପାଇଁ, ନିଜର ହୀନ ସ୍ୱାର୍ଥର ଅଙ୍କୁରୋଦ୍‍ଗମର ଉଦ୍‍ଯୋଗ ପର୍ବପାଇଁ, ନିଜକୁ ବଡ଼ କରି ତୋଳିବାର ଆକାଙ୍‍କ୍ଷା ପାଇଁ ଓ ଜନନେତ୍ରରେ ମାୟାଞ୍ଜନ ବୋଳିବା ପାଇଁ, ମଣିଷ କେତେବେଳେ କେମିତି ଅବଶ୍ୟ ଦୟା, ଦାକ୍ଷିଣ୍ୟର ଅଭିନୟ କରିଥାଏ, ଅନୁଗ୍ରହ ଦେଖାଇବାର ଆସ୍ଫାଳନ କରିଥାଏ, କୂପ, ପୁଷ୍କରିଣୀ ଖୋଳି, ଜଳଛତ୍ର ଦେଇ, ନିର୍ଜନ ପଥରେ ଛାୟାଦାନ ପାଇଁ ବରଗଛ ଓସ୍ତଗଛ ବିଭା କରାଇ, କାଙ୍ଗାଳୀ ଭୋଜନ ଦେଇ, ନଦୀ ସମୁଦ୍ର ସଙ୍ଗମ ସ୍ଥାନରେ ଯଜ୍ଞର ଆୟୋଜନ କରି ନିଜକୁ ଜଣେ ସଚ୍ଚୋଟ ଦାନୀ ବୋଲି ବିଜ୍ଞାପନ ଦେବାର ଉଦ୍ୟମ କରିଥାଏ । ପ୍ରାତଃସ୍ନାନ ସାରି ଗେରୁଆ ବସ୍ତ୍ର ପହରଣ କରି ଘଣ୍ଟା ଘଣ୍ଟା ଦେବ ମନ୍ଦିରରେ ବସି ଗୀତା ଭାଗବତ ପାଠ କରୁଥାଏ । ସହସ୍ର ଜନ ସମ୍ମୁଖରେ ହାଟ ବଜାରରେ ବି ଝୁଲି ଭିତରେ ହାତ ପୂରାଇ ମାଳି ଠକ୍ ଠକ୍ କରୁଥାଏ । ମାତ୍ର–

 

ପ୍ରକୃତରେ ସେଥିରେ କ’ଣ ଥାଏ ଆନ୍ତରିକତା ? ସେବା କରିବାର ହାର୍ଦ୍ଧିକତା ? ଧର୍ମ ଅର୍ଜିବାର ବ୍ୟାକୁଳତା ?

 

ନା–

 

ସେଥିରେ ଥାଏ ଏକାଦଶୀ ବକର ମୌନୀ ବିଶ୍ୱାସଘାତକତା । ଜରଦ୍‍ଗବର ବଂଶନାଶ କରିବା ଷଡ଼ଯନ୍ତ୍ରର ହୀନ ଅନୁଚିନ୍ତା । ପ୍ରତି ପଦରେ ପ୍ରତିପାଦନ କରନ୍ତି ଏଇମାନେ "ଆପେ ଜୀଇଲେ ବାପର ନାଆଁ" ଯୁକ୍ତିର ସାର୍ଥକତା । ଐତିହାସିକ ବ୍ୟକ୍ତି ବୋଲି ମନେ ମନେ ପ୍ରଭୂତ ଗର୍ବ ଅନୁଭବ କରନ୍ତି ।

 

କିନ୍ତୁ–

 

ପ୍ରକୃତରେ ଇତିହାସର ଅର୍ଥ ଏମାନେ ବୁଝନ୍ତି ନାହିଁ । ଅର୍ଥକୁ ଅନର୍ଥ କରି ବସନ୍ତି । କାଳ ମୁଖରେ କଳା ବୋଳିଦେବାକୁ ପଶ୍ଚାତ୍‍ପଦ ହୁଅନ୍ତି ନାହିଁ । ଅନ୍ୟର କ୍ଷୟକ୍ଷତି ଘଟାଇବାକୁ ନିଜ କର୍ତ୍ତବ୍ୟର ଅଙ୍ଗ ବୋଲି ଭାବନ୍ତି । ଧନ ଆଉ ଯୌବନ ମଦରେ ବିହ୍ୱଳ ହୋଇ ମଣିଷକୁ ମାଛି, ପୋକଠାରୁ ଆହୁରି ହୀନ ମନେ କରନ୍ତି ।

 

ସେମାନଙ୍କର ଜ୍ଞାନ ରହେ ନାହିଁ ଯେ ପୃଥିବୀରେ ଧନ ଆଉ ଯୌବନ ପଦ୍ମପତ୍ରର ପାଣି ସଦୃଶ । ଦୁଇଟିଯାକ ମଣିଷକୁ ଉନ୍ମାର୍ଗକୁ ଟାଣି ନିଏ । ସତ୍ ଚିନ୍ତନରୁ ନିବୃତ୍ତ କରାଏ । ସୁକୃତିକୁ ପୋଛି ଦୁଷ୍କୃତିରୁ ଆବିଳତା ଧାରା ବୁହାଇ ଦିଏ । ପ୍ରଖର ସ୍ରୋତରେ କାଠିକୁଟା, ଉପଳଖଣ୍ଡ ଭାସିଗଲା ଭଳି ମଣିଷର ସବୁ ଗୁଡ଼ିକ ସୁଗୁଣ ଭାସିଯାଏ । ଇହକାଳ, ପରକାଳର ଜ୍ଞାନ ରହେ ନାହିଁ । ଭୂତ ଭବିଷ୍ୟତର ଭାବନା ଉଭେଇ ଯାଏ । ସମ୍ଭାବ୍ୟ, ସମ୍ଭାବନାର ସଚେତନତା ଲୋପ ପାଏ । ମଣିଷ ହୁଏ ମୋହାନ୍ଧ, ଉତ୍ସୃଙ୍ଖଳ । ମଧୁଲୋଲୁପୀ ଭଲ୍ଲୁକ ପରି ଅନନୁଭୂତ ହିଂସ୍ର । ଗୁରୁଜନଙ୍କ ଉପଦେଶ ପ୍ରତି ତିଳେ ହେଲେ ସମ୍ମାନ ରହେନା । ଫଳରେ ହୁଏ ସ୍ଵେଚ୍ଛାଚାରୀ-ସ୍ୱାଧିକାର ପ୍ରମତ୍ତ ।

 

ଯେଉଁ ମଣିଷ କିନ୍ତୁ ବିପଦର ଲେଲିହାନ ବହ୍ନି ମଧ୍ୟରେ ଗୋଡ଼ ପୋତି ଠିଆ ହୁଏ, ମଣିଷକୁ ମଣିଷ ବୋଲି ଭାବେ, ଜୀବନସଂଗ୍ରାମରେ କ୍ଷତ ବିକ୍ଷତ ହେଲେ ମଧ୍ୟ ମଣିଷତାକୁ ହରାଏ ନାହିଁ, ବିନୟର ମହତ୍ତ୍ୱ ଭୁଲେ ନାହିଁ, ନମ୍ରତାକୁ ଭୂଷଣ କରିଥାଏ, ଦଳିତ ମଥିତର ମନ ବୁଝେ, ଆହତ ଅନ୍ତରର ବ୍ୟଥା ଅନୁଭବ କରେ ଧନ ଯୌବନକୁ ହେମନ୍ତ ଶିଶିର ଭଳି ଅନୁଭବ କରେ, ଆହତ ଅନ୍ତରର ଗୁରୁ ବ୍ୟଥା ମର୍ମେ ମର୍ମେ ବୁଝେ; ଦୁଃଖକୁ ସୁଖ ମଣି ନିଜର କର୍ତ୍ତବ୍ୟ ପଥରେ ଅମ୍ଳାନ ବଦନରେ ହସି ହସି ଆଗେଇ ଯାଏ, ସେ ପ୍ରକୃତରେ ମଣିଷ ପଦବାଚ୍ୟ ।

 

ଏହିଭଳି ଗୋଟିଏ ମଣିଷ ରସାନନ୍ଦ । ରସାନନ୍ଦର ଜୀବନ ପରୀକ୍ଷିତ ହୋଇଛି ବହୁ ଘାତ, ପ୍ରତିଘାତ ଭିତରେ । ବହୁ ଝଡ଼ ଆସିଛି, ଝଞ୍ଜା ଆସିଛି । ବହୁ ଅଶ୍ରୁନାଟକର ଯବନିକା ପତନ ଘଟିଛି । ବହୁ ଅପବାଦର ନାଗରା ପିଟା ହୋଇଛି, ବହୁ ଅପମାନ ଅମ୍ବୁଦ ଭାସିଉଠିଛି । ନିଜର ଅତି ଆପଣାର ଲୋକମାନେ ବିଲୁଆ ହାତୀକୁ ଖେଦାରେ ପକାଇଲା ଭଳି ତାକୁ ବିପଦ ଖେଦାରେ ପକାଇବାକୁ ପ୍ରାଣପଣେ ଚେଷ୍ଟା କରିଛନ୍ତି । ମୁଖରେ ମଧୁର କଥା କହି ପଛରୁ ଛୁରୀ ଭୁଷିବାକୁ ଚେଷ୍ଟା କରିଛନ୍ତି ।

 

ତଥାପି–

 

ସେ ଅଧୀର ହୋଇନାହିଁ । ବଧିର ପରି ଚାଲିଛି । ବିଧିର ଆଜ୍ଞାକୁ ଅବଜ୍ଞା କରିବାର ଦୁଃସାହସ କରି ନାହିଁ । ଧୀବର ଧାରାଶ୍ରାବଣରେ, ଝଡ଼ି ବର୍ଷାରେ, ମଝି ନଈରେ ସାହସର ସହିତ ନୌକା ବାହିଲା ଭଳି ସେ ସଂସାର ସାଗରରେ ଜୀବନ ନୌକା ବାହିଛି । ମୃତ୍ୟୁ-ଭଉଁରୀର ଆଶଙ୍କା ତାକୁ ତିଳେ ହେଲେ ସ୍ପର୍ଶ କରିନାହିଁ ।

 

ସେ ଦୁଃଖକୁ ସୁଖ ବୋଲି ମଣିଛି । ବିଘ୍ନର ଖଣାକୁ ହସି ହସି ଅତିକ୍ରମ କରିଛି । ଉପହାସକୁ ଚନ୍ଦନ ଭଳି ଲେପି ହୋଇଛି । ତେବେ ବି ସେ ନୀତିଭ୍ରଷ୍ଟ ହୋଇ ନାହିଁ । ଦିନକ ପାଇଁ କାହାର ଅନୁଗ୍ରହ ଭିକ୍ଷା କରି ନାହିଁ । ନିଜ ଶିଙ୍ଗରେ ନିଜେ ମାଟି ଖୋଳିଛି । ଶ୍ରମର ମୂଲ୍ୟବୋଧ ସଂପର୍କରେ ସେ ସତତ ସଚେତନ । ସେ ଦିନେ ହେଲେ ପରାଙ୍ଗପୁଷ୍ଟ ମଲାଙ୍ଗ ପରି ଅନ୍ୟର ଦୟା ଉପରେ ନିର୍ଭର କରି ବଞ୍ଚିବାକୁ ଚେଷ୍ଟା କରିନାହିଁ । ନିଜର ବଂଶମର୍ଯ୍ୟାଦାର ସମ୍ମାନରୁ ଫାଇଦା ଉଠାଇ ନିମିଷକ ପାଇଁ ନିଜର ସ୍ୱାର୍ଥ ସାଧନ କରିବାର ନିଷ୍ଫଳ ପ୍ରୟାସ କରିନାହିଁ ।

 

ରସାନନ୍ଦ ଯେତେବେଳେ ନିହାତି ପିଲା, ସେତେବେଳେ ଦେଶରେ ଘୋର ଦୁର୍ଭିକ୍ଷ ପଡ଼ିବାର ଆଶଙ୍କା ହେଲା । ଧାରା ଶ୍ରାବଣରେ ବିନ୍ଦୁଏ ମାତ୍ର ବର୍ଷା ହେଲା ନାହିଁ । ଚାଷୀକୁଳ ଚାତକ ପରି ମେଘକୁ ଚାହିଁ ଚାହିଁ ନିରାଶ ହେଲେ । ନଈ, ହ୍ରଦ, ପୋଖରୀ ଶୁଖିଲା । ଶ୍ୟାମଳ କେଦାରରୁ ସବୁଜିମା ଉଭେଇଗଲା । ଫୁଲ ଫୁଟିଲା ନାହିଁ । କାନନ ଚହଟିଲା ନାହିଁ । କୂଅକଢ଼ା, ହାତପାଣି ଟଙ୍କାରେ ବଢ଼ା ଗୋଲାପ କେତୋଟି ସମୁଦ୍ରକୁ ଶଙ୍ଖେ ପାଣି ପରି ପ୍ରତୀୟମାନ ହେଲା । ଦିଅଁ ଦେବତାଙ୍କ ଗଳା ଖାଲି ପଡ଼ିଲା । କୁସୁମ ପରଶେ ପଟ ନିସ୍ତରିଲା ନାହିଁ । ତୈଲଙ୍ଗୀ ରମଣୀର ଖୋସା ବିଶ୍ରୀ ଦିଶିଲା । ଅଭିସାରିକା କୁସୁମ ଶେଯ ବିଛାଇ ପାରିଲା ନାହିଁ । ଆଧୁନିକା ନୂତନା ରାଧାମାନେ ନବକୃଷ୍ଣଙ୍କୁ ମଲ୍ଲୀମାଳ ଦେଇ ମନ ତୋଷି ପାରିଲେ ନାହିଁ । ବ୍ୟାକୁଳ ବସନ୍ତର ମନ ମରିଗଲା । ମଳୟ ଆସିଲା ସୁଗନ୍ଧହୀନ ହୋଇ । ବସନ୍ତର ସୁରଭିରେ ଧରା ମହକିଲା ନାହିଁ । ବଣର ପଶୁ ବଣରେ ମଲା । ଗଛର ପକ୍ଷୀ ଗଛରେ ଆଖି ବୁଝିଲା । ଗୃହପାଳିତ ସୌଖୀନ ଜୀବଜନ୍ତୁ କୌଣସି ମତେ କା ଭାଁ ହୋଇ ବଞ୍ଚି ରହିଲେ । ଅସ୍ତାୟମାନ ସୂର୍ଯ୍ୟର ଅରୁଣିମା ଲିଭୁ ଲିଭୁ ଯେପରି ତିମିରର ଫରହରା ଉଡ଼ି ଉଡ଼ି ଆସି ଜଗତକୁ ଆଲୋକ ଠାରୁ ଦୁରେଇ ଦିଏ, ସେଇମିତି ଦୁର୍ଭିକ୍ଷର କରାଳ ଛାୟା ସବୁଠାରେ ଅନୁଭୂତ ହେଲା । ଜୀବନକୁ ମଣିଷ ପାଖରୁ ଦୁରେଇ ଦେବାକୁ ଚେଷ୍ଟା କଲା । ଅଗସ୍ତିପୁର ଗାଆଁ ଶୂନ୍‍ଶାନ ହୋଇଗଲା । ଶ୍ମଶାନ ପରି ଦିଶିଲା-। ପେଟ ବିକଳରେ କିଏ କୁଆଡ଼େ ଗଲେ । ରଙ୍ଗନାଥ ଏକମାତ୍ର ପୁତ୍ର ରସାନନ୍ଦ ଓ ଧର୍ମପତ୍ନୀ ସେବତୀକୁ ତାଙ୍କ ଶଶୁର ଗାଆଁ ଉଦୟଭାନୁ ପୁରକୁ ପଠାଇ ଦେଲେ ।

 

ଉଦୟଭାନୁପୁର କତିରେ ନୁହେଁ କି, ପାଖରେ ନୁହେଁ, ଅଗସ୍ତିପୁରକୁ ତିରିଶ୍ କୋଶ ବାଟ-। ସେବତୀ ବାହା ହୋଇ ଆସିବାର ସାତବର୍ଷ ହୋଇଗଲା । ଦି'ଟାର ମାଆ ହେଲାଣି । ପଢ଼ୁଆଁ ପିଲାଟି ବାହୁଡ଼ିଛି । ଦ୍ୱିତୀୟ ସନ୍ତାନ ହେଉଛି ରସାନନ୍ଦ, ତଥାପି ସେ ବାପଘରକୁ ଫେରିନି କି ପୁଆଣି ହୋଇ ଆସିନି ।

 

ଝିଅ ହୋଇ ବାପଘରକୁ ଯିବାର ମନ କାହାର ନ ଥାଏ ? ଶଶୁରଘର ଯେଡ଼େ-ଜମିଦାର ଘର ହେଉ, ସ୍ୱାମୀ ଯେଡ଼େ ବଡ଼ ଲୋକ ହେଉ, ଦାସୀ ପରିବାରୀରେ ଅଭାବ ନ ଥାଉ, ଧନ, ଜନ, ଗୋପଲକ୍ଷ୍ମୀରେ ଦିନ ରାତି ଗହଳ ଚହଳ ଲାଗିଥାଉ; ତଥାପି ଝିଅର ବାପ ଘରକୁ ଯିବାର ମନ । ବାସି ତୋରାଣି, କାଞ୍ଜିପାଣି ପିଇବାରେ ଇଚ୍ଛା । ମାଆ, ଭଉଣୀ, ଭାଉଜଙ୍କ ହାତରୁ ଶୁଖୁଆ ପୋଡ଼ା, ଶାଗ ଖରଡ଼ା ଖାଇବାର ପ୍ରବଳ ଲାଳସା, ସାଙ୍ଗସାଥୀଙ୍କ ଠାରୁ ହାନି ଲାଭ, ଭଲ ମନ୍ଦ ଶୁଣିବାରେ ବାସନା । ଗ୍ରାମଦେବତୀଙ୍କ ନିକଟରେ ମୁଣ୍ଡିଆମାରି କେତେ କଥା ମନାସିବାର ଲୋଭ । ଭିଟାମାଟି ମାଡ଼ି କାନ୍ଥରେ ମରା ହୋଇଥିବା ଷଠିଘର କଉଡ଼ି ଦେଖିବାର ଅଦମ୍ୟ କାମନା-

 

ଅନେକ ଜାଗାରେ ଦେଖାଯାଏ, ଝିଅ ବାହା ହୋଇ ଯାଇଁ ବାପଘର ଫେରି ପାରେନା । ତା’ର ଯେ ଫେରିବାକୁ ଇଚ୍ଛା ନ ଥାଏ, ତା’ର ଯେ ଗାଆଁ ମାଟି ପ୍ରତି ମମତା ନ ଥାଏ, ବାପ, ମାଆ, ଗୁରୁ, ଗୁରୁଜନଙ୍କ ପ୍ରତି ଭକ୍ତି ନ ଥାଏ, ଜ୍ଞାତି କୁଟୁମ୍ବ ଲଘୁଜନଙ୍କ ପ୍ରତି ଶ୍ରଦ୍ଧା ନ ଥାଏ, ଏପରି ଭାବିବା ଠିକ୍ ନୁହେଁ; ମାତ୍ର ନାନାଦି ଅପରିହାର୍ଯ୍ୟ କାରଣ ଯୋଗୁଁ ସେ ମନକଥା ମନରେ ମାରି ରହେ । ପଦାକୁ ଗୋଡ଼ କାଢ଼ି ପାରେନା । ବାପଗାଆଁର କୌଣସି ଲୋକଙ୍କୁ ଦେଖିଲେ ତା’ର ଛାତି କୁଣ୍ଢେମୋଟ ହୋଇଯାଏ–ସେ ନାନା କଥା ପଚାରି ଅନ୍ୟମାନଙ୍କ ଅଜଣାରେ ବହେ କାନ୍ଦେ–ତା’ପରେ ଚୁପ୍‍ହୋଇ ରହେ । ଯଦି କସ୍ମିନ କାଳେ ଶାଶୁ ଶଶୁରଙ୍କର ବୋହୂ କାନ୍ଦୁଥିବା ଦୃଷ୍ଟିଗୋଚର ହୁଏ, ତେବେ ସର୍ବନାଶ । ଶାସ୍ତ୍ର ପ୍ରଳମ୍ବ ଅଶୁଦ୍ଧ ହୋଇଯାଏ । ଶାଶୁ-ଶଶୁର ଦାନ୍ତ କଡ଼ମଡ଼କରି ବ୍ୟଙ୍ଗୋକ୍ତିରେ ଚଢ଼ାଗଳାରେ କହନ୍ତି–"ହଁ-ହଁ, ତାକୁ ତ ଏଠାରେ ଖାଇବାକୁ ହେଉନି–ପିନ୍ଧିବାକୁ ପାଉନି–ହଳଦୀ ତେଲ ବିହୁନେ ଦେହ ମୁଣ୍ଡ ନୁଖୁରା–କାନ୍ଦିବ ନାହିଁ କାହିଁକି’’

 

ଏତିକିରେ ବୋହୂର କାନ୍ଦ ବନ୍ଦ ହୁଏ । କଟା ଘା’ରେ ଚୁନ ଦେଲାଭଳି କଥା ହୁଏ । ହାଡ଼ ଥାଇ ମାଂସ ମିଳାଇ ଯାଏ ।

 

ଯେଉଁ ଅନିବାର୍ଯ୍ୟ ଘଟଣାମାନଙ୍କ ହେତୁ ବୋହୂ ବାପଘରକୁ ଯିବାରେ ପ୍ରତିବନ୍ଧକ ସୃଷ୍ଟି ହୁଏ, ସେହିପରି ଏକ ଘଟଣା ଘଟିଥିଲା ସେବତୀର ବାହାଘର ଦିନ ।

 

ରଙ୍ଗନାଥ ପାଲିଙ୍କିରେ ଚଢ଼ି ଯାକଜମକ ଭାବରେ ବାଣ ରୋଷଣୀରେ ଦାଣ୍ଡ ଫଟାଇ ଯାଇଥିଲେ ଉଦୟଭାନୁପୁରକୁ ବାହା ହେବାକୁ । ବାଟବରଣୀ ବେଳେ ରଙ୍ଗନାଥର ବାପା ରବୀନ୍ଦ୍ରନାଥ ନାଗସାପ ପରି ଫଅଁ ଫଅଁ ହୋଇ ଉଠି କହିଲେ–‘‘ରୌପ୍ୟ ଢାଳରେ ପାଣି, ସ୍ଵର୍ଣ୍ଣ ଥାଳିରେ ବାଟବରଣୀ ସରଞ୍ଜାମ ନ ଆଣିଲେ ମୋ’ ପୁଅ ବାଟବରଣୀ ହେବନାହିଁ ।’’ ଏତିକି କଥାରେ ବରପକ୍ଷ କନ୍ୟାପକ୍ଷ ଭିତରେ ନାନା ଯୁକ୍ତି ତର୍କ, କଳି ତକରାଳ । ଶେଷରେ-ରୌପ୍ୟଢାଳ, ସ୍ଵର୍ଣ୍ଣଥାଳି ପରିବର୍ତ୍ତେ କାଂସ୍ୟପାତ୍ରରେ ବାଟବରଣୀ କାମ ଶେଷ ହେଲା । ସେତିକିବେଳୁ ରବୀନ୍ଦ୍ରନାଥ ନିଆଁରେ ଲୁଣ ପକାଇଲା ଭଳି କ୍ରୋଧରେ ଖାଲି ଫୁଟିଲେ । ସମସ୍ତ ବରଯାତ୍ରୀ ଯଥାବିଧି ଅନୁସାରେ କନ୍ୟାପକ୍ଷ ଦ୍ୱାରା ଅର୍ଚ୍ଚିତ ହେଲେ, ମାତ୍ର ରବୀନ୍ଦ୍ରନାଥ ପାଣି ଛୁଇଁଲେ ନାହିଁ । ରବୀନ୍ଦ୍ରନାଥଙ୍କୁ ଅନେକ ଉକ୍ତ ଘଟଣାରେ ବିରକ୍ତ ହୋଇ ଏକାନ୍ତ ଅସହିଷ୍ଣୁ ଅସାମାଜିକ ବ୍ୟକ୍ତି ବୋଲି ଅଭିହିତ କଲେ କିନ୍ତୁ ଯେ ରବୀନ୍ଦ୍ରନାଥଙ୍କ ସଂପର୍କରେ ଆସିଛନ୍ତି, ସେ ଏଥିରେ ଏକମତ ହେଲେ ନାହିଁ । ପ୍ରକୃତରେ ସେ ଏ ଧରଣର ଲୋକ ନୁହନ୍ତି । ଭାରି ସର୍ବସହଣି । ପଥର ପଡ଼ିଲେ ସହନ୍ତି ସେ । ତେବେ ଏକବାଗିଆ ଲୋକ । ଯାହା ବୁଝିଥାନ୍ତି, ସେୟା, ସେ ଭଲ ହେଉ କି ମନ୍ଦ ହେଉ, ନ୍ୟାୟ ହେଉ କି ଅନ୍ୟାୟ ହେଉ । ସେ ସର୍ବଦା ନିଜ କଥା ବଜାୟ ରଖିବାକୁ ଚାହାନ୍ତି । ନିଜର ମତ ଅଭ୍ରାନ୍ତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ।

 

ନିଆଁରେ ପାଣି ପଡ଼ିଲା ପରି କ୍ରୋଧ ତାଙ୍କର ପ୍ରଶମିତ ହୋଇ ଆସୁଥିଲା ବେଳେ, ସେ ପୁଣି ଏକ ଘଟଣାରେ ନିଆଁ ବାଣ ହୋଇ ଉଠିଲେ । ସେବତୀ ବାଡ଼ୁଅ-ପାଣିରେ ଗାଧୋଇ ଫେରୁଥିଲା ବେଳେ ରବୀନ୍ଦ୍ରନାଥ ଝରକା ଫାଙ୍କରେ ଦେଖି ଗର୍ଜି ଉଠି କହିଲେ–‘‘ଏ ଝିଅ କିଏ ?’’ ରବୀନ୍ଦ୍ରନାଥଙ୍କ ପାଖରେ ଠିଆ ହୋଇଥିବା କନ୍ୟା ପକ୍ଷର ବାରିକ ହଠାତ୍ କହିଲା–‘‘ବାବୁ, ସେ ପରା ଆପଣଙ୍କ ବୋହୂ ।’’

 

ବାଘ ମଣିଷକୁ ଦେଖି ଘୁମୁରିଲା ଭଳି ଘୁମୁରିଲେ ରବୀନ୍ଦ୍ରନାଥ । ଭୋ' ଭୋ' କାନ୍ଦି କହିଲେ–‘‘ନା, ଏ ବାହାଘର ହୋଇ ପାରିବ ନାହିଁ । ମୋତେ ଯେଉଁ ଝିଅକୁ ଦେଖାଇଥିଲେ–ଏ ସେ ନୁହେଁ ।’’

 

ବରପକ୍ଷ, କନ୍ୟା ପକ୍ଷର ଲୋକେ ଏ କଥା ଶୁଣି ନ ଶୁଣିଲା ପରି ଖାଲି ବଲ ବଲ କରି ରବୀନ୍ଦ୍ରନାଥଙ୍କ ମୁହଁକୁ ଅନାଇଲେ । ବଡ଼ ଘର ବଡ଼ ଗୁମର କଥା, କାହା ଜିଭରେ ହାଡ଼ ଅଛି–କିଏ କହିବ ଯେ ଯେଉଁ ଝିଅକୁ ରବୀନ୍ଦ୍ରନାଥ ଦେଖିଥିଲେ, ଏ ସେ ଝିଅ ନୁହେଁ । କାହା ଆୟୁଷ କା’କୁ ଗନ୍ଧାଉଛି ଯେ ସେ ବଲ୍ଲଭବଳବନ୍ତରାୟ ବଶିଷ୍ଟ ମହାପାତ୍ରଙ୍କ ଝିଅ ସେବତୀ ବିଷୟରେ କଥା କହିବ, ଆଉ ରବୀନ୍ଦ୍ରନାଥଙ୍କ କଥାକୁ ସମର୍ଥନ କରିବ ? ନିଜେ ରଙ୍ଗନାଥ ମଧ୍ୟ ପିତାଙ୍କ କଥାରେ ଆଶ୍ଚର୍ଯ୍ୟ ହୋଇଗଲେ ।

 

କନ୍ୟା ପକ୍ଷରୁ ଘନ ଘନ ତାଗିଦ୍ ଆସିଲା ଯେ ବାହାଘର ଶୀଘ୍ର ଆରମ୍ଭ ହେଉ । ଖରା ମାଡ଼ି ଆସୁଛି ।

 

ବର ବେଦିକି ଯିବ କି ନାହିଁ, ଏ ବିଷୟରେ ବରଯାତ୍ରୀଙ୍କ ଭିତରେ ବହୁ ଘାଣ୍ଟଚକଟ ଚାଲିଲା । କିଏ ଯଦି କହିଲା–‘‘ରଙ୍ଗନାଥଙ୍କ ଭଳି ଯୋଗ୍ୟ ପୁତ୍ରଙ୍କୁ କେଉଁ କନ୍ୟା ଅଭାବ ହେବ ଯେ ସେଥିପାଇଁ ଏତେ ଚିନ୍ତା, ଏ ବାହାଘର ବନ୍ଦ ହେଉ ।’’ କିଏ ତେବେ କହିଲା–‘‘ଯାହା ଭାଗ୍ୟରେ ଯାହା ଅଛି, ମଣିଷ କ’ଣ ତାକୁ ଆନ କରି ପାରିବ ? ଏ ତ ପ୍ରଜାପତି ଘଟଣା । ଯିଏ ଯାହାର କନ୍ୟା, ଯିଏ ଯାହାର ବର । ବର କନ୍ୟା ମଙ୍ଗୁଳେଇ ହୋଇ ସାରିଲା ପରେ ଆଉ କ’ଣ କଥା ଥାଏ-?’’ ଅନ୍ୟ ଜଣେ ତେବେ ଦି’ପାଦ ଆଗେଇ ଯାଇ କହେ, ‘‘ହଇହେ–ତୁମେ ମଙ୍ଗୁଳେଇ ହେବା କଥା କ’ଣ କହୁଛ ? ସେତ ବହୁତ ପଛ କଥା । ନିର୍ବନ୍ଧ ସରିଲା ଦିନ ଅଧେ ବିଭାଘର ସରିଥାଏ । କେବଳ ବେଦି ଉପରେ ସର୍ବ ସମକ୍ଷରେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି, ଅଗ୍ନିକୁ ଅନାଇ ଶପଥ ନେବା ଛଡ଼ା ଆଉ ପ୍ରକୃତରେ ଥାଏ କ’ଣ ?’’ ଏହିପରି ନାନା ଆଲୋଚନା ଚାଲିଥିଲା ବେଳେ ମଧ୍ୟ ରଙ୍ଗନାଥ ତିଳେ ହେଲେ ବିଚଳିତ ହେଉ ନ ଥିଲେ । ସେ ବରଂ ଓଲଟି କହିଲେ ‘‘ନାନା ଶାସ୍ତ୍ର ପୁରାଣ ପଢ଼ି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ, ବିବାହ ଏକ ବିଧି ନିର୍ଦ୍ଦେଶ ଘଟଣା । ଯାହା ସହିତ ଯିଏ ବାନ୍ଧି ହେବାର ଯୋଗ ଅଛି, ସେ ନିଶ୍ଚୟ ବାନ୍ଧି ହେବ । ତାକୁ କେହି ଅନ୍ୟଥା କରି ପାରିବେ ନାହିଁ ।’’

 

ପୁତ୍ରର ଏଭଳି ମତାମତ ଶୁଣି ପିତା ଆଶ୍ଵସ୍ତ ହେଲେ । ସ୍ଵସ୍ତିର ନିଶ୍ୱାସ ମାରିଲେ । ସେ ଭାବିଲେ ଯିଏ ବିଭା ହେବ, ଯିଏ ଘର ସଂସାର କରିବ–ତା’ର ଯେତେବେଳେ ଏ ଭଳି ଇଚ୍ଛା, ମୋର ସେଥିରେ କ’ଣ କହିବାର ଅଛି ?

 

ବିଭାଘର ଆରମ୍ଭ ହେଲା । ସେବତୀ ଅତି କୌଶଳରେ ପାଦ ଚାପି ଚାପି ବେଦି ଉପରକୁ ଆସିଲା । ବିଭାଘର ଶେଷ ହେଲା । ସମସ୍ତେ ରଙ୍ଗନାଥଙ୍କୁ ଧନ୍ୟ ଧନ୍ୟ କହିଲେ । ବରପକ୍ଷ କନ୍ୟାପକ୍ଷର ଲୋକେ ସମସ୍ତେ ଯେତେବେଳେ ରବୀନ୍ଦ୍ରନାଥଙ୍କୁ ଗାଧୋଇ ଭୋଜନ କରିବା ପାଇଁ ଜିଦ୍ କଲେ, ସେ ସେତେବେଳେ କେବଳ ଏତିକି କହିଲେ–‘‘ମୋ ବୋହୂକୁ ମୋ’ ପାଖକୁ ଟିକିଏ ଡାକ, ମୁଁ ତା ସାଙ୍ଗରେ ପଦେ କଥାବାର୍ତ୍ତା ହେବି । ସେ ଯଦି ମୋ’ କଥାରେ ରାଜି ହୁଏ, ତେବେ ମୁଁ ଗାଧୋଇବି ।’’

 

ସେବତୀକି ଡକାଗଲା । ରବିନ୍ଦ୍ରନାଥ ତା’ ହାତ ଦେଖି ଦୁଃଖ ଭୁଲିଗଲେ, କାରଣ ଫଳିତ ଜ୍ୟୋତିଷ, ଗଣିତ ଜ୍ୟୋତିଷରେ ତାଙ୍କର ଅଗାଧ ଜ୍ଞାନ । ସେ ହାତ ଦେଖି ସବୁ କଥା କହି ଦେଇ ପାରନ୍ତି ।

 

ରବୀନ୍ଦ୍ରନାଥ ଖାଲି ଏତିକି ବୋହୂକୁ ଚୁପ୍ ଚୁପ୍ କରି ପଚାରିଲେ, ‘‘ମା, ମୁଁ ବଂଚିଥିବା ଯାଏ ଯଦି ତୁ ଏ ମାଟି ନ ମାଡ଼ିବାର ପ୍ରତିଜ୍ଞା କରି ମୋ’ ଦେହ ଛୁଉଁ, ତେବେ ମୁଁ ଗାଧୋଇ ଖାଇବି-।’’ ଅନତି ବିଳମ୍ବେ ସେବତୀ କହିଲା–‘‘ଆପଣଙ୍କ ଆଜ୍ଞା ମୋର ଶିରୋଧାର୍ଯ୍ୟ ବାବା । ଆପଣଙ୍କର ଇଚ୍ଛା ପୁରଣ ହେଉ । ମୋତେ କ୍ଷମା କରନ୍ତୁ–ମୁଁ ଆପଣଙ୍କ ଦେହ ଛୁଇଁ ପାରିବି ନାହିଁ-।’’

 

ରବୀନ୍ଦ୍ରନାଥ ଆଉ ବେଶୀ ଦୂର ଅଗ୍ରସର ହେଲେ ନାହିଁ କି ବୋହୂ କଥାକୁ ଆଦୌ ଅବିଶ୍ୱାସ କଲେ ନାହିଁ । ନିଜର ଜିଦ୍ ପରିହାର କରି ସ୍ନାନାର୍ଥେ ଗଲେ । ତା’ପରେ ଆସି ହସ ହସ ବଦନରେ ଠା’ ପିଢ଼ାରେ ବସିଲେ । ସେ ଏଭଳି ପରିବର୍ତ୍ତନ ହୋଇଗଲେ ଯେ, ଯେ ଦେଖିଲା ସେ ଭାବିଲା, ଯେପରି କୌଣସି ଅପ୍ରୀତିକର ଘଟଣା ରବୀନ୍ଦ୍ରନାଥଙ୍କ ଜୀବନରେ ଆଦୌ ଘଟି ନାହିଁ ।

 

ସେବତୀକୁ ଯେ ଯାହା ପଚାରିଲା, ସେବତୀ କିଛି କହିଲା ନାହିଁ । ଖାଲି ଲୁହ ଦି’ ଟୋପା ଗଡ଼ାଇ ପକାଇଲା । ସେଇ ଲୁହକୁ କିଏ କେତେ ରକମର ଅର୍ଥ କଲେ । ନିଜର ଗର୍ଭଧାରିଣୀ ଜନନୀ ଯେତେ ଚେଷ୍ଟା କଲେ ବି ସେବତୀ କିଛି କହିଲା ନାହିଁ । ବରଂ ବୋଉକୁ ବୁଝାଇ କହିଲା–‘‘ବୋଉ ଲୋ, ତୁ’କଣ ଜନ୍ମ ଦେଇଛୁ ବୋଲି କର୍ମ ଦେଇଛୁ ? ମୋ କର୍ମରେ ଯାହା ଅଛି ମୁଁ ତାହା ଭୋଗିବି ।’’

 

ଭଲରେ ଭଲରେ ବର କନ୍ୟା ବିଦା ହେଲେ । ଆଉ କୌଣସି ଗଣ୍ଡଗୋଳ ଘଟି ନାହିଁ । ଯେଉଁମାନେ ଆଶଙ୍କା କରୁଥିଲେ ଯେ ବରକନ୍ୟା ବିଦାୟ ହେଲାବେଳେ ଯୌତୁକ ଜିନିଷପତ୍ର ନେଇ ନିଶ୍ଚୟ ରବୀନ୍ଦ୍ରନାଥ ଗଣ୍ଡଗୋଳ ଭିଆଇବେ, ସେ ଆଶଙ୍କା ଆଶଙ୍କାରେ ହିଁ ରହିଗଲା ବରଂ ବିଦାୟ ବେଳେ ଦୁଇ ସମୁଧି ଯେଭଳି କୋଳାକୋଳି ହେଲେ, ତାହା ଯିଏ ଦେଖିଲା, ସିଏ ସ୍ତମ୍ଭୀଭୂତ ହୋଇଗଲା ।

 

ବରକନ୍ୟା ବାହୁଡ଼ି ପୁଅ ବୋହୂ ବୋଲାଇଲେ । ବୋହୂକୁ ଯିଏ ଦେଖିଲା ସିଏ ପ୍ରଶଂସା କଲା । ଶାଶୁ ଶଶୁରଙ୍କ ଛାତି ଗର୍ବରେ କୁଣ୍ଡେ ମୋଟ ହୋଇଗଲା ।

 

ପ୍ରଥମ ମିଳନରେ ରଙ୍ଗନାଥ ଜାଣିନେଲେ ଯେ ସେବତୀ ଜଣେ ଅତ୍ୟନ୍ତ ବୁଦ୍ଧିମତୀ ମହନୀୟା ନାରୀ । ସେ ଅନ୍ୟନାରୀ ଭଳି ଖାଲି ଆସି ନାହିଁ ତାରୁଣ୍ୟର ଦୁର୍ବିସହ ଜ୍ୱାଳାକୁ ପ୍ରଶମିତ କରିବାକୁ, ହୃଦୟର ସୁପ୍ତ କାମଲାଳସାକୁ କେବଳ ଚରିତାର୍ଥ କରିବାକୁ, ତାର ଯୌବନର ଜଉଘରେ ତାକୁ ବନ୍ଦୀ କରି ଖାଲି ଛଟପଟ କରି ମାରିବାକୁ ।

 

ନା-ନା, ସେବତୀ ଆସିଛି ତାର ଜୀବନ ପଥରେ ନୂତନ ପ୍ରଭାତର ଅସୀମ ପୁଲକ ନେଇ, କୋଟି ଅନାଘ୍ରାତ କୁସୁମର ଭୁରୁ ଭୁରୁ ଗନ୍ଧ ଛୁଟାଇ, ସମବେଦନାର ବୀଣାରେ ମମତାର ମୂର୍ଚ୍ଛନା ତୋଳି । ତାର ଜୀବନରେ ଅଛି ଭଲ ପାଇବାର ଅସୀମତା । ତାର ଚାହାଣିରେ ଅଛି ଆନାକୁ ଆନନ୍ଦ ପ୍ରଦାନ କରିବାର ଆକୁଳତା । ତା’ର ବ୍ୟବହାରରୁ ଜାଣିହୁଏ, ସେ ପ୍ରେମମୟୀ, ଶୁଭଦା ସୁଖଦା । ତା’ର ତନୁରେ ଭରି ରହିଛି ବହୁ ବସନ୍ତର ସୁରଭି ।

 

ତଥାପି–

 

ପିତାଙ୍କର ସନ୍ଦେହ ସମ୍ବନ୍ଧରେ ସେବତୀ ଠାରୁ ପ୍ରକୃତ କଥା କଣ ଜାଣିବା ପାଇଁ ଉଦ୍‍ବିଗ୍ନତା ପ୍ରକାଶ କଲା ରଙ୍ଗନାଥ । ସେବତୀ ମଥା ପୋତି ଲାଜକୁଳି ଲତା ଭଳି ସମ୍ଭ୍ରମରେ ସ୍ୱାମୀଙ୍କ ନିକଟରେ ସବୁ କଥା ପ୍ରକାଶ କଲା । ତା’ର ପିତା କିପରି ଡରି ରବୀନ୍ଦ୍ରନାଥଙ୍କୁ ସେବତୀକୁ ଦେଖାଇବା ପରିବର୍ତ୍ତେ ପଡ଼ିଶା ସାହିର ଏକ ଅୟସୀ ସୁନ୍ଦରୀ କନ୍ୟାକୁ ଆଣି ଦେଖାଇଥିଲେ ତାହା ସେ ବର୍ଣ୍ଣନାକଲା । ରବୀନ୍ଦ୍ରନାଥ କିପରି ମୁହଁଚାହାଁ ବାବଦକୁ ମୁଦ୍ରିକାଟିଏ ପ୍ରଦାନ କରିଥିଲେ, ଉକ୍ତ କନ୍ୟାର ପିତା ମାତା କିପରି ଉକ୍ତ ମୁଦ୍ରିକାଟିକୁ ଫେରାଇଲେ ନାହିଁ–ସବୁକଥା ପରିଷ୍କାର ଭାବରେ କହିଗଲା ସେବତୀ ।

 

ରଙ୍ଗନାଥଙ୍କ ମନ କ’ଣ ହୋଇଗଲା । ସେ କେତେ କଥା ଭାବିବାକୁ ଲାଗିଲେ । ତାଙ୍କ ମନରେ ପ୍ରଶ୍ନର ଝଡ଼ ପରେ ଝଡ଼ ଉଠିଲା । ତା’ ହେଲେ କ’ଣ କେବଳ ସୁନ୍ଦରୀ କନ୍ୟାମାନେ ପରିଣୟ ସୂତ୍ରରେ ଆବଦ୍ଧ ହେବେ, ଘର-ସଂସାର କରି ପୁତ୍ରକନ୍ୟା ମେଳରେ ସୁଖରେ ଦିନ କାଟିବେ, ଅନ୍ୟମାନେ ସେ ସୁଯୋଗରୁ ବଞ୍ଚିତ ହେବେ ? କାଳୀ, ଛୋଟୀ, କାଣୀ, କୁଜୀ ଅନୂଢ଼ାର ଜୀବନ ବରଣକରି ବୟସ ସାରିଦେବେ, ଆଉ କେବଳ ଚମ୍ପାଫୁଲ ପରି ରଙ୍ଗ ଯାହାର, ଚନ୍ଦ୍ରପରି ବର୍ତ୍ତୁଳ ମୁଖ ଯାହାର, ସେହିମାନେ କେବଳ ମାତୃତ୍ୱ ଗୌରବ ଅର୍ଜନ କରିବାରେ ସକ୍ଷମା ହେବେ ? ଅନ୍ୟମାନଙ୍କୁ ତାହାହେଲେ ସୃଷ୍ଟି କରିଛି କିଏ ? ଯେଉଁ ମଣିଷ ଅସୁନ୍ଦରୀଙ୍କୁ ଘୃଣା କରେ–କଟୁ ମନ୍ତବ୍ୟ ବାଢ଼ି ନାସିକା କୁଞ୍ଚନ କରେ–ସେ କ’ଣ କାଣୀ ହେଉ, କୁଜୀ ହେଉ, ସୃଷ୍ଟି କରିପାରିବ ? ଦୁନିଆଁରେ ସବୁ ଦିନ ଯେପରି ସମାନ ନ ଥାଏ ସେହିପରି ସବୁକଥା ସମାନ ନ ଥାଏ । ସବୁଫୁଲ ଯେପରି ଏକାଭଳି ରଙ୍ଗୀନ ନୁହନ୍ତି କି ସବୁଥିରେ ସମାନ ଭାବରେ ସୁବାସ ନ ଥାଏ, ସବୁ ମଣିଷ ସେପରି ସମାନ ଆକୃତିର ସମାନ ଗୁଣର ନୁହନ୍ତି । କେତକୀର ବାସନା ଗୋଲାପରେ ନ ଥାଏ କି ଗୋଲାପର ଲୋଭନୀୟତା ମୁଚୁକୁନ୍ଦରେ ନ ଥାଏ । ଗନ୍ଧବିହୀନ କିଂଶୂକ ପୁଣି ରୂପର ଜାଜ୍ଜ୍ଵଲ୍ୟମାନତା ପାଇଁ ସସସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏହା ବୋଲି କ’ଣ ସେ ନାଗେଶ୍ଵର ବା ଗଙ୍ଗଶିଉଳୀ ସାଙ୍ଗରେ ସରି ହେବ ?

 

ସେ ଯାହାହେଉ, ରବୀନ୍ଦ୍ରନାଥ ଜୀବିତ ଥିବା ଯାଏ, ସେବତୀ ତା ବାପଘରକୁ ଯାଇ ପାରିଲା ନାହିଁ । ବାପଘରୁ ଯେତେ ଥର ନେବାକୁ ଆସିଲେ, ସେବତୀ ଏଭଳି କାରଣମାନ ଦେଖାଇଲା ଯେ ଯାହା ଫଳରେ ବାପ, ଭାଇ ଫେରିଗଲେ, ଆଉ ନେବାକୁ ଆସିଲେ ନାହିଁ । ରଙ୍ଗନାଥ ବି ବାପା ମା’ଙ୍କୁ ଏଡ଼ି କିଛି କହି ପାରନ୍ତି ନାହିଁ କି ଗୃହ ରାଜନୀତିରେ ମୁଣ୍ଡ ପୁରାଇବାକୁ ପସନ୍ଦ କରନ୍ତି ନାହିଁ । ଅବଶ୍ୟ ଏହା ଭିତରେ ରଙ୍ଗନାଥଙ୍କର ପିତା ରବୀନ୍ଦ୍ରନାଥ ଓ ମାତା ସୌଭାଗ୍ୟବତୀ ଇହଧାମ ପରିତ୍ୟାଗ କରି ସାରିଲେଣି । ସେବତୀ ବାପଘରକୁ ଯିବାରେ କୌଣସି ବାଧା ନାହିଁ ।

 

ତଥାପି ବର୍ଷା ଅଭାବରେ ଗାଆଁର ଅବସ୍ଥା ଶୋଚନୀୟ ନ ହୁଏ ନା ରଙ୍ଗନାଥ ସେବତୀକୁ ବାପଘରକୁ ଯିବାକୁ ନ କହନ୍ତି । ଯାହାହେଉ–ସେବତୀ ରସାନନ୍ଦଙ୍କୁ ନେଇ ବାପ ଗାଁ ଉଦୟଭାନୁପୁରକୁ ଗଲା ।

 

କିନ୍ତୁ !

 

ହାୟ !

 

ଆଗର ଉଦୟଭାନୁପୁରର ସ୍ଵଚ୍ଛଳ ଅବସ୍ଥା ଆଉ ଏବେ ନାହିଁ । ଗାଆଁର କେତୋଟି ଟାଉଟର ଗାଆଁଟାକୁ ସର୍ବସ୍ୱାନ୍ତ କରି ସାରିଲେଣି । ଗୋଟାଏ ଗାଆଁରେ ତିନିଟା ଦଳ, ଶହେ ଘର ଭିତରେ ଛ’ଫାଙ୍କ । କାହାରି ସହିତ କାହାରି ମନ ମିଳୁ ନାହିଁ । ଯେତେବେଳେ ମଣିଷ ରକେଟରେ ଯାଇଁ ଚନ୍ଦ୍ରଲୋକରେ ପହଞ୍ଚିଲାଣି ସେତେବେଳେ ବି ଏ ଗାଆଁର ଲୋକେ ଖବର କାଗଜ ପଢ଼ନ୍ତି ନାହିଁ କି ଦେଶ ବିଦେଶର ଖବର ରଖନ୍ତି ନାହିଁ । ଗାଆଁରେ ଗୋଟିଏ ରେଡ଼ିଓ ନାହିଁ । ଯେଉଁମାନେ ବିଦେଶରେ ଚାକିରି କରିଛନ୍ତି ସେହିମାନେ ଦୋଳ ଛୁଟିରେ ଗାଁକୁ ଆସିଲାବେଳେ ରେଡ଼ିଓ ଖଣ୍ଡେ ସାଙ୍ଗରେ ଆଣନ୍ତି ଓ ତାକୁ ଦେଖିବା ପାଇଁ ଲୋକେ ସନ୍ଧ୍ୟାବେଳେ ରୁଣ୍ଡ ହୁଅନ୍ତି । ଆଗ୍ରହରେ ମନ ଦେଇ ରେଡ଼ିଓ ପ୍ରଚାରିତ ସମ୍ବାଦ, ସଙ୍ଗୀତ ଶୁଣନ୍ତି, ଆଶୀର୍ବାଦ ବର୍ଷଣ କରନ୍ତି ।

 

ଲୋକଙ୍କ ଭିତରେ ଭୟ, ଘୃଣା ଦ୍ୱେଷ, ହିଂସା ଭାବର ବୀଜାଣୁ ସଂଚାରିତ ହୋଇଛି । ମାଲି ମକଦ୍ଦମାରେ ପଡ଼ି ଜମିବାଡ଼ି, ଭିଟାମାଟି ବିକି କୋର୍ଟ କଚେରୀକି ଦଉଡ଼ି ଦଉଡ଼ି ଉଚ୍ଛନ୍ନ ହେଲେଣି । ଗାଆଁମାଟି, ହଳ ଲଙ୍ଗଳର ମୋହ, ପ୍ରିୟା ପ୍ରୀତି, ବନ୍ଧୁବାନ୍ଧବଙ୍କୁ ସ୍ନେହ, ସବୁଜ କେଦାରର ଆକର୍ଷଣକୁ ଭୁଲି କିଏ କୁଆଡ଼େ ବିଦେଶ ଗଲେଣି । ବଣରେ ବାଘ ନ ଥିଲେ ଯେପରି କେତୋଟି ବାର୍‍ହା, ଆଉ ପଲେ ହରିଣୀ ଦଉଡ଼ା ଦଉଡ଼ି କରନ୍ତି, ସେଇମିତି ଗାଆଁ ଟାଉଟର କେତୋଟିଙ୍କୁ ଛାଡ଼ିଦେଲେ ଆଉ ଛୋଟା, କଣା, କଉଜା, ଅନ୍ଧ, କାଲ ହୋଇ ଯାହା କେତୋଟି ବିକଳାଙ୍ଗ ଅକର୍ମା ଲୋକ ଗାଆଁରେ ଅଛନ୍ତି–ତା’ ନ ହେଲେ ସବୁଗୁଡ଼ିକ ନାରୀ । ନାରୀମାନଙ୍କୁ ବି ରକ୍ଷା ନାହିଁ । ଟାଉଟରମାନେ ସେମାନଙ୍କ ମନରେ ବି ବିଭେଦର ମଞ୍ଜି ବୁଣି କଳି କଜିଆର ସୂତ୍ରପାତ କରାଇ ଫାଇଦା ଉଠାଉଛନ୍ତି । ସପ୍ତାହରେ ସାତଥର ପୋଲିସ ଗାଆଁକୁ ଆସୁଛି । କିଏ ପ୍ରାଣ ବିକଳରେ ସତୀତ୍ୱ ବିକୁଛି ତ, ଆଉ କିଏ ଦେହରୁ ଗହଣା ଓହ୍ଲାଇ, ବନ୍ଧନ ପକାଇ ଦି’ପଇସା ଆଣି ହାତଗୁଞ୍ଜା ଦେଉଛି । ଟାଉଟରମାନେ ବିରାଡ଼ିମାନଙ୍କ ଭିତରେ କଳି ନିଷ୍ପତ୍ତି କରିବାକୁ ଯାଇ ମାଙ୍କଡ ପିଠା ବାଣ୍ଟ କଲାଭଳି ମଝିରେ ଦି’ପଇସା ମାରି ବେଶ୍ ଆରାମରେ ଆମୋଦ ପ୍ରମୋଦରେ ଦିନ କାଟୁଛନ୍ତି ।

 

ଉଦୟଭାନୁ ଆଉ ପୂର୍ବପରି ଗ୍ରାମଦେବତୀଙ୍କୁ ନିକଟରେ ଜନ୍ତାଳ ହେଉନାହିଁ । ସଂକୀର୍ତ୍ତନ ହେଉନାହିଁ କି ଭାଗବତ ପଢ଼ା ଶେଷରେ ହରିହାଟ ବସୁନାହିଁ । ଶହେ ଘରରୁ ତିନିଶହ ଘର ହେଲେଣି । ଲୋକ ସଂଖ୍ୟା ନଦୀର ଜୁଆର ଭଳି ହୁ-ହୁ ହୋଇ ବଢ଼ି ଚାଲିଛି । ସେଥିପାଇଁ କାହାର ମନରେ ତିଳେ ହେଲେ ଚିନ୍ତା ନାହିଁ । ପ୍ରଜନନ କ୍ଷେତ୍ରରେ ସତେ ଯେମିତି ଉଦୟଭାନୁପୁର ପ୍ରତିଯୋଗିତାରେ ପ୍ରଥମ ହେବାପାଇଁ ଧାଇଁଛି । ଗାଆଁର ଆଉ ଗୁଣ୍ଠେ କି ବିଶ୍ଵାଏ ଜମି ପଡ଼ିଆ ନାହିଁ-। ଗୋଚର ଦେବୋତ୍ତର ଜମି ବି ରକ୍ଷା ପାଇନାହିଁ । ଟାଉଟରମାନେ ସବୁ ମାରି ନେଇଛନ୍ତି । ଲୋକଙ୍କୁ ମାଲି ମକଦ୍ଦମାରେ ପକାଇ, ଘର ଘର ଭିତରେ ଶାଗରେ ମାଛରେ କଳହର ସୂତ୍ରପାତ କରାଇ, ଏକା ମାଆ ପେଟର ଭାଇ ଭାଇ ଭିତରେ ମନୋମାଳିନ୍ୟ ସୃଷ୍ଟି କରି, ବାପା ପୁଅ ଭିତରେ ସନ୍ଦେହରେ ମଞ୍ଜି ବୁଣି ସେମାନଙ୍କୁ ଅସୁବିଧାରେ ପକାଇ ଗାଆଁ ଯାକର ଲୋକଙ୍କ ଚୁଟିକୁ ହାତମୁଠାରେ ରଖିଛନ୍ତି । କାହାର କିଛି କହିବାର ଶକ୍ତି ନାହିଁ । ପାଟି ଫିଟିବାକୁ ‘ଜୁ’ ନାହିଁ ।

 

ଗାଁକୁ କେହି ରାଜ କର୍ମଚାରୀ ଆସିଲେ, ଭଦ୍ରଲୋକ ଆସିଲେ, ଟାଉଟରମାନେ ନିଶ ମୋଡ଼ି, ହାକୁଟି ପକାଇ ଗାଆଁ ମୁଣ୍ଡରେ ବସନ୍ତି । ଛ’ପଣିଆ ଜମିଦାର ଭଳି ହୁକୁମ ଜାହିରି କରନ୍ତି–‘‘ଏସା ଆଣ ତେସା ଆଣ’’ । ଗାଆଁର ଲୋକେ ଡରି ମରି ସବୁ ଜିନିଷ ନେଇ ଯୋଗାନ୍ତି । ଗାଆଁ ମୁଣ୍ଡ ଚାହାଳୀ ଘରେ ରୋଷେଇବାସ ହୁଏ । ଆଗନ୍ତୁକ ଭଦ୍ର ବ୍ୟକ୍ତିମାନେ ଖାଆନ୍ତି । ଟାଉଟରମାନେ ବି ଖୁସି ଭରି ଭୋଜନ କରନ୍ତି । ଉଚ୍ଛଳ ପ୍ରଶଂସା ଅଜାଡ଼ି ହୋଇପଡ଼େ ଟାଉଟରମାନଙ୍କ ଉପରେ । ଯେଉଁମାନେ ସିଧା ସଞ୍ଚା ଦେଲେ, ପେଟରୁ କାଟି ଚାଉଳ ଦେଲେ, ବାଡ଼ିବଗିଚାରୁ ପନିପରିବା ଦେଲେ, ପିଲାଙ୍କ ମୁହଁରୁ ଛଡ଼ାଇ ଫଳ ଫୁଲୁରି ଦେଲେ ସେମାନଙ୍କ ନାଆଁ କେହି ମୁହଁରେ ଧରନ୍ତି ନାହିଁ । ତେଲିଆ ମୁଣ୍ଡରେ ତେଲ ଢଳା ହୁଏ । ମଳିମୁଣ୍ଡିଆଙ୍କ କଥା କିଏ ପଚାରେ ?

 

ସବୁ ଦେଶରେ ସବୁ କାଳରେ ଏହିଭଳି ଦଳେ ପର ଘରବୁଡ଼ା ଥାନ୍ତି, ସେମାନଙ୍କର ସ୍ଥାନ କାଳପତ୍ର ଆଦୌ ବିଚାର ନ ଥାଏ । ନିଜର ସ୍ୱାର୍ଥକୁ ସେ ଶତକଡ଼ା ଶହେ ଭାଗ ଦେଖନ୍ତି । ଯେକୌଣସି ସ୍ଥାନରେ ବିନା ଆହ୍ୱାନରେ ପ୍ରବେଶ କରନ୍ତି । ବିନା ଜିଜ୍ଞାସାରେ ଅନର୍ଗଳ ଅର୍ଥହୀନ ଯୁକ୍ତି ବାଢ଼ନ୍ତି । ସେମାନଙ୍କର ଧର୍ମାଧର୍ମ ବିଚାର କରିବାର ଶକ୍ତି ନ ଥାଏ । ସେମାନେ ନିଜର ସ୍ୱାର୍ଥ ସାଧନ ପାଇଁ, କୁଟୁମ୍ବ ଭରଣ ପୋଷଣ ପାଇଁ ଯେ କୌଣସି ଅନ୍ୟାୟ, ଅନୃତ ପନ୍ଥା ଅବଲମ୍ବନ କରିବାକୁ ତିଳେ ହେଲେ କୁଣ୍ଠାବୋଧ କରନ୍ତି ନାହିଁ । ଶ୍ରମର ମୂଲ୍ୟବୋଧ ସଂପର୍କରେ ସେମାନଙ୍କର ପ୍ରାଥମିକ ଜ୍ଞାନ ସୁଦ୍ଧା ନ ଥାଏ । ନିଜେ ତ ଶ୍ରମ କରନ୍ତି ନାହିଁ, ଅନ୍ୟର ଶ୍ରମ ପ୍ରତି ମଧ୍ୟ ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ । ଅନେକ ସମୟରେ ଏମାନେ ସାଧାରଣ ଭଦ୍ରତା, ଶାଳୀନତାର ଏରୁଣ୍ଡି ବନ୍ଧ ମାଡ଼ି ନ ଥାନ୍ତି । ତଥାପି ଏମାନେ ସମାଜର ବଡ଼ ପଣ୍ଡା ବୋଲି ପରିଗଣିତ ହୁଅନ୍ତି । ଯେଉଁସବୁ ଗୁଣଥିଲେ ଲୋକ ସମାଜରେ ଭଦ୍ରଲୋକ ବୋଲି ପରିଚିତ ହୁଏ, ସେ ସବୁ ଗୁଣ ନ ଥିଲେ ବି ଏମାନେ ଭଦ୍ର ଶ୍ରେଣୀ ତାଲିକାଭୁକ୍ତ ହୋଇ, ସମାଜର ସବୁ ସୁଖ ସୁବିଧା ସୁଯୋଗ ଉପଭୋଗ କରିବାରେ ସମର୍ଥ ହୁଅନ୍ତି ।

 

ପ୍ରକୃତରେ ଅନେକ ସମୟରେ ପାରମ୍ପରିକ ପ୍ରଥାନୁସାରେ ସମାଜର ରୀତି, ନୀତି ଗଡ୍‍ଡାଳିକା ପ୍ରବାହ ପରି ଚାଲେ । ଧନୁ ଧରି ନ ଜାଣିଥିବା ଲୋକକୁ କୁହାଯାଏ ଧନୁର୍ଦ୍ଧର । ବଂଶୀ ଜୀବନରେ ଧରି ନ ଥିବା ଲୋକକୁ କୁହାଯାଏ ବଂଶୀଧାରୀ । କୋଚିଆକୁ ଡରି ଘରେ ଲୁଚୁଥିବା ଲୋକର ନାମ ଦିଆ ହୋଇଥାଏ ଗରୁଡ଼ । ତାଡ଼କା ପରି ବୃହଦାକାର ରୂପ ଧାରିଣୀ ନାରୀକୁ କୁହାଯାଏ ପଦ୍ମିନୀ ।

 

ଟାଉଟର ଶ୍ରେଣୀର ଲୋକମାନେ ସବୁବେଳେ କାକପରି ଚତୁର । ନିଜର ହୀନ ବାସନା ଚରିତାର୍ଥ କରିବା ପାଇଁ ସେ ସବୁରକମର କୌଶଳ ପ୍ରୟୋଗ କରନ୍ତି ।

 

ଗୋଟିଏ ବିଷୟ ଏଠାରେ ଲକ୍ଷ୍ୟ କରିବାର କଥା । ଟାଉଟରମାନେ ସେବତୀ ବାପ ଗାଆଁର ସବୁ ଘରକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି; ମାତ୍ର ସେବତୀ ବାପଘର ବଳବନ୍ତରାୟ ବଂଶର ଲୋକମାନଙ୍କୁ ପାଲରେ ପକାଇ ପାରିନାହାନ୍ତି କି ସେ ଘରର କୌଣସି ଅନିଷ୍ଟ ସାଧନ କରିବାରେ ସଫଳକାମ ହୋଇ ପାରିନାହାନ୍ତି । କଥାରେ ଅଛି ବାପ ଘେନି ପୁଅ ।

 

ବଳବନ୍ତରାୟ ଆଉ ତାଙ୍କ ସହଧର୍ମିଣୀ ସିନା ସ୍ଵର୍ଗକୁ ଗଲେଣି କିନ୍ତୁ ଯେଉଁ ପୁଅମାନଙ୍କୁ ଉତ୍ତରାଧିକାରୀ ଭାବେ ଛାଡ଼ି ଯାଇଛନ୍ତି, ସେମାନେ ମଧ୍ୟ ପିତାଙ୍କ ପରି ଖୁବ୍ ଟାଣୁଆ, ବୁଦ୍ଧିମାନ, କାର୍ଯ୍ୟଦକ୍ଷ । ଚାରି ପୁଅ ଏକୁଆରେକ ବଳିଆର, ସାକ୍ଷାତ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘନ । ପିତାଙ୍କ ପଦାଙ୍କ ଅନୁସରଣ କରି ଚଳିବାକୁ ତାଙ୍କର ଇଚ୍ଛା । ବଂଶର ମର୍ଯ୍ୟାଦା ପୂରାପୂରି ଅକ୍ଷୁର୍ଣ୍ଣ ରଖିବାର ଇଚ୍ଛା, ମାତ୍ର ବଂଶ ମର୍ଯ୍ୟାଦା ରଖି ହେଉଛି କେଉଁଠି ? ମନ ତ ଡାକୁଛି ସ୍ଵର୍ଗକୁ ସିଡ଼ି ବାନ୍ଧିବାକୁ, ବାନ୍ଧି ହେବ କେମିତି ? ଏଥିପାଇଁ ଶ୍ରମ, ସାଧନା ଧୈର୍ଯ୍ୟ ଯେତିକି ଦରକାର, ଅର୍ଥ ତାର ଚାରି ଗୁଣ ଆବଶ୍ୟକ । ବିନା ଅର୍ଥରେ ମଥୁରା ଗମନ ନାହିଁ । ଆମେ ଆଜି ଯେଉଁ ପୁରୀ, କୋଣାର୍କ, ଭୁବନେଶ୍ଵର ମନ୍ଦିର ନେଇ ଗର୍ବରେ ଛାତି ଫୁଲାଇ ଦେଉଛୁ ସେଥିପାଇଁ କ’ଣ କମ୍ ଅର୍ଥ ଖର୍ଚ୍ଚ ହୋଇଛି ? କମ୍ ଲୋକଙ୍କର ପ୍ରାଣହାନି ଘଟିଛି ? ନବକୋଟି କର୍ଣ୍ଣାଟ ଉକ୍ତଳ ବର୍ଗେଶ୍ୱରମାନଙ୍କର ପ୍ରତାପ ସାଙ୍ଗକୁ ଦେଶର ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରା ନ ଯାଇଥିଲେ ଏହା କଣ କଦାପି ସମ୍ଭବ ହୋଇଥାନ୍ତା ?

 

ତେବେ ଆଜି ବଳବନ୍ତରାୟ ବଶିଷ୍ଠ ମହାପାତ୍ରଙ୍କର ପୁତ୍ରମାନଙ୍କ ଅସୀମ ଧୈର୍ଯ୍ୟ, ଅମାପ ବୁଦ୍ଧି ଥିଲେ ମଧ୍ୟ ସେମାନେ କିଛି କରିପାରୁ ନାହାନ୍ତି । ଗୋଡ଼ କାଢ଼ି ପାଦେ ଅଗ୍ରସର ହୋଇପାରୁ ନାହାନ୍ତି । ଅଣ୍ଟାରେ ଧନ ଥିଲେ ପୁରୁଷ ପୁଅର ବଳ କାହୁଁ କାହୁଁ ଆସେ ।

 

ସେହି ଧନହାନି ଘଟିଛି । ବଳବନ୍ତରାୟ ଯେ ଶେଷ ନିଶ୍ୱାସ ତ୍ୟାଗ କଲାବେଳେ ଯେତେବେଳେ ଚାରି ପୁଅ ମୁଣ୍ଡ ଉପରେ ବସି ପଚାରିଲେ–'ବାପା, କ’ଣ ଖାଇବ ?"

 

-"ନା"-

 

"ଦାନ ନେବ ?"

 

-"ନା-"

 

"ଆଉ କ’ଣ କହିବ ?

 

-"ହଁ"-

 

ସାନପୁଅ ଅଶ୍ରୁ ଛଳଛଳ ନେତ୍ରରେ ପଚାରିଲା "ତେବେ କ’ଣ କୁହ ? ବଳବନ୍ତରାୟ ଥଙ୍ଗ ଥଙ୍ଗ ଗଳାରେ ଖଣ୍ଡ ଖଣ୍ଡ ଭାଷାରେ କହିଲେ–"କରଜ ଚାରି ହଜାର ଟଙ୍କା ସୁଝି ଦେବ ।" ଗ୍ରୀକ୍‍ବୀର ଆଲେକ୍‍ଜାଣ୍ଡର ମଲା ପୂର୍ବରୁ ଯେପରି ତାଙ୍କର ଅନୁଚରବର୍ଗଙ୍କୁ ଅନୁରୋଧ କରିଥିଲେ–"ମୋ' ଶବ ନେଲାବେଳେ ମୋ' ହାତ ଦୁଇଟିକୁ ଦୁଇପାଖକୁ ଝୁଲାଇ ଦେବ-ତାହାହେଲେ ଜନଜଗତ ଦେଖିବ ଯେ, ମୁଁ ଗଲାବେଳେ ପୃଥିବୀରୁ କିଛି ନେଇ ନାହିଁ । ଜଣେ ମଣିଷ ଭାବରେ, କର୍ତ୍ତବ୍ୟ ଦୃଷ୍ଟିରୁ ଯାହା କରିଛି ।" ଠିକ୍ ସେହିପରି କହିଲେ ପୁଅମାନଙ୍କୁ ବଳବନ୍ତରାୟ ବଶିଷ୍ଟ ମହାପାତ୍ର-"ମୋତେ ତୁମେ ଭୁଲ୍ ବୁଝିବ ନାହିଁ ବାବା ! ମୁଁ ସାଙ୍ଗରେ କିଛି ନେଇ ଯାଇନାହିଁ, କି କରଜ କରି ବିଳାସ ବ୍ୟସନରେ ଦିନ କାଟି ନାହିଁ । ମଲାମାଇଲା କାଳରେ ତୁମମାନଙ୍କ ଜୀବନ ବଞ୍ଚାଇ ରଖିବାରେ, ଆଉ ସେବକୀ କେତକୀଙ୍କ ବିବାହାଦିରେ ଯାହା ଖର୍ଚ୍ଚ ହୋଇଛି ନଚେତ୍ ସେ ଟଙ୍କାରେ ମୁଁ ଅନ୍ୟ କିଛି କରି ନାହିଁ । ସେହି ଟଙ୍କାକୁ ଲଗାଣ କରି ତାରି ସୁଧରେ ବାଡ଼ିତଳ ଦଶମାଣ ଜମି କିଣିଛି । ବିଷ୍ଣୁପୁର ପାଳନ୍ଦାଟିକୁ ନିଲାମ ଧରିଛି । ଗାଈ ମଇଁଷି ଶହେଟି ଖର୍ଦ୍ଦି କରିଛି-। ତଳସାହି ଉପରସାହି ଦି' ଖଞ୍ଜା ଘର ତୋଳାଇଛି । ଆଉ ଗଲା ଅଇଲା ଦାନ ଧ୍ୟାନରେ ଯାହା ସାରିଛି ତାହା ମୋ' ନିଜ ଅର୍ଜନରୁ" । ଏଥର ବଳବନ୍ତରାୟଙ୍କ ଚକ୍ଷୁ ନିଷ୍ପ୍ରଭ ହୋଇ ଆସିଲା । ପାଟି ବନ୍ଦ ହୋଇ ଆସିଲା । ସମସ୍ତେ ଅନୁଭବ କଲେ ସତେ ଯେମିତି ସେ କଣ କହିବେ ? ମାତ୍ର କହି ପାରିଲେ ନାହିଁ । ସାନପୁଅ ଜିଦ୍ କଲାରୁ ସେ ଭୂଇଁରେ ନଖରେ "ସେବତୀ କେତକୀ କାହାନ୍ତି ?" ବୋଲି ଲେଖି ଦେଲେ । ସାନପୁଅ କହିଲା–"ଆଣିବାକୁ ସବାରି ନେଇ ଗୋପାଳମାନେ ଯାଇଥିଲେ, ସେମାନଙ୍କ ଶାଶୁ ଶ୍ଵଶୁର ସେମାନଙ୍କୁ ପଠାଇଲେ ନାହିଁ" । ସମସ୍ତେ ଚାହିଁଛନ୍ତି, ବଳବନ୍ତରାୟ ମହାପାତ୍ରଙ୍କ ଆଖିରୁ ଦି'ଟୋପା ଲୁହ ଗଡ଼ିଆସିଲା । ହଠାତ୍ ପାଟି ଫିଟିଗଲା–ସେ ଭଲ ଲୋକଙ୍କ ପରି କହିଲେ–"ସେବତୀ କେତକୀ ଲାଗିଲେ ।"

 

ସମସ୍ତଙ୍କ ମନରେ ଆନନ୍ଦ ଜୁଆର ଖେଳିଗଲା । ପୁଅମାନେ କହିଲେ–'ବାପାଙ୍କର ଦେହ ଭଲ ହୋଇଯିବ' । ଦେଖଣାହାରୀଏ କହିଲେ–"ଭଗବାନ ବଡ଼ଲୋକ ସେ କାତର ପ୍ରାର୍ଥନା ଶୁଣିଲେ ।"

 

କିନ୍ତୁ ହାୟ.........

 

ଏଥର ଗୋଟିଏ ହିକା ଆସିଲା । ସବୁ ଶେଷ ହୋଇଗଲା । ମହାଆଡ଼ମ୍ବରରେ ଶବ ସତ୍କାର ହେଲା । ଶୁଦ୍ଧିକ୍ରିୟା ଦିନ ବଳବନ୍ତରାୟ କରିଥିବା ଋଣ କାଗଜପତ୍ର ସବୁ ବାହାରିଲା । ପିତାଙ୍କ ଶେଷ ଆଦେଶ ଅନୁସାରେ ପୁଅମାନେ ସବୁ ଋଣ ସୁଝିବାରେ ବଦ୍ଧପରିକର ହେଲେ । ତେବେ ଟଙ୍କା ଆସିବ କୁଆଡ଼ୁ ? ଶେଷରେ ସର୍ବସମ୍ମତି କ୍ରମେ ଠିକ୍ ହେଲା ଯେ, ବିଷ୍ଣୁପୁର ପାଳନ୍ଦା ବିକ୍ରୀ ହେବ ଓ ଗୋରୁ ମଇଁଷି ସବୁ ବିକ୍ରୀ ହେବେ–ସେହି ଟଙ୍କାରେ ଯାହାଠାରୁ ଯାହା କରଜ ହୋଇଛି, ସବୁ ସୁଝି ଦିଆଯିବ ।

 

ସତକୁ ସତ ସେଇଆ ହେଲା । ଯେଉଁ ବିଷ୍ଣୁପୁର ପାଳନ୍ଦା ପଚାଶ ପରାଣୀ କୁଟୁମ୍ବ ପୋଷୁଥିଲା; ବିରି ମୁଗ; କୋଳଥ ହରଡ଼, ନାନାଦି ପନିପରିବା ଯୋଗାଉଥିଲା, ତାହା ଅସମୟରେ ଅଦର ଦରରେ ଚିରଦିନ ପାଇଁ ହାତଛଡ଼ା ହୋଇଗଲା । ଯେଉଁ ଘରର ଗୋରୁ ମଇଁଷି ପାଇଁ ଉଦୟଭାନୁପୁରର ଦୁଧ ଦହି ଖଣ୍ଡମଣ୍ଡଳରେ ପ୍ରସିଦ୍ଧ ଥିଲା; ସେହି ଘରର ବେହେରି ଭଙ୍ଗାଗଲା, ଶିକା ଛିଣ୍ଡାଗଲା, ଖୁଆ ଚୁଲୀରେ ପଶିଲା । କୌଣସିମତେ ପିତା କରି ଯାଇଥିବା ଋଣରୁ ପୁତ୍ରମାନେ ମୁକୁଳି ଶାନ୍ତିରେ ନିଶ୍ୱାସ ମାରିଲେ । ସମସ୍ତେ ଧନ୍ୟ ଧନ୍ୟ କଲେ । ହେଲେ ସବୁ ପୁଅଙ୍କ ଭିତରେ ସାନପୁଅ ସର୍ବେଶ୍ଵର ବେଶି ବୁଦ୍ଧିଆ । ତା'ରି ଉପରେ ଘରର ଭାର ଦିଆଗଲା । ସେ ଯୋଗ୍ୟ ପିତାର ଯୋଗ୍ୟ ପୁତ୍ର । ସେ ପାଟି ମାରି, ପେଟ ମାରି ପରକଥା ନ ଶୁଣି ଘର ଠିକ୍ ଭାବରେ ଚଳାଇଲା । କାହାରି କଥାରେ କାନ ଦେଲା ନାହିଁ । ଗାଆଁ ଟାଉଟରମାନେ ଘରକୁ ଭାଙ୍ଗି ଦେବା ପାଇଁ ଯେତେ ଷଡ଼ଯନ୍ତ୍ର କଲେ ତାହା ସବୁ ବ୍ୟର୍ଥ ହୋଇଗଲା । ଚାଳିଶ ପରାଣୀ କୁଟୁମ୍ବ ମାଡ଼ିମକଚି ହୋଇ ସର୍ବେଶ୍ଵର କଥାରେ ଚଳିଲେ ।

 

ତେବେ ଧନ ଅଭାବ ହେତୁ ସର୍ବେଶ୍ଵର ଅନେକ ସମୟରେ ନିଜର କଥା ରଖିପାରିଲା ନାହିଁ । ଯେତେ ଖର୍ଚ୍ଚ କାଟ କଲେ ମଧ୍ୟ ପରିବାର ଠିକ୍ ଭାବରେ ଚଳାଇବା କଷ୍ଟକର ହେଲା । ସାନ ଭଉଣୀ କେତକୀ ବାଳୁତ ବିଧବା । ତା'ପାଇଁ କିଛି କରିବାର ନଥିଲେ ମଧ୍ୟ ବଡ଼ ଭଉଣୀ ସେବତୀର ପୁଅ ରସାନନ୍ଦ ପାଇଁ ପଢ଼ୁଆଁ ଅଷ୍ଟମୀକୁ ପାଞ୍ଚ ହାତେ କନା ଦେଇ ପାରିଲା ନାହିଁ । ତଥାପି ସେବତୀ ମନ କଷ୍ଟ କରେ ନାହିଁ । ଭାଇମାନଙ୍କର ଯେପରି ଭଉଣୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧା ଥାଏ, ଭଉଣୀମାନଙ୍କର ସେହିପରି ଭାଇମାନଙ୍କ ପ୍ରତି ଅସୀମ ସ୍ନେହର ସୂଚନା ମିଳେ । ଭାଇମାନଙ୍କ ଦେହପା ଖରାପ ହେବା କଥା ଶୁଣିଲେ ଭଉଣୀମାନେ ଦିନରାତି ବସି କାନ୍ଦନ୍ତି–ଖାଆନ୍ତି ନାହିଁ କି ପିଅନ୍ତି ନାହିଁ । ଦିଅଁ ଦେବତାଙ୍କୁ ଡାକି ଡାକି ଥକି ଯାଆନ୍ତି । ସବୁବେଳେ ପୁଅମାନଙ୍କ ମନରେ ବାପାଙ୍କର ପଦିଏ କଥା ମନେ ପଡ଼େ–"ସେବତୀ କେତକୀ ଲାଗିଲେ ।"

 

ସେବତୀ ଏଥର କିନ୍ତୁ ଆସି ଭାଇ ଭାଉଜ ଝିଆରୀ ପୁତୁରାଙ୍କ ବ୍ୟବହାରରେ ସନ୍ତୁଷ୍ଟ ହୋଇପାରିଲା ନାହିଁ କି କାହାରି ଅମଙ୍ଗଳ ପାଞ୍ଚି ପାରିଲା ନାହିଁ । ମନକଥା ମନରେ ମାରି ରସାନନ୍ଦଙ୍କୁ ସାଙ୍ଗରେ ଘେନି ପୁଣି ଅଗସ୍ତିପୁରକୁ ଫେରିଯିବା ପାଇଁ ମନସ୍ଥ କଲା ।

 

ବେଳକୁବେଳ ଦୁର୍ଭିକ୍ଷ ରାକ୍ଷସ ଭୟଙ୍କର ରୂପ ଧାରଣ କଲା । ଗଛପତ୍ର ଶେଷ ହୋଇଗଲା । ମଣିଷ ମାଂସ ମଣିଷ ଖାଇଲେ । ରଙ୍ଗନାଥ ପ୍ରମାଦ ଗଣିଲେ । ତାଙ୍କର ବୁଦ୍ଧି ହଜିଗଲା । ସେ କ’ଣ କରିବେ କିଛି ଭାବି ପାରିଲେ ନାହିଁ । ଯୁଆଡ଼କୁ ଚାହିଁଲେ ସିଆଡ଼େ ହାଡ଼ମାଳର ଧାଡ଼ି-କଙ୍କାଳର ଶୋଭାଯାତ୍ରା । ସେ ଯୁଆଡ଼େ କାନ ପାରି ଶୁଣିଲେ ସେଆଡ଼େ ଉଦରଜ୍ୱାଳାର କରୁଣା ଆର୍ତ୍ତନାଦ । ଆଖି ତାଙ୍କର ଖୋସି ହୋଇ ପଡ଼ିଲା । କାନ ତାଙ୍କର ଅତରା ପଡ଼ିଗଲା । ସେ ଥରେ ପ୍ରାଣପ୍ରିୟା ସେବତୀ ଆଉ ଏକମାତ୍ର ପୁତ୍ର ରସାନନ୍ଦ ଆଡ଼କୁ ଅନାଇଲେ, ଆଉ ଥରେ ଘରେ ଥୁଆ ହୋଇଥିବା ଧାନ ବସ୍ତା, ଚାଉଳ ବସ୍ତା କେତୋଟିକୁ ଅନାଇ କେତେ କ’ଣ ଭାବି ବସିଲେ । ସତେ, ଏ ଧାନ ଚାଉଳ ସମୁଦ୍ରକୁ ଶଙ୍ଖେ ପାଣି ପରି । କେତେ ଦିନ ବା ଯିବ ? ଚାହୁଁ ଚାହୁଁ ଶେଷ ହୋଇଯିବ । ପୁଣି ଯଦି କୌଣସି ମତେ କଙ୍କାଳ ପଲ ଏହାର ସନ୍ଧାନ ପାଆନ୍ତି ତେବେ ଘର ଚାରିପାଖରେ ଆସି ଗୋବର ପୋକ ପରି ସାଣୁ ସାଣୁ ହେବେ । ବିଭୂଷିତ କିଂ ନ କରୋତି ପାପଂ ? ସେବତୀ ରସାନନ୍ଦ ବଞ୍ଚିବେ କେମିତି ? ଆଉ କ’ଣ ଗାଁରେ କାହା ପାଖରେ କିଛି ଅଛି ଯେ, କେ ଦେବ ? ଯେଉଁ କେତୋଟି ଘରୁଆ ଘର ଥିଲେ ସେତ ଛାରଖାର ହୋଇଗଲେଣି । ସମସ୍ତଙ୍କର ତା ସମାନ ଦଶା ।

 

ଶେଷରେ ଅନିଚ୍ଛା ସତ୍ତ୍ୱେ ଘର ଛାଡ଼ିବାକୁ ଠିକ୍ କରି ସେବତୀକୁ ଜଣାଇଲେ ରଙ୍ଗନାଥ । ସେବତୀ ଏ କଥା ଶୁଣିଲା କ୍ଷଣି ଭୟରେ ଥରି ଉଠିଲା । ଆଖିରୁ ଧାର ଧାର ହୋଇ ଲୁହ ବୋହିଗଲା । ସେ ପିଲାଙ୍କ ପରି ଭୂଇଁରେ ମୁଣ୍ଡ ପିଟି କାନ୍ଦିଲା । ବିଦେଶ ନ ଯିବାକୁ ସେ ରଙ୍ଗନାଥକୁ ବହୁ ଅନୁନୟ ବିନୟ କରି ବାରଣ କଲା । ରାଣ ନିୟମ ପକାଇଲା । ରଙ୍ଗନାଥ ବିଦେଶ ଚାଲିଗଲେ ସେ ଜୀବନ ହରାଇ ଦେବାର ଧମକ ଦେଲା । ଘରେ ଯାହା ଧାନ, ଚାଉଳ ଅଛି ତାକୁ ପେଜପାଣି କରି ଦିନ କାଟିବା ପାଇଁ ବହୁତ ବୁଝାଇଲା, ମାତ୍ର ରଙ୍ଗନାଥ କିଛି ବୁଝିଲେ ନାହିଁ । ଶେଷରେ ସେ ଏକମାତ୍ର ପୁତ୍ର ରସାନନ୍ଦ ଓ ଧର୍ମପତ୍ନୀ ସେବତୀକୁ ଛାଡ଼ି ରେଙ୍ଗୁନ ଅଭିମୁଖେ ଜାହାଜରେ ଚାଲିଗଲେ ।

 

ତେବେ–

 

ସେ ଯିବା ପୂର୍ବରୁ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଆବାଲ୍ୟ ସଙ୍ଗୀ ଶ୍ୟାମାନନ୍ଦ ବାବୁଙ୍କୁ ଖଣ୍ଡିଏ ଚିଠି ଲେଖି ସେଥିରେ ଜଣାଇ ଦେଇଗଲେ ଯେ ମୁଁ ପେଟ ପୋଷିବା ପାଇଁ ବିଦେଶ ଯାଉଛି । ପିଲାପିଲି ତୁମକୁ ଲାଗିଲେ । ସେବତୀ କାନ୍ଦି କାନ୍ଦି ମନ କଥା ମନରେ ମାରି ରହିଲା । ବିଦେଶରେ ରଙ୍ଗନାଥଙ୍କ ଶରୀର ସୁଖ ରହୁ ବୋଲି ଚଉଁରାମୂଳେ ସଞ୍ଜସଳିତା ଜାଳି ସଭକ୍ତି ବୃନ୍ଦାବତୀଙ୍କୁ ପ୍ରଣତି ଜଣାଇଲା । କେତେ ଦିଅଁ ଦେବତାକୁ ଭୋଗ ଯାଚିଲା ।

 

ଦିନ ପରେ ଦିନ ଗଡ଼ିଗଲା । ଯେଉଁଦିନ ପନ୍ଦର ଦିନ ପୂରିଲା, କାଉଟା ଆସି ଘର ଚାଳରେ ବସି ମୁହଁକୁ ଅନାଇ ଖତେଇ ବିଗୁଲେଇ ହୋଇ ରାଉ ରାଉ ହେଲା । ସେବତୀ ଅଧାର ଆଣି ଦୁଇ ଯାଗାରେ ଥୋଇ କହିଲା–"କାକ ପୋଇରେ କାକ ପୋଇ, ଯଦି କିଏ କୁଣିଆ ଆସୁଥିବ, ତେବେ ପ୍ରଥମେ କୁଢ଼ା ହୋଇଥିବା ଆଧାର ଖାଇବୁ, ଆଉ ଯଦି କାହା ପାଖରୁ ଚିଠି ଆସୁଥିବ, ତେବେ ଦ୍ୱିତୀୟ ଆଧାର ଖାଇ ଉଚ୍ଚ ପର୍ବତକୁ ଉଡ଼ିଯିବୁ ।" ସତକୁ ସତ ଦ୍ୱିତୀୟ ସ୍ଥାନରେ କୁଢ଼ା ହୋଇଥିବା ଆଧାରକୁ ଖାଇ କାଉ ରା' ରା' କରି ଉଡ଼ିଗଲା । ସେବତୀ ପ୍ରାଣ ଆନନ୍ଦରେ ନାଚି ଉଠିଲା । ଅଳ୍ପ ସମୟ ପରେ ଚିଠି ପହଞ୍ଚିଲା ଯେ, ସେବତୀର ବଡ଼ଭାଇ ସ୍ୱାମୀ ସ୍ଵପ୍ନାନନ୍ଦ ଇହଧାମ ପରିତ୍ୟାଗ କରିଛନ୍ତି । ଦୁଃଖରେ ଭାଙ୍ଗି ପଡ଼ିଲା ସେବତୀ ।

 

ସେବତୀର ଚାରି ଭାଇଙ୍କ ଭିତରୁ ସ୍ଵପ୍ନାନନ୍ଦ ଆଜନ୍ମ ବ୍ରହ୍ମଚାରୀ ଥିଲେ । ସେ ଜଣେ ନୈଷ୍ଠିକ ପ୍ରାଣାୟାମ ସାଧକ ଥିଲେ । ବେଦ ବେଦାନ୍ତରେ ତାଙ୍କର ଗଭୀର ପ୍ରବେଶ ଥିଲା । ଦେଶର ବିଭିନ୍ନ ଆଡ଼େ ତାଙ୍କର ଶହ ଶହ ଶିଷ୍ୟ ରହିଛନ୍ତି । ଆସିଥିବା ଚିଠିରୁ ଯାହା ଜଣା ପଡ଼ୁଛି, ମୃତ୍ୟୁର ଅବ୍ୟବହିତ ପୂର୍ବରୁ ସେ ତାଙ୍କର ଦେହତ୍ୟାଗର କଥା ଜାଣିପାରି ଆତ୍ମୀୟସୋଦର ମାନଙ୍କୁ ଜଣାଇ ଦେଇଥିଲେ । ତାହା ଫଳରେ ସାଇପଡ଼ିଶା, ବନ୍ଧୁବାନ୍ଧବ, ଜ୍ଞାତି କୁଟୁମ୍ବ ସମସ୍ତେ ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ, କେବଳ ସେବତୀ ଏ ସୌଭାଗ୍ୟରୁ ବଞ୍ଚିତ ହେଲା । ପ୍ରାଣପ୍ରତିମା ବଡ଼ ଭାଇଙ୍କର ଶେଷ ଦର୍ଶନ ଲାଭ କରି ପାରିଲା ନାହିଁ । ମନରେ ତା’ର ଅବଶୋଷ ରହିଗଲା । ଏହି ବଡ଼ଭାଇ ତାକୁ କୋଳରେ ଶୁଆଇ କାଖରେ କାଖେଇ ମଣିଷ କରିଛନ୍ତି । ତାଙ୍କରି ଯୋଗୁଁ ସେ ଦିନକ ପାଇଁ ଅଭିଆଡ଼ୀ ଥିଲାବେଳେ ଅଭାବ କ’ଣ ଜାଣି ନ ଥିଲା । କେତେ ଦିଅଁ ଦେବତା ଘର, ଯାତ୍ରା, ମେଲଣ, ନାଟ ପୂଜାକୁ ସେ ବୁଲାଇ ନେଇ ନାହାନ୍ତି ? ତାଙ୍କ ଭଳି, ସରଳ, ମିଷ୍ଟଭାଷୀ ଶାନ୍ତ ପ୍ରକୃତିର ଲୋକ ଆଉ କଣ ମିଳିବେ ? ଏଇ କେତେ ଦିନ ହେଲା ତାଙ୍କ ନାମରେ ଅପବାଦ ଡିଣ୍ଡିମ ପିଟାଯାଉ ଥିଲା ଯେ, ସେ ବିଷୟ ବାସନାରେ ଜଡ଼ିତ ହୋଇ ପଡ଼ିଛନ୍ତି । ଏକ ନାରୀର ପ୍ରେମରେ ଆବଦ୍ଧ ହୋଇଛନ୍ତି । ମାତ୍ର କାହିଁ ? ପ୍ରାଣୀର ଭଲମନ୍ଦ ବିଷୟ ମରଣ କାଳେ ଜଣାଯିବା କଥା, କିଛିତ ଜଣାଗଲା ନାହିଁ । ବରଂ ସେ ଯେପରି ମରଣ ବରଣ କଲେ ତାହା ଅନେକ ବଡ଼ ବଡ଼ ସାଧୁ, ସନ୍ଥ, ସନ୍ୟାସୀଙ୍କ ଭାଗ୍ୟରେ ଘଟେ ନାହିଁ । ପୁରାଣ ଯୁଗରେ ମୁନି ଋଷିମାନେ ସୁନ୍ଦରୀ ସ୍ତ୍ରୀମାନଙ୍କୁ କୋଳରେ ଧରି, ପାଖରେ ବସାଇ ଧ୍ୟାନମଗ୍ନ ହେଉଥିଲେ–ତାଙ୍କ ସାଧନାରେ କିଛି ବିଚ୍ୟୁତିର ଲକ୍ଷଣ ପ୍ରକାଶ ପାଉ ନ ଥିଲା, ଏ ଯେ ସେପରି ହୋଇ ନ ଥିବେ କାହିଁକି ?

 

ଅବଶ୍ୟ ଆମ ଦେଶର ଅନେକ ମଠବାଡ଼ିରେ ଯୌବନ ରଙ୍ଗରେ ଯେପରି ହୋରି ଖେଳ ଚାଲିଛି, ବ୍ୟଭିଚାରର ପ୍ରଖର ସ୍ରୋତ ବୋହୂଛି, କାମିନୀକାଞ୍ଚନର ମୋହରେ ମୋହିତ ହୋଇ ମଠର ମହନ୍ତମାନେ ତୂଲୀତଳ୍ପ ଶଯ୍ୟାରେ ଶୋଇ ଅରୁଆ ଅନ୍ନ ଘୃତ ପକ୍ୱାଦି ବ୍ୟଞ୍ଜନ ଖାଇ, ଥନ୍ତଲ ପେଟ କାଢ଼ି, ଧର୍ମକୁ ଆଖିଠାର ମାରୁଛନ୍ତି–ତାହା ଦେଖିଲେ ଯେ କୌଣସି ବିଚାରବନ୍ତ ମାର୍ଜିତ ରୁଚିସଂପନ୍ନ, ସୁଧୀ, ଧର୍ମପ୍ରାଣ ବ୍ୟକ୍ତି ପ୍ରାଣରେ ଆଘାତ ଲାଗିବ । ଯେଉଁମାନେ କଠୋର ସନ୍ନ୍ୟାସ ଧର୍ମରେ ଦୀକ୍ଷିତ ହୋଇ ସଂଯମ ଆଚରଣ କରି, ପାଞ୍ଚମନ ପଚିଶ ପ୍ରକୃତିକୁ ଦମନ କରି ରକ୍ତମାଂସର ମାୟା ଏଡ଼ାଇ ଈଶ୍ଵର ଉପାସନାରେ ନିଜକୁ ନିୟୋଜିତ କରି ନ ପାରିବେ ସେମାନେ ଗୃହସ୍ଥାଶ୍ରମର ମଧୁ ମାଦକତାରେ ବିହ୍ୱଳ ହେବା କ୍ଷତି କ’ଣ ? ବରଂ ଶ୍ରେୟସ୍କର । ଅଜସ୍ର ବିଧବା, ପ୍ରୋଷିତ ଭର୍ତ୍ତୃକାର ଦେହକୁ ଦାହ କରି ଘୃଣ୍ୟ ଭୃଣ ହତ୍ୟା ମହାପାପରେ ଭାଗିହୋଇ–କୌପୁନୀ ମାରି, ଚିତା କାଟି, ନାମାବଳୀ ସ୍କନ୍ଧରେ ବହନ କରି, ହରିନାମ ମୁଖରେ ଉଚ୍ଚାରଣ କରିବା ଅପେକ୍ଷା ଘର ସଂସାରରେ ପଶି ଦୁନିଆକୁ ଆଦର୍ଶ ଦେଖାଇବା ଭଲ । ମୁହଁରେ ରାମ ରାମ କହି ଲୋକ ଲୋଚନ ଅନ୍ତରାଳରେ ଅନ୍ୟାୟ, ଅନୁଚିତ, ସଂସ୍କାର ଓ ସମାଜ ବିରୋଧୀ କାର୍ଯ୍ୟରେ ଲିପ୍ତ ହେବା ଆଦୌ ସ୍ପୃହଣୀୟ ନୁହେଁ । ଅଧିକାଂଶ ନକଲି ମହନ୍ତ ଯେତେବେଳେ ଏଭଳି ଅପକର୍ମରେ ନିଜକୁ ବୁଡ଼ାଇ ରଖି, ଦେଶ ଦଶ ମୁହଁରେ କଳା ବୋଳୁଛନ୍ତି ସେତେବେଳେ ଯେକୌଣସି ସାଧକକୁ ଲୋକେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି । ଯାହାର ଇନ୍ଦ୍ରିୟ ଦମନର କ୍ଷମତା ଥିବ, ଯାହାର ଷଡ଼ରିପୁ, ଆୟତ୍ତରେ ଥିବେ ସେ ଯାହା କଲେ ମଧ୍ୟ ତାହାର କିଛି କ୍ଷତି ହେବନାହିଁ । ଏଥିରେ ସନ୍ଦେହ ନାହିଁ ଯେ, ସେବତୀର ଭାଇ ସ୍ଵପ୍ନାନନ୍ଦ ଜଣେ ସିଦ୍ଧ-ସାଧକ ଥିଲେ ।

 

ଗୋଟିଏ ଦୁଃଖ ନ ଯାଉନୁ, ଆଉ ଗୋଟିଏ ଦୁଃଖ ମାଡ଼ିଆସିଲା । ମନରୁ ଦୁର୍ବଳତାକୁ କେତେକ ପରିମାଣରେ ପରିହାର କରି, ଆଖିରୁ କାନିରେ ଲୁହ ପୋଛିଲା ସେବତୀ । ସମୁପସ୍ଥିତ ଦୁର୍ଭିକ୍ଷ ବିପଦକୁ ମୁକାବିଲା କରିବା ପାଇଁ ଛାତିରେ ସାହସ ସଞ୍ଚୟ କଲା ସେ । ବେଳକୁବେଳ ଦୁର୍ଭିକ୍ଷ କରାଳ ରୂପ ଧାରଣ କରି ଗାଆଁ ଗଣ୍ଡାର ସମସ୍ତ ଲୋକଙ୍କୁ ଶେଷ କରି ଦେବାକୁ ଚାହିଁଲା । ମଣିଷ ମାଂସ ମଣିଷ ଖାଇଲେ ବି ରକ୍ଷା ହେବାର ପଥ ଦିଶିଲା ନାହିଁ । ସବୁ ଓଲଟପାଲଟ ହୋଇଗଲା ।

 

ଶ୍ମଶାନବାସୀ, ନରମାଂସ ଲୋଭୀ ଶୃଗାଳ ପଲ ଆସି ଘରେ ପଶି ରହିଲେ । ଯେ ଯେଉଁଠି ଠିଆ ହୋଇଥିଲା ସେ ସେଇଠି ଟଳି ପଡ଼ିଲା । ଯେ ଯେଉଁଠି ବସିଥିଲା ସେ ସେଇଠି ଦାନ୍ତନିକୁଟି ମହାନିଦ୍ରାରେ ଶୋଇଲା । କାହାଖବର କେହି ବୁଝିବାକୁ ରହିଲେ ନାହିଁ କି କାହା ଶବ କେହି ଉଠାଇବାକୁ ବଞ୍ଚିଲେ ନାହିଁ ।

 

ସର୍ବନାଶ ଘଟିସାରିଲା ପରେ, ପ୍ରଳୟ ପୂର୍ଣ୍ଣଯୌବନ ଲାଭ କଲା ପରେ, ସରକାରଙ୍କ ନିଦ ଭାଙ୍ଗିଗଲା । ଖୁଦ ଚାଉଳ ବଣ୍ଟାହେଲା । ସ୍ଥାନେ ସ୍ଥାନେ ଅନ୍ନଛତ୍ର ଖୋଲାଗଲା; କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଥିଲା । ଗାଆଁ ଗଣ୍ଡା ସବୁ ଛାରଖାର ହୋଇଯାଇଥିଲା । କେଉଁଠି କେମିତି ଢୋକେ ପିଇ, ଦାଣ୍ଡେ ଜୀଇ ଜଣେ ଜଣେ କିଏ ରହି ଯାଇଥିଲେ । ଅଗସ୍ତିପୁରରେ ସେଇମିତି ରହିଥିଲେ ଦୁଇଟି ବଡ଼ ମଣିଷ, ଦୁଇଟି ପିଲା । ଗାଆଁ ଏ ମୁଣ୍ଡରେ ଦି'ଜଣ, ଗାଆଁ ସେମୁଣ୍ଡରେ ଦି'ଜଣ । ଆଉସବୁ ଘର ଶୂନ୍ ଶାନ୍ । ଯେଉଁମାନେ ଥିଲେ ସେମାନେ ହେଲେ ରଙ୍ଗନାଥଙ୍କର ସ୍ତ୍ରୀ ସେବତୀ, ପୁତ୍ର ରସାନନ୍ଦ । ବାହିଲୀଦାର ସଦେଇ ସାଆନ୍ତରା ଆଉ ତାଙ୍କ ଅଲିଅଳୀ ଦୁଲଣା ରେବତୀ ।

 

ରଙ୍ଗନାଥ ରେଙ୍ଗୁନ୍ ଗଲାବେଳେ ଯେଉଁ ଚାଉଳ, ଧାନ ଦେଇଯାଇଥିଲେ, ସେଇଥିରେ ଆଜିଯାଏ ଚଳି ଆସିଲା ସେବତୀ । ସେ ଯେମିତି ଚଳିଛି ସେ କଥା ସେ ଜାଣେ, ଭଗବାନ ଜାଣନ୍ତି-। ଅନ୍ୟ କେହି ବୁଝିପାରିବେ ନାହିଁ । ଛୁଆଟିକୁ ବଞ୍ଚାଇବା ପାଇଁ ନିଜେ ଉପାସ ରହି ତାକୁ ଖୁଆଇଛି-। ମୁଠିଏ ଚାଉଳ ଫୁଟାଇ ଗଣ୍ଡେ ଭାତ ରାନ୍ଧେ, ତାକୁ ଦିଏ ରସାନନ୍ଦକୁ ଖାଇବାକୁ । ଆଉ କୁଣ୍ଡା, ଚଷୁ, ଚାଉଳ, ଖୁଦ ମିଶାଇ ସେ ଗୋରୁଖିଆ କୂଳୁଚି ଭଳି ହାଣ୍ଡିଏ ରାନ୍ଧେ, ତାକୁ କଂସାଏ କଂସାଏ ଖାଇ ନିଜର ଜୀବନ ବଞ୍ଚାଏ । ଯାହାତ ଧାନ, ଚାଉଳ ଘରେ ଥିଲା ତାହା ଶେଷ ହୋଇଗଲା । ରଙ୍ଗନାଥତ ଆଜିଯାଏ କିଛି ଟଙ୍କାପଇସା ପଠାଇଲେ ନାହିଁ । ଦେଖୁ ଦେଖୁ ଦି' ସପ୍ତାହ ପୁରିଗଲା । ତଥାପି କିଛି ଖବର ନାହିଁ । ଏବେ ସେବତୀ କରେ କଣ ? ତା ପାଇଁ ତା’ର ଚିନ୍ତା ନାହିଁ । ଛୁଆଟି କେମିତି ତାର ବଞ୍ଚନ୍ତା କି ? ଏଥର ସେବତୀ ଖାଲି ପେଜ ମନ୍ଦେ ମନ୍ଦେ ପିଇ ରସାନାନ୍ଦକୁ ମୁଠେ ଭଲ କରି ଖୁଆଇଲା । ଅନ୍ନମୟୀପିଣ୍ଡ କେତେଦିନ ଅନ୍ନ ନଖାଇ ଚଳି ପାରିବ ସେ ? ଦେହ ରକ୍ଷା ପାଇଁ ଖାଦ୍ୟର ଆବଶ୍ୟକ ତା ଜରୁରୀ । ଖାଦ୍ୟ ଆସିବ କୁଆଡୁ ?

 

ଆଉ କ’ଣ ସେ ଅନ୍ନଛତ୍ର କେନ୍ଦ୍ରକୁ ଯାଇ ସାହାଯ୍ୟ ଆଣିବ ? ଛତ୍ରରେ ପଶି ଛତ୍ରଖାଇ ହେବ ? କୁଳବଧୂ ହୋଇ କୁଳୀନତାକୁ ଜଳାଞ୍ଜଳି ଦେବ ? ବଡ଼ବଡ଼ୁଆ ସପ୍ତ ପୁରୁଷଙ୍କୁ ଅହିନର୍କରେ ପକାଇ ଡହଳ ବିକଳ କରି ମାରିବ ? ନିଜ ରୀତିନୀତିରୁ, ନିଜ ଧର୍ମରୁ ଯେ ଟଳେ ସେ କି ମଣିଷ ? ନାଁ । –ନାଁ–ତାହା କଦାପି ହେବନାହିଁ । ସେ ମରିବ ପଛେ 'ଛତ୍ର'କୁ ଯିବ ନାହିଁ । ତେବେ ସେ ଆଉ କେତେଦିନ ଏମିତି ହୀନିମାନିଆ ଜୀବନ ଧରି ପାରିବ ?

 

ଭୋକ ଉପାସରେ ସଢ଼ି ସଢ଼ି ସୁନା ଦେହ ଚୁନା ହୋଇଗଲା ସେବତୀର । ତଥାପି ସେ ଧୈର୍ଯ୍ୟ ହରାଇଲା ନାହିଁ । ନିଜପଣରୁ ତିଳେ ହେଲେ ଟଳିଲା ନାହିଁ । ଘରୁ ଗୋଡ଼କାଢ଼ି ଛତ୍ରକୁ ଯିବାକୁ ମନ କଲା ନାହିଁ । ଦିନେ ବସୁ ବସୁ ଆଖି ଖୋସି ଦେଲା । ରସାନନ୍ଦ ବୋଉ ବୋଉ ଡାକୁ ଡାକୁ ସେ ଢଳି ପଡ଼ିଲା । ସେ ରସାନନ୍ଦଙ୍କୁ ଆଉ ଅନାଇଲା ନାହିଁ କି ରସାନନ୍ଦ ଆଖିର ଲୁହ ପୋଛି କିଛି କହିଲା ନାହିଁ । ରସାନନ୍ଦ ସେବତୀକି ଧରି ଖାଲି ଭୋ' ଭୋ' କାନ୍ଦିଲା । ଛତ୍ରକେନ୍ଦ୍ରର ତତ୍ତ୍ୱାବଧାରକ ରଙ୍ଗନାଥଙ୍କ ସଙ୍ଗୀ ଶ୍ୟମାନନ୍ଦ ବାବୁ ସେଇବାଟ ଦେଇ ଫେରୁଥିଲେ, ସେ କାନ୍ଦଣା ଶୁଣି ଦଉଡ଼ି ଆସିଲେ । ଦେଖୁ ଦେଖୁ ସବୁ କଥା ଜାଣିଗଲେ । ରସାନନ୍ଦକୁ ସେବତୀ ପାଖରୁ ଘେନି ଆସି କାଖେଇ ପକେଇ ନାନା କଥା ବୁଝାଇଲେ । ସାନ୍ତ୍ୱନା ଦେଲେ । ତା’ପରେ ତାକୁ ତାଙ୍କ ତମ୍ବୁକୁ ନେଇଗଲେ । ମାତ୍ର ରସାନନ୍ଦର ପିଲାମନ ବୁଝୁଛି କେତେକେ ? ସେ କ’ଣ ଜାଣେ ଯେ, ବୋଉ ତାର ଆଉ ଫେରିବ ନାହିଁ । ତାକୁ କାଖେଇବ ନାହିଁ କି କୋଳରେ ଶୁଆଇବ ନାହିଁ କି ଖୁଆଇ ଦେବ ନାହିଁ ? ସେ ଅଝଟ କଲେ ନାନା ରକମର ବୁଝାଇ ଗାଲରେ ବାର ବାର ଚୁମା ଆଙ୍କି ଦେବ ନାହିଁ ?

 

ଅବଶ୍ୟ ଶ୍ୟାମାନନ୍ଦବାବୁ ରସାନନ୍ଦର ଖୁବ୍ ଯତ୍ନ ନେଲେ । ନିଜର ପିଲାଙ୍କୁ ଯେମିତି ଦେଖିଲେ ତାକୁ ମଧ୍ୟ ସେମିତି ଦେଖିଲେ । ରସାନନ୍ଦର ମନରେ ଯେମିତି ତିଳେ ହେଲେ କଷ୍ଟ ନ ହୁଏ, ସେଥିପାଇଁ ତାଙ୍କ ସାଧ୍ୟାନୁଯାୟୀ ସେ ଚେଷ୍ଟା କଲେ । ରସାନନ୍ଦ ଯେପରି ତା’ର ବୋଉକୁ ଭୁଲିଯାଏ ସେଥିପାଇଁ ସବୁ ରକମର ବ୍ୟବସ୍ଥା କଲେ ।

 

ତଥାପି କ’ଣ ରସାନନ୍ଦ ତା' ବୋଉକୁ ଭୁଲି ପାରିଲା ? ସେ ଶ୍ୟାମାନନ୍ଦ ବାବୁଙ୍କ ଆଖିରେ ଧୂଳିଦେଇ, ତମ୍ବୁରୁ ତା' ବୋଉ ପାଖକୁ ଚାଲିଗଲା । ତା' ବୋଉ ଯେଉଁଠାରେ ଶୋଇଥିଲା, ସେଠାରେ ପହଞ୍ଚିଲା । ଦେଖିଲା–ତା' ବୋଉକୁ ବିଲୁଆ ଟାଣି ନେଇ ପଦାରେ ପକାଇଛନ୍ତି ।

 

ତାକୁ ଘେରି ବସିଛନ୍ତି କେତୋଟି ଶାଗୁଣା । ଟିକିଏ ଦୂରରେ ତା' ବୋଉର ଗୋଟାଏ ହାତକୁ ନେଇ ବିଲୁଆ କାମୁଡ଼ା କାମୁଡ଼ି ହୋଇ ଖାଉଛନ୍ତି । ସେ ଆଦୌ ଭୟ କଲା ନାହିଁ । ତା' ବୋଉ ପାଖକୁ ଚାଲିଗଲା । ଶାଗୁଣା କେଇଟା ପକ୍ଷୀ ମେଲାଇ ଡଗ ଡଗ ହୋଇ ଚାଲିଗଲେ । ସେ ବସିପଡ଼ି ତା’ର ବୋଉର ଗୋଟିଏ ହାତକୁ ଧରି ଟାଣିଲା–"ଆ' ବୋଉ, ଯିବା ଆ" ଏଠାରେ କାହିଁକି ଶୋଇଛୁ ? "ବୋଉ ତାର ଆଉ ଶୁଣିଲା ନାହିଁ । ସମବେଦନାରେ ପବନ ସାଇଁ ସାଇଁ ହୋଇ ବହିଗଲା । କିଛି କୁଆଡ଼େ ନ ଥିଲା । ମେଘ ଦି' ଚାରି ଟୋପା ପଡ଼ିଗଲା । ମନେ ହେଲା–ସତେ ଯେମିତି ଆକାଶ ଏ କରୁଣ ଦୃଶ୍ୟ ଦେଖି କାନ୍ଦି ପକାଇଲା ।

 

ରସାନନ୍ଦ ଯେତେ ଚେଷ୍ଟା କଲେ ମଧ୍ୟ ବୋଉ ତା’ର ଆଉ ଆଖି ଖୋଲି ଚାହିଁଲା ନାହିଁ । ରସାନନ୍ଦ ଦେହରେ ପିଲା, ମନରେ ବି ପିଲା । ଗଲା ଫଗୁଦଶମୀ ଦିନ ତାକୁ ଚାରି ପୂରି ପାଞ୍ଚ ବର୍ଷ ପଶିଲା । ତେବେ ବି ସେ ସ୍ତନ୍ୟପାନରୁ ବିରତ ହୋଇ ନାହିଁ । ସ୍ତନ୍ୟପାନ ନ କରାଇଥିଲେ ବୋଉ ଆଖିକି ତାର ନିଦ ଆସେ ନାହିଁ । ଅନୁଭବୀ ବିନା ଆନ କେହି ଏ କଥା ବୁଝି ପାରିବେ ନାହିଁ । ପୃଥିବୀରେ ଏହାହିଁ ଅତି ଆଶ୍ଚର୍ଯ୍ୟ କଥା । ଯେଉଁମାନେ ଜୀବନରେ ମାଆ ହେବାର ସୌଭାଗ୍ୟ ଲାଭ କରି ନାହାନ୍ତି, ସେମାନେ ସନ୍ତାନ ସୁଖ ବୁଝି ପାରିବେ ନାହିଁ । ପ୍ରକୃତରେ ସେମାନେ ହତଭାଗିନୀ, ଚିର ଦୁଃଖିନୀ । ଯେଉଁ ପୟୋଧର ଅମୃତ ଦାନ କରି ଜୀବନ ବଞ୍ଚାଏ, ସେହି ହିଁ ଜୀବନ ନେବାର ହେତୁ ହୋଇଥାଏ । ଏହା ତନୁବନ୍ଦରର ବତୀଘର ରୂପେ କାର୍ଯ୍ୟ କରି ଜଗତର ଚକ୍ଷୁ ଝଲସାଇ ଦିଏ । ଏହାହିଁ ଯୁଗ ଯୁଗ ଧରି କୋଟି କୋଟି ପୁରୁଷ ଭ୍ରମର ମନଘରେ ନିଆଁ ଲଗାଇ ଆସିଛି । ଏଥିପାଇଁ କେତେ ମୁନିଙ୍କର ମତିଭ୍ରମ ହୋଇଛି, କେତେ ତପୀଙ୍କର ତପସ୍ୟା ଭ୍ରଷ୍ଟ ହୋଇଛି । ଶହ ଶହ କବି ସହସ୍ର ସହସ୍ର କବିତା ଲେଖିଛନ୍ତି, କେତେ କଳାକାର ପୟୋଧରରୁ ସ୍ପନ୍ଦନ ସଂଗ୍ରହ କରି ରେଖାରେ ଭରିଛନ୍ତି । କିନ୍ତୁ ହାୟ-କ୍ଷଣକ ପାଇଁ କେହି ଭାବିଛନ୍ତି କି ଏହା କେବଳ ରକ୍ତ ମାଂସର ସମାହାର, ଆଉ ଏକ ପଚନଶୀଳ ମାଂସ ପିଣ୍ଡୁଳା ବୋଲି !

 

ଯାହା ହେଉ, ପୂର୍ବ ଅଭ୍ୟାସ ମୁତାବଳ ରସାନଦ ସେବତୀର ସ୍ତନ୍ୟ ଧରି ଚୁଚୁମିବାକୁ ଲାଗିଲା । ମାତ୍ର ହାୟ ! ସେଥିରେ ଆଉ ଅମୃତ ନ ଥିଲା । ରୁଧିର କେବଳ ଝର ଝର ହୋଇ ପାଟି ଭିତରେ ଝରି ପଡ଼ିଲା ତାର ରସାନନ୍ଦର ପାଟି ଲୁଣିଆ ହୋଇଗଲା । ଆଉ ସେ ଅମୃତର ସ୍ୱାଦ ପାରିଲା ନାହିଁ ।

 

ରସାନନ୍ଦକୁ ଖୋଜି ଖୋଜି ଏହି ସମୟରେ ସେଠାରେ ପ୍ରବେଶ କଲେ ଶ୍ୟାମାନନ୍ଦ ବାବୁ । ଆଖି ତାଙ୍କର ଖୋସି ହୋଇଗଲା । ଦେହ ଶୀତେଇ ଉଠିଲା । ଭୟରେ ଛାତିରେ ଛନକା ପଶିଲା । ସେ ଦଉଡ଼ିଯାଇ ରସାନନ୍ଦଙ୍କୁ କାଖେଇ ଘେନି ଆସିଲେ । କାଉ, ଶାଗୁଣା ବିଲୁଆ ପୁଣି ସେବତୀର ଶବକୁ ଘେରିଗଲେ । ଶ୍ୟାମାନନ୍ଦବାବୁ ଏକା ନିଶ୍ୱାସକେ ରସାନନ୍ଦକୁ ଧରି ତମ୍ବୁରେ ପହଞ୍ଚିଲେ । ନିଜ ହାତରେ କୂଅରୁ ପାଣି କାଢ଼ି ରସାନନ୍ଦର ମୁହଁ ଧୋଇଦେଲେ ।

 

ଶ୍ୟାମାନନ୍ଦ ବାବୁ ବଡ଼ ଭାବପ୍ରବଣ, ପରମାର୍ଥିକ ଲୋକ । ସେ ଶଙ୍କର ଦର୍ଶନରେ ଜଣେ ସୁପଣ୍ଡିତ । ସାମାନ୍ୟ ସାମାନ୍ୟ କଥାରେ ସେ ଭାରି ଭାବପ୍ରବଣ ହୋଇ ପଡ଼ନ୍ତି, କାନ୍ଦି ପକାନ୍ତି । ରସାନନ୍ଦର ମାତୃ-ମମତା କଥା ଚିନ୍ତା କରି ଅଶ୍ରୁମୋଚନ କରିବାକୁ ଲାଗିଲେ ସେ । କେତେକଥା ତାଙ୍କ ମନରେ ଭାସି ଉଠିଲା । ସେ ଈଶ୍ଵରଙ୍କ ଧନ୍ୟବାଦ ଦେଇ କହିଲେ–ଧନ୍ୟ ଈଶ୍ଵର, ଧନ୍ୟ ତୁମର ମହିମା । ତୁମେ ପ୍ରାଣୀକୁ ଏଭଳି ନଶ୍ଵର ମାୟାରେ ବାନ୍ଧିଛ ଯେ ସେ ହୁଗୁଳିବାର ଉପାୟ ନାହିଁ । ଅନଳ ଦେଖି ଉଦ୍‍ବେଗରେ ପତଙ୍ଗ ଧାଇଁଲା ଭଳି ପ୍ରାଣୀ ସବୁ ଜାଣି, ସବୁ ଶୁଣି ସବୁ ହୃଦୟଙ୍ଗମ କରି ତଥାପି ନଶ୍ଵର ମାୟାରେ ଘାଣ୍ଟି ହୁଏ–ଶୋକ ଜର୍ଜରିତ ହୁଏ ନିଜକୁ ଅସହାୟ ମଣେ । କିନ୍ତୁ ପ୍ରକୃତରେ, ଏ ସଂସାରରେ କିଏ କା'ର କ’ଣ ? କେବଳ ମାୟା । ମାୟାରେ ବନ୍ଧାଏ ଜଗତ !

 

ଏଥର ରସାନନ୍ଦ ପ୍ରତି ତୀକ୍ଷ୍‍ଣ ଦୃଷ୍ଟି ରଖିଲେ ଶ୍ୟାମାନନ୍ଦବାବୁ । ଗୋଟିଏ ଚପରାଶୀକୁ ସବୁବେଳେ ଭଲ ମନ୍ଦ ବୁଝିବା ପାଇଁ ଜଗାଇ ରଖିଲେ ତା'ପାଖରେ । ରସାନନ୍ଦ ବୋଉକୁ ତାର ଝୁରିଝୁରି କଣ୍ଟା ହେଲା । ଶ୍ୟାମାନନ୍ଦବାବୁଙ୍କ କେତେକ ସହକର୍ମୀ ପରାମର୍ଶ ଦେଲେ ଯେ ରସାନନ୍ଦକୁ ତାଙ୍କ ଗାଆଁ ସୌମିତ୍ରୀପୁରକୁ ପଠାଇ ଦେବା ପାଇଁ । ଶ୍ୟାମାନନ୍ଦବାବୁଙ୍କ ସହକର୍ମୀ ଅଧସ୍ତନ କର୍ମଚାରୀ ମାତ୍ରେ ସମସ୍ତେ ଜାଣନ୍ତି ଯେ ଶ୍ୟାମାନନ୍ଦବାବୁଙ୍କ ସହଧର୍ମିଣୀ ସୁରଭି ଦେବୀ ଜଣେ ବୁଦ୍ଧିମତୀ, ଚତୁରୀ, ପର ଦୁଃଖ କାତରା, ଭକ୍ତି ପରାୟଣା ମହିଳା । ତାଙ୍କୁ ଦେଖିଲେ ରସାନନ୍ଦ ନିଶ୍ଚୟ ତା’ର ଜନନୀକି ଭୁଲିଯିବ । ଶ୍ୟାମାନନ୍ଦ ବାବୁଙ୍କ ବଡ଼ପୁଅ ସୌମିତ୍ରୀ ରଂଜନ ମରିଗଲା ପରେ ସୁରଭି ଦେବୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସେ ବି ରସାନନ୍ଦକୁ ଦେଖିଲେ ପୁତ୍ରଶୋକ ଭୁଲିଯିବେ । ପିଲାମାନଙ୍କ ସଙ୍ଗରେ ରସାନନ୍ଦ ଖେଳି ବୁଲି ସମୟ କଟାଇ ଦେବ, ତେଣୁ ଆଉ ସେ ତା’ର ବୋଉ କଥା ଭାବିବାକୁ ସମୟ ପାଇବ ନାହିଁ ।

 

ଶ୍ୟାମାନନ୍ଦ ବାବୁଙ୍କ ମନକୁ ଏ କଥା ପାଇଲା । ସେ କାଳ ବିଳମ୍ବ ନ କରି ତହିଁଆର ଦିନ ସକାଳେ ଜଣେ ଚପରାଶୀ ସଙ୍ଗରେ ରସାନନ୍ଦକୁ ସୌମିତ୍ରୀପୁରକୁ ପଠାଇ ଦେଲେ ଓ ସ୍ଵସ୍ତିରେ ନିଶ୍ୱାସ ମାଇଲେ ।

 

ରସାନନ୍ଦକୁ ନେଇ ଚପରାସୀ ଯେତେବେଳେ ଶ୍ୟାମାନନ୍ଦ ବାବୁଙ୍କ ଘରେ ପହଞ୍ଚିଲା ଓ ସବୁ କଥା ପ୍ରତ୍ୟକ୍ଷଦର୍ଶୀ ଭାବରେ ବଖାଣିଲା, ସୁରଭିଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ସଙ୍ଗେ ସଙ୍ଗେ ଆଣ୍ଠୁମାଡ଼ି ବସି ତଳେ ମୁଣ୍ଡ ଲଗାଇ ଅଷ୍ଟଦିଗପାଳଙ୍କ ଠାରୁ ଆରମ୍ଭ କରି ସର୍ବଦ୍ରଷ୍ଟା ଦିବାକରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଭକ୍ତି ପ୍ରଣତି ବାଢ଼ିଲେ । ରସାନନ୍ଦର ଗାଧୋଇବା ଠାରୁ ଖାଇବା ଶୋଇବା ସମସ୍ତ ଭାର ସେ ନିଜ ହାତରେ ବହନ କଲେ । ରସାନନ୍ଦବାବୁଙ୍କର ତିନୋଟି ଝିଅଙ୍କ ସଙ୍ଗରେ ସବୁବେଳେ ଖେଳିଲା ବୁଲିଲା ।

 

ଯୋଗକୁ ବ୍ରହ୍ମା ଖଟେ ନାହିଁ । ସେ ଦିନ ଜାଗର ଅମାବାସ୍ୟା । ଗାଆଁ ମୁଣ୍ଡ ଗୋକର୍ଣ୍ଣେଶ୍ୱର ମହାଦେବଙ୍କ ନିକଟକୁ ଅନେକ ସ୍ତ୍ରୀ ଲୋକ ଯାଇଥିଲେ । ସୁରଭି ଦେବୀ ବି ରସାନନ୍ଦ ସମେତ ସବୁ ପିଲାଙ୍କୁ ନେଇ ଶମ୍ଭୁ ଦର୍ଶନ ନିମିତ୍ତ ଯାଇଥିଲେ । ଜଗତର ପ୍ରତ୍ୟେକ ସ୍ତ୍ରୀ ସମାନ । ସେ ଯେତେବେଳେ ମେଳି ହୋଇ କୌଣସି କଥା ଆଲୋଚନା କରି ବସନ୍ତି–ରାଜା ପ୍ରଜା, ମାନତି ଅମାନତି କିଛି ବାରଣ ରହେ ନାହିଁ । ଢିଙ୍କିଶାଳ ଠାରୁ ଢେଙ୍କାନାଳ ଯାଏ କଥା ପଡ଼େ । ସେ ଦିନ ସେମିତି ଗୋକର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିର ଶଙ୍ଖ ମଲ ମଲ ପଥର ଚଟାଣ ଉପରେ ନାନା କଥା ଆଲୋଚନା ହେଲା । ତା' ଭିତରେ ରସାନନ୍ଦ କଥା ଉଠିଲା । ଗାଆଁର ସବୁଠାରୁ ମୁଖରା, ଆଣ୍ଠୁକୁଡ଼ୀ ଚନ୍ଦିରୀବୁଢ଼ୀ ଢଗଢ଼ମାଳି ଖଞ୍ଜି, ତାର ସ୍ୱଭାବସୁଲଭ ଭାଷାରେ ରସାନଦ କଥାକୁ ଏମିତି ବାଗରେ ଅନ୍ୟ ବୋହୂଭୂଆଷୁଣି ମାନଙ୍କ ନିକଟରେ ଉପସ୍ଥାପିତ କଲା ଯେ, ସେମାନେ ତା' କଥାକୁ ସମର୍ଥନ କରିବାର ଚାରା ନ ଥିଲା । ଗୋଟିଏ ବିଲୁଆ ଯେପରି "ହୁକେ" କହିଲେ ଅନ୍ୟମାନେ "ହୁକେ ହୋ" କହନ୍ତି–ସେଇମିତି ଚନ୍ଦିରୀବୁଢ଼ୀ ପାଟିରୁ କଥା ଛଡ଼ାଇ ନେଇ ସମସ୍ତେ ଏକସ୍ଵରରେ କହିଲେ–ହଁ ସେୟା ନୁହେଁ ତ ଆଉ କ’ଣ ? ସେ କି ଜାତି କିଏ ଜାଣେ ? ଏତିକିରେ ସୁରଭି ଦବିଗଲା । କାହାକୁ କିଛି ନ କହି ପିଲାମାନଙ୍କୁ ନେଇ ସେଠାରୁ ଘରକୁ ଚାଲିଗଲା ।

 

ସେଇଦିନ ରାତିରେ ପୁଣି ତାଙ୍କର ମଝିଆ ଝିଅ ସ୍ଵାତୀକୁ ପ୍ରବଳ ଜର ହେଲା । ତାଙ୍କ ମନ ପାପ ଛୁଇଁଲା । ସେ ଏଡ଼େ ବଡ଼ ବୁଦ୍ଧିମତୀ, ବିଚାରପରାୟଣା ହୋଇ ମଧ୍ୟ ତାଙ୍କର ବିବେକ କୁସଂସ୍କାର କୁହୁଡ଼ିରେ ବାଟବଣା ହୋଇଗଲା । କେତେ ଅଳୀକ ଚିନ୍ତା, କେତେ ଅଶୁଭ ଭାବନା ତାଙ୍କ ହୃଦପଦ୍ମ ମିହିରକୁ ପ୍ରବଳ ଭାବରେ ଦଂଶନ କଲା । ପ୍ରକୃତରେ ରସାନନ୍ଦ କ’ଣ ଅଜାତି ଘର ପିଲା ? ସ୍ୱାତୀକି ଆସି ଆଠ ବର୍ଷ ପୂରିଲାଣି, ଦିନେ ରୋଗ କ’ଣ ଜାଣି ନ ଥିଲା; ଆଉ କ’ଣ ରସାନନ୍ଦ ଆସିବା ଦ୍ୱାରା ଏପରି ହେଲା ? ସନ୍ଦେହ ସଂଶୟ ଜାଲରେ ବାନ୍ଧି ହୋଇ ପଡ଼ିଲେ ସେ । ରସାନନ୍ଦ ପ୍ରତି ତାଙ୍କର ମନେ ମନେ ବିରାଗ ଆସିଲା । ପୂର୍ବ ସ୍ନେହ, ଶ୍ରଦ୍ଧା ଊଣା ପଡ଼ିଗଲା । ତାକୁ ଦୂର ଦୂର ମାର ମାର କଲେ । ପିଲାମାନଙ୍କ ସାଙ୍ଗରେ ଆଉ ପୂର୍ବ ଭଳି ମିଶିବାକୁ ଦେଲେ ନାହିଁ । ତା'ପ୍ରତି ଘୃଣାବ୍ୟଞ୍ଜକ ବ୍ୟବହାର କଲେ । ଗୁହାଳକଢ଼ା ଠାରୁ ଆରମ୍ଭ କରି ବାସନ ମଜା ଯାଏ, ଘରର ସବୁ କାମ ତା' ଦ୍ୱାରା କରାଇଲେ ।

 

ଦିନେ ଦିନେ ଗୁହାଳ କାଢ଼ିଲା ବେଳେ, ବାସନ ମାଜିଲା ବେଳେ ରସାନନ୍ଦ ବଡ଼ ବିକଳ ହୋଇ କାନ୍ଦେ । ତା' ବୋଉ କଥା ମନେ ପକାଏ । ତା’ପରେ ତାକୁ ଜଣାଯାଏ ସତେ ଯେମିତି ତା' ବୋଉ ଆସି ତା' କାମ କରି ଦେଉଛି । ସେ ଯେଉଁ କାମ କରି ପାରିବ ନାହିଁ ଭାବୁଥାଏ, ସେ କାମ ଅକ୍ଳେଶରେ କରିଦିଏ ।

 

ସୁରଭି ତାଜୁବ ହୋଇଯାଆନ୍ତି । ମନେ ମନେ ଭାବନ୍ତି ଏ ପିଲାଟା କ’ଣ କୁହୁକ ଜାଣେ କି ? ଏଟା କ’ଣ କେଳାଘର ପିଲା କି ?

 

ରସାନନ୍ଦର ଅବସ୍ଥା ଶୋଚନୀୟ ହୋଇଗଲା, ଯେଉଁଦିନ ସ୍ୱାତୀ ମୁର୍ଚ୍ଛା ହୋଇଗଲା । ସେହିଦିନ ରାତିରେ ରସାନନ୍ଦକୁ ନେଇ ଅଗସ୍ତିପୁରରେ ଛାଡ଼ି ଦିଆଗଲା । ରସାନନ୍ଦ ପ୍ରାଣ ବିକଳରେ ଗୋଟିଏ ଗଛମୂଳେ ଠିଆ ହୋଇ କାନ୍ଦି କାନ୍ଦି ରାତି କଟାଇ ଦେଲା । ବିଲୁଆ ଆସି ତାକୁ ଚାଟି ପକାଇଲେ । ଗଧିଆ ଆସି ତାକୁ ଶୁଙ୍ଘି ପକାଇଲା । ସାପ ଆସି ତାର ଗୋଡ଼ରେ ଗୁଡ଼େଇ ହୋଇଗଲା କିନ୍ତୁ ବାପା ମା' ଛେଉଣ୍ଡ ପିଲା ରସାନନ୍ଦର କେହି କିଛି କ୍ଷତି କଲେ ନାହିଁ । ରାତି ପାହିଲା, ସକାଳ ହେଲା । ରସାନନ୍ଦ ଉପରେ ଦୃଷ୍ଟି ପଡ଼ିଲା ବାହିଲିଦାର ସଦେଇ ସାଆନ୍ତରାଙ୍କର । ସେ ସାଙ୍ଗେ ସାଙ୍ଗେ ଚିହ୍ନି କାଖେଇ ନେଇଗଲେ ତାଙ୍କ ଘରକୁ । ଆଦର ଯତ୍ନରେ ରଖିଲେ । ରଙ୍ଗନାଥଙ୍କର ପୁଅ ରସାନନ୍ଦ । ତାର ଏ ଅବସ୍ଥା ଆଖି ଦେଖିଲା । କି କାଳ ହେଲା ସତେ ?

 

ସଦେଇ ସାଆନ୍ତରା ନିଜର ଝିଅ ରେବତୀକୁ ଯେମିତି, ରସାନନ୍ଦକୁ ମଧ୍ୟ ସେମିତି ଦେଖିଲେ । ଆପଣା ପର ଭେଦ କିଛି ରହିଲା ନାହିଁ । ରେବତୀ ବି ସାଙ୍ଗଟି ପାଇ ଭାରି ଆନନ୍ଦ ହୋଇଗଲା । ସଦେଇ ସାଆନ୍ତରା ରେବତୀ ଓ ରସାନନ୍ଦକୁ ସାଙ୍ଗରେ ଧରି ସାହାଯ୍ୟ କେନ୍ଦ୍ରକୁ ଗଲେ । ସେଠାରେ ନାମ ଲେଖାଇ ଧାନ, କୁଣ୍ଡା, ମାଣ୍ଡିଆ ଆଣିଲେ । ତାକୁ ଜାଉ, ପେଜ କରି ଦିନ କାଟିଲେ ।

 

କର୍ମ ଅବଳକୁ ନଳ ରାଜା ଘାସ କାଟିଲା ଭଳି ଆଜି ସିନା ବାହିଲିଦାର ସଦେଇ ସାଆନ୍ତରା ପେଟର ଜ୍ୱାଳା ସହି ନ ପାରି ଛତ୍ରକୁ ଯାଇଛନ୍ତି, ମାତ୍ର ସଦେଇ ସାଆନ୍ତରା ସାମାନ୍ୟ ଲୋକ ନୁହଁନ୍ତି; ବାଘୁଆ ନିଶକୁ ଥରେ ମୋଡ଼ି ରଡ଼ିଟାଏ ଛାଡ଼ି ଦେଲେ ଲୋକେ ବାଘ ଗର୍ଜନ ଭାବି ତଟସ୍ଥ ହୋଇ ଚମକି ପଡ଼ନ୍ତି । ଭୟରେ ବରଡ଼ା ପତ୍ର ପରି ଥରନ୍ତି । ସେ ଥରେ ନ୍ୟାୟ, ନିଶାପରେ ବସିଲେ ଉଭୟ ପକ୍ଷରୁ ପାଞ୍ଚ ପଚିଶ କୌଶଳରେ ନ ନେଇ ଛାଡ଼ନ୍ତି ନାହିଁ ।

 

ଗୁଣି ଗାରଡ଼ି ତାଙ୍କର ଅମୋଘ ଅସ୍ତ୍ର । ନବାବ ପୁଅ ହେଲେ ବି ସେ ଜବାବ ଦିଅନ୍ତି । ଶତ୍ରୁହେଉ, ମିତ୍ର ହେଉ ସମସ୍ତେ ତାଙ୍କର ବଶ୍ୟତା ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି । ପ୍ରଥମେ ଅଗସ୍ତିପୁର ଗାଆଁକୁ ନୂଆ ହୋଇ ଗୋଟିଏ ବୋହୂ ଆସିଲେ ସଦେଇ ସାଆନ୍ତରାଙ୍କ ହାତରେ ମାହାର୍ଦ ଦେଇ ବାପ ଝିଅ ନ ହେଲେ ରକ୍ଷା ନାହିଁ । ତା' ନ ହେଲେ ବାଉତି ଲାଗି ତାକଧିନାଧିନି ହୋଇ ଦାଣ୍ଡରେ ହାଟରେ ନାଚିବ । ସେ ବାଉତି ପୁଣି ଅଛିଣ୍ଡା ବାଉତି । ପଶ୍ଚିମା ପଦ । ଏକା ସଦେଇ ସାଆନ୍ତରାଙ୍କ ଛଡ଼ା ଅନ୍ୟ କେହି ଛଡ଼ାଇ ପାରିବେ ନାହିଁ । ଥରେ କାଟପାଣି ଚଢ଼ାଇ ଦେଲେ, ବାଉତି ଲାଗୁ, ଚିରୁଗୁଣୀ ଲାଗୁ, ଡାଆଣୀ ଲାଗୁ, ଭୁତ ଲାଗୁ, ପ୍ରେତ ଲାଗୁ ସବୁ ଛାଡ଼ିଯାଏ-

 

ଶୁଣାଯାଏ, ଆଗେ ନାଗାମାନେ ଓଟ, ହାତୀ ଉପରେ ଚଢ଼ି ସଙ୍ଗରେ ଶିଷ୍ୟବର୍ଗଙ୍କୁ ଧରି ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଓଡ଼ିଶାକୁ ଆସୁଥିଲେ । ସାଧାରଣତଃ ରଥଯାତ୍ରା ସମୟରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମିତ୍ତ ଆସୁଥିଲେ । ରଥଯାତ୍ରା ଶେଷରେ ସେମାନଙ୍କ ମଧ୍ୟରୁ କେତେକ ସ୍ୱସ୍ଥାନକୁ ଫେରି ଯାଉଥିଲେ । ଆଉ କେତେକ ବିଭିନ୍ନ ସ୍ଥାନ ଭ୍ରମଣ କରି ଚତୁର୍ମାସ୍ୟା କଟାଉଥିଲେ-। ସେ ଯେଉଁଠାରେ ରହୁଥିଲେ, ସେଠାରେ ଗହଳ ଚହଳ ଲାଗୁଥିଲା । ପ୍ରମାଣ ଅଛି, ସେମାନେ ପ୍ରାୟ କେନ୍ଦ୍ରାପଡ଼ାରେ ନରେନ୍ଦ୍ରଙ୍କ ଘରେ, କୁଜଙ୍ଗରେ ଫକିର ଅଧିକାରୀଙ୍କ ଘରେ-ତିରଣରେ ଶିବେଇ ସାଆନ୍ତରାଙ୍କ ଘରେ-ଅଗସ୍ତିପୁରରେ, ସଦେଇ ସାଆନ୍ତରାଙ୍କ ଘରେ ଡେରା ପକାଇ ରହୁଥିଲେ । ସେତେବେଳେ ସଦେଇ ସାଆନ୍ତରାଙ୍କ ଅଜା ନିଧି ସାଆନ୍ତରାଙ୍କ ଅମଳ । ନାଗାମାନଙ୍କ ବିଚିତ୍ର ବେଶ ଦେଖିବାକୁ ସମସ୍ତେ କୌତୂହଳୀ ହେଉଥିଲେ । ସେମାନଙ୍କ ସେବାରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେଲେ ସେମାନେ ରାଜା ପ୍ରଜା ମାନୁ ନ ଥିଲେ । ଭୟଙ୍କର ମାଡ଼ ଦେଉଥିଲେ । ନାଗାମାନଙ୍କ ଆଗମନ କଥା ଶୁଣିଲେ ଶିଷ୍ୟମାନେ ପ୍ରମାଦ ଗଣୁଥିଲେ ।

 

ସାଧାରଣତଃ ନାଗା (ଜମାଉତ)ମାନେ ନିରାମିଷାଶୀ । ଶିଷ୍ୟମାନେ ଆମିଷ ଭକ୍ଷଣ କରୁଥିବାର କୌଣସି ଇଙ୍ଗିତ ପାଇଲେ ସେମାନେ ଅଗ୍ନିଶର୍ମା ହୋଇ ଯାଉଥିଲେ । କଠୋର ଦଣ୍ଡ ଦେଉଥିଲେ । ସେଥିପାଇଁ ଶିଷ୍ୟମାନେ ମାଛ ଧରିବାର ଜାଲ, ପୋହ, ଖାଳେଇ ପ୍ରଭୃତି ଘରୁ ନେଇ କିଆବଣରେ ଲୁଚାଇ ଦେଇ ଆସୁଥିଲେ ।

 

ନାଗା (ଜମାଉତ)ମାନେ ମନ୍ତ୍ର, ଯନ୍ତ୍ର ଲଗାଣ, ବସାଣ, ଉଡ଼ାଣ ପ୍ରଭୃତିରେ ଧୁରଂଧର । ସେମାନେ ଯାହା ଉପରେ ଥରେ ପ୍ରସନ୍ନ ହୁଅନ୍ତି, ତାକୁ ବଡ଼ଲୋକ କରି ଦିଅନ୍ତି, ଯାହା ଉପରେ ଥରେ ବିରକ୍ତ ହୁଅନ୍ତି ତା’ର ସର୍ବନାଶ ଘଟାନ୍ତି ।

 

ସଦେଇ ସାଆନ୍ତରାଙ୍କ ଅଜା ନିଧି ସାଆନ୍ତରା ସଭକ୍ତି ସେବା ଦ୍ୱାରା ନାଗାମାନଙ୍କର ମନ କିଣି ସେମାନଙ୍କର ଅତ୍ୟନ୍ତ ପ୍ରୀତିଭାଜନ ହୋଇ ପାରିଥିଲେ । ସମ୍ଭବତଃ ସେଇ ନାଗାମାନେ ଗୋଟିଏ ମନ୍ତ୍ରପୋଥି ଛାଡ଼ି ଦେଇ ଯାଇଥିଲେ–କାରଣ ନିଧି ସାଆନ୍ତରାଙ୍କ ଠାରୁ ଗୁଣି, ଗାରଡ଼ି ମନ୍ତ୍ର ଯେମିତି ତାଙ୍କର ପୁରୁଷାନୁକ୍ରମିକ ହୋଇ ପଡ଼ିଛି ।

 

ଅଜା ଗଲେ ।

 

ବାପା ଗଲେ ।

 

ଏବେ ଖୋଦ୍ ସଦେଇ ସାଆନ୍ତରାଙ୍କ ଉପରେ ସେ ବିଦ୍ୟାର ରକ୍ଷଣାବେକ୍ଷଣ ଭାର ନ୍ୟସ୍ତ ଅଛି । ଲୋକେ କହନ୍ତି–‘‘ଏ ବିଦ୍ୟାରେ ଯେ ନିପୁଣ, ତା’ର କୁଳ ମୂଳ ରହେ ନାହିଁ ।’’

 

ଲୋକଙ୍କ କଥାକୁ ମିଥ୍ୟା ବୋଲି କହି ହେଉ ନାହିଁ । ଆଖି ଆଗରେ ଅକ୍ଷରେ ଅକ୍ଷରେ ସଦେଇ ସାଆନ୍ତରାଙ୍କ ଠାରେ ସବୁ ଫଳିଛି । ଏକ ମାତ୍ର କନ୍ୟା ରେବତୀକୁ ଛାଡ଼ି ସବଂଶ କୁଟୁମ୍ବ ଗୋଟିଏ ପରେ ଗୋଟିଏ ଆଖି ବୁଜି ଢଳି ପଡ଼ିଛନ୍ତି । ସେଥିଲାଗି ଦିନକ ପାଇଁ ସଦେଇ ସାଆନ୍ତରା ମନ କଷ୍ଟ କରିନାହାନ୍ତି ।

 

ସଦେଇ ସାଆନ୍ତରା ମନ୍ତ୍ରବଳରେ କାହା ବିଲରୁ ଧାନ ହରଣ କରି ଆଣନ୍ତି ତ କାହା ପୋଖରୀରୁ ମାଛ ଉଭାନ କରି ଗେଣ୍ଡା କରିଦିଅନ୍ତି । କେତେବେଳେ କାହା ଗୋରୁ ପହ୍ନାରୁ କ୍ଷୀର ହରଣ କରି ଆଣନ୍ତି ତ କାହା ମଇଁଷି ପହ୍ନାରୁ ଆଣନ୍ତି ।

 

ତେଣୁ–

 

ଏସବୁ ଅଦ୍ଭୁତ ଘଟଣା ଘଟିବା ପୂର୍ବରୁ ଲୋକେ ସ୍ଵେଚ୍ଛାରେ ଚାଉଳ, ଚୁଡ଼ା, ପନିପରିବା ଦୁଗ୍‍ଧ, ଘିଅ, ମାଛ ଆଣି ଦେଇ ଶରଣ ପଶନ୍ତି । ବର୍ତ୍ତମାନ ତ ସବୁଆଡ଼େ ହାହାକାର । ସବୁଆଡ଼େ ଦୁର୍ଭିକ୍ଷ ! କିଏ କେଉଁଠୁ କ’ଣ ଏବେ ଆଣି ଦେବ ?

 

କିଏ ଅଛି ଯେ ଆସିବ ?

 

ସେଇ ସଦେଇ ସାଆନ୍ତରାଏ ।

 

ରସାନନ୍ଦକୁ ରଖିଲେ ପାଖରେ । ରେବତୀ ସାଙ୍ଗରେ ରହିଲା । ଗୋଟିଏ ମାଆ ପେଟର ଭାଇ ଭଉଣୀ ଭଳି ଦୁଇଜଣ ଯାକ ଚଳିଲେ ।

 

ରଙ୍ଗନାଥ, ରେବତୀ ଥିଲେ କ’ଣ–ରସାନନ୍ଦ ପୁଣି ସଦେଇ ସାଆନ୍ତରାଙ୍କ ଘରକୁ ଆସିଥାନ୍ତା ? ଯେଉଁ ସଦେଇ ସାଆନ୍ତରା ଘର ନାଆଁ ଶୁଣିଲେ ରଙ୍ଗନାଥର ବଂଶ ସାରା ଗର୍ଜି ଉଠନ୍ତି–ମଣିଷ ତ ମଣିଷ; ସେ ଘରର କୁକୁର ବି ଭୋ ଭୋ ଗର୍ଜିଉଠେ–ବିରାଡ଼ି ନିଶ ଫୁଲାଇ ଖେଁ ଖେଁ କରି ଉଠେ–ଗୋରୁ ପଘା ଛିଣ୍ଡାଇ ପକାଏ, ସେଇ ସଦେଇ ସାଆନ୍ତରା ଘରକୁ ରସାନନ୍ଦର ଆଗମନ । ବେଶି ଦିନର କଥା ନୁହେଁ, ଗଲାସନ ଏଇ ଦିନ ଗାଆଁମଝି ଠାକୁର ପୋଖରୀ ମାଛ ଧରା ହେବା ବେଳେ ରଙ୍ଗନାଥ ସଦେଇ ସାଆନ୍ତରା ମୁହାଁ ମୁହିଁ ହୋଇଗଲେ । କଳି ତକରାଳ ଆରମ୍ଭ ହେଲା । ନିଜ ନିଜ ଦଳ ଭିତରେ ବାଡା ପିଟାପିଟି ହୋଇ ମୁଣ୍ଡ ଫଟାଫଟି ହୋଇଗଲେ । ଶେଷରେ କଳି ଅବଶ୍ୟ ନିଷ୍ପତ୍ତି ହେଲା । ସଦେଇ ସାଆନ୍ତରା ଭୁଲ୍ ସ୍ୱୀକାର କଲେ । ରଙ୍ଗନାଥ ଧର୍ମକୁ ସାକ୍ଷୀ ରଖି ଶପଥ କରିଥିଲେ–"ମୋ ବଂଶରେ ଜଣେ ବଞ୍ଚିଥିବା ଯାଏ ଆଉ ତା' ଦେହରେ ବିନ୍ଦୁଏ ରକ୍ତ ପ୍ରବାହିତ ହେଉଥିବା ଯାଏ–ସେ ସଦେଇ ସାଆନ୍ତରାୟଙ୍କ ମାଟି ମାଡ଼ିବ ନାହିଁ–ମୁହଁ ଚାହିଁବ ନାହିଁ ।"

 

ମଣିଷ ବଡ଼େଇ ଅଢ଼େଇ ଦିନକୁ । ଈଶ୍ଵର ସବୁ ସହନ୍ତି, କାହାରି ଗର୍ବ ସହି ପାରନ୍ତି ନାହିଁ-। ମଣିଷ ଯେତେବେଳେ ସେହି ପରମାତ୍ମା ଶକ୍ତି ପ୍ରତି ଅବଜ୍ଞା ପ୍ରଦର୍ଶନ କରେ, ତାଙ୍କର ସୃଜନ ଲୀଳାକୁ ଅସ୍ୱୀକାର କରି ନିଜର ଆତ୍ମମ୍ଭରୀତାକୁ ସଗର୍ବ ପ୍ରକାଶ କରେ, ସେତେବେଳେ ଈଶ୍ଵର କ୍ଷୀର ସମୁଦ୍ରରେ ଅନନ୍ତ ଶୟନରେ କର ମୋଡ଼ି ଦୀର୍ଘ ନିଶ୍ୱାସଟିଏ ପକାନ୍ତି । ତା’ପରେ ସୃଷ୍ଟିଚକ୍ରର ଆବର୍ତ୍ତନ ଘଟେ । ଘଡ଼ିକେ ଘୋଡ଼ା ଛୁଟିଥାଏ । ଦେଶରେ ଦୁର୍ଭିକ୍ଷ ପଡ଼େ, ନାହିଁ ନ ଥିବା କଥା ମାଡ଼ିଆସେ । ଲବଣ ସମୁଦ୍ରରେ ଝଡ଼ ଉଠେ । ଆବର୍ତ୍ତକ, ସଂବର୍ତ୍ତକ, ଦ୍ରୋଣ, ପୁଷ୍କର ଚାରି ମେଘ ଏକତ୍ରିତ ହୋଇ ପ୍ରଳୟ ଘଟାନ୍ତି । ସେତେବେଳେ ମଣିଷ ଆଦୌ କିଛି ବୁଝି ପାରେନାହିଁ । ନିଜର ଭାଗ୍ୟକୁ ନିନ୍ଦେ ।

 

ରଙ୍ଗନାଥ ପ୍ରତିଜ୍ଞା କରିବାର ବର୍ଷେ ନ ପୂରୁଣୁ ଅବସ୍ଥା ଚକ୍ରରେ ରସାନନ୍ଦ ସଦେଇ ସାଆନ୍ତରାଙ୍କ ମାଟିରେ ପାଦ ଦେଲେ । ରଙ୍ଗନାଥଙ୍କର ପ୍ରତିଜ୍ଞା ରହିଲା କେଉଁଠି ?

 

ତେବେ ସଦେଇ ସାଆନ୍ତରାଙ୍କର ବିନ୍ଦୁ ବିସର୍ଗ ସେ କଥା କିଛି ମନେ ନାହିଁ । ତାଙ୍କର ଇଚ୍ଛା ଅନ୍ୟର ଅସହାୟ, ବିପଦ ଅବସ୍ଥାରେ ମଣିଷ ହିସାବରେ ନିଜର କର୍ତ୍ତବ୍ୟ କରିଯିବା ଉଚିତ । ମଣିଷ ଜୀଇ ଥିଲେ ସିନା ଶତ୍ରୁତା ସାଧିବାକୁ ହୁଏ, ଆଉ କ’ଣ ମଲା ପରେ ? ସଦେଇ ସାଆନ୍ତରା ଦିନକ ପାଇଁ ତାଙ୍କର କର୍ତ୍ତବ୍ୟର ହେଳା କଲେ ନାହିଁ । ରସାନନ୍ଦକୁ ନିଜ ହାତରେ ତେଲ ଲଗାଇ ଗାଧୋଇ ଦେବାଠାରୁ ନିଜ ସାଙ୍ଗରେ ଖୁଆଇ, ନିଜ ପାଖରେ ଶୁଆଇବା ପର୍ଯ୍ୟନ୍ତ କେଉଁଥିରେ ତିଳେ ହେଲେ ତ୍ରୁଟି କଲେ ନାହିଁ ।

 

କାଳଚକ୍ର ଘୁରିଗଲା । ବର୍ଷା ହେଲା । ସରକାର ଚାଷୀଙ୍କୁ ବିହନ, ହଳ ବଳଦ ଯୋଗାଇ ଦେଲେ । ପୁଣି କ୍ଷେତରେ ସବୁଜିମା ଭରିଗଲା । ଫସଲର ହସରେ କୃଷକର ପ୍ରାଣରେ ଆନନ୍ଦର ଜୁଆର ଖେଳିଗଲା । ସୋରିଷ ଫୁଲର ଗନ୍ଧରେ ଦିଗନ୍ତ ଆମୋଦିତ ହୋଇ ଉଠିଲା । ବୋହୂ ଭୂଆଷୁଣୀ ମାନଙ୍କର ରୁଣୁଝୁଣୁ ନୁପୁର ନାଦରେ ପୁଣି ତଟିନୀ ତଟ ଉଛୁଳି ପଡ଼ିଲା ।

 

ସଦେଇ ସାଆନ୍ତରା ଏ ବୟସରେ ମଧ୍ୟ ହଳ ଲଙ୍ଗଳ ଯୋଚି ମୁଣ୍ଡରେ ଠେକା ବାନ୍ଧି, ହାତରେ ପାଞ୍ଚଣ ଧରି ବିଲକୁ ଗଲେ । ଯେଉଁଲୋକ ଜୀବନରେ ଫୁଲାଫାଙ୍କିଆ ହୋଇ, ଗୁଣି ଗାରେଡ଼ି କରି ସୌଖୀନ ଭାବରେ କାଳକଟାଇ ଦେଇଥିଲେ, ସେଇ ପୁଣି ମାଟି ଛାତିକୁ ଚିରି ସୁନା ଫଳାଇଲେ–ଲକ୍ଷ୍ମୀ ହସାଇଲେ । ନିଜକୁ ବଞ୍ଚାଇବା ପାଇଁ ଯେତେ ନୁହେଁ, ସେତେ ସେବତୀ ଆଉ ରସାନନ୍ଦର ଜୀବନ ରକ୍ଷା କରିବା ପାଇଁ, ତାଙ୍କୁ ଧରାପୃଷ୍ଠରେ ମଣିଷ କରି ଠିଆ କରିବା ପାଇଁ । ସଦେଇ ସାଆନ୍ତରାଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଫଳରେ କ୍ଷେତରେ ଭଲ ଫସଲ ଲାଗିଲା । ବଛା ବେଉଷଣ ସରିଲା । ଧାନ ଥୋଡ଼ କାଢ଼ିଲା । ଏଥର ଧାନ ପାଚିଲା । ସଦେଇ ସାଆନ୍ତରାଙ୍କ ଆନନ୍ଦ କହିଲେ ନ ସରେ ।

 

ସେବତୀ ରସାନନ୍ଦ ଚନ୍ଦ୍ରକଳା ପରି ଦିନକୁଦିନ ବଢ଼ିବାକୁ ଲାଗିଲେ । ତାଙ୍କୁ ପଢ଼ାଇବା ପାଇଁ ସଦେଇ ସାଆନ୍ତରା ଜଣେ ଅଭିଜ୍ଞ ଗୃହ ଶିକ୍ଷକଙ୍କୁ ନୁଯୁକ୍ତ କଲେ । ସେ ଅଳ୍ପ ଦିନ ଭିତରେ ସେବତୀ ଓ ରସାନନ୍ଦଙ୍କୁ ଧାଡ଼ି ଶେଷ କରାଇ, ପଣିକିଆ ଲେଖାଇ, ମିଶାଣ, ଫେଡ଼ାଣ, ଗୁଣନ, ହରଣ କରାଇ ବର୍ଣ୍ଣବୋଧ ପଢ଼ାଇ ଉପର ଶ୍ରେଣୀରେ ପାଠ ପଢ଼ାଇଲେ ।

 

ସଦେଇ ସାଆନ୍ତରା ଏଥର ଟିକେ ଶାନ୍ତିରେ ନିଶ୍ୱାସ ମାରିଲେ ।

 

ଦେଶର ଅବସ୍ଥା ସୁଧୁରିଗଲା ପରେ, ଦୁର୍ଭିକ୍ଷ ସାହାଯ୍ୟ କେନ୍ଦ୍ର ସବୁ ଉଠିଗଲା । ଶ୍ୟାମାନନ୍ଦ ବାବୁ ଜଣେ ସଚ୍ଚୋଟ କର୍ମଚାରୀ । ଜନସେବାରେ ଥାଇ ଦିନକ ପାଇଁ ଘରକୁ ଯିବାକୁ ମନ ବଳାଇ ନ ଥିଲେ କି ଯାଇ ନ ଥିଲେ । ତାଙ୍କ ସ୍ତ୍ରୀ ସୁରଭୀ ଦେବୀ ନାନା ଆଳ କରି ଅନେକ ଥର ଚିଠି ଦେଇଛନ୍ତି, ଚାକରକୁ ପଠାଇଛନ୍ତି । ମାତ୍ର ସେ ଯିବାକୁ ପସନ୍ଦ କରି ନାହାନ୍ତି । ସେ ଅନ୍ୟମାନଙ୍କ ଭଳି ନିଜର ଦାୟିତ୍ୱକୁ ଏଡ଼ାଇ କୌଣସି କାର୍ଯ୍ୟ କରିବାକୁ ଚାହାନ୍ତି ନାହିଁ କି ନିଜେ ବେଳ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଲିବାକୁ ଇଚ୍ଛା କରନ୍ତି ନାହିଁ । ସାହାଯ୍ୟ କେନ୍ଦ୍ରମାନଙ୍କରେ ମୁଖ୍ୟ ହୋଇ ସେ ଆସିଛନ୍ତି । ଜୀବନ ନେଇ ସେ ଖେଳ ଖେଳୁଛନ୍ତି । ବିପଦ ବେଳେ ନର ନାରାୟଣମାନଙ୍କର ସେବା କରୁଛନ୍ତି । ଆବଲ୍ୟ ସଙ୍ଗୀ, ରଙ୍ଗନାଥଙ୍କ ପୁତ୍ର ରସାନନ୍ଦ ପ୍ରତି ସେ ସାଧ୍ୟାନୁଯାୟୀ ନିଜର କର୍ତ୍ତବ୍ୟ କରିଛନ୍ତି ।

 

ତେଣୁ ସେ ଘରକୁ ଯିବାକୁ ପସନ୍ଦ କରନ୍ତି ନାହିଁ । ମଝିରେ ମଝିରେ କେବଳ ରସାନନ୍ଦକୁ ଆଦର ଯତ୍ନରେ ରଖିବା ପାଇଁ ନିଜର ସ୍ତ୍ରୀକୁ ତାଗିଦ୍ କରି ଚିଠି ଲେଖନ୍ତି । ସୁରଭୀ ଦେବୀ ଚିଠିଟି ପଢ଼ି ମୁହଁ ଫଟା ଫଟା କରି ଉଠନ୍ତି । କୌଣସି ଉତ୍ତର ଦିଅନ୍ତି ନାହିଁ । ଶ୍ୟାମାନନ୍ଦ ବାବୁ କିଛି ସନ୍ଦେହ ନ କରି ନିଜ କର୍ତ୍ତବ୍ୟରେ ମନୋନିବେଶ କରନ୍ତି ।

 

ଏଥର ଯେତେବେଳେ ବର୍ଷକ ପରେ ଶ୍ୟାମାନନ୍ଦ ବାବୁ ଘରକୁ ଫେରିଲେ; ପ୍ରଥମେ ରସାନନ୍ଦ କାହିଁ ବୋଲି ଜିଜ୍ଞାସା କଲେ । ସୁରଭୀ ଦେବୀ କହିଲେ, ଆସ ଆଗେ ସ୍ନାନ ସାରି ଖିଆପିଆ କର, ତା’ପରେ ରସାନନ୍ଦ କଥା ବୁଝିବ । ଶ୍ୟାମାନନ୍ଦ ବାବୁ ଆଜି ନୁହେଁ ସବୁଦିନେ ଲୋକ । ସେ ଯାହା ବୁଝିଥାଆନ୍ତି ସେୟା ।

 

ସୁରଭୀ ଦେବୀଙ୍କ କଥା ଭାଷାରୁ ଶ୍ୟାମାନନ୍ଦ ବାବୁ ସନ୍ଦେହ କଲେ । ରସାନନ୍ଦ ଆଉ ଜୀବନରେ ନାହିଁ ବୋଲି ଧରିନେଲେ । ସୁରଭୀ ଦେବୀ ଯେତେ ପ୍ରକାର ଭୁଲାଇବାକୁ ଚେଷ୍ଟା କଲେ ମଧ୍ୟ ଶ୍ୟାମାନନ୍ଦ ବାବୁ କେଉଁଥିରେ ଭୁଲିଲେ ନାହିଁ । ନିଜର ପିଲାମାନଙ୍କୁ ଡାକି ରସାନନ୍ଦ କଥା ପଚାରିଲେ । ପିଲାମାନେ କିଛି କହି ପାରିଲେ ନାହିଁ । ନିଜର ପୁରୁଣା ଚାକରକୁ ଡାକି ଯେତେବେଳେ ରାଗରେ ତମ୍ପପରି ଫଅଁ ଫଅଁ ହୋଇ ଧମକ ଦେଲେ, ସେତେବେଳେ ସେ ସବୁ କଥା କହିଦେଲା । ଶ୍ୟାମାନନ୍ଦ ବାବୁ ଦୁଃଖରେ ଭାଙ୍ଗି ପଡ଼ିଲେ । ସଂସାର ତାଙ୍କୁ ଅସାର ଲାଗିଲା । ସ୍ତ୍ରୀଙ୍କର ଏତାଦୃଶ ବ୍ୟବହାରରେ ସେ ମନେ ମନେ କ୍ଷୁର୍ଣ୍ଣ ହେଲେ ।

 

ଚାକର ଯେତେବେଳେ ରସାନନ୍ଦକୁ ରାତିରେ ସୁରଭୀ ଦେବୀଙ୍କ ଆଦେଶରେ ଅଗସ୍ତିପୁର ଗାଆଁରେ ଛାଡ଼ିଦେଇ ଆସିବା କଥା କହିଲା, ସେତେବେଳେ ଶ୍ୟାମାନନ୍ଦ ଚମକି ପଡ଼ିଲେ । ତାଙ୍କର ମୁଣ୍ଡ ଘୁରିଗଲା । ରସାନନ୍ଦ ଆଉ ଜୀବନରେ ଥିବା ବୋଲି ସେ ଆଦୌ ବିଶ୍ୱାସ କରି ପାରିଲେ ନାହିଁ ଏମିତି ହୋଇଥିବ ରସାନନ୍ଦକୁ ବିଲୁଆ, ଶାଗୁଣା ଜୀଅନ୍ତା ବି ଖାଇ ଯାଇଥିବେ-? ସଦେଇ ସାଆନ୍ତରାକୁ ଛାଡ଼ି ଦେଲେ କିଏ ଆଉ ସେ ଗାଆଁରେ ଥିଲା ଯେ ରସାନନ୍ଦଙ୍କୁ ରଖିଥାନ୍ତା ?

 

ଅନେକ ସମୟ ଧରି ଶ୍ୟାମାନନ୍ଦବାବୁ କେତେ କ’ଣ ଭାବିଲେ । ତା’ପରେ ମନ କଷ୍ଟରେ ଭୂଇଁରେ ଗାମୁଛା ପାରି ଶୋଇ ପିଲାଙ୍କ ପରି କାନ୍ଦିଲେ । ସୁରଭୀ ଦେବୀ ଯାଇଁ ତାଙ୍କର ଗୋଡ଼ ଧରି ନିଜର ଭୁଲ ସ୍ୱୀକାର କଲେ । ନିଜର ଝିଅମାନେ ଯାଇ ବାପା ବାପା ଡାକି ଗାଧୋଇବା ପାଇଁ, ଖାଇବା ପାଇଁ ଯେତେ ଟଣା ଓଟରା କଲେ ମଧ୍ୟ ସେ କାହାରି କଥା ଶୁଣିଲେ ନାହିଁ ।

 

ଦିନ ଯାଇ ରାତି ହେଲା । ସୁରଭୀ ଦେବୀ ଆଖିଆପିଆ ସେଇମିତି ଗୋଡ଼ ତଳେ ବସିଥାନ୍ତି । ପିଲାମାନେ ଭୋକରେ ଆଉଟି ପାଉଟି ହୋଇ ଶୋଇ ପଡ଼ିଲେ । ଏହା ଭିତରେ କେତେବେଳେ ସୁରଭୀ ଦେବୀଙ୍କ ଆଖିରେ ନିଦ୍ରା ଦେବୀ ଓହ୍ଲାଇ ଆସିଲେ । ଶ୍ୟମାନନ୍ଦବାବୁ ଲୁଗା ଖଣ୍ଡିଏ ପିନ୍ଧି, କାନ୍ଧରେ ଗାମୁଛାଟି ନେଇ ପାଦ ଚିପି ଚିପି ଘରୁ ବାହାରି ଗଲେ । ସେ ଘରୁ ବାହାରି ଚାଲି ଗଲାବେଳେ ମନେ ହେଉଥାଏ, ସତେ କ’ଣ ଆଉ ନିମାଇଁ ସନ୍ୟାସୀ ହୋଇ ଚାଲି ଯାଉଛନ୍ତି କି ? ଶୁଦ୍ଧୋଦନଙ୍କ ଉତ୍ତରାଧିକାରୀ ବୁଦ୍ଧଦେବ ଅସୀମର ଆହ୍ୱାନ ଏଡ଼ି ନ ପାରି ନିଜର ସଂକୀର୍ଣ୍ଣ ଶକ୍ତି ଅତିକ୍ରମ କରି ବିପୁଳ ଜ୍ଞାନ ଆହରଣାର୍ଥେ ବିଦାୟ ନେଉଛନ୍ତି କି ?

 

କାଳ ରାତି ପାହିଲା ।

 

ସୁରଭୀ ଦେବୀ ନିଦ୍ରାରୁ ଉଠିଲେ । ପିଲାମାନଙ୍କର ନିଦ୍ରା ଭଙ୍ଗ ହେଲା ଶ୍ୟାମାନନ୍ଦବାବୁଙ୍କୁ ବହୁତ ଖୋଜା ଖୋଜି କଲେ । କେଉଁଠାରେ ଆଉ ତାଙ୍କ ସନ୍ଧାନ ମିଳିଲା ନାହିଁ ।

 

କର୍ମ ଆଦରି ପିଲାମାନଙ୍କୁ ଘେନି ସୁରଭୀ ଦେବୀ କାଳ କାଟିଲେ ।

 

ରଙ୍ଗନାଥ ରେଙ୍ଗୁନ ଆସିବା ଦିନରୁ ଦିନେ ହେଲେ ତାଙ୍କର ଦେହ ଭଲ ନାହିଁ । ସେଦିନ ସିନା ମୁହଁ ଭଡ଼କରେ ଛାତି ଦମ୍ଭ ଦେଖାଇ, ସେବତୀର କଥା ନ ମାନି ଘରୁ ଗୋଡ଼ କାଢ଼ି ଜଣକ ସାଙ୍ଗରେ ରେଙ୍ଗୁନ ଯାଏ ଚାଲି ଆସିଲେ ମାତ୍ର ରେଙ୍ଗୁନରେ ପହଞ୍ଚିବା ପରେ ତାଙ୍କର ସବୁ ଦମ୍ଭ ପାଣି ଫାଟିଗଲା । ସବୁ କଳ୍ପନା ଉଭାଇ ଗଲା । ସେ ଯେଉଁ ଖୁଡ଼ୁତା ପୁଅ ଭାଇ ନେତ୍ରାନନ୍ଦ ବାବୁଙ୍କ ଭରସାରେ ରେଙ୍ଗୁନ ଯାଏ ଆସିଥିଲେ, ସେ ଦଶ ଦିନ ହେବ ଦେଶକୁ ଗଲେଣି । ଏ ଆସିଲେ ଗୋଟିଏ ଜାହାଜରେ, ସେ ଗଲେ ଗୋଟିଏ ଜାହାଜରେ । ଅବଶ୍ୟ ଦୁଇ ଜାହାଜ ଯାକ ବାଟରେ ଭେଟାଭେଟି ହୋଇଥିଲେ–ଜାହାଜର କ୍ୟାପ୍‍ଟେନମାନେ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ କିଛି ସମୟ ନେଇଥିଲେ ମାତ୍ର ଏ କେମିତି ଜାଣିବେ ଯେ, ନେତ୍ରାନନ୍ଦ ବାବୁ ରେଙ୍ଗୁନରୁ ଫେରୁଛନ୍ତି । ଆଉ ନେତ୍ରାନନ୍ଦ କେମିତି ଅବଗତ ହେବେ ଯେ, ରଙ୍ଗନାଥ ରେଙ୍ଗୁନ ଯାଉଛନ୍ତି । ନେତ୍ରାନନ୍ଦଙ୍କର ବର୍ତ୍ତମାନ ଦେଶକୁ ଫେରିବାର କୌଣସି ଠିକ୍ ନ ଥିଲା । ଯେତେବେଳେ ସେ ସମାଜ ଖବର କାଗଜରେ ଦେଖିଲେ ଯେ ତାଙ୍କ ଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଛି ତାଙ୍କ ଗାଆଁର ଲୋକେ ମାଛି ପୋକ ପରି ଖାଇବାକୁ ନ ପାଇଁ ମରୁଛନ୍ତି–ସେତେବେଳେ ସିଏ ଦେଶକୁ ଫେରିବାର ହଠାତ୍ ସିଦ୍ଧାନ୍ତ ଗ୍ରହଣ କଲେ ଓ ସାଙ୍ଗେ ସାଙ୍ଗେ କିଛି ଟଙ୍କା ପଇସା ଧରି ପଳାଇ ଗଲେ ।

 

ରଙ୍ଗନାଥ ରେଙ୍ଗୁନରେ ପହଞ୍ଚି ଯେତେବେଳେ ଶୁଣିଲେ ଯେ ନେତ୍ରାନନ୍ଦ ବାବୁ ନାହାନ୍ତି, ସେତେବେଳେ ସେ ହତାଶ ହୋଇ ପଡ଼ିଲେ । ତାଙ୍କର ବୁଦ୍ଧି ବଣା ହୋଇଗଲା । ରେଙ୍ଗୁନରେ ଶହ ଶହ ଓଡ଼ିଆ ଥିଲେ ମଧ୍ୟ ତାଙ୍କ ସାଙ୍ଗରେ କେହି ଓଡ଼ିଆରେ କଥାବାର୍ତ୍ତା କଲେ ନାହିଁ କି ଓଡ଼ିଆ ବୋଲି ପରିଚୟ ଦେଲେନାହିଁ । ଚାଲିଚଳନ, ଭାବଭଙ୍ଗୀ, ଆଦବ କାଇଦା, ରଙ୍ଗଢଙ୍ଗ ଦେଖି ଯାହାକୁ ସେ ଓଡ଼ିଆ ବୋଲି ଭାବି ସହାନୁଭୂତି ପାଇବା ଆଶା କଲେ, ସେମାନେ ହିନ୍ଦୀ ଇଂରାଜୀରେ କଥା କହି ଦୂର ଦୂର ମାର ମାର କଲେ । ଯେଉଁ ଓଡ଼ିଶାରେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ–ଯେଉଁ ଓଡ଼ିଆ ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲା–ସେହି ଓଡ଼ିଶାର ଲୋକ ଓଡ଼ିଆ ଆଜି ସ୍ଵଧର୍ମରେ ନିଧନ ହେବାକୁ ଶ୍ରେୟ ମାନୁ ନାହାନ୍ତି । ପରଧର୍ମ ଭୟାବହ ହେଲେ ମଧ୍ୟ ତା’କୁ ଆଦରରେ ଗ୍ରହଣ କରି ନିଜର ପରମ୍ପରା, କଳା, ସଂସ୍କୃତିକୁ ପଦାଘାତ କରୁଛନ୍ତି । ନିଜର ଭାଇର ଶିରୀ ଦେଖିପାରୁ ନାହାନ୍ତି । ଅସୂୟାରେ ଭାଙ୍ଗି ପଡ଼ୁଛନ୍ତି ।

 

କିନ୍ତୁ–

 

ଅନ୍ୟମାନେ ? ନିଜର ଜାତି ଓ ଜାତୀୟତାକୁ ଉର୍ଦ୍ଧ୍ଵରେ ତୋଳି ଧରିବା ପାଇଁ ସତତ ତପ୍ତର । ନିଜର ଭାଇ ନିଃସ୍ଵ ହେଲେ ତାକୁ ସ୍ଵଚ୍ଛନ୍ଦ ଅବସ୍ଥାର ସୀମାରେ ପହଞ୍ଚାଇବାକୁ ଅଶେଷ ଉଦ୍‍ଗ୍ରୀବ ।

 

ପ୍ରକୃତରେ ଦୁଃଖ ଲାଗେ, ଆମ ଭିତରେ ଏପରି ହୀନମନ୍ୟତା ପ୍ରବେଶ କରିଛି, ବିଭେଦ, ବିଦ୍ୱେଷର ବୀଜାଣୁ ସଞ୍ଚରିଛି, ପରକୁ ଧ୍ଵଂସ କରି ନିଜର ସ୍ଥିତି ବଜାୟ ରଖିବାର ହୀନମନୋବୃତ୍ତି ବଢ଼ି ବଢ଼ି ଚାଲିଛି । ନିଜର ସ୍ୱାର୍ଥ ପାଇଁ ମହାନ ଜାତୀୟତାକୁ ବଳିଦେବାର ଯେ ହୀନ ସ୍ପୃହା ବର୍ଦ୍ଧିତ ହୋଇଛି, ତା’ କଥାରେ କହି ହେବ ନାହିଁ । ଆମେ ବେଳେବେଳେ ଏପରି କି ସାଧାରଣ ସୌଜନ୍ୟରେ ସୀମା ଲଙ୍ଘନ କରି ଚାଲିଛୁ । ମାଗି ଆଣିଲା ବୁଦ୍ଧିରେ ପରିଚାଳିତ ହୋଇଛୁ । ପୁଜ୍ୟପୁଜାର ବ୍ୟତିକ୍ରମ କରିବାରେ ଧୁରନ୍ଧର ହୋଇଛୁ । କବି କଳାକାରମାନଙ୍କୁ ତାଙ୍କ ଜୀବିତ କାଳରେ ସମାନ ଦେବା ତ ଦୂରର କଥା, ସେମାନେ ମଲା ପରେ ବି ଶୋକ ସଭାଟିଏ କରିବାକୁ ପରାଙ୍‍ମୁଖ ହେଉଛୁ । ଏହାଦ୍ୱାରା ଆମେ ବୌଦ୍ଧିକ ଚେତନାକୁ ଅସମ୍ମାନ କରିବା ସଙ୍ଗେ ସଙ୍ଗେ, ସର୍ବ-ଧର୍ମ ସମନ୍ଵୟର ମହାନ୍ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟକୁ ଆଶ୍ରଦ୍ଧାରେ ପଦାଘାତ କରୁଛୁ ।

 

କୌଣସି ଓଡ଼ିଆତି ତାକୁ ପଦେ ସହାନୁଭୂତି ସୂଚକ କଥା କହିଲେ ନାହିଁ କି ନିଜର ଲୋକ ବୋଲି ସ୍ନେହ ସଂଭାଷଣ କଲେ ନାହିଁ; ବରଂ ଜଣେ ଅଣଓଡ଼ିଆ ଲୋକ ଶିବମଙ୍ଗଳ ରଙ୍ଗନାଥକୁ ନିଜ ଘରେ ନେଇ ଆଶ୍ରୟ ଦେଲେ । ତାଙ୍କର ଖାଇବା ପିଇବା ଖବର ବୁଝିଲେ । ରଙ୍ଗନାଥ ଭାରତୀୟ ବୋଲି ଜାଣି ସେ ଗର୍ବରେ ଫାଟି ପଡ଼ିଲେ ।

 

ବାସ୍ତବିକ !

 

ଦୂର ବିଦେଶରେ ନିଜ ଦେଶର, ନିଜ ଜାତିର ଲୋକଙ୍କୁ ଦେଖିଲେ କେତେ ଆନନ୍ଦ ନ ଲାଗେ ସତେ ? କେତେ ସ୍ମୃତି ମନରେ ଜାଗି ନ ଉଠେ ? ନିଜର ଆତ୍ମୀୟ ସୋଦରମାନଙ୍କ କଥା ଜାଣିବାକୁ ପ୍ରାଣ ବ୍ୟାକୁଳ ହୋଇ ନ ଉଠେ ?

 

ରଙ୍ଗନାଥ ଆଶ୍ରୟଦାତାଙ୍କ ଘରେ କିଛି ଦିନ ରହିଲା ପରେ ତାଙ୍କୁ କେମିତି ଅଡ଼ୁଆ ଅଡ଼ୁଆ ଲାଗିଲା । ଖାଲି ବସି ଖାଇବାକୁ ଅସମ୍ମତ ହେଲେ । ନିଜର ପ୍ରାଣପ୍ରିୟା ସେବତୀ ଆଉ ପୁତ୍ର ରସାନନ୍ଦଙ୍କ କଥା ତାଙ୍କର ପ୍ରାଣକୁ ଉଦ୍‍ବେଳିତ କଲା । ସେମାନେ ସିଆଡ଼େ ଭୋକ ଉପାସରେ ଛଟ ପଟ ହୋଇ ମରୁଥିବେ, ଏ ଇଆଡ଼େ ଗଣ୍ଡେ ଭଲରେ ଖାଇ ସୁଖରେ ରହିବେ କ’ଣ-?

 

ଏଥର ସେ ଆଶ୍ରୟଦାତାଙ୍କ ସାହାଯ୍ୟରେ ଖଣ୍ଡିଏ ରିକ୍‍ସା ଭଡ଼ାରେ ଚଳାଇଲେ । ସେଥିରେ କିଛି ବିଶେଷ ରୋଜଗାର ହେଲା ନାହିଁ । ଯାହା ଦି’ପଇସା ରୋଜଗାର ହେଲା, ତା’ ପେଟକୁ ଅଣ୍ଟିଲା ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ଦି’ପଇସା ସଞ୍ଚି ପାରିଲା ନାହିଁ । ହାଡ଼ଭଙ୍ଗା ପରିଶ୍ରମ । ଭଲଗଣ୍ଡେ ନ ଖାଇଲେ ରିକ୍‍ସା ଚଳାଇବେ କେମିତି ? ଅନ୍ୟାନ୍ୟ ରିକ୍‍ସାବାଲାଙ୍କ ପରି ଏ ଯଦି ରିକ୍‍ସା ଚଳାଇ ନ ପାରିବେ, ତେବେ ୟାଙ୍କ ରିକ୍‍ସାରେ କିଏ କାହିଁକି ବସିବ ? ଏଇମିତି କେତେ ଦିନ ଗଲା ।

 

ତା’ପରେ ବେଶି ପଇସା ଆଶାରେ ରଙ୍ଗନାଥ ରାଜମିସ୍ତ୍ରୀ କାମ ଶିଖିଲେ । ସେ କାମରେ ନିପୁଣ ହୋଇ ଭଲ ଦି’ପଇସା ପାଇଲେ ମାତ୍ର ମଣିଷର ସ୍ଵଭାବ ହେଉଛି ସେ ଯେତେ ପାଏ, ତେତେ ଚାହେଁ । ରାଜମିସ୍ତ୍ରୀ କାମ କରି ଯେତେ ରୋଜଗାର କଲେ ମଧ୍ୟ ତାଙ୍କୁ ଅଣ୍ଟିଲା ନାହିଁ-

ରେଙ୍ଗୁନରେ ପହଞ୍ଚିଲା ବେଳେ ରଙ୍ଗନାଥଙ୍କୁ ଯିଏ ଆଶ୍ରା ଦେଇଥିଲେ, ସିଏ ତାଙ୍କର ଗତିବିଧିକୁ ବରାବର ଲକ୍ଷ୍ୟ କରିଥାନ୍ତି । ଶେଷରେ ତାଙ୍କର ହୃଦ୍‍ବୋଧ ହେଲା ଯେ ରଙ୍ଗନାଥ ଜଣେ କର୍ମଠ କାର୍ଯ୍ୟଦକ୍ଷ ବ୍ୟକ୍ତି । ଶ୍ରମର ମୂଲ୍ୟବୋଧ ସମ୍ପର୍କରେ ସେ ସଦା ସର୍ବଦା ସଚେତନ । ତାଙ୍କୁ ଯେକୌଣସି କାର୍ଯ୍ୟ ଦେଲେ ସେ ନିଜର ନିଷ୍ଠା, ବୁଦ୍ଧି ଓ ବିଚକ୍ଷଣତା ଦ୍ୱାରା ଚଳାଇ ପାରିବେ-

ତେଣୁ–

ନିଜେ ଆଶ୍ରୟଦାତା ତାଙ୍କ କାଠକଳରେ ରଙ୍ଗନାଥଙ୍କୁ ନ୍ୟାଯ୍ୟ ଦରମାରେ ନିଯୁକ୍ତି କଲେ-। ରଙ୍ଗନାଥ ଅଳ୍ପଦିନ ଭିତରେ ଏପରି କାର୍ଯ୍ୟ କଲେ ଯେ ଆଶ୍ରୟଦାତାଙ୍କର ଅଶେଷ ଲାଭ ହେଲା । ତାଙ୍କର ପୂର୍ବକ୍ଷତି ସବୁ ପୁରଣ ହୋଇଗଲା । ରଙ୍ଗନାଥଙ୍କ ଉପରେ ସନ୍ତୁଷ୍ଟ ହୋଇ ସେ ଆହୁରି ଦରମା ବଢ଼ାଇ ଦେଲେ । କିଛିଦିନ ପାଇଁ ରଙ୍ଗ ନାଥଙ୍କ ଉପରେ ସବୁ ଭାର ନ୍ୟସ୍ତ କରି କାର୍ଯ୍ୟୋପଲକ୍ଷରେ ସେ ଅନ୍ୟତ୍ର ଚାଲିଗଲେ ।

ରଙ୍ଗନାଥ ଅତ୍ୟନ୍ତ ବିଶ୍ୱସ୍ତତା ସହିତ ସବୁ କାର୍ଯ୍ୟ ନିର୍ବାହ କଲେ । ଗଲା ଅଇଲା ହାନି ଲାଭ ସବୁ ବୁଝିଲେ ।

ଦିନ ପରେ ଦିନ ମାସ ପରେ ମାସ ଗଡ଼ିଗଲା । ଆଉ ରଙ୍ଗନାଥଙ୍କ ଆଶ୍ରୟ ଦାତା ଶିବମଙ୍ଗଳ ଫେରିଲେ ନାହିଁ । ରଙ୍ଗନାଥ ତାଙ୍କର ସାଧ୍ୟାନୁଯାୟୀ ଶିବମଙ୍ଗଳଙ୍କର ସନ୍ଧାନ ନେଲେ । କୌଣସି ସନ୍ଧାନ ମିଳିଲା ନାହିଁ । ରଙ୍ଗନାଥ ଆଉ ପୂର୍ବ ପରି ନାହାନ୍ତି । ତାଙ୍କର ଅବସ୍ଥା ବଦଳି ଯାଇଛି ।

ତେବେ ରଙ୍ଗନାଥ ରେଙ୍ଗୁନ ଆସିବା ଦିନରୁ ଦିନେ ହେଲେ ତାଙ୍କର ଦେହ ଭଲ ରହୁନାହିଁ । ଆଜି ଜର ତ କାଲି ଝାଡ଼ା । ତହିଁଆର ଦିନ ମୁଣ୍ଡ ବ୍ୟଥା । ଦେହ ହାତ ଦରଜ । ବସିଲେ ଉଠି ପାରୁ ନାହାନ୍ତି, ଶୋଇଲେ ଉଠି ପାରୁ ନାହାଁନ୍ତି । କେତେ ଔଷଧ ଖାଉଛନ୍ତି, କିଛି ଫଳ ହେଉ ନାହିଁ ।

ଡାକ୍ତର କବିରାଜ କହୁଛନ୍ତି–କିଛି ରୋଗ ନାହିଁ, କେବଳ ମାନସିକ ଅଶାନ୍ତି । ସମ୍ପୂର୍ଣ୍ଣ ବିଶ୍ରାମ ଲୋଡ଼ା । ମନରୁ ସବୁ ଯାକ ଚିନ୍ତା ପୋଛି ନ ଦେଲେ, ଏ ରୋଗ ବଢ଼ିବ ସିନା କମିବ ନାହିଁ-

ଯେଉଁ ଚିନ୍ତା ଶିରାରେ ଶିରାରେ ଭେଦିଛି, ରକ୍ତ ସ୍ରୋତରେ ପହଁରୁଛି, କାୟୋମନବାକ୍ୟରେ ଆସ୍ଥାନ ଜମାଇଛି, ସେ ଚିନ୍ତାକୁ ସେ ପୋଛିବେ କେମିତି ?

ରଙ୍ଗନାଥ ଜାଣିବାରେ ତାଙ୍କର କିଛି ରୋଗ ନାହିଁ । ସେ ଯେଉଁ ଉଦ୍ଦେଶ୍ୟରେ ରେଙ୍ଗୁନ ଆସିଥିଲେ ତାହା ବ୍ୟଥା ହୋଇଛି । ସେ ଆସିଲା ବେଳେ ନିଜର ପ୍ରାଣପ୍ରିୟା ସେବତୀକୁ ଯେଉଁ ପ୍ରତିଶ୍ରୁତି ଦେଇ ଆସିଥିଲେ ତାହା କ’ଣ ସେ ରଖିପାରିଛନ୍ତି ? କେମିତି ବା ପାରିଥାନ୍ତେ ? ନିଜ ପେଟ ତ ନିଜେ ପୋଷି ପାରିଲେ ନାହିଁ, ବାର ଦ୍ୱାର ହୋଇ ବୁଲିଲେ । ଅନ୍ୟ କଥା ଭାବି ଥାନ୍ତେ କେତେବେଳେ ? ଏବେ ଅବଶ୍ୟ ଅବସ୍ଥା ସୁଧୁରିଛି । କିନ୍ତୁ କ’ଣ ହେବ ? ଆଉ କ’ଣ ସେବତୀ, ରସାନନ୍ଦ ଜୀବନରେ ଥିବେ ? ଚାହୁଁ ଚାହୁଁ ଆସି ଦେଢ଼ ବରଷ ହୋଇଗଲା ।

ପ୍ରକୃତରେ–

ଯଦି ସେ ରକ୍ତର ଡାକ ଭୁଲିବେ–ରସାନନ୍ଦର ରମ୍ୟ ଦରୋଟି ବଚନକୁ ପାସୋରିବେ–ପ୍ରାଣପ୍ରିୟା ସେବତୀର ସୌଷ୍ଠବ ଅଙ୍ଗ ଫେନିଳ ଯୌବନର ମାୟାକୁ ଭୁଲିବେ, ତାହା ହେଲେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ।

କିନ୍ତୁ ସେ ଭୁଲି ପାରୁଛନ୍ତି କେଉଁଠୁ ?

ସେ ଭାବୁଛନ୍ତି । ଖାଲି ଭାବୁଛନ୍ତି । ଲୁହ ଢାଳୁଛନ୍ତି । ଯଦି ତାଙ୍କର ଡେଣା ଥାଆନ୍ତା, ସେ ଉଡ଼ିଯାନ୍ତେ । ନଦୀ, ସମୁଦ୍ର, ପର୍ବତର ପ୍ରତିବନ୍ଧକ ତାଙ୍କର ଗତିକୁ ପ୍ରତିରୋଧ କରି ପାରନ୍ତା ନାହିଁ । ସେବତୀକୁ ଆଉ ରସାନନ୍ଦକୁ ସେ ଥରକ ପାଇଁ ଦେଖି ନିଅନ୍ତେ । ସନ୍ତାପିତ ପ୍ରାଣ ତାଙ୍କର ଶୀତଳ ହୁଅନ୍ତା । ଅତୃପ୍ତ ମନ ତୃପ୍ତିରେ ବିଭୋର ହୁଅନ୍ତା ।

ମଣିଷର ଭାବନା ଏକ ପ୍ରକାର କିନ୍ତୁ ବିଧିର ବିଧାନ ଅନ୍ୟ ପ୍ରକାର । ତାକୁ ଏଡ଼ି ଦେବାକୁ ଶକ୍ତି ମଣିଷର ନାହିଁ । ମଥାପାତି ପରାଜୟ ସ୍ୱୀକାର କରିବା ବିନା ଉପାୟ ନାହିଁ ।

ବେଳକୁବେଳ ରଙ୍ଗନାଥଙ୍କ ଅବସ୍ଥା ଭୀଷଣ ଖରାପ ହୋଇ ଉଠିଲା । ଦେହର ଉତ୍ତାପ ଅସମ୍ଭବ ମାତ୍ରାରେ ବୃଦ୍ଧି ପାଇଲା । ପାଟି ବାଟେ ଛେଲା ଛେଲା ହୋଇ ରକ୍ତ ପଡ଼ିଲା । ଅଳ୍ପ ସମୟ ଭିତରେ ଅବସ୍ଥାର ଆଶାତୀତ ଅବନତି ଘଟିଲା ।

ପାଖରେ କେହି ନାହାନ୍ତି ।

ବାଆକୁ ବତା ଭଳି, ଏଥିପାଇଁ ମଣିଷର ଆତ୍ମୀୟ ସୋଦରର ସାହାଯ୍ୟ ଦରକାର । ମଣିଷର ଧନ, ଯୌବନ, ବୟସ ଥିଲା ବେଳେ ରଙ୍ଗିନ୍ ପ୍ରଜାପତି ଏ ଫୁଲରୁ ସେ ଫୁଲକୁ ଉଡ଼ି ବୁଲିଲା ଭଳି, ସେ ସୁଖ ସଂଭୋଗରେ ବ୍ୟସ୍ତ ରହେ । ବହୁ ବ୍ୟକ୍ତି ସ୍ୱାର୍ଥ ପୁରଣ ଉଦ୍ଦେଶ୍ୟରେ ତା’ର ସ୍ତାବକ ସାଜନ୍ତି । ବିପଦ ପଡ଼ିଲେ, ରୋଗ, ଋଣ, ଶତ୍ରୁର ଅଧୀନ ହେଲେ, ସେମାନେ ମୁହଁ ଆଡ଼େଇ ନିଜ ବାଟ କାଟି ଚାଲି ଯାଆନ୍ତି ।

ଯେ ନିଜର, ଯେ ରକ୍ତର, ଯେ ଆତ୍ମୀୟ, ସେ କେବଳ ପାଖରେ ରହେ । ରୋଗ ବୈରାଗ୍ୟର ସେବା ଶୁଶ୍ରୁଷା କରେ । ପଡ଼ନ୍ତ ସମୟରେ ପାଟିରେ ମନ୍ଦେ ପାଣି ଦିଏ । ଜୀବ ଗଲା ବେଳେ ଜିଭ ଅଗରେ ମାହାର୍ଦ କଣିକାଏ ଥୋଇ ହରିନାମ ଉଚ୍ଚାରଣ କରେ । ଭାଗବତ ଅଧ୍ୟାଏ ବୋଲି ଶ୍ରବଣ ପବିତ୍ର କରାଏ । ବର୍ତ୍ତମାନ ରଙ୍ଗନାଥ ନିଃସହାୟ । ଈଶ୍ଵରଙ୍କ ବିନା ଆଶ୍ରା କେହି ନାହାନ୍ତି ।

ତେବେ–

ଜନ୍ମଦାତ୍ରୀ ମାତା–ଲାଳନ ପାଳନ କରିଥିବା ଦେଶ ମାତୃକାର ରକ୍ତର ବନ୍ଧନ ଏକ । ଏକା ଦେଶର ଲୋକ, ଯେ ଯେଉଁଠି ଥାଉ ଯେତେ ଦୂରରେ ଥାଉ–ସେମାନେ ପରସ୍ପରକୁ ଏକାନ୍ତ ନିଜର ବୋଲି ବିବେଚନା କରନ୍ତି । ସେତେବେଳେ ଧନୀ ନିର୍ଦ୍ଧନ ପ୍ରଶ୍ନ ଉଠେ ନାହିଁ । ଜାତି ଗୋତ୍ରର ବାଛବିଚାର ରହେ ନାହିଁ । ଧର୍ମାଧର୍ମ ବିଭେଦ କଥା ଉଠେ ନାହିଁ । ନାରୀ ପୁରୁଷ ବାରଣ ରହେ ନାହିଁ । ସମସ୍ତେ ଏକା ମାଆର ସନ୍ତାନ ଭଳି ପରସ୍ପର କର୍ତ୍ତବ୍ୟ କରନ୍ତି ।

ରଙ୍ଗନାଥଙ୍କର ଦୁର୍ଦ୍ଦିନରେ ଯେତେବେଳେ ସମସ୍ତେ ମୁହଁ ଆଡ଼େଇ ଚାଲି ଯାଉଥିଲେ, ସେତେବେଳେ ରଙ୍ଗନାଥଙ୍କର ପଡ଼ାରେ ପଡ଼ିଶା ଘରେ ଭଡ଼ାକୁ ରହୁଥିବା କେରଳୀ ନର୍ସ ମେରୀ ସତୃଷ୍ଣ ନୟନରେ ଆଗେଇ ଆସିଲା । ଆମ୍ଭୁଲାନ୍‍ସ ଡକାଇ ରଙ୍ଗନାଥଙ୍କୁ ଡାକ୍ତରଖାନାରେ ଭର୍ତ୍ତିକଲା । ତାଙ୍କର ସେବା ଶୁଶ୍ରୁଷାରେ ମନ ପ୍ରାଣ ଢାଳି ଦେଲା । ଛୁଟି ନେଇ ସବୁବେଳେ ରଙ୍ଗନାଥଙ୍କର ପାଖେ ପାଖେ ରହିଲା । ଆଖିରୁ ନିଦ ଉଭେଇ ଗଲା ତା’ର । ରଙ୍ଗନାଥଙ୍କର ଆଶୁ ଆରୋଗ୍ୟ ଲାଭ ପାଇଁ ପ୍ରଭୁ ଯୀଶୁଙ୍କୁ ମନ ପ୍ରାଣ ଭରି ଡାକିଲା ।

 

ଶେଷରେ ପ୍ରଭୁ ଯିଶୁ ମେରୀର ଡାକ ଶୁଣିଲେ । ତା’ର ହାତଯଶ ରହିଲା । ତା’ର ସେବାର ମହାନତା ପ୍ରତିପାଦିତ ହେଲା । ବେଦନା ଝଡ଼ର ଅବସାନ ହେଲା । ରଙ୍ଗନାଥଙ୍କର ମୁହଁରେ ବିମଳ ହସରେଖା ଫୁଟିଲା ।

 

ମେରୀର ଆନନ୍ଦ କହିଲେ ନ ସରେ । ଆଷାଢ଼ସ୍ୟ ପ୍ରଥମ ଦିବସର ଆଦ୍ୟ ବର୍ଷା ପରି ଅଜାଣତରେ ଦୁଇ ଆଖିରୁ ତା’ର ଝରି ପଡ଼ିଲା ଦି’ ଟୋପା ଆନନ୍ଦାଶ୍ରୁ ।

 

ସତରେ, ଶୋକାଶ୍ରୁ ଓ ଆନନ୍ଦାଶ୍ରୁ ଭିତରେ କେତେ ତଫାତ୍ ? ଗୋଟିଏ ଉଷ୍ଣ ପ୍ରସ୍ରବଣର ଉତ୍ତପ୍ତତା ବହନ କଲେ, ଅନ୍ୟଟି ଗଙ୍ଗୋତ୍ରୀର ହିମ-ଶୀତଳତା ବହନ କରେ । ଏକା ଅଶ୍ରୁ । ଗୋଟିଏ ବେଦନାରେ ସ୍ରାବିତ ହେଲେ ଅନ୍ୟଟି ଆନନ୍ଦରେ ଉଦ୍‍ଗତ ହୁଏ । ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟି ।

 

ଧନ୍ୟ ଈଶ୍ଵର ଧନ୍ୟ ତୁମର ମହିମା । ଧନ୍ୟ ତୁମର ସୃଜନ ରହସ୍ୟ ।

 

ରଙ୍ଗନାଥଙ୍କର ଚେତା ଫେରିଲା ବେଳକୁ, ସେ ଆଖି ଖୋଲିଲା ବେଳୁ ସେ ମେରୀକୁ ଲକ୍ଷ୍ୟ କରୁଛନ୍ତି । ସେ ଚିହ୍ନିପାରୁ ନାହାନ୍ତି । ସେ ଭ୍ରମରେ ପଡ଼ିଛନ୍ତି, ଏ କିଏ ? କ’ଣ ତାଙ୍କର ପ୍ରାଣ ପ୍ରିୟା ସେବତୀ ? ସେ କ’ଣ ଏହି ବର୍ଷ କେଇଟାରେ ଏପରି ବଦଳି ଯାଇଛି ?

 

ନା-ନା-ଅନ୍ୟ କିଏ ?

 

ରଙ୍ଗନାଥ ଅନୁସନ୍ଧିତ୍ସାର ମନ ନେଇ ଆଖି ବୁଲାଇ ନିଏ ମେରୀ ଉପରେ । ଭାବେ, ସନ୍ଦେହ କରିବାର କିଛି ନାହିଁ । ସେବତୀର ନାସିକା କଡ଼ରେ ଭାତୁଡ଼ିର ଚିହ୍ନ ଥିଲା । ସେହି ଭାତୁଡ଼ିକୁ ଘୋଡ଼ାବାଳ ବାନ୍ଧି କଟା ହୋଇଥିଲା । ସେଥିପାଇଁ ରଙ୍ଗନାଥ ଯେଉଁ ଅଭିନୟ କରିଥିଲେ, ଯେଉଁ ଅପମାନ ସହିଥିଲେ, ତାହା ତାଙ୍କୁ କାଲି ପରି ଲାଗୁଛି । ଆଖିକି ସବୁ ଜଳ ଜଳ ଦେଖା ଯାଉଛି । ଜମିଦାର ଘର ଅସ୍ତାବଲରେ ପଶି ଘୋଡ଼ାବାଳ ଆଣୁଥିଲାବେଳେ ସେ ଚୋର ବୋଲି ଧରା ହୋଇ, କଟୁଆଳଙ୍କ ଦ୍ୱାରା ଜମିଦାରଙ୍କ ଛାମୁକୁ ନିଆ ହୋଇଥିଲେ । ତାଙ୍କର ବିଚାର ହୋଇ ତାଙ୍କୁ ମୃଦୁ ବେତମାଡ଼ର ହୁକୁମ ହୋଇଥିଲା ।

 

ଅବଶ୍ୟ ଦୁଇଟି ମାତ୍ର ଘୋଡ଼ାବାଳ ସେ ଆଣିବାକୁ ସମର୍ଥ ହୋଇଥିଲେ । ତା’ପରେ ସେବତୀର ଡାହାଣ ଗାଲରେ ଗୋଟିଏ କଳା ଜାଇ ମନ୍ଦା ଥିଲା । ସବୁତ ଠିକ୍ ଅଛି । ନିଶ୍ଚୟ ଏ ସେବତୀ ।

 

ତଥାପି ସଂଶୟ ତାଙ୍କୁ ଛାଡ଼ୁ ନ ଥାଏ । ସନ୍ଦେହ ତାଙ୍କୁ ବାଟ ଘେରୁଥାଏ । ସେ ଏଥର ତାଙ୍କର ଦୃଷ୍ଟିକୁ ନିବଦ୍ଧ କରି ମେରୀର ଦୃଷ୍ଟି ଉପରେ ରଖିବାକୁ ଚେଷ୍ଟା କଲେ । ଥଙ୍ଗ ଥଙ୍ଗ ହୋଇ ଥର ଥର ଗଳାରେ ମେରୀର ହାତ ଧରି ପଚାରିଲେ "ତୁମେ କ’ଣ ସେଇ ସେବତୀ ? "

 

ବୁଦ୍ଧିମତୀ ମେରୀ ସବୁ ଜାଣିଲା ପରି ସାଙ୍ଗେ ସାଙ୍ଗେ ଉତ୍ତର ଦେଲା–

 

-"ହଁ-ହଁ-ମୋ' ନାଆଁ ସେବତୀ ।"

 

-"ରସାନନ୍ଦ କାହିଁ ?"

 

-"ସେ ଘରେ ଅଛି ।"

 

ମେରୀ ନିଶ୍ଚିତ ଭାବରେ ଜାଣିଲା ଯେ ରଙ୍ଗନାଥ ବୋଧହୁଏ ତାଙ୍କର ସ୍ତ୍ରୀ-ପୁତ୍ରଙ୍କୁ ଖୋଜୁଛନ୍ତି । ସେମାନଙ୍କ କଥା ମନେ ପକାଇ ଅଧୀର ହେଉଛନ୍ତି । ଏଭଳି ପରିସ୍ଥିତିରେ ମେରୀ ମିଥ୍ୟାର ଆଶ୍ରୟ ନେବା ଛଡ଼ା, ଛଳନାର ଆଶ୍ରୟ ନେବା ଛଡ଼ା ଅନ୍ୟ ଉପାୟ ନ ଥିଲା ।

 

ଏ ଅବସ୍ଥାରେ ଯଦି ସେ ସତ କଥା କହେ, ରଙ୍ଗନାଥଙ୍କର କୌତୂହଳକୁ ପ୍ରଶମିତ କରି ତାଙ୍କର ପ୍ରଶ୍ନର ଠିକ୍ ଠିକ୍ ଉତ୍ତର ନ ଦିଏ ତେବେ ପୁଣି ରଙ୍ଗନାଥଙ୍କର ଜୀବନ ସଙ୍କଟାପନ୍ନ ହୋଇପାରେ–ରୋଗର ପୁନଃପ୍ରକଟ ହୋଇପାରେ–ମୃତ୍ୟୁ ଉପସ୍ଥିତ ହେବା ଅସମ୍ଭବ ନୁହେଁ ।

 

ମେରୀ ମଝିରେ ମଝିରେ ପଚାରେ–"କ’ଣ ପାଣି ପିଇବେ ?" ରଙ୍ଗନାଥ ମୁଣ୍ଡ ହଲାଇ ନାସ୍ତିବାଚକ ଉତ୍ତର ଦିଅନ୍ତି ।

 

ରାତି ପାହେ ।

 

ଡାକ୍ତରଖାନା ଘଣ୍ଟାରେ ଡିଙ୍ଗ ଡିଙ୍ଗ ହୋଇ–ଛ'ଟା ବାଜେ ।

 

କାଉ କରେ କା' ।

 

ମେରୀକୁ ନାନା ଲୋକେ ନାନା କଥା ପଚାରନ୍ତି । ମେରୀ ସବୁ ପ୍ରଶ୍ନକୁ ଚତୁରତାର ସହିତ ଏଡ଼ାଇ ଦେଇ ବିନୟର ସହିତ କହେ–"ସେ ମୋର ଭାଇ । ଏକା ମାଆର ସନ୍ତାନ ଆମେ । ଏକା ପାଣି ପବନରେ ଆମ ଦେହ ଗଢ଼ା । ଏକା କୋଇଲି କୁହୁ ସ୍ଵନରେ ଆମ ଶ୍ରବଣେନ୍ଦ୍ରିୟ ପୁଷ୍ଟ । ଏକା କୁସୁମ ସୁଗନ୍ଧରେ ଆମ ନାସିକା ମୁଗ୍‍ଧ ।"

 

ମଣିଷ ଗୋଟିକୁ ଭାବନା କୋଟିଏ । କେତେ ଲୋକ କେତେ କଥା ଭାବନ୍ତି । ମେରୀ କଥାକୁ ବିଶ୍ୱାସ ଆଣନ୍ତି ନାହିଁ । ତାର ଯୁକ୍ତିକୁ ହସରେ ଉଡ଼ାଇ ଦିଅନ୍ତି ।

 

ମେରୀ ସେମାନଙ୍କୁ ଅଧିକ ବୁଝାଇବାକୁ ଯାଇ କହେ–"ସେବା ମାନବର ଶ୍ରେଷ୍ଠ ଧର୍ମ । ମଣିଷର ସେବା କଲେ ବୁଝିବାକୁ ହେବ ଯେ ଭଗବାନଙ୍କର ସେବା କରାଯାଉଛି ବୋଲି । ମାଳି ଠକ୍ ଠକ୍ କରି, ଚିତାକାଟି, ଗେରୁଆ ବସ୍ତ୍ର ପିନ୍ଧି ଧର୍ମକୁ ଆଖି ଠାର ମାରିବା ଅପେକ୍ଷା ସେବାର ମହାନ୍ ଆଦର୍ଶରେ ଉଦ୍‍ବୁଦ୍ଧ ହେବା ଶ୍ରେୟସ୍କର । ମନ୍ଦିର, ମସଜିଦ୍, ଗୀର୍ଜାକୁ ଅଣନିଶ୍ଵାସୀ ହୋଇ ଦଉଡ଼ିବା ଅପେକ୍ଷା ଜୀବନ୍ତ ଦେବତାର ସେବା କରିବା ଶ୍ରେୟ ।

 

କାଠ, ପାଷାଣ ଦେବତା କ’ଣ ଏ ଗାଆଁରୁ ସେ ଗାଆଁକୁ ଯାଏ ? ଭୋକ ହେଲେ ଖାଇବାକୁ ହାତ ପାତି ମାଗେ ? ମଣିଷର ସୁଖ ଦୁଃଖରେ ସମଭାଗୀ ହୋଇ ଲୁହ ଗଡ଼ାଏ ? ରୋଗ ଶଯ୍ୟାରେ ଶୋଇ ବେଦନାରେ ଆର୍ତ୍ତନାଦ କରେ ? ନା-ନା–ସେ କେବଳ ଧର୍ମର ପ୍ରତୀକ ହୋଇ ପୂଜା ପାଏ । ଅଣାକାର ନୋହି ସାକାର ହୋଇଥାଏ । ଦେଲେ ଖାଏ, ନ ଦେଲେ ନାହିଁ । ତାକୁ ପରିହାସ କଲେ ସେ ହସେ ନାହିଁ–ବିଦ୍ରୂପ କଲେ ସେ ବିଚଳିତ ହୁଏ ନାହିଁ–ନିନ୍ଦା କଲେ ସେ ମନ ଦୁଃଖ କରେ ନାହିଁ ।

 

କେବଳ ଜନ ଭଗବାନହିଁ ସେବାର ମାହାତ୍ମ୍ୟ ବୁଝେ । ଆନ୍ତରିକତାର ପ୍ରତିଦାନରେ ମମତାର ବାଣୀ ଶୁଣାଏ–ସମବେଦନାରେ ଆହାପଦ କହେ–ତା’ର ସେବାହିଁ ପରମ ଧର୍ମ ।"

 

ଯିଏ ଯେମିତି ବୁଝେ । ଯାହା ମନକୁ ଯେମିତି ପାଏ । ନିଜ ଇଚ୍ଛାନୁସାରେ ମନ୍ତବ୍ୟ ବାଢ଼ି ନିଜ ନିଜର ଗନ୍ତବ୍ୟ ପଥରେ ଆଗୁସାର ହୁଅନ୍ତି ।

 

ଯାହା ହେଉ, ମେରୀର ପ୍ରାଣପୂର୍ଣ୍ଣ ସେବାରେ, ଅଳ୍ପ ସମୟ ଭିତରେ ରଙ୍ଗନାଥ ଭଲ ହୋଇ ତାଙ୍କ ଘରକୁ ଫେରିଲେ । ତାଙ୍କ ସହିତ ରହିବା ପାଇଁ ମେରୀକୁ ଅଶ୍ରୁଳ ଅନୁରୋଧ କଲେ । ମେରୀ ନିଜର ଅକ୍ଷମତା ଜଣାଇ, ସବୁ କଥା ଆମୂଳଚୂଳ କହି, କ୍ଷମା ମାଗି ବିଦାୟ ନେଲା । ରଙ୍ଗନାଥ ଗୋଟିଏ ଆର୍ମଚେୟାର ଉପରେ ବସି ମେରୀ ଯିବା ପଥକୁ ଚାହିଁଥିଲେ ।

 

କେବଳ ଚାହିଁ ନ ଥିଲେ,

 

କେତେ କ’ଣ ଭାବି ଯାଉଥିଲେ ।

 

ଚଉଦଟି ବସନ୍ତ ରେବତୀର ଜୀବନ ଉପରେ ବହି ଗଲା ପରେ ଅଙ୍ଗେ ଅଙ୍ଗେ ତା’ର ରଙ୍ଗ ଲାଗିଲା । କଣ୍ଠରେ ତା’ର କୋଇଲି ବସା ବାନ୍ଧିଲା । ଅଧର କୃଷ୍ଣଚୂଡ଼ାର ବର୍ଣ୍ଣ ବିଭବରେ ରଞ୍ଜିତ ହେଲା । ନାସା ତିଳ ପୁଷ୍ପକୁ ଜିଣିଲା । ମନ ଇନ୍ଦ୍ରଧନୁ ରଙ୍ଗରେ ରଙ୍ଗିନ୍ ହୋଇ ଉଠିଲା । ଆଖିର ବକ୍ରଚାହାଣିରେ ତା’ର ଭରିଗଲା ପ୍ରଜାପତିର ନିମନ୍ତ୍ରଣ । ବଢ଼ିଆଳ ଦେହର ଯାମଳ ମାଂସଳ ପାହାଡ଼ର ଶୋଭା କୋଟି ମନ-ବନରେ ନିଆଁ ଜାଳି ଦେଲା । କନ୍ଦର୍ପ ରତି କି ଛାଡ଼ି, ପୁଷ୍ପଧନୁକୁ କାନ୍ଧରେ ପକାଇ, ରେବତୀର ଉଦାରପଦ-ପଲ୍ଲବ ତଳେ ନିଜକୁ ସମର୍ପି ଦେବାକୁ ମନସ୍ଥ କଲା ।

 

ରସାନନ୍ଦ ତ ମଣିଷ ! ରକ୍ତ ମାଂସର ଗଢ଼ା ଦେହ । ସେ ବା ଧୈର୍ଯ୍ୟ ଧରନ୍ତା କେତେ ? ଲୋଭ ସମ୍ଭାଳନ୍ତା କେମିତି ? କାମନାକୁ ବିନାଶ କରିବା ତା' ପକ୍ଷରେ ଦୁରୂହ ହୋଇ ପଡ଼ିଲା । ବୟସର ଦାଉକୁ ସହ୍ୟ କରି ପାରିଲା ନାହିଁ ।

 

ଋଷ୍ୟଶୃଙ୍ଗ ମୁନି ତ ସମ୍ଭାଳି ହେଲେ ନାହିଁ, ଆଉ ରସାନନ୍ଦ ବା ସମ୍ଭାଳି ହୁଅନ୍ତା କେମିତି-? କାଞ୍ଚନର ଲୋଭ, ରମଣୀର ମାୟା ଏଡ଼ିବା ଏତେ ସହଜ ନୁହେଁ । ବଡ଼ କଷ୍ଟସାଧ୍ୟ ବ୍ୟାପାର । ରସାନନ୍ଦ ଜାଣିବାରେ ସେ ଖୁବ୍ ନୀତିବାନ୍, ସେ ଖୁବ୍ ସଂଯତ, ସେ ଖୁବ୍ ଶୃଙ୍ଖଳିତ ।

 

କିନ୍ତୁ !

 

ରେବତୀ ଯେତେବେଳେ ମୁରୁକିମୁରୁକି ହସି ତାକୁ ଆଡ଼ଚାହାଣିରେ ଅନାଇ ଦିଏ–ତା’ର ଅଙ୍ଗ ସ୍ପର୍ଶ କରିଦିଏ–ରସାନନ୍ଦର ସବୁ ଦମ୍ଭ ପାଣି ଫାଟିଯାଏ । ସେ ଯେତେବେଳେ ଆଜାନୁଲମ୍ବିତ ସର୍ପିଳ କୃଷ୍ଣ କବରୀରେ ସଜଫୁଟା ଫୁଲ ଖୋସି, ଅଣ୍ଟା ଭାଙ୍ଗି ନର୍ତ୍ତନ ଭଙ୍ଗୀରେ ଚାଲିଯାଏ, ସେତେବେଳେ ତା’ର ସବୁ ସଂଯମ ଉଭେଇ ଯାଏ । ଛାତିରେ ଛୁରୀ ଭୁଷି ହୋଇଯାଏ । ମନରେ ପ୍ରଣୟ ନିଶା ଭରିଯାଏ । ଦେହ ଉପରେ ପଥର ବୋଝ ଲଦିଲା ଭଳି ଭାରି ଲାଗେ । ନିଥର, ନିସ୍ତରଙ୍ଗ କଳ୍ପନା ସାଗରରେ ଅଗଣିତ କ୍ଷୁଧାର ତରଙ୍ଗ ଉଠେ । ରେବତୀର ଆଖିତଳେ ସବୁବେଳେ ସେ ରହିବାକୁ ଇଚ୍ଛା କରେ ।

କିନ୍ତୁ ରହିପାରୁଛି କେଉଁଠି ?

ସମାଜର ରକ୍ତଚକ୍ଷୁକୁ ଏଡ଼ାଇବା–ପରଂପରାର ନିର୍ମୋକକୁ ଚିରି ଫିଙ୍ଗି ଦେବା-ତୁଣ୍ଡ ବାଇଦର ଅପବାଦକୁ ଏଡ଼ାଇବା କ’ଣ ଏତେ ସହଜ ? ରସାନନ୍ଦ ମନକଥା ମନରେ ମାରି ରହେ । ତଥା ରେବତୀ ବି ।

ଦୁଇଜଣଙ୍କର ହୃଦୟର ଗଭୀରତମ ପ୍ରଦେଶର ଭାବନା ଏକ । ରୁଚି ଏକ । କାର୍ଯ୍ୟକ୍ରମ ଏକ । ଗୋଟିଏ ସୂତ୍ରରେ ଦୁଇଟି ଜୀବନକୁ ଗୁନ୍ଥିବାକୁ ଉଭୟେ ଲାଳାୟିତ, ତତ୍ପର । ଦୁଇଟି ଜୀବନବୀଣାର ତାରକୁ ଗୋଟିଏ ସ୍ଵରରେ ବଜାଇବାକୁ ଉଭୟେ ଇଚ୍ଛୁକ ।

ସୁଯୋଗ ସୁବିଧାକୁ ଉଭୟେ ଉଭୟଙ୍କ ଅଜଣାରେ ଚାହିଁ ବସିଲେ ।

ସଦେଇ ସାଆନ୍ତରା ବି କିଛି ଦିନ ହେଲା ରେବତୀ ବିବାହ ବିଷୟରେ ମୁଣ୍ଡ ଖେଳାଇ ମନସ୍ତାପରେ ଘାଣ୍ଟି ହେଉଥିଲେ । ଦୀପତଳ ଅନ୍ଧାର ଭଳି, ସେ ରସାନନ୍ଦ କଥାକୁ କଳ୍ପନାରେ ନଆଣି ସଂସାରସାରା ଗୋଟିଏ ସୁପାତ୍ର ପାଇଁ ଆଖି ବୁଲାଉଥିଲେ ।

ସର୍ତ୍ତ ହେଉଛି–ସେ ଯେତେ ସୁପାତ୍ର ହେଉ, ଯେତେ ବିଦ୍ୱାନ ହେଉ, ଯେତେ ପଣ୍ଡିତ ହେଉ, ସେ ରହିବ ସଦେଇ ସାଆନ୍ତରାଙ୍କ ଘରେ ।

ଦିନକ ପାଇଁ ନୁହେଁ । ଚିର ଦିନ ପାଇଁ ।

ହେବ ଘରଜୋଇଁଆ ।

ଏମିତି ଏବେ କିଏ କେଉଁଠି ଜୁଟିବ ? ଯେ ଜୁଟିବ, ସେ ହୁଏତ, ହୋଇଥିବ ରାଣ୍ଡୀପୁଅ ଅନନ୍ତା-ମା' ଧାନକୁଟୀ ପୁଅ ନାଗର, ପରାନ୍ନ ଭୋଜୀ, ଦୁଃଖୀ ଅଧମ । ବାରବୁଲା । ଛତରଖିଆ । ଅଜ୍ଞାତ କୂଳଶୀଳ ।

ପରଘର ରହି, ପର ଧନ ଖାଇ, ନିଜର ସ୍ୱାଧୀନତାକୁ ଜଳାଞ୍ଜଳି ଦେଇ ଆହତ କପୋତୀର ଅନ୍ତର୍ଦାହରେ ଛଟ ପଟ ହେବାର ଦୁର୍ଭାଗ୍ୟ ଯେ ଥରେ ଜୀବନରେ ଅର୍ଜିଥିବ, ନିଜର ପ୍ରାଣ ପ୍ରିୟାର ଅହେତୁକୀ କ୍ରୋଧରେ ଜର୍ଜରିତ ହୋଇ ନିଜକୁ ଏକାନ୍ତ ଅସହାୟ ମଣିଥିବ–ସେ କଦାପି କୌଣସି ସମ୍ଭ୍ରାନ୍ତବଂଶ ସମ୍ଭୁତ ବ୍ୟକ୍ତିଙ୍କୁ ବା ଆତ୍ମଜ୍ଞାନ ସମ୍ପନ୍ନ ବ୍ୟକ୍ତିଙ୍କୁ ଘରଜୋଇଁଆ ହେବାକୁ ଉପଦେଶ ଦେବ ନାହିଁ କି ପ୍ରବର୍ତ୍ତାଇବ ନାହିଁ ।

ପ୍ରକୃତରେ ଯେ ଥରେ କାମିନୀ, କାଞ୍ଚନ ମାୟା-ବାଗୁରାରେ ପଡ଼ିଯାଏ–ସେ ନର୍କ ଯନ୍ତ୍ରଣା ଭୋଗେ ।

ନିଜର ଗର୍ତ୍ତଗହ୍ୱରରେ କୁମ୍ଭୀରର ସିନା ପ୍ରତାପ–ନିଜର ଅଧ୍ୟୁଷିତ ବନ ମଧ୍ୟରେ ସିନା ବ୍ୟାଘ୍ରର ପରାକ୍ରମ–ଗଭୀର ଜଳ ମଧ୍ୟରେ ସିନା ମୀନର ପ୍ରଫୁଲ୍ଲତା–ନିଜର ଜନ୍ମ ସ୍ଥାନରେ-ନିଜର ମା', ବାପ, ଭାଇ, ଭଉଣୀଙ୍କ ପାଖରେ ସିନା ନିଜର ସ୍ୱାଧୀନତା ରହେ–ନିଜର ସମ୍ମାନ ରହେ ।

ଆଉ କଣ ପର ଘରେ ?

ପରଙ୍କ ପାଖରେ ? ପର କେବେ ଆପଣାର ହୋଇଛନ୍ତି ନା ହେବେ ?

ସଦେଇ ସାଆନ୍ତରାଙ୍କର ଦୃଷ୍ଟି ଯେତେ ଦୂର ଯାଏ ପାଏ, ସେତେଦୂର ଯାଏ ମନେ ମନେ ସୁପାତ୍ରର ସନ୍ଧାନ କରନ୍ତି । କେହି ମନକୁ ଯାଏନା । କେହି ଆଖିକି ରୂଚେନା । ରେବତୀ ମନ ଲାଖି ତ ପୁଣି ହେବା ଦରକାର ?

ଦୃଷ୍ଟି ଫେରିଆସେ ନିଜ ଘରକୁ । ମନ ଫେରିଆସେ ରସାନନ୍ଦ ପାଖକୁ । ପାଟି ଖୋଲି କିଛି କହିବାକୁ ସାହସ ହୁଏନା ସଦେଇ ସାଆନ୍ତରାଙ୍କ ।

ଗଛ ଉଠିଲା ଦିନୁ, ଫୁଲ ଫୁଟିଲା ଦିନୁ ସଦେଇ ସାଆନ୍ତରା ସବୁ ଜାଣନ୍ତି । ରସାନନ୍ଦର କୋଉ କଥା ଏବେ ଅଜଣା ଅଛି ତାଙ୍କୁ । ତା' ଜଙ୍ଘରେ କେଇଟି କଳା ଚିହ୍ନ, ମୁହଁରେ କେଇଟି ବ୍ରଣ ଦାଗ, ଦେହରେ କେତୋଟି ଲୋମ କୂପ, ତାହା ସେ ହିସାବ କରି କହିଦେବେ ।

ତଥାପି ସେ ଅସଲ କଥାଟା ନ ଜାଣନ୍ତେ କେମିତି ? ତାଙ୍କର ପରିଷ୍କାର ଭାବରେ ମନେ ପଡ଼ୁଛି ରେବତୀର ଜନ୍ମ ଆଗେ, ବର୍ଷକ ପରେ ରସାନନ୍ଦର ଜନ୍ମ । ଜାଣୁ ଜାଣୁ ସେ ଅନ୍ୟାୟ କଥା କରିବେ କେମିତି ? ଅସଙ୍ଗତ ପ୍ରସ୍ତାବ ବାଢ଼ିବେ କେମିତି ? ଭଲ ଅଛି କି ମନ୍ଦ ଅଛି ? ବାରବର୍ଷର ତପ ଶୁଖୁଆ ପୋଡ଼ାରେ ଚାଲିଯିବ ଯେ ! ଦୈବାଦେଶାଧୀନ ମଣିଷ !

ନିଜର କ’ଣ ଆୟତ୍ତ ଅଛି ? ସ୍ଵାତନ୍ତ୍ର ଅଛି ?

ସଦେଇ ସାଆନ୍ତରା ଖାଉଥିଲେ । ହଠାତ୍ କ’ଣ ହେଲା, ତଣ୍ଟିରେ ଭାତଗୁଣ୍ଡା ଅଟକିଲା-। ଆଉ ପେଟ ଭିତରକୁ ଗଲା ନାହିଁ । ଚାହୁଁ ଚାହୁଁ ଆଖିର ତାରାଗୁଡ଼ିକ ନିଷ୍ପ୍ରଭ ହୋଇଗଲେ ।

ରସାନନ୍ଦ ଓ ରେବତୀ ଦଉଡ଼ି ଆସି ମୁଣ୍ଡରେ ପାଣି ଢାଳିଲେ । ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ–ଚିରଦିନ ଲାଗି ଅନନ୍ତ ନିଦ୍ରାରେ ଶୋଇ ଆଖି ବୁଜିବା ପୂର୍ବରୁ, ସଦେଇ ସାଆନ୍ତରା ରସାନନ୍ଦ ହାତରେ ରେବତୀର ହାତକୁ ଯୋର କରି ଚାପି ଧରିଲେ । ତାଙ୍କର ବୈଦେହୀ ଆତ୍ମାର ଶୁଭ ପ୍ରସ୍ଥାନ ଘଟିଲା । ମନ-ପବନ ଡଙ୍ଗା ଭାଜି ଚୁର୍‍ମାର ହୋଇଗଲା ।

ରେବତୀ ଆଖିର ଲୁହ ପୋଛିଲା ରସାନନ୍ଦ । ଆଜିକି ନ' ବର୍ଷ ହେଲା ରେବତୀର ହସରୁ ଭାଗ ନେଉଥିଲା ରସାନନ୍ଦ । ଆଜି ଜୀବନରେ ପ୍ରଥମ ଥର ପାଇଁ ରେବତୀର ଲୁହରେ ଭାଗ ନେଲା ସେ । ରସାନନ୍ଦ ଅନ୍ତରରେ କାନ୍ଦି ମୁହଁରେ ଖୁବ୍ ପୁରୁଷୋଚିତ ଦୃଢ଼ତା ପ୍ରକାଶ କଲା । ରେବତୀକୁ ଖୁବ୍ ବୁଝାଇଲା ।

ରେବତୀର ମନ ବୁଝୁଛି କେତେକେ ? ରସାନନ୍ଦ ଖୁବ୍ ସାନ୍ତ୍ୱନା ଦେଲା । ଯେତେବେଳେ କହିଲା–"ମୁଁ ଅଛି, ତୁମର ଆଉ କାନ୍ଦିବା ଆବଶ୍ୟକ କ’ଣ ?" ସେତେବେଳେ ରେବତୀ ଆଖିରୁ ଲୁହ ଶୁଖିଗଲା । ଛାତି ତାର ଆନନ୍ଦରେ କୁଣ୍ଢେମୋଟ ହୋଇଗଲା । ଏତ ଦୁନିଆଁର କଥା । ବିନା ଆଶ୍ରୟରେ କବିତା, ବନିତା ଲତା ବଞ୍ଚି ପାରନ୍ତି ନାହିଁ ।

ରସାନନ୍ଦ ଆଉ ରେବତୀ ।

ଘର ଆଗ ପୋଖରୀକୂଳ କୃଷ୍ଣଚୂଡ଼ା ମୂଳେ ସମାଧି ଦେଲେ ସଦେଇ ସାଆନ୍ତରାଙ୍କୁ । ସେଇଠି ତାଙ୍କର ବାପ ଅଜା, ପଣ ଅଜା ସମସ୍ତେ ସମାଧି ନେଇଛନ୍ତି ।

ଦିନ ଗଡ଼ିଗଲା ।

ଶୁଦ୍ଧିକ୍ରିୟା ବିଧି ମୁତାବକ ସଂପନ୍ନ ହେଲା । ସାଧ୍ୟାନୁସାରେ ଖର୍ଚ୍ଚ ହେଲା । ବ୍ରାହ୍ମଣ ଭୋଜନିରେ ଚାରିଶାସନର ବ୍ରାହ୍ମଣ ଯୋଗ ଦେଲେ ।

 

ଜ୍ଞାତି କୁଟୁମ୍ବ ଖାଇଲେ । ଭୋକୀ ଭିକାରୀ ବି କେହି ନିରାଶରେ ଫେରିଲେ ନାହିଁ । ଖାଇଲେ ବିଦାକି ନେଲେ । ସମସ୍ତଙ୍କ ମୁହଁରେ ଧନ୍ୟ ଧନ୍ୟ ପଦ ଶୁଣାଗଲା ।

 

ସଦେଇ ସାଆନ୍ତରାଙ୍କ ମୃତ୍ୟୁର ବର୍ଷକ ପରେ ଶାସ୍ତ୍ରାନୁଯାୟୀ ଯଥାବିଧିପୁର୍ବକ ରସାନନ୍ଦ ଓ ରେବତୀର ଶୁଭ ବିବାହ ଅନୁଷ୍ଠିତ ହେଲା ।

 

ଜୀବନର ଚକ ଘୂରିଗଲା ।

 

ଘର ସଂସାରର ମାୟା ଲାଗିଲା ।

 

ବିବାହର ଦେଢ଼ ବର୍ଷ ନ ପୂରୁଣୁ ରେବତୀ ମାତୃତ୍ୱର ଜୟମାଲ୍ୟ ମସ୍ତକରେ ପିନ୍ଧିଲା । ଯାଆଁଳା ସନ୍ତାନ । ଗୋଟିଏ ପୁଅ, ଗୋଟିଏ ଝିଅ, ପୁଅଟି ବଡ଼, ଝିଅଟି ସାନ । ପୁଅଟିର ନାଆଁ ଦିଆଗଲା ଦେବୀକାନ୍ତ । ଝିଅଟିର ନାଁ ରଖାଗଲା ସଂଘମିତ୍ରା ।

 

ଗୋଟିଏ ବୃନ୍ତରେ ଦୁଇଟି ଫୁଲ । ଏକା ନାହିଁ ଦି'ଖଣ୍ଡ । ଦୁଇଟି ଦେହରେ ଗୋଟିଏ ରଙ୍ଗ । ଏକା ଗଢ଼ଣ, ଏକା ମୁହଁ । ଦୂରରୁ ଦେଖିଲେ କିଏ ଝିଅ–କିଏ ପୁଅ ସହଜରେ ଜାଣି ହୁଏ ନାହିଁ ।

 

ଦୂରରୁ ଚିହ୍ନି ନ ପାରି ଅନେକେ ଦେବୀକାନ୍ତକୁ ଡାକନ୍ତି ସଂଘମିତ୍ରା, ସଂଘମିତ୍ରାଙ୍କୁ ଡାକନ୍ତି ଦେବୀକାନ୍ତ । ଯେତେବେଳେ ନିଜର ଭୁଲଟା ଜାଣି ପାରନ୍ତି, ସେତେବେଳେ ମନେ ମନେ ସଂକୁଚିତ ହୁଅନ୍ତି । ହାସ୍ୟର ଲହରୀ ଖେଳିଯାଏ ।

 

ଦେବୀକାନ୍ତ ସଂଘମିତ୍ରା ତାଳିମାରି ନାଚିଯାନ୍ତି । ଘରକୁ ଦଉଡ଼ିଯାଇ ଜନନୀ ଆଗରେ ଗୁହାରୀ ଗୁଜରନ୍ତି । ସଂଘମିତ୍ରା କହେ–"ବୋଉଲୋ, ମୋତେ ସମସ୍ତେ ଡାକୁଛନ୍ତି ଦେବୀକାନ୍ତ ।"

 

ଦେବୀକାନ୍ତ କହେ–"ମୋତେ ସମସ୍ତେ ଡାକୁଛନ୍ତି ସଂଘମିତ୍ରା" ।

 

ରେବତୀ ମୁହଁରେ ହସ ଫୁଟାଇ ସଂଘମିତ୍ରାକୁ ଗେଲ କରି କହେ–"ହେଉ, ତୁ' ମୋର ବାହାଚୁରା ହୋଇ ବୋହୂ ସାଙ୍ଗରେ ଘରେ ରହିବୁ" ।

 

ପୁଅ ଗାଲରେ ଗୋଟିଏ ସରୁ ଚୁମ୍ବନ ଟାଣିଦେଇ କହେ–"ଆଉ ତୁ ମୋର ଗହଣାପତ୍ର ନାଇ, ମୁଣ୍ଡରେ ଓଢ଼ଣା ଟାଣି, ସବାରୀରେ ବସି କାନ୍ଦି କାନ୍ଦିକା ଶାଶୁ ଘରକୁ ଯିବୁ ।"

 

ଦେବୀକାନ୍ତ ମାଆର କଥା ଶୁଣି କହେ–"ଉଁ-ହୁଁ-ମୁଁ ଯିବିନା ? ସେ ଯିବ ?

 

ରେବତୀ କହେ–"ହେଉ ହେଲା ସେ ଯିବ ।

 

ସଂଘମିତ୍ରା ନାକ ସକେଇ କହେ–"ନା-ନାଁ-ମୁଁ ଯିବି ନା ଭାଇ ଯିବେ ।"

 

ରେବତୀ ପୁଣି କହେ–'ହଁ–ହଁ ତୁ' ଯିବୁନା ଭାଇ ଯିବ ।"

 

ପୁଅ ଝିଅଙ୍କର ଏ ଭଳି ମଧୁର କଳି କଜିଆ ଶୁଣିଲେ କେଉଁ ମାଆର ଛାତି ଫୁଲି ନ ଉଠେ ? କେଉଁ ବାପର ମୁହଁରେ ହସ ନ ଫୁଟେ ?

 

ଛୁଆ ଯା' ଘରେ ନାହିଁ; ସେ ଘର ଘର ନୁହେଁ, ଶ୍ମଶାନ । ସେ ଘରେ ବାସ କରୁଥିବା ମଣିଷ ପ୍ରକୃତରେ ହତଭାଗ୍ୟ ।

 

ଦିନ ଗଡ଼ି ଚାଲିବା ସଙ୍ଗେ ସଙ୍ଗେ ଦେବୀକାନ୍ତ ଓ ସଂଘମିତ୍ରା ଦୁହେଁ ବଢ଼ି ଚାଲିଲେ । ରସାନନ୍ଦ ମନେ ମନେ ଉପଯୁକ୍ତ ଶିକ୍ଷକଙ୍କର ସନ୍ଧାନ କଲା । ଦିନେ ରସାନନ୍ଦର ଜଣେ ବନ୍ଧୁ ଖବର ଦେଲା ଯେ, ଜଣେ ଉପଯୁକ୍ତ ଶିକ୍ଷକଙ୍କର ସନ୍ଧାନ ମିଳିଛି । ଶାସ୍ତ୍ର ପୁରାଣ ବେଦ ବେଦାନ୍ତରେ ତାଙ୍କର ଯେପରି ଗଭୀର ପ୍ରବେଶ ଅଛି, ଅଙ୍କଶାସ୍ତ୍ର ସମ୍ୱନ୍ଧରେ ତାଙ୍କର ସେହିପରି ସମ୍ୟକ୍‍ ଜ୍ଞାନ ଅଛି । ଋଷିପ୍ରତିମ ଭଦ୍ରବ୍ୟକ୍ତିଙ୍କୁ ଗୃହ ଶିକ୍ଷକ ରୂପେ ନିଯୁକ୍ତ କଲେ, ଦେବୀକାନ୍ତ ଓ ସଂଘମିତ୍ରା ଶୀଘ୍ର ତଳ ଶ୍ରେଣୀର ସମସ୍ତ ପାଠ୍ୟ ଶେଷ କରି ଉଚ୍ଚ ଶିକ୍ଷା ଲାଭ କରିବାକୁ ସମର୍ଥ ହେବେ ।

 

ତେବେ–

 

ସେ ବିଦ୍ୟାଦାନ ପାଇଁ କୌଣସି ପାରିଶ୍ରମିକ ନେବେ ନାହିଁ । କେବଳ ମଣିଷ ପ୍ରତି ମଣିଷର ଯେଉଁ ବ୍ୟବହାର ଦରକାର, ତାହା ତାଙ୍କର ଆବଶ୍ୟକ । ଯେଉଁଦିନ ଏଥିରେ ବ୍ୟତିକ୍ରମ ଘଟିବ, ଶିକ୍ଷକ ମହାଶୟ ସେହି ଦିନ ବିଦାୟ ନେଇ ଅନ୍ୟତ୍ର ଚାଲିଯିବେ ।

 

ବନ୍ଧୁଙ୍କର ଖବର ଉପରେ ରେବତୀ ଓ ରସାନନ୍ଦଙ୍କ ମଧ୍ୟରେ ବହୁ ସମୟ ଧରି ତର୍କ ବିତର୍କ ଚାଲିଲା । ଶେଷରେ ବନ୍ଧୁଙ୍କ ମନୋନୀତ ଶିକ୍ଷକ ଆସିବାର ସ୍ଥିର ହେଲା ।

 

ଶିକ୍ଷକ ମହାଶୟ ଆସିଲେ । ଲଲାଟରେ ବ୍ରହ୍ମତେଜର ଦୀପ୍ତି ଝଟକୁଛି । ମୁଖରେ ବର୍ଦ୍ଧିତ ଶ୍ମଶ୍ରୂ ରୂଷିପ୍ରାଣତାର ପରିଚୟ ପ୍ରଦାନ କରୁଛି । ବଚନରେ ସାଧୁତାର ଝଲକ । ଚାହାଣିରେ ସଂସାର ପ୍ରତି ତାତ୍ସଲ୍ୟର ଆଭାସ । ପରିଧାନ କରିଛନ୍ତି ଗେରୁଆ ବସ୍ତ୍ର । ପାଦରେ କଠାଉ, ହାତରେ କମଣ୍ଡଳୁ । ବ୍ରହ୍ମର୍ଷି ନାରଦ କ’ଣ ଆଉ ଛଦ୍ମବେଶରେ ଶିକ୍ଷକ ରୂପେ ମର୍ତ୍ତ୍ୟକୁ ଆସିଛନ୍ତି କି ?

 

ଯାହାହେଉ–

 

କଥାବାର୍ତ୍ତାରୁ ଜଣା ପଡ଼ିଲା ଯେ ଶିକ୍ଷକଙ୍କର ନାମ ପ୍ରଣବାନନ୍ଦ ।

 

ପ୍ରଣବାନନ୍ଦ ସଦେଇ ସାଆନ୍ତରାଙ୍କ କୁଳଦେବତା ଗୋପୀବଲ୍ଲଭଙ୍କ ମଠରେ ରହିଲେ । ତାଙ୍କର ସେବାରେ ରେବତୀ ଓ ରସାନନ୍ଦ ମନପ୍ରାଣ ଢାଳିଦେଲେ ।

 

ଶୁଭଦିନ ଦେଖି ବିଦ୍ୟାରମ୍ଭ ହେଲା । ପ୍ରଥମେ ଯେଉଁଦିନ ଦେବୀକାନ୍ତ ଓ ସଂଘମିତ୍ରା ଶୁଆପକ୍ଷିଆ ଧଡ଼ି ଖରି ବ୍ରହ୍ମା, ବିଷ୍ଣୁ ମହେଶ୍ୱର ମଡ଼ାଇଲେ, ସେଦିନ ରେବତୀ ଓ ରସାନନ୍ଦର ଆନନ୍ଦ କହିଲେ ନ ସରେ । ପ୍ରଣବାନନ୍ଦଙ୍କ ନିଷ୍ଠା ଓ ଯତ୍ନ ଫଳରେ ପିଲା ଦୁହେଁ ପାଠ ପଢ଼ିବାରେ ଗଭୀର ଭାବରେ ମନୋନିବେଶ କଲେ ।

 

ଦୁଇ ବର୍ଷ ଭିତରେ ତଳ ଶ୍ରେଣୀର ସମସ୍ତ ପାଠ ଶେଷ କରି ଉଚ୍ଚ ଶିକ୍ଷା ନିମିତ୍ତ ମନୋନୀତ ହେଲେ । ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇ ଦିଆଗଲା ଭାଇ ଭଉଣୀ ଦୁଇ ଜଣଙ୍କର-। ସବୁ ପିଲାଙ୍କ ମଧ୍ୟରେ ସେ ଦୁହେଁ ରୂପରେ, ଗୁଣରେ ବାରି ହୋଇପଡ଼ିଲେ । ସମସ୍ତଙ୍କର ମୁହଁରେ ସେମାନଙ୍କର ଉଚ୍ଛଳ ପ୍ରଶଂସା ଶୁଣାଗଲା ।

ସବୁ ଶ୍ରେଣୀ ପରୀକ୍ଷାରେ ଭାଇ ଭଉଣୀ ଦୁଇଜଣଯାକ ପ୍ରଥମ ଦ୍ୱିତୀୟ ହେବାର ସ୍ଥାୟୀ ପଟ୍ଟା ହାସଲ କଲେ ।

ଦେବୀକାନ୍ତ ହୁଏ ପ୍ରଥମ ।

ସଂଘମିତ୍ରା ହୁଏ ଦ୍ୱିତୀୟ ।

ଅନ୍ୟାନ୍ୟ ପିଲାମାନେ ଈର୍ଷା କରନ୍ତି । ପ୍ରାଣପଣେ ଚେଷ୍ଟା କରନ୍ତି ସେମାନଙ୍କୁ ଟପିବା ପାଇଁ ମାତ୍ର ପାରନ୍ତି ନାହିଁ । ଶିକ୍ଷକମାନେ ସେମାନଙ୍କ ପଢ଼ାପଢ଼ି ପାଇଁ ନିଜକୁ ଗୌରବାନ୍ୱିତ ମନେ କରନ୍ତି । ବିଦ୍ୟାଳୟର ସୁନାମ ବଢ଼ାଇଥିବା ହେତୁ ସେମାନଙ୍କୁ ପ୍ରଶଂସା କରନ୍ତି । ବିଦ୍ୟାଳୟ ପରିଦର୍ଶକ ଆସିଲେ ସେଇ ଭାଇ ଭଉଣୀଙ୍କର ଉପରେ ଦୃଷ୍ଟି ପଡ଼େ । ପ୍ରଶ୍ନର ଯଥାର୍ଥ ଉତ୍ତର ପାଇଁ ସେମାନଙ୍କୁ ବାହା ବା' ଦିଅନ୍ତି । ଅନ୍ୟ ପିଲାମାନଙ୍କୁ 'ଗଧ' ବୋଲି ଆଖ୍ୟା ପ୍ରଦାନ କରନ୍ତି ।

ଭାଇ ଭଉଣୀ ଦୁଇଜଣ ଯାକ ବାଟରେ ଚାଲିଗଲା ବେଳେ ବାଟର ବାଟୋଇ ସେମାନଙ୍କୁ ଘଡ଼ିଏ ଚାହେଁ । ଭାଇ ଭଉଣୀ ଦୁହେଁ ସବୁବେଳେ ଆଗପଛ ହୋଇ ଚାଲିଥାନ୍ତି । ଭାଇ ଦେବୀକାନ୍ତ ଯେ ଭଳି ଶାନ୍ତଶିଷ୍ଟ, ଭଉଣୀ ସଂଘମିତ୍ରା ସେଭଳି ଭାରି ମିଳାପୀ, ଲାଜକୁଳୀ ବୁଦ୍ଧିମତୀ ଓ ଭକ୍ତି ପରାୟଣା । ମାଛି କି ମର ବୋଲି କହେନା । ଘରଠାରୁ ବାହାର ପର୍ଯ୍ୟନ୍ତ ସମସ୍ତେ ତାକୁ ଭଲ ପା'ନ୍ତି । ଆଉ ବର୍ଷକ ପରେ ଭାଇ ଭଉଣୀ ଦୁଇଜଣ ବଡ଼ ଇସ୍କୁଲର ପାଠ ଶେଷ କରିବେ । ରସାନନ୍ଦ ଓ ରେବତୀର ଇଚ୍ଛା ପୁଅ ଝିଅ ଦୁହେଁ ଯେତେ ପଢ଼ିବେ–ସେମାନେ ପଢ଼ାଇବେ ।

କିନ୍ତୁ–

ଦେଖଣାହାରୀ ଲୋକଙ୍କ ଦେହ ସହୁ ନାହିଁ । କିଏ କେତେ କଥା କହୁଛନ୍ତି । କିଏ ଯଦି କହୁଛି–"ଝିଅ ଗୁଡ଼ାଙ୍କୁ ପାଠ ପଢ଼ାଇ ଲାଭ କ’ଣ ? ଯେତେ ପାଠ ପଢ଼ିଲେ ତ ସେଇ ଚୂଲୀ ମୁଣ୍ଡକୁ-। କ’ଣ ପୁଅ ପରି ପୋଷିବେ ନା ପାଳିବେ ? ପଡ଼ନ୍ତ କାଳରେ ପାଟିରେ ପାଣି ଟୋପା ଦେବେ ? ନଈରେ ନୂଆ ପାଣି ପଡ଼ିଲେ ମାଛ ଯେପରି ହୁଅନ୍ତି, ଦେହକୁ ଯୌବନ ଛୁଇଁଲେ ସେମାନେ ପରଘରକୁ ଯିବାକୁ ଉଚ୍ଛନ୍ନ ହେବେ ।"

ପୁଣି–

କିଏ କହେ–"ଝିଅ ପାଠ ପଢ଼ିଲେ ଏବେ ବାପା ମାଆଙ୍କର କେଉଁ ଉପକାରରେ ଆସୁଛି-? ଯା ନି, ଯୌତୁକ କ’ଣ କମିଯାଉଛି କି ? ବରଂ ଯେ ଯେତେ ପାଠ ପଢ଼ୁଛି ସେ ସେତେ ନେବାକୁ ଖୋଜୁଛି । ଝିଅ ଲାଖି ଜୋଇଁ ଖୋଜିଲା ବେଳକୁ ବାପା ମା'ଙ୍କ ପାଟିରେ ପାଣି ପଶି ଯାଉଛି ।

ଝିଅ ଭାଗବତ ଅଧ୍ୟାୟେ ବୋଲିବା ପାଇଁ, ଘରର ହିସାବ ପତ୍ର ରଖିବା ପାଇଁ, ଖବର କାଗଜ ଖଣ୍ଡେ ପଢ଼ି ଦେଶ ବିଦେଶର ଖବର ଜାଣିବା ପାଇଁ ଯେତିକି ପାଠ ଦରକାର, ସେତିକି ପଢ଼ିଲେ ଯଥେଷ୍ଟ ହେବ । ଝିଅକୁ ପାଠୁଆ ବଳଦ କରି ଲାଭ କ’ଣ ?"

ଯେ ଯାହା କହୁ, ଯେ ଯାହା ମନ୍ତବ୍ୟ କରୁ, ସେଥିପ୍ରତି କାନ ଦିଏ ନାହିଁ କି ଗୁରୁତ୍ୱ ଆରୋପ କରେ ନାହିଁ ରସାନନ୍ଦ ! ତା' ମତରେ ଜନନୀ ଶିକ୍ଷାଦୀକ୍ଷା ନିପୁଣା ନ ହେଲେ ସନ୍ତାନ ସନ୍ତତି ଉଚିତ ଶିକ୍ଷା ପାଇପାରିବେ ନାହିଁ । ଏ ଦେଶରୁ ଅଜ୍ଞାନ ଅନ୍ଧକାର ଦୂର ହେବ ନାହିଁ ।

 

ନାରୀ ପୁରୁଷ ଉଭୟଙ୍କୁ ନେଇ ସମାଜ ଗଠିତ । ପୁରୁଷ ଯାହା କରିପାରେ ନାରୀ ବି ତାହା କରିପାରେ । କେବଳ ଶାରୀରିକ ଗଠନର ବିଚିତ୍ରତାହିଁ ନାରୀ ପୁରୁଷ ମଧ୍ୟରେ ଅଲଂଘ୍ୟ ପ୍ରାଚୀର ହୋଇ ଠିଆହୋଇଛି ମାତ୍ର । ଦାତାର ଘିଅ ସରିବ, ଦେଖଣାହାରୀଙ୍କ ଦେହ ସହୁ ନାହିଁ କାହିଁକି ?

 

ଆଶା ବୈତରଣୀ କଥାଟା ସବୁଠାରେ ସମସ୍ତଙ୍କ ପାଖରେ ପ୍ରଯୁଜ୍ୟ । ରଙ୍ଗନାଥ ସିନା ଜୀବନର ମଧ୍ୟାହ୍ନରେ ଉପନୀତ ହେଲେଣି, ତାଙ୍କର ଆଶା କ’ଣ ମଉଳିଲାଣି ? ତାଙ୍କ ଲାଳସାର ରଙ୍ଗ କ’ଣ ଫିକା ପଡ଼ିଲାଣି ? ତାଙ୍କ ସମ୍ଭୋଗ ଇଚ୍ଛାରେ କ’ଣ ଘୁଣ ଧରିଲାଣି ?

 

ଦୁର୍ଯୋଗ ହେଉ କି ସୁଯୋଗ ହେଉ ମେରୀର ସାନ୍ନିଧ୍ୟ ସେ' ଲାଭ କଲା ଦିନୁ ତାଙ୍କ ମନ ଚହଲି ଯାଇଛି । ତାଙ୍କ ଭିତରେ ଅଦିନ ଯୁବସୁଲଭ ଚପଳତା ପୁଣି ମୁଣ୍ଡ ଟେକି ଉଠିଛି । ସେ ସବୁବେଳେ ମେରୀର ବାହୁ ଛାୟା ତଳକୁ ଆଶ୍ରା କରୁଛନ୍ତି । ମେରୀର ଅସୀମ ଉପକାରର ପ୍ରତିଦାନସ୍ଵରୂପ ତାଙ୍କର ଜୀବନକୁ ତା' ହାତରେ ହସିହସି ଟେକି ଦେବାକୁ ଚାହୁଁଛନ୍ତି ।

 

ଏଇ କେତେଦିନ ହେଲା ତାଙ୍କ ଭିତରେ ସବୁ ଗୋଳମାଳ ହୋଇ ଯାଇଛି । ସବୁ ବିଭ୍ରାଟ ତାଙ୍କ ମୁଣ୍ଡରେ ଆସନ ଜମାଇ ବସୁଛି । ସେ ଧୀର ଚିତ୍ତରେ କୌଣସି କଥା ବିଚାର କରି ପାରୁ ନାହାନ୍ତି । ନିଜର କର୍ତ୍ତବ୍ୟର ମନୋନିବେଶ କରି ପାରୁ ନାହାନ୍ତି । ବ୍ୟବସାୟର ଉନ୍ନତି କଳ୍ପେ କିଛି କରିବାରେ ସ୍ପୃହା ରହୁନାହିଁ । ନିତ୍ୟକର୍ମ ପଦ୍ଧତିରେ ବିଚ୍ୟୂତି ପରିଲକ୍ଷିତ ହେଉଛି । ସାନ୍ଧ୍ୟ ପ୍ରାର୍ଥନାରେ ପବିତ୍ରତା ରହୁ ନାହିଁ । ମାୟାଗ୍ରସ୍ତ ମନ ଅନ୍ୟମନସ୍କତାରେ ଛଟପଟ ହେଉଛି । ମାଳି ଜପିବାରେ ଭ୍ରମ ଜାତ ହେଉଛି । ଚିତା ମଥାରେ ନାଇଲା ବେଳେ ଗାଲରେ ନାଇ ହୋଇ ଯାଉଛି । ଭୋଜନରେ ତୃପ୍ତି ଆସୁନି । ରାତି ରାତି ବିଛଣାରେ ପଡ଼ି ଛଟ ପଟ ହେଲେ ମଧ୍ୟ ଆଖିକୁ ନିଦ ଆସୁନି । ସବୁବେଳେ ମନରେ ନାଚୁଛି ମେରୀ । ଚନ୍ଦ୍ରମା ମୁହଁରେ ଅପସରା ରୂପ ।

Unknown

 

ମେରୀ ସାଙ୍ଗରେ ସାକ୍ଷାତ ହେବା ପୂର୍ବରୁ ରଙ୍ଗନାଥଙ୍କଠାରେ ଚିତ୍ତଚାଞ୍ଚଲ୍ୟର ସଙ୍କେତ ଆଦୌ ବିଦ୍ୟମାନ ନ ଥିଲା । ସ୍ତ୍ରୀ, ପୁତ୍ରଙ୍କୁ ଛାଡ଼ି ଆସିଲା ଦିନୁ ସେ ଏକ ରକମର ସନ୍ନ୍ୟାସୀ ଜୀବନ ଜାପାନ କରୁଥିଲେ । ସେ ସବୁବେଳେ ସବୁ ପ୍ରଲୋଭନଠାରୁ ଦୂରରେ ରହିବାକୁ ଚେଷ୍ଟା କରୁଥିଲେ-। ନିଜର ଜୀବିକା ଅର୍ଜନ ନିମିତ୍ତ ଯେତିକି ସମ୍ପର୍କ ରକ୍ଷା କରିବା ଆବଶ୍ୟକ, ସେ ସେତିକି ପରିମାଣରେ ଅନ୍ୟମାନଙ୍କ ସହିତ ସମ୍ପର୍କ ରଖୁଥିଲେ ।

 

ମେରୀର ସଂସ୍ପର୍ଶରେ ଆସିଲା ଦିନୁ ଏବେ ସେ ସଂପୂର୍ଣ୍ଣ ବିପରୀତ ହୋଇଯାଇଛନ୍ତି ! ମେରୀର ନାମକୁ ମହାମନ୍ତ୍ର କରିଛନ୍ତି । ମେରୀ ସାଙ୍ଗରେ ଆଳାପ ମିଳାପରେ ଶେଷ ଜୀବନର ଶେଷ ଅଧ୍ୟାୟ କଟାଇ ଦେବାର ଉଦ୍ଦାମ ଅଭିଳାଷ ମନରେ ପୋଷଣ କରିଛନ୍ତି ।

 

କଳ୍ପନା ବାସ୍ତବତା ଭିତରେ ଯେତିକି ତଫାତ୍‍, କଥା ଓ କାର୍ଯ୍ୟ ଭିତରେ ସେତିକି ତଫାତ୍‍-। ରଙ୍ଗନାଥ ସିନା ମନେ ମନେ ସବୁ କଳ୍ପନା କରୁଛନ୍ତି, ବାସ୍ତବ କ୍ଷେତ୍ରରେ ତାହା କି ରୂପ ଧାରଣା କରିବ କିଏ କହିବ ? ଘଡ଼ିକେ ଘୋଡ଼ା ଛୁଟି ଯାଇପାରେ । ସେ ସିନା ସବୁ ରକମର ଉଦ୍ୟମ କରିବେ । ମେରୀର ଅନୁଦିନ ସାନ୍ନିଧ୍ୟ ଲାଭ ପାଇଁ ଅସୀମ ପ୍ରଲୋଭନ ଦେଖାଇବେ । ସୁଖ-ସ୍ୱପ୍ନର ରଙ୍ଗୀନ ମାନଚିତ୍ର ଆଙ୍କି ଦେଖାଇବେ ।

 

ତଥାପି ଭୟ ହୁଏ–

 

ମେରୀ ଯଦି ତାଙ୍କ ସହିତ ଏକମତ ନ ହୁଏ ? ତାଙ୍କ ପ୍ରସ୍ତାବରେ ସମ୍ମତି ପ୍ରଦାନ ନ କରେ ?

 

ସେ ପୁଣି ଭାବନ୍ତି–

 

ଯତ୍ନ, ଅଧ୍ୟବସାୟ, ଉଦ୍ୟମ ବଳରେ ପୃଥିବୀରେ କେଉଁ କଥା ଅବା ଅସାଧ୍ୟ ହୋଇ ରହେ ? ଦେହରେ ଯଦି ବୁଦ୍ଧି ଥିବ, ତାହାହେଲେ ସବୁ ହୋଇ ପାରିବ । ସେଇ ବୁଦ୍ଧି ବଳରେ ତ ମଣିଷ ଦନ୍ତାହାତୀକୁ ତୃଣ ଦଉଡ଼ିରେ ବାନ୍ଧି ପାରୁଛି । ମହାବଳକୁ ପିଞ୍ଜରାରେ ପୂରାଇ ଇଚ୍ଛାନୁସାରେ ନଚାଉଛି କ’ଣ ଅଛି ?

 

ଯଦି ଦେହରେ ବୁଦ୍ଧି ନାହିଁ, ଗୁଡ଼ାଏ ପାଠ ପଢ଼ିଲେ କିଛି ହେବ ନାହିଁ । ଘୋଷବନ୍ତ ବଳବନ୍ତ ହୋଇ କେତେ ଏମିତି ବୁଲୁଛନ୍ତି । ନିଜ ପେଟ ପୋଷି ପାରୁ ନାହାନ୍ତି । ଆଜି ପରଝିଅକୁ ବେକରେ ବାନ୍ଧି କାଲି ନେଇ ଗଛ ତଳେ ଉପାସରେ ବସାଇ ଦେଉଛନ୍ତି ।

 

ଆଉ କେତେକ–

 

ପରିବାର ପୋଷଣ କରି ନ ପାରି ଆତ୍ମହତ୍ୟାର ଆଶ୍ରୟ ନେଉଛନ୍ତି । ଅନେକ ବି ବିଶ୍ଵବିଦ୍ୟାଳୟର ଉଚ୍ଚତମ ଉପାଧିରେ ଭୂଷିତ ହୋଇ ଚୋରୀ, ଡକାୟତିରେ ରହି କାରାବରଣ କରୁଛନ୍ତି ।

 

କେବଳ ଯେ ଲୋକ ଗୁଡ଼ାଏ ପାଠ ପଢ଼ିଲେ ମଣିଷରେ ଗଣା ହେବ–ସମାଜରେ ସମ୍ମାନନୀୟ ହୋଇ ପାରିବ, ଏଭଳି ଭାବିବା ସଂପୂର୍ଣ୍ଣ ଭୁଲ । କାଳିଦାସ, ରବିଠାକୁର, ଶାରଳାଦାସ, ସେକ୍‍ସପିୟର ଓ ବର୍ଣ୍ଣାଡ଼୍‍ସ ପ୍ରଭୃତି କେଉଁ ବିଶ୍ଵବିଦ୍ୟାଳୟର ଉପାଧି ନେଇଥିଲେ ? ସେମାନେତ ପୁଣି ଆଜି ବିଶ୍ଵବନ୍ଦ୍ୟ ? ସେମାନଙ୍କ କୃତି ଓ କୀର୍ତ୍ତିରେ ତ ମାନବ ସମାଜ ଗର୍ବିତ ?

 

ଦେହରେ ଯଦି ବୁଦ୍ଧି ଥିବ, ଅଳ୍ପ ବିଦ୍ୟା ପଢ଼ିଥିଲେ ବି ଲୋକ ଧନ ଅର୍ଜନ କରି ଜୀବନକୁ ସୁଖମୟ କରି ପାରିବ । ଅସାଧ୍ୟ ସାଧନକରି ସମାଜରେ ନିଜର ଆସ୍ଥାନ ଦୃଢ଼ କରି ପାରିବ ।

 

ରଙ୍ଗନାଥ ନିଜକୁ ନିଜେ ଉଦାହରଣ ଦିଅନ୍ତି । ନିଜର ବୁଦ୍ଧି ବଳରେ ସେ ତଳୁ ଉପରକୁ ଉଠିଛନ୍ତି । ଘର ଛାଡ଼ି ଆସିଲା ବେଳେ ଅଣ୍ଟାରେ କାଣି କଉଡ଼ିଏ ନ ଥିଲା । ତଥାପି ସେ ସାହସ ହରାଇଲେ ନାହିଁ । ଉପାୟ ଖୋଜି ବୁଲିଲେ ।

 

ସୁଯୋଗ ଆସିଲା ।

 

ରେଙ୍ଗୁନରେ ନାମଜାଦା କାଠକଳ ମାଲିକ ଶିବମଙ୍ଗଳଙ୍କ ସହିତ ତାଙ୍କର ସାକ୍ଷାତ ହେଲା । ନିଜର କର୍ତ୍ତବ୍ୟନିଷ୍ଠା, ବିଶ୍ଵସ୍ତତା ବଳରେ ତାଙ୍କ ମନକୁ କିଣି ପାରିଲେ ।

 

ଶିବମଙ୍ଗଳଙ୍କ ବଂଶଧରମାନେ ତିନି ପୁରୁଷ ଧରି ରେଙ୍ଗୁନରେ ରହି ଆସିଥିବା ହେତୁ ତାଙ୍କର ଖୁବ୍ ସୁଖ୍ୟାତି ଥିଲା । ଶିବମଙ୍ଗଳଙ୍କୁ ସମସ୍ତେ ଶେଠଜୀ ବୋଲି ଡାକୁଥିଲେ ।

 

ସେଠାରେ ସେ କେବଳ ଗୋଟିଏ କାଠକଳର ମାଲିକ ନ ଥିଲେ । "ଅଗ୍ରଦୂତ" ନାମରେ ହିନ୍ଦୀରେ ଗୋଟିଏ ଶକ୍ତିଶାଳୀ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ । ସେ ବିଦେଶରେ ଥିଲେ ମଧ୍ୟ ଭାରତର ରାଜନୀତି ସହିତ ଓତଃପ୍ରୋତଃ ଭାବରେ ଜଡ଼ିତ ଥିଲେ । ଭାରତୀୟମାନଙ୍କୁ ଧରି ସେ ସେଠାରେ ଗୋଟିଏ ଜାତୀୟବାଦୀ ଦଳ ଗଢ଼ିଥିଲେ । କାଠକାଳରୁ ଯାହା ଲାଭ ହେଉଥିଲା, ତାହା ସେ ପତ୍ରିକା ଚଳାଇବାରେ ଓ ଦଳ ସଂଗଠନ କରିବାରେ ଖର୍ଚ୍ଚ କରୁଥିଲେ । ଭାରତର ବିଶିଷ୍ଟ ବିଶିଷ୍ଟ ନେତାମାନଙ୍କ ସହିତ ଗୁପ୍ତ ସମ୍ପର୍କ ସ୍ଥାପନ କରି ପରାମର୍ଶ ଗ୍ରହଣ କରୁଥିଲେ ।

 

ପରେ ବିପ୍ଲବୀ ରାସବିହାରୀ ବୋଷ ତାଙ୍କରି ଘରେ ଆଶ୍ରୟ ନେଇ ତାଙ୍କ ଗଠିତ ଦଳର ପୂର୍ଣ୍ଣଭାର ଗ୍ରହଣ କରିଥିଲେ । ତାଙ୍କ ପ୍ରତିଷ୍ଠିତ ପତ୍ରିକାରେ ଭାରତ ସ୍ୱାଧୀନତା ଲାଭ କରିବା ସମ୍ପର୍କରେ ପ୍ରବନ୍ଧମାନ ଛାପୁଥିଲେ ।

 

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ଶିବମଙ୍ଗଳଙ୍କ ଘରେ କିଛି ଦିନ ଲୁଚି ରହି ଭାରତ-ସ୍ୱାଧୀନତା-ଯୁଦ୍ଧ ପରିଚାଳନା କରିଥିଲେ ।

 

ଶିବମଙ୍ଗଳ 'ବାଣିଜ୍ୟେ ବସତି ଲକ୍ଷ୍ମୀ' ଉକ୍ତିର ମହତ୍ତ୍ୱ ଭଲ ଭାବରେ ହୃଦୟଙ୍ଗମ କରିଥିଲେ । ତାଙ୍କର ଧାରଣା ଥିଲା, ଦଶ ଦେଶର ଉପକାର କରିବାକୁ ହେଲେ ପ୍ରଚୁର ଅର୍ଥ ଆବଶ୍ୟକ । ଏ ଅର୍ଥ ଆସିବ କେଉଁଠୁ ?

 

କେବଳ–

 

ବାଣିଜ୍ୟ ଦ୍ୱାରା ଏହା ସମ୍ଭବ ହୋଇପାରେ । ନଚେତ୍ ଅନ୍ୟ କୌଣସି ପନ୍ଥାରେ ଆଶୁ ପ୍ରଚୁର ଅର୍ଥ ମିଳିବାର ସମ୍ଭାବନା ଖୁବ୍ କମ୍‍ ।

 

କିନ୍ତୁ–

 

ମଣିଷ ବିଚାର ଏକ । ଦଇବ ବିଚାର ଏକ । ଭାଗ୍ୟର ବିଡ଼ମ୍ବନା ହେତୁ ପରିବାରର ଅନ୍ୟାନ୍ୟ ସମସ୍ତ ଲୋକେ ଶିବମଙ୍ଗଳଙ୍କୁ ଛାଡ଼ି ଭାରତ ଆସିବା ବାଟରେ ସଲିଳ ସମାଧି ନେଇଥିଲେ । ଶିବମଙ୍ଗଳଙ୍କର ଅନ୍ୟାନ୍ୟ ଉତ୍ତରାଧିକାରୀ ନଥିବା ହେତୁ ସେ ରଙ୍ଗନାଥଙ୍କୁ ଉତ୍ତରାଧିକାରୀ ଭାବରେ ଆଖି ଆଗରେ ରଖିଥିଲେ ।

 

ତେଣୁ–

 

ସେ ଗୁପ୍ତରେ ରଙ୍ଗନାଥଙ୍କ ନାମରେ ସବୁ ସମ୍ପତ୍ତିବାଡ଼ି ଉଇଲ ସମ୍ପାଦନ କରିଥିଲେ । ରଙ୍ଗନାଥଙ୍କୁ ଏ କଥା ଆଦୌ ଜଣା ନ ଥିଲା କି ସେ ମଧ୍ୟ କିଛି କହି ନ ଥିଲେ । ଶିବମଙ୍ଗଳ ଥରେ କାର୍ଯ୍ୟୋପଲକ୍ଷରେ ଜାପାନ ଯାଇ ଫେରିଲେ ନାହିଁ । ସେ କୁଆଡ଼େ ଗଲେ କିଛି ସନ୍ଧାନ ମିଳିଲା ନାହିଁ ।

 

ବହୁଦିନ ପରେ ରଙ୍ଗନାଥ ଶିବମଙ୍ଗଳଙ୍କ ହାତୀଦାନ୍ତର ବାକ୍ ସଟି ଖୋଲି ଦେଲା ପରେ ତାଙ୍କ ନାମରେ କରିଥିବା ଉଇଲ୍‍ଟିଏ ପାଇଲେ । କୃତଜ୍ଞତାରେ ଭାଙ୍ଗି ପଡ଼ିଲେ ସେ ।

 

ଶିବମଙ୍ଗଳା ଆଉ ମର ଶରୀରରେ ନଥିବା କଥା ଧରି ନେଇ ଶୁଦ୍ଧିକ୍ରିୟା ସମ୍ପାଦନା କଲେ । ରେଙ୍ଗୁନର ହଜାର ହଜାର ଲୋକଙ୍କୁ ଭୁରି ଭୋଜନ ଦେଇ ଆପ୍ୟାୟିତ କଲେ । ପ୍ରତି ବର୍ଷ ତାଙ୍କର ପିଣ୍ଡ ଦେଲେ । ନ ଜାଣିଲା ଲୋକେ ସମସ୍ତେ ଜାଣନ୍ତି ଯେ ରଙ୍ଗନାଥ ହେଉଛନ୍ତି ଶିବମଙ୍ଗଳଙ୍କର ପୁଅ ।

 

ପ୍ରକୃତରେ ରଙ୍ଗନାଥଙ୍କର କେଉଁ କଥାରେ ଅଭାବ ଅଛି ?

 

ଏଇମିତି ଅସୁମାରୀ ଭାବନା ଭିତରେ ବୁଡ଼ି ରହିଥିବା ବେଳେ ଦାଣ୍ଡ ଦରଜାରେ ଠକ୍ ଠକ୍ ଶବ୍ଦ ଶୁଭିଲା । ରଙ୍ଗନାଥ ଯାଇ କବାଟ ଫିଟାଇ ଦେଲା ମାତ୍ରେ ମେରୀ ଝଡ଼ ଭଳି ଘର ଭିତରକୁ ପଶି ଆସି ରଙ୍ଗନାଥଙ୍କୁ ଲକ୍ଷ୍ୟ କରି ପଚାରିଲା–"କେମିତି ଅଛନ୍ତି ?"

 

କୃତଜ୍ଞତାରେ ଭାଙ୍ଗି ପଡ଼ିଲେ ରଙ୍ଗନାଥ, ଅଧରରେ ମୃଦୁ ହସର ରେଖା ଟାଣି କହିଲେ "ଭଲ ଅଛି, ଭଗବାନଙ୍କ କୃପାରୁ ଆଉ ଆପଣଙ୍କ ଦୟାରୁ ବଞ୍ଚିଗଲି ।" ଆଉ କ’ଣ କହି ଆସୁଥିଲେ ରଙ୍ଗନାଥ । ମେରୀ ତାଙ୍କ ପାଟିରୁ କଥା ଛଡ଼ାଇ ନେଇ କହିଲା–"ମଣିଷ କାହାକୁ ଦୟାକରି କିଛି କରି ପାରେନା । ସବୁ ଈଶ୍ଵରଙ୍କ ଇଚ୍ଛାଧୀନ ।"

 

ରଙ୍ଗନାଥଙ୍କ ଅନ୍ୟମନସ୍କତାକୁ ଲକ୍ଷ୍ୟ କରି ମେରୀ ପୁଣି ପଚାରିଲା–"ଆପଣ କିଛି ଗୁରୁତର ବିଷୟରେ ମୁଣ୍ଡ ଖେଳାଉଛନ୍ତି ବୋଧହୁଏ ?"

 

ରଙ୍ଗନାଥଙ୍କର ଅଜଣାରେ ତାଙ୍କ ପାଟିରୁ ବାହାରିଗଲା–"ସେମିତି କିଛି ।"

 

ସାମାନ୍ୟ ଅପ୍ରତିଭ ହେଲା ମେରୀ । ହସି ହସି କହିଲା–"ମୋ' ଶୁଣିବାର ବିଷୟ ନୁହେଁ ବୋଧହୁଏ ?" ରଙ୍ଗନାଥ ଏଥର ଆରମ୍ଭ କଲେ–"ଦୁନିଆଁରେ ଏତେ ଲୋକ ଥାଉଁ ଥାଉଁ ଜଣ ଜଣକ ଆଡ଼କୁ ମନ କାହିଁକି ଢଳି ଯାଏ କହି ପାରିବ ମେରୀ ? "

 

ମେରୀ ପ୍ରତ୍ୟୁତ୍ପନ୍ନମତିତାର ପରିଚୟ ଦେଇ ତତ୍‍କ୍ଷଣାତ୍ ଉତ୍ତର ଦେଲା–ବିଭିନ୍ନ ପରିସ୍ଥିତି, ବିଭିନ୍ନ ପରିବେଶ ଏଥିପାଇଁ ଦାୟୀ । ତେବେ ଲୋକେ ଅନେକ ସମୟରେ ବି ଭାବପ୍ରବଣ ହୋଇ ଅନ୍ୟ ଆଡ଼କୁ ଆକୃଷ୍ଟ ହୋଇଥାନ୍ତି ।"

 

ମାତ୍ର–

 

ଫଳ କିଛି ହୁଏନା । ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇଲା ଭଳି କଥା ହୁଏ । ଶେଷରେ ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼େଇ ହାସ୍ୟାସ୍ପଦ ହେବାକୁ ହୁଏ । ନିଜର ବଂଶ, ପରମ୍ପରା କୁଳୀନତା ସମାଲୋଚନା ଭିତରକୁ ଆସିଥାଏ ।

 

ତେଣୁ–

 

ବୁଦ୍ଧିମାନ, ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିମାନେ ସବୁବେଳେ ସବୁକଥା ସମ୍ୟକ୍ ରୂପେ ବିଚାରି, ବିବେଚନା କରି କାହାପ୍ରତି ଆକୃଷ୍ଟ ହୁଅନ୍ତି ବା କାହାର ଅନୁଗ୍ରହ ଭିକ୍ଷା କରିଥାନ୍ତି । ଅନେକ ସମୟରେ ଦେଖାଯାଏ–ଯେଉଁ ବ୍ୟକ୍ତିମାନେ ଅନୁଗ୍ରହ ଦେଖାଇ ଲୋକଲୋଚନରେ ମହତ ଜନ ବୋଲି ପରିଗଣିତ ହୁଅନ୍ତି, ସେମାନଙ୍କର ହୀନ ସ୍ୱାର୍ଥସ ଧନର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଅନୁଗ୍ରହ ଭିତରେ, ସାପ ପେଡ଼ିରେ ଲୁଚି ରହିଲା ଭଳି ଲୁଚି ରହିଯାଏ । ପରିଣାମରେ କେତେ ଘର ଭାଙ୍ଗେ, କେତେ ସମ୍ପତ୍ତି ହସ୍ତାନ୍ତର ହୁଏ, କେତେ କୁଳବଧୂ କୁଳଟା ସାଜନ୍ତି, କେତେ ନିରୀହ ଲୋକ କୋର୍ଟ, କଚେରୀକୁ ଦଉଡ଼ି ସର୍ବସ୍ୱାନ୍ତ ହୁଅନ୍ତି ।

 

ଯୁଗ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଅନୁଗ୍ରହର ପଦ୍ଧତି ବଦଳି ଯାଇଛି । ପୂର୍ବେ ରାଜାନୁଗ୍ରହ, ସେବାଧର୍ମରେ ଅନୁପ୍ରାଣିତ ବ୍ୟକ୍ତିର ଅନୁଗ୍ରହ ଭିକ୍ଷା କରି ଲୋକ କୃତ୍ୟକୃତ୍ୟ ହେଉଥିଲା । ଅନୁଗ୍ରହ ମୂଳରେ ଶୋଷଣ ପୋଷଣ, ଅନାଚାରର ବୀଜ ବପନ ହେଉ ନ ଥିଲା । ସେ ଦିନ ସେକଥା ବଦଳି ଯାଇଛି । ଆଜି ନିର୍ଲୋଭ, ନିଷ୍କପଟ ଅନୁଗ୍ରହ ବିରଳ । ଆଜି ସ୍ୱାର୍ଥପ୍ରଣୋଦିତ ଅନୁଚିତ ଅନୁଗ୍ରହ ପାଇଁ ଯେଉଁମାନେ ଲାଳାୟିତ ହୁଅନ୍ତି, ସେମାନେ ନିଶ୍ଚୟ ଯେ ଅଲକ୍ଷ୍ୟରେ ହାତୀ ଖେଦାରେ ପଡ଼ିଲା ଭଳି ଅସାମାଜିକ, ଅସୂୟାପରାୟଣ, ଅଂହମାନ ବ୍ୟକ୍ତିସ୍ୱାର୍ଥର ଶିକାର ହୁଅନ୍ତି, ଏ କଥା ନିଶ୍ଚିତ ।

 

ବୁଢ଼ିଆଣୀ ଜାଲର ସୁତା ଅଡ଼ୁଆ ହେଲା ଭଳି ରଙ୍ଗନାଥଙ୍କ ମସ୍ତିଷ୍କର ଚିନ୍ତାଧାରା ଗୋଳମାଳ ହୋଇଗଲା । ସେ ମେରୀ ଆଗରେ ନିଜର ଉଦ୍ଦେଶ୍ୟ ବ୍ୟକ୍ତ କରିବେ କି ନାହିଁ, ଏ ବିଷୟରେ ଅଡ଼ୁଆରେ ପଡ଼ିଗଲେ ।

 

ତଥାପି ।

 

ମୋହାନ୍ଧ ମମତା–ପାଗଳ ରଙ୍ଗନାଥ ଏଥର ସିଧା ସଳଖ ମେରୀକୁ ବୁଲେଇ ବୁଲେଇ ନିଜ ମନର ଉଦ୍ଦାମ ଅଭିପ୍ରାୟ ଜଣାଇ କହିଲେ–

 

"ମୁଁ ଭାବୁଛି, ମୋ' ବାପା ଅଜାଙ୍କର ହାଡ଼, ମାଂସ ଯେଉଁ ଶ୍ମଶାନରେ ପଡ଼ି ପାଉଁଶ ହୋଇଛି–ସେଇଠି ଆମ ଦୁଇ ଜଣଙ୍କର ହାଡ଼ ମାଂସ ପାଉଁଶ ହେଲେ ଭଲ ହୁଅନ୍ତା । ଏ ବିଷୟରେ କ’ଣ ତୁମର କିଛି ଆପତ୍ତି ଅଛି ?"

 

ବୁଦ୍ଧିମତୀ ମେରୀ ରଙ୍ଗନାଥଙ୍କ ବଙ୍କା କଥାକୁ ବେଶ୍ ବୁଝି ପାରିଲା । ମନେ ମନେ ତାଙ୍କର ସୁକ୍ଷ୍ମ ବୁଦ୍ଧିକୁ ପ୍ରଶଂସା କରି ଚତୁରତାର ସହିତ ଉତ୍ତର ଦେଲା–

 

"ମୋର ଆପତ୍ତି ଅଛି ନିଶ୍ଚୟ ।"

 

ରଙ୍ଗନାଥ ଦବିଗଲେ । ତାଙ୍କର ମୁହଁ କଳା ପଡ଼ିଗଲା । ତାଙ୍କର ସବୁ ସରାଗରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ଯେମିତି । ସେ ଖାଲି ବୋକାଙ୍କ ପରି ବଲ୍ ବଲ୍ ହୋଇ ଅନାଇଲେ ମେରୀ ଆଡ଼କୁ । ଚୋର ପୋଲିସ ହାବୁଡ଼ରେ ପଡ଼ିଗଲେ–ଚୋରା ପ୍ରେମିକ ଧରା ପଡ଼ିଗଲେ ଯେଉଁ ଦୟନୀୟ ଅବସ୍ଥାକୁ ଭଜେ, ସେହି ଅବସ୍ଥାକୁ ଭଜିଲେ ରଙ୍ଗନାଥ । ପାଟି ତାଙ୍କର ବନ୍ଦ ହୋଇଗଲା । ସେ କିଛି କହିବାକୁ ଚାହିଁଲେ ମଧ୍ୟ କହିପାରିଲେ ନାହିଁ । ଘଡ଼ିଏ ଭିତରେ ଘଣା ବୁଲିଲା ପରି ପୃଥିବୀ ତାଙ୍କ ଚାରି ପାଖରେ ଘୁରିଗଲା ଭଳି ଅନୁଭବ କଲେ ସେ ।

 

ମେରୀ ନିଜର କଥାକୁ ଅଧିକ ବିଶ୍ଳେଷଣ କରି ସ୍ଵଭାବ ସୁଲଭ ଭାଷାରେ କହିଲା–"ଆପଣ ଜାଣି ରଖିବା ଉଚିତ୍, ମୋ' ଉପରେ ମୋର ଅଧିକାର ନାହିଁ । ଏ କଳେବର ଯଥାରୀତିରେ ଅନେକ ଦିନ ତଳୁ ଜଣକ ହାତରେ ସମର୍ପଣ ସରିଛି । ଜଣକ ସହିତ ତାଙ୍କ ଶ୍ମଶାନରେ ଏ ଯୌବନ ମଶାଣି ଫୁଲ ହୋଇ ଫୁଟିବାର ଚୁକ୍ତି ଦଶଦିଗପାଳ ଆଉ ଅଗ୍ନିକୁ ସାକ୍ଷୀ ରଖି ହୋଇସାରିଛି । ଏଣୁ ଏ ବିଷୟରେ ମୋର ବିଶେଷ କିଛି କହିବାର ନାହିଁ । ପୁଣି ଅଧିକା କିଛି ଯୁକ୍ତି ବାଢ଼ିବାର ନାହିଁ ।"

 

ରଙ୍ଗନାଥ ବାବୁ ଗୋଟିଏ ଇଜି ଚେୟାର ଉପରକୁ ଆଉଜି ବସିଥାନ୍ତି । ଆଖିରୁ ଧାର ଧାର ହୋଇ ଲୁହ ଛୁଟୁଥାଏ । ସେ ଯେତେ ଚେଷ୍ଟା କଲେ ମଧ୍ୟ ଆଉ ମେରୀକୁ କିଛି କହିବାର ସାହସ ହୃଦୟରେ ସଞ୍ଚୟ କରିପାରୁ ନ ଥାନ୍ତି ।

 

ମେରୀ ରଙ୍ଗନାଥଙ୍କ ଅବସ୍ଥା ବିଷୟରେ ସଚେତନ ହେଲା । ସେ ବୁଝି ପାରିଲା ଯେ ରଙ୍ଗନାଥ ବାବୁ ନିଜର କଥାକୁ ସଂଶୋଧନ କରିବାକୁ ଚାହୁଁଛନ୍ତି,

 

କିନ୍ତୁ–

 

ପାରୁ ନାହାନ୍ତି । ସେ ଦୁର୍ବଳତାର ଅତଳ ସାଗରରେ ବୁଡ଼ି ଯାଉଛନ୍ତି । ବିବେକ ତାଙ୍କୁ ବାଧା ଦେଉଛି । ହାତରୁ ଥରେ ବାଡ଼ି ଖସିଗଲେ, ପାଟିରୁ ଥରେ କଥା ବାହାରିଗଲେ ପ୍ରକୃତରେ ମଣିଷର ଆଉ କ’ଣ କରିବାର ଥାଏ ? ଆଉ ସେ ଯେତେ ଚାହିଁଲେ, ଅନୁତପ୍ତ ହେଲେ ବାଡ଼ି ଫେରି ଆସିବ ନା କଥା ଓଲଟି ଆସିବ ? ରଙ୍ଗନାଥ ସେଇମିତି ଅଡ଼ୁଆରେ ପଡ଼ିଛନ୍ତି ।

 

ମେରୀ ପୁଣି ରଙ୍ଗନାଥ ବାବୁଙ୍କୁ ଲକ୍ଷ୍ୟ କରି କହିଲା–"ମୁଁ ବିନୟର ସହିତ ଆପଣକୁ ଅନୁରୋଧ କରିବି ଯେ, ଏ ବୟସରେ ଆପଣ ଆଉ ଭୋଗ, ବିଳାସଆଡ଼କୁ ମନ ବଳାନ୍ତୁ ନାହିଁ । 'କାମିନୀ କାଞ୍ଚନ ମାୟାରେ ଧନ୍ଦି ହୁଅନ୍ତୁ ନାହିଁ । ଦାନ ଧ୍ୟାନରେ ମନୋନିବେଶ କରନ୍ତୁ । ଭାଗବତ ଚର୍ଚ୍ଚାରେ ସମୟ କଟାନ୍ତୁ । କ୍ଷଣିକ ସୁଖ ଅପେକ୍ଷା ଚିରନ୍ତନ ସୁଖର ମାର୍ଗ ଅନ୍ଵେଷଣ କରନ୍ତୁ । ରୂପଲାବଣ୍ୟ, ପଚନଶୀଳ ରକ୍ତ ମାଂସ ଯୌବନର ଅନିତ୍ୟ ମାୟାରେ ବିହ୍ୱଳ ନ ହୋଇ ବୌଦ୍ଧିକ ଚେତନାର ଦିବ୍ୟାଲୋକରେ ଅନ୍ତରକୁ ଉଭାସିତ କରନ୍ତୁ ।

 

ଆଜି ଆତ୍ମା-ବିହଙ୍ଗ ଦେହ-ନୀଡ଼ ତେଜି ଉଡ଼ିଗଲେ କାଲି ଏ ରୂପ ଲିଭିଯିବ । ଯୌବନ ପଚି ଦୁର୍ଗନ୍ଧ ଛାଡ଼ିବ । ସବୁ ଉତ୍ତେଜନାର କାରଣ, ସବୁ ବିଭ୍ରାନ୍ତିର ଉତ୍ସ, ସବୁ ଉନ୍ମାର୍ଗ ଗାମୀତାର ପ୍ରବେଶ ଦ୍ୱାର ପୟୋଧରକୁ ଶ୍ଵାନ ଶୃଗାଳ ବି ଛୁଇଁବେ ନାହିଁ । ଏଥିପାଇଁ ଏତେ ବ୍ୟସ୍ତ କାହିଁକି ? ଏଥିପାଇଁ ଏତେ ଉଦ୍‍ଗ୍ରୀବ କାହିଁକି ? ମଣିଷ ଜୀବନରେ ଯାହା କରିବାର କଥା ତାହା ଆପଣ କରି ସାରିଛନ୍ତି ।

 

ପୁଣି କାହିଁକି ପୁରୁଣାକୁ ପୁନରାବୃତ୍ତି କରିବାକୁ ମନ ବଳାଉଛନ୍ତି ? ବେଳ ଥାଉଁ ଥାଉଁ ଭୋଗରୁ ତ୍ୟାଗକୁ ଫେରି ସୃଷ୍ଟି ସ୍ରଷ୍ଟାଙ୍କ ଶୁଭେଚ୍ଛାକୁ ସମ୍ମାନ ଦେବା ବିଧେୟ ।"

 

ରଙ୍ଗନାଥ ଏଥର ନିବିଡ଼ ଭାବରେ ନିଜର ଦୃଷ୍ଟିକୁ ମେରୀର ଦୃଷ୍ଟି ସହିତ ମିଳାଇଲେ । ମେରୀର ଚକ୍ଷୁରୁ ଅପୂର୍ବ ଜ୍ୟୋତି ସ୍ଫୁରଣ ହେଉଥିଲା । ମୁଖରେ ଦିବ୍ୟ ଆଭା ଫୁଟି ଉଠୁଥିଲା ।

 

ଅଧିକକାଳ ମେରୀର ଦୃଷ୍ଟି ସହିତ ରଙ୍ଗନାଥ ଦୃଷ୍ଟି ମିଳାଇ ରଖି ପାରିଲେ ନାହିଁ । ଚକ୍ଷୁବୁଜି ତାଙ୍କର କୃତ କର୍ମକୁ ମନେ ମନେ ସମୀକ୍ଷା କରିବାକୁ ଲାଗିଲେ । ଏଥର ତାଙ୍କର ଚୈତନ୍ୟ ଉଦୟ ହେଲା । ସେ ନିଜର ଭୁଲ ନିଜେ ବୁଝି ପାରିଲେ । ନିଜର ଆଉ ମେରୀ ବୟସର ତାରତମ୍ୟକୁ ଭୁଲିଗଲେ । ମେରୀ କଥାରେ ସେ ଏ ଭଳି ଭାବରେ ଅନୁପ୍ରାଣିତ ହୋଇଗଲେ ଯେ ସେ ମନର ସବୁ ଚିନ୍ତାକୁ ପରିହାର କରି 'ମୋତେ କ୍ଷମା ଦିଅ' ବୋଲି କହି ମେରୀର ପାଦତଳେ ଯୋଡ଼ହସ୍ତରେ ଲମ୍ବ ହୋଇ ପଡ଼ିଗଲେ ।

 

ମେରୀ ରଙ୍ଗନାଥଙ୍କର ଏବଂବିଧି ଅବସ୍ଥା ଦେଖି ହତବାକ୍ ହୋଇଗଲା । ସେ ରଙ୍ଗନାଥଙ୍କୁ ଉଠାଇ ନିଜର ସମ୍ବଲପୁରୀ ଶୁଭ୍ରାଞ୍ଚଳରେ ଝାଡ଼ି ଦେଲା । ଗଣ୍ଡରେ ଲାଗିଥିବା ଟୋପି ଟୋପି ଅଶ୍ରୁ ବିନ୍ଧୁକୁ ପୋଛି ଦେଇ କହିଲା–"ଆପଣ ଏ କ’ଣ କରୁଛନ୍ତି ? ଆପଣଙ୍କର ବୟସ ମୋ' ବୟସର ତିନିଗୁଣ । ଆପଣ ମୋର ପିତୃତୁଲ୍ୟ । ଆପଣଙ୍କର ମୋର ପାଦତଳେ ପଡ଼ି ଭାରତୀୟ ମହାନ୍ ସଂସ୍କୃତିକୁ ଅବମାନନା କରିବା ସଙ୍ଗେ ସଙ୍ଗେ ମୋତେ ପାତକରେ ବୁଡ଼ାଇ ଦେଉଛନ୍ତି । ମୁଁ ଆପଣଙ୍କର କନ୍ୟା ସମ । ମୋ' ସହିତ କନ୍ୟା ଭଳି ଆଚରଣ କଲେ ମୁଁ ନିଜକୁ ଧନ୍ୟ ବୋଲି ମନେ କରିବି ।"

 

ରଙ୍ଗନାଥଙ୍କର ପରିବର୍ତ୍ତିତ ଅବସ୍ଥା ପରିଲକ୍ଷିତ ହେଲା । ତାଙ୍କ ମୁହଁରେ ବିମଳ ହସର ଢେଉ ଖେଳିଗଲା । ସେ କିହଲେ–"ଯଦି ତୁମେ ମୋର କନ୍ୟା, ତେବେ ମୁଁ ତୁମକୁ ଯେଉଁ ଆଦେଶ ଦେବି, ତାହା ତୁମେ ଅନ୍ତରତାର ସହିତ ପାଳନ କରିବ ତ ? "

 

"ମୋ ସାମର୍ଥ୍ୟର ସୀମା ଭିତରେ ହୋଇଥିଲେ ଏବଂ ପିତୃ ଆଦେଶର ଯଥାର୍ଥ୍ୟତା ପ୍ରତିପାଦିତ ହେଉଥିଲେ ତାହା ପାଳନ କରିବାକୁ ମୁଁ ତିଳେ ମାତ୍ର କୁଣ୍ଠା ବୋଧ କରିବି ନାହିଁ"–ମେରୀ ବଜ୍ର ଗମ୍ଭୀର ଭାଷାରେ ଦୃଢ଼ ଭାବରେ ଜବାବ ଦେଲା ।

 

ଏଥର ରଙ୍ଗନାଥ ଉଠିଯାଇ ବହୁମୂଲ୍ୟ ଗୋଟିଏ ଲୋଭନୀୟ କାରୁକାର୍ଯ୍ୟ ଖଚିତ ହାତୀଦାନ୍ତର କାସ୍ କେଟ ଆଣି ମେରୀ ହାତକୁ ବଢ଼ାଇ ଦେଲେ ।

 

ମେରୀ ଅନିଚ୍ଛା ସତ୍ତ୍ୱେ ତାହା ଗ୍ରହଣ କଲା । ଯେତେବେଳେ କାସ୍‍କେଟ୍‍ଟି ଖୋଲି ଦେଲା, ସେତେବେଳେ ତା’ର ହୃତକମ୍ପ ଜାତ ହେଲା । ସେ ଜିଭ କାମୁଡ଼ି ପକାଇ ଚମକି ପଡ଼ିଲା ।

 

ଟଙ୍କା–

 

ଟଙ୍କା–

 

ଶହ ଶହ ଟଙ୍କାର ତୋଡ଼ା ନୋଟ ସଜା ହୋଇ କାସ୍‍କେଟ୍ ଭିତରେ ରଖାଯାଇଛି । ମେରୀର ପ୍ରଥମେ ଧାରଣା ଥିଲା ସାଧାରଣତଃ କାସ୍‍କେଟ ଭିତରେ ନିତ୍ୟନୈମିତ୍ତିକ ବ୍ୟବହାର ଉପଯୋଗୀ ସୌଖୀନ ପ୍ରସାଧନ ସାମଗ୍ରୀମାନ ଥାଏ । ତାହା ଥିବ ।

 

ତେଣୁ–

 

ସେ କୌଣସି ପ୍ରତିବାଦ ନ କରି କାସ୍‍କେଟ୍ ଟି ଗ୍ରହଣ କରିଥିଲା । ସେ କଣ ଜାଣିଥିଲା ଯେ, ଆଳୁ ମନ୍ଦାମୂଳେ ମହାଦେବ ଶୋଇଥିବେ ବୋଲି ? ଏଥର ସେ ପ୍ରକାଶ୍ୟ ପ୍ରତିବାଦ କରି ଟଙ୍କାପୂର୍ଣ୍ଣ କାସ୍‍କେଟ୍‍ଟି ନେବାର ଅନିଚ୍ଛା ଜଣାଇଲା ।

 

ରଙ୍ଗନାଥ ମୃଦୁ ହସ ହସି ଅଳ୍ପ ସମୟ ପୂର୍ବର ପ୍ରତିଜ୍ଞା କଥା ସ୍ମରଣ କରାଇ ଦେଲେ ମେରୀକୁ ।

 

ମେରୀ ନିରୁତ୍ତର ହେଲା ।

 

ତଥାପି–

 

ଅଶ୍ରୁ ଗଦ୍ ଗଦ୍ କଣ୍ଠରେ କହିଲା–"ଆପଣ ମୋତେ ଜୀଇଁ ଥାଉଁ ଥାଉଁ କବର ଦେବାର ଚେଷ୍ଟା କରୁଛନ୍ତି । ଯେ ଭୋଗରୁ ତ୍ୟାଗକୁ ଆସିଛି, ତାକୁ ପୁଣି ପ୍ରଲୋଭନ ହାତରେ ବନ୍ଦୀ କରାଉଛନ୍ତି କାହିଁକି ?

 

ରଙ୍ଗନାଥ ମେରୀର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ସେ ଏ ଭଳି ଅକାଟ୍ୟ ଯୁକ୍ତି ବାଢ଼ିଲେ ଯେ, ଯାହାକୁ ମେରୀ ଖଣ୍ଡନ କରିବାକୁ ସମର୍ଥ ହେଲା ନାହିଁ ।

 

ଶେଷରେ–

 

ବାଧ୍ୟ ହୋଇ–

 

ଅଶ୍ରୁ ଛଳ ଛଳ ନେତ୍ରରେ ଟଙ୍କା ତୋଡ଼ାଟି ପରି ମେରୀ ବିଦାୟ ନେଇ ଚାଲି ଯାଉଥିଲା ବେଳେ ଅଲକ୍ଷ୍ୟରେ ପାଟିରୁ ତାହାର ବାହାରି ପଡ଼ିଲା–

 

"ଆପଣଙ୍କ ସହିତ ବୋଧହୁଏ ଏଇ ମୋର ଶେଷ ଦେଖା ହୋଇପାରେ ।"

 

ମେରୀ ଦେବୀ କି ମାନବୀ, ରଙ୍ଗନାଥ ଖାଲି ନିବିଡ଼ ଭାବରେ ଭାବୁଥିଲେ ।

 

ଅଷ୍ଟମୀର ବଙ୍କା ଜହ୍ନ ନୀଳଆକାଶରେ ମୁରୁକି ମୁରୁକି ହସୁଛି । ସେଇ ହସରୁ ଝରିପଡ଼ୁଛି ମେଞ୍ଚା ମେଞ୍ଚା ଜ୍ୟୋସ୍ନା ।

 

ଜ୍ୟୋସ୍ନାର ପ୍ରତିଫଳନ ହେଉଛି ମେରୀର ବର୍ତ୍ତୁଳାନନରେ । ଝରକା ମେଲା କରି ମେରୀ ଶୋଇଛି । ଆଖିକି ନିଦ ଆସୁ ନାହିଁ । ମେରୀ ସମ୍ମୁଖରେ ଟେବୁଲ ଉପରେ ଟଙ୍କାପୁର୍ଣ୍ଣ କାସ୍‍କେଟ୍ ଟି ଥୁଆ ହୋଇଛି । ମେରୀ ମଝିରେ ମଝିରେ କାସ୍‍କେଟ୍‍ଟି ଉପରେ ଦୃଷ୍ଟି ବୁଲାଇ ନେଇ କାନ୍ଥରେ ଟଙ୍ଗା ହୋଇଥିବା ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରି କହୁଛି–"ପ୍ରଭୁ ଏ ପୁଣି କି ମାୟା ? ମାୟାଧର, ତୁମ ମାୟା ସଭିଙ୍କି ଅଜଣା । ତୁମେ ସବୁବେଳେ ସମସ୍ତଙ୍କ ପାଖରେ ପ୍ରହେଳିକାମୟ ହୋଇ ରହିଛି । ଜଳ, ସ୍ଥଳ, ଆକାଶ, ଗ୍ରହ, ନକ୍ଷତ୍ର ସବୁଥିରେ ତୁମର ଅସ୍ତିତ୍ୱ ଅନୁଭବ କରି ହେଉଛି, ମାତ୍ର ତୁମକୁ କେହି ଦେଖିପାରୁ ନାହିଁ । ତୁମେ ଥରେ ମୋତେ ଭୋଗରୁ ତ୍ୟାଗ ଆଡ଼କୁ ପଠାଇ ପୁଣି କାହିଁକି ଭୋଗର ପ୍ରଲୋଭନ ଦେଖାଇ ଦହଗଞ୍ଜ କରିବାକୁ ଚେଷ୍ଟା କରୁଛ ?

 

ଏଡ଼େ ଏଡ଼େ ବିପଦରେ ପକାଇ ତୁମର ମନ ଶାନ୍ତି ହୋଇ ନାହିଁ ? ତୁମର ପରୀକ୍ଷା ସରିନାହିଁ ?

 

ପୁଣି–

 

ମୋତେ ପରୀକ୍ଷା କରିବାକୁ ଚାହୁଁଛ ?

 

ଥରେ ଭାବିଲା ପ୍ରଭୁ ! ମୋତେ ତୁମେ କ’ଣ ଦେଇ ନଥିଲ ? ମୋ କ୍ଷୁଦ୍ର ବୁଦ୍ଧିରେ ମୁଁ ଜାଣେ ସବୁ ଦେଇଥିଲ । ନୀଳାବି୍‍ଧତଟା ପ୍ରାନ୍ତରେ-ନାରୀକେଳ ନିକୁଞ୍ଜ ଭାଗ୍ୟ-ଭୋଗ-ମଧ୍ୟରେ ଜନ୍ମ ଦେଇ ଷୋଳ ବର୍ଷକାଳ ବିଳାସ ବ୍ୟସନରେ ବୁଡ଼ାଇ ରଖିଥିଲା । ବିଦ୍ୟା ବୁଦ୍ଧିରେ ଅନ୍ୟମାନଙ୍କ ସହିତ ସମାନ କରିଥିଲା ।

 

ତା’ପରେ–

 

ନାରୀ ଜୀବନର ଯାହା କାମ୍ୟ-ଭଲ ଘର-ଭଲ ବର ସେଥିରେ ଉଣା କରି ନ ଥିଲା ।

 

ସବୁ ଦେଇଥିଲ ।

 

ନିଆଁ ଲଗା ରୂପର ଫୁଲ ମୋ ଅଙ୍ଗ ବୃନ୍ତରେ ଫୁଟାଇ ମହକାଇ ନଥାନ୍ତ କି ? ଏହାହିଁ ମୋତେ କାଳ ହୋଇଛି । ପ୍ରତି କ୍ଷେତ୍ରରେ ମୋ' ପାଖକୁ ବିପଦକୁ ଡାକି ଆଣୁଛି । ଅସଂଖ୍ୟ ଆଖିର ନିଷାଦ ଲୋଲୁପ ଦୃଷ୍ଟିର ମୁଁ ଶିକାର ହେଉଛି । ସମସ୍ତେ ମୁହଁରେ ଉଚ୍ଛଳ ପ୍ରଶଂସା କରି ମୋ ରୂପରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି । ମୁଁ କ’ଣ କେବେ ବିଟପ ପୁରୁଷର ଲାଳସା ବହ୍ନିର ଇନ୍ଧନ ରୂପେ ମୋ ରୂପକୁ ଜଳାଇଛି ପ୍ରଭୁ ?

 

ତୁମେ କହୁନ ?

 

ତୁମେ ପରା ଅନ୍ତର୍ଯ୍ୟାମୀ ? ପ୍ରତି ଅନ୍ତରର କଥା ଜାଣ ? ପାଖେ ପାଖେ ଥାଅ । ଏତିକି କ’ଣ ଜାଣିପାରିନ ? କୁହ, କୁହ ପ୍ରଭୁ କୁହ ! ମୋର କଣ ଚାରା ଅଛି ?

 

ମୁଁ କ’ଣ ସତରେ ମୋ' ସ୍ୱାମୀଙ୍କ ନିକଟରେ ଛଳନାର ମାୟାଜାଲ ବିସ୍ତାର କରିଥିଲି ? ଆନ୍ତରିକତା ଢାଳି ତାଙ୍କୁ ଶ୍ରଦ୍ଧା, ଭକ୍ତି କରୁ ନ ଥିଲି ? ତାଙ୍କ ଛଡ଼ା ଏ ଦେହର ଅଧିକାର କେବେ କାହାକୁ ଦେଇଥିଲି ?

 

ସେ କାହିଁକି ମୋତେ ଭୁଲ ବୁଝିଲେ ? ସେ କାହିଁକି ମୋତେ ସନ୍ଦେହ କଲେ ? ତୁମେ ଟିକେ ତାଙ୍କୁ ସଦ୍‍ବୁଦ୍ଧି ଦେଲ ନାହିଁ କିଆଁ ? ତାଙ୍କୁ ପ୍ରକୃତ କଥା ବୁଝାଇ ତାଙ୍କର ମନ ପରିବର୍ତ୍ତନ କରାଇ ଦେଇଥିଲେ କ’ଣ କ୍ଷତି ହୋଇଯାଇଥାନ୍ତା ପ୍ରଭୁ ? ଘରସଂସାର ଜଞ୍ଜାଳ ବିଷୟରେ ଟିକେ ଚେତାଇ ଦେଲ ନାହିଁ ?

 

ସେ ପର ବୁଦ୍ଧିରେ ପ୍ରଳୟ ସୃଜିଲେ । ବିନା ଦୋଷରେ ମୋତେ ବହୁ ନିର୍ଯ୍ୟାତନା ଦେଲେ । ଦୀର୍ଘ ଦୁଇ ବର୍ଷକାଳ ଆଖିରେ ମୁଁ ଅନ୍ଧପୁଟୁଳି ବାନ୍ଧି ଚାଲିଲି । ମୋର ଆଖି ଆଗରେ ସେ ଅନ୍ୟ ବିଟପୀ ସ୍ତ୍ରୀ ସହିତ ପ୍ରଣୟରେ ମାତିଲେ । ମୋ' ଅଧିକାରରୁ ମୋତେ ବଞ୍ଚିତ କଲେ । ମୋର ନାରୀତ୍ୱ ଓ ମାତୃତ୍ୱକୁ ପଦାଘାତ କଲେ । ତୁମେ କହିଲ ପ୍ରଭୁ ?

 

ଆଖି ଆଗରେ ନିଜର ସ୍ୱାମୀ ପର ସ୍ତ୍ରୀ ସହିତ ପ୍ରଣୟରେ ମତ୍ତ ହେଲେ, କେଉଁ ସ୍ତ୍ରୀ ଦେହ ଧରି ରହି ପାରିବ ? କେଉଁ ସ୍ତ୍ରୀ ଥୟ ଧରି ରହିପାରିବ ?

 

ବିବାହିତା ସ୍ତ୍ରୀ ହିସାବରେ ମୋ'ମନର ପ୍ରତିକ୍ରିୟା କେବଳ ତାଙ୍କୁ ଜଣାଇବା ଛଡ଼ା ମୁଁ ତାଙ୍କୁ କେଉଁଦିନ ଖରାପ କରି କିଛି କହିଛି ? ତାଙ୍କର ଅମଙ୍ଗଳ ସ୍ଵପ୍ନରେ ସୁଦ୍ଧା ବି ଭାବିଛି ? ଯେତେହେଲେ ସେ ମୋର ସ୍ୱାମୀ । ଇହକାଳ ପରକାଳର ସାଥି । ତାଙ୍କର ଅମଙ୍ଗଳ ପାଞ୍ଚିବି କେମିତି ?

 

କିନ୍ତୁ–

 

ସେ ସବୁ କ’ଣ ବୁଝିଲେ ? ପର କଥାରେ ମୋ'ବେକରେ ବାଲିମାଠିଆ ବାନ୍ଧି ସମୁଦ୍ରକୁ ଗଡ଼ାଇ ଦେଲେ ।

 

ମୋତେ ସମସ୍ତେ ଡରିଲେ । ଶାଙ୍କୁଚ ଛୁଇଁଲା ନାହିଁ କି ମଗର ମାଇଲା ନାହିଁ । କୁମ୍ଭୀର ଖାଇଲା ନାହିଁ ।

 

ମୋତେ ପୁଣି ବଞ୍ଚାଇଲ । ସମୁଦ୍ର ଭିତରକୁ ମୋତେ ନ ନେଇ ତରଙ୍ଗ ପ୍ରହରୀ ଦ୍ୱାରା ଧକ୍‍କା ଦେଇ କୂଳରେ ଫୋପାଡ଼ି ଦେଲା । ଜଣେ ସନ୍ନ୍ୟାସୀଙ୍କ ଭେଟ କରାଇ ମୋତେ ସୁଦୂର ରେଙ୍ଗୁନଯାଏ ଘେନି ଆସିଲ । ଜୀବିକା ନିର୍ବାହ ନିମିତ୍ତ ଚିକିତ୍ସା କ୍ଷେତ୍ରରେ ପୂରାଇ ସେବୀକା କାର୍ଯ୍ୟରେ ନିଯୁକ୍ତ କରାଇଲ । ମୋ' ପାଟିରେ ମୋତେ ଶ୍ରୀମତୀ ନ କୁହାଇ କୁମାରୀ କୁହାଇଲ । ସତ୍ୟ କହିବାର ସାହସ ହରଣ କଲ ।

 

ମୋ' ରୂପ ଏଠାରେ ମୋତେ ଲୋକହସା କରାଇଲା । ସମସ୍ତଙ୍କ ଆଖି ମୋ ଉପରେ ଲାଖି ରହିଲା । ମୁଁ ଯୁଆଡ଼େ ଗଲି ସିଆଡ଼େ ମୋ ରୂପ ବିଷୟରେ ଶୁଣିଲି । ଅନଳ ଦେଖିଲେ ଯେମିତି ପତଙ୍ଗ ପାଗଳ ହୋଇ ଧାଇଁ ଆସେ, ମୋ' ରୂପକୁ ଦେଖି ସେମିତି କେତେ କିଏ ପାଗଳ ହୋଇ ମୋ' ପାଖକୁ ଦଉଡ଼ିଲେ । ଅନୁରୋଧ, ଅନୁଗ୍ରହ ଦେଖାଇ ମୋ' ମନ କିଣି ନବାକୁ ବସିଲେ-। ସତେ ଯେମିତି ମୁଁ ତୁମ ସୃଷ୍ଟିରେ ଏକମାତ୍ର ସୁନ୍ଦରୀ । କୁସୁମ ନିକଟରେ ମଧୁପ ଅଳି କଲା ଭଳି ମୋର ସାନ୍ନିଧ୍ୟ ଲାଭ କରିବା ପାଇଁ କିଏ କେତେ ରକମର ଛଳନାର ଅଭିନୟ କଲେ । କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସି ଯାଉଛି ।

 

ମୁଁ କ’ଣ କା' କଥାରେ କାନ ଦେଲି ପ୍ରଭୁ ?

 

ଗୁରୁ, ଗୁରୁଜନ ବି ମୋ' ରୂପରେ ବେଳେ ବେଳେ ପାଗଳ ହୋଇ ମୋତେ ବାଟ ଓଗାଳନ୍ତି । ଗୁରୁ ସାକ୍ଷାତ ପରମବ୍ରହ୍ମ । ଗୁରୁଜନ ସାକ୍ଷାତ ପରମେଶ୍ୱର ବୋଲି ଅନୁନୟ ସହିତ ଯୁକ୍ତିବାଢ଼ି ମୁଁ କୌଶଳରେ ବାଟ ଭାଙ୍ଗି ଚାଲିଯାଏ । ଅରଣ୍ୟ ଅଜଗର ପ୍ରାୟେ ଦୁଃଖ ସହି ଦିନ କାଟେ ।

 

ପାଇଲେ ଖାଏ–ନ ପାଇଲେ ନାହିଁ । ପୁଣି ମୋତେ ଅସୁବିଧାରେ କାହିଁକି ପକାଉଛ ପ୍ରଭୁ ? ଏ ଟଙ୍କା ତୋଡ଼ା ମୁଁ କ’ଣ କରିବି ?"

 

ପ୍ରାର୍ଥନା ଭିତରେ ଏଇମିତି କେତେ କ’ଣ ଆପତ୍ତି ଅଭିଯୋଗ ବାଢ଼ୁଥିଲା ମେରୀ ।

 

ପଦାରେ ମୃତ୍ୟୁକାଳୀନ ଯନ୍ତ୍ର, ସଙ୍ଗୀତ ବାଜି ଉଠୁଥିଲା । କାନ ଡେରି ଶୁଣିଲା ମେରୀ । ତା’ପରେ ପଦାକୁ ଯାଇଁ ଦେଖିଲା ଯେ ଶବ ଶୋଭାଯାତ୍ରା ସାଡ଼ମ୍ବର ଚାଲିଛି ।

 

ତାହାର ଆଉ ଜାଣିବାକୁ ବାକି ରହିଲା ନାହିଁ ଯେ ତା’ର ଜୀବନ ରକ୍ଷାକାରୀ ମହାପୁରୁଷ ସୁବୋଧ ଗୋସ୍ୱାମୀ ମହାରାଜଙ୍କ ଦେହାନ୍ତ ଘଟିଛି । ସେ ଅଳ୍ପ ଘଣ୍ଟା ପୂର୍ବରୁ ତାଙ୍କ ପାଖକୁ ଯାଇଥିଲା । ସେ ମଝିରେ ମଝିରେ ଯାଇ ତାଙ୍କ ଦର୍ଶନ କରି ଆସିଥାଏ । ତାଙ୍କଠାରୁ ବହୁ ଅମୂଲ୍ୟ ଉପଦେଶ ମାନ ଗ୍ରହଣ କରିଥାଏ । ତାଙ୍କ ବିୟୋଗରେ ମେରୀ ଏକାନ୍ତ ଅସହାୟା ମନେକଲା ।

ସେ ବି ଶୋକାକୁଳ ଶିଷ୍ୟବର୍ଗଙ୍କ ସହିତ ଶବ ପଛେ ପଛେ ଶ୍ମଶାନଙ୍କୁ ଚାଲିଲା ।

ଅଳ୍ପ ସମୟ ପରେ ଗୋସ୍ଵାମୀଙ୍କ ମର ଶରୀର ଦେହରେ ଅଗ୍ନି ସଂଯୋଗ କରାଗଲା । ନିମିଷକରେ ହାଡ଼, ମାଂସ ଜଳି ପାଉଁଶ ହୋଇଗଲା । ମେରୀ କୃତଜ୍ଞତାର ନିଦର୍ଶନ ସ୍ଵରୂପ ଗୋସ୍ଵାମୀଙ୍କ ପାଉଁଶ ଉପରେ ଲୋତକ ଦି' ଟୋପା ଅଜାଡ଼ି ଦେଇ ଭାବୁଥିଲା–

ଏଇତ ମଣିଷ,

ଏଇତ ଜୀବନ,

ଏଇତ ସଂସାର ।

ସମୟ ଓ ଜୁଆର କାହାରିକି ଅପେକ୍ଷା କରେ ନାହିଁ ।

ତଥା ବୟସ ।

ବୟସ ବଢ଼ିବା ସଙ୍ଗେ ଦେବୀକାନ୍ତ ଓ ସଂଘମିତ୍ରା ଅଧିକ ଆଗ୍ରହରେ ପାଠପଢ଼ାରେ ମନୋନିବେଶ କରିଛନ୍ତି । ସେବତୀ ପିଲାମାନଙ୍କୁ ଅଧିକ ପାଠ ପଢ଼ାଇବାକୁ ମନାକରୁଥିଲା । ତାର ଯୁକ୍ତି ହେଉଛି, ପୁଅ ଯେତିକି ପାଠ ପଢ଼ିଲା, ସେତିକି ପଢ଼ୁ । ଚାଷବାସରେ ମନୋନିବେଶ କରୁ । ବେଳକୁ ବେଳ ଯେମିତି ଦୁସ୍ତର ସମୟ ଆସୁଛି ଏବଂ ଲୋକସଂଖ୍ୟା ଯେପରି ଭାବରେ ବଢ଼ୁଛି–ଆଉ କେତେ ବର୍ଷ ପରେ ଲୋକ ରହିବାକୁ ତା ଜାଗା ପାଇବେ ନାହିଁ କି ଖାଇବାକୁ କିଛି ପାଇବେ ନାହିଁ । ଲୋକର ଖାଇବାକୁ ଘରେ ଥିଲେ ସେ ସବୁ କିଛି କରିପାରେ ।

ସମସ୍ତେ ଯଦି ପାଠ ପଢ଼ିବାବୁ ହେବେ, ତେବେ ଚାଷବାସ ଖବର ବୁଝିବ କିଏ ? ଲୋକଙ୍କ ଭିତରେ ଶିକ୍ଷାଦୀକ୍ଷାର ପ୍ରସାର ଯେତେବ୍ୟାପକ ଭାବରେ ହେଉଛି, ଲୋକେ ସେତେ ଆତ୍ମବଡ଼ିମାରେ ଉଗ୍ର ହୋଇ ଉଠୁଛନ୍ତି । ଚାଷବାସର ଅବନତି ଘଟୁଛି । ଅନ୍ୟ ଉପରେ ହାକିମି କରିବାର ହୀନ ମନୋଭାବ ତେତେ ବଢ଼ୁଛି ।

ତେଣୁ–

ଦେବୀକାନ୍ତ ଯେତିକି ପଢ଼ିଲା ସେତିକି ପଢ଼ୁ, ଚାଷବାସରେ ମନ ଦେଉ, ଘରକାମ ବୁଝୁ-। ପରର ଗୋଲାମୀ କରି ଦି'ପଇସା ଆଣି ଦାଣ୍ଡରୁ କିଣି ହାଣ୍ଡିରେ ପୂରାଇବା ଅପେକ୍ଷା ନିଜେ ମାଟି ଛାତି ଚିରି ସୁନା ଫସଲ ଫଳାଇବା ଶ୍ରେୟ ।

ଆଉ–

ସଂଘମିତ୍ରା ।

ସେତ ଝିଅଟାଏ । ତା’ର ବୟସ ହେଲାଣି । ତାକୁ ବିଭା କରାଇଦେଲେ ସେ ତା’ର ଘର ସଂସାର କରି ସୁଖରେ ରହିବ । ରସାନନ୍ଦ କିନ୍ତୁ ରେବତୀ ସହିତ ଏକମତ ହୋଇ ପାରିଲାନି । ସେ କହିଲା–"ଯେ ପଢ଼ିବାକୁ ଚାହୁଁଛି ତାକୁ ନ ପଢ଼ାଇଲେ ସେତ ଭାଙ୍ଗିପଡ଼େ, ତେବେ ଅଭିଭାବକ କର୍ତ୍ତବ୍ୟରେ ହେଳା କରିବାର ଅବଶୋଷ ବି ଶେଷ ଜୀବନ ପର୍ଯ୍ୟନ୍ତ ରହିଥାଏ ।

ପାଠ ପଢ଼ି ପିଲାଏ ଚାଷବାସ କଲେ କ୍ଷତି କ’ଣ ? ସେ ବରଂ ଅପାଠୁଆ ଚାଷୀ ଅପେକ୍ଷା ଉନ୍ନତ ଧରଣର କୃଷି ଉତ୍ପାଦନ କରି ପାରିବେ । ବୈଜ୍ଞାନିକ ପ୍ରଣାଳୀରେ ବିଭିନ୍ନ ଫସଲ ଫଳାଇ ପାରିବେ । ନିଜ କାମ ନିଜେ କରିବା କୌଣସି ଯୁଗରେ ଦୋଷାବହ ନ ଥିଲା ବା ଆଜି ବି ନୁହେଁ । ଆମ୍ଭେମାନେ ବିଦେଶୀ ଶାସନରେ ରହି ନିଜର କୌଳିକ ବୃତ୍ତି ପ୍ରତି ଗଭୀର ଅନାସ୍ଥା ପ୍ରକାଶ କରି ଆସୁଛୁ । ଆଳସ୍ୟର ଚରମ ସୀମାକୁ ସ୍ପର୍ଶ କରିଛୁ । ଆମ୍ଭର ପିଲାମାନଙ୍କୁ ଯେଉଁ ଶିକ୍ଷାଦୀକ୍ଷା ଦିଆଯାଉଛି ତାହା ଭାରତୀୟ ଜଳବାୟୁ ପ୍ରତି ଆଦୌ ଅନୁକୂଳ ନୁହେଁ । ଏ ଶିକ୍ଷାର ପ୍ରଥମ ସୋପାନରେ ପାଦ ଦେଉଁ ଦେଉଁ ପିଲାମାନେ ହୀନମନ୍ୟତାରେ ବୁଡ଼ି ଯାଉଛନ୍ତି । ନିଜର କାମ ନିଜେ କରିବାକୁ ଅସମ୍ମାନ ବୋଧ କରୁଛନ୍ତି । ସବୁବେଳେ ପର ଉପରେ ନିର୍ଭର କରିବାର ମନୋଭାବରେ ପରିଚାଳିତ ହେଉଛନ୍ତି ।

 

ଏ ଶିକ୍ଷାର ପରିବର୍ତ୍ତନ ହେବା ଏକାନ୍ତ ଆବଶ୍ୟକ । ତା' ନ ହେଲେ ଦଶଦେଶର ଅଶେଷ କ୍ଷତି ସାଧନ ହେବ ।

 

ମାତ୍ର–

 

ସମସ୍ତେ ଏ କଥା ବୁଝୁଛନ୍ତି, ଜାଣୁଛନ୍ତି ତଥାପି ପାଶ୍ଚାତ୍ୟ ଶିକ୍ଷା ଅନୁକରଣରେ ପିଲାମାନଙ୍କୁ ଶିକ୍ଷିତ କରୁଛନ୍ତି । ଭାରତରେ ଯେଉଁମାନେ ଆଜି ସ୍ଵରାଜ ପାଇଁ ସଂଗ୍ରାମ ଚଳାଇଛନ୍ତି, ଶିକ୍ଷା ସଂସ୍କୃତିରେ ଅଗ୍ରଗଣ୍ୟ ହୋଇଛନ୍ତି, ସେମାନେ ପ୍ରାୟ ସମସ୍ତେ ପାଶ୍ଚାତ୍ୟ ଶିକ୍ଷାରେ ଶୁଶିକ୍ଷିତ । ଆମେ ଏବେ ଆମ ପିଲାମାନଙ୍କୁ ନ ପଢ଼ାଇଲେ କଣ ହେବ ?

 

ଆମ ପିଲାମାନେ ପଛରେ ପଡ଼ିଯିବେ । ଯୁଗ ସାଙ୍ଗରେ ତାଳ ଦେଇ ଚାଲିପାରିବେ ନାହିଁ । ଅନ୍ୟମାନେ ସବୁ କଥାରେ ମହାପାତ୍ର ସାଜି ସବୁ ସୁବିଧା ସୁଯୋଗ ମାରି ନେଉଥିବେ, ଆଉ ଆମ ପିଲାମାନେ ଜଳକା ହୋଇ ଚାହିଁ ରହିଥିବେ ।

 

ପୁଣି–

 

ଝିଅଙ୍କ କଥା ସ୍ଵତନ୍ତ୍ର ।

 

ପ୍ରାପ୍ତବୟସ୍କା ଝିଅଙ୍କୁ ଯଦି ନ ପଢାଇବ, ତେବେ ତାଙ୍କୁ ଘରେ ରଖିବ କାହିଁକି ? ତାଙ୍କୁ ବରଂ ଘର ସଂସାରରେ ପୁରାଇ ଦେବା ଭଲ । ସେ ତାଙ୍କ ଦୁଃଖରେ ରହିବେ । ପାଠ ନ ପଢ଼ାଇ, ପରଘରକୁ ନ ପଠାଇ ଯଦି କୌଣସି ପ୍ରାପ୍ତବୟସ୍କା ଝିଅଙ୍କୁ ନିଷ୍କର୍ମା କରି ଘରେ ରଖାଯାଏ, ତେବେ ଏକ ଅଶାନ୍ତ ଅବସ୍ଥା ସୃଷ୍ଟି ହେବ । ନାନା ଲୋକେ ନାନା କଥା କହିବେ । ନ ଦେଖିଲା କଥାକୁ ସ୍ଵଚକ୍ଷୁରେ ଦେଖିଲା ପରି ପ୍ରମାଣ ସହ ଥୋଇବେ । ସଜମାଛରେ ପୋକ ପକାଇ ଦେବେ ।

 

ଏଇଭଳି ଦଳେ ଲୋକ ସବୁ ଯୁଗରେ ଜନ୍ମ ହୁଅନ୍ତି । ସେମାନଙ୍କ କଥାରେ କାନ ଦେଲେ କୌଣସି ଶୁଭକାମ ହୋଇ ପାରିବ ନାହିଁ ।

 

ରସାନନ୍ଦର କଥାକୁ ରେବତୀ ମର୍ମେ ମର୍ମେ ଅନୁଭବ କଲା । ରେବତୀ ବେଶୀ ପାଠ ଶାଠ ନ ପଢ଼ିଥିଲେ ବି ସେ ଜଣେ ସୁଚତୁରା, ବୁଦ୍ଧିମତୀ, ସୁଲକ୍ଷଣୀ, ଉତ୍ତମ ଘରଣୀ । ସେ ଯେପରି କୌଣସି ଅନ୍ୟାୟ କଥାରେ ଆଗେଇବାକୁ ପ୍ରତିବାଦ ଓ ପ୍ରତିରୋଧ କରେ ସେହିପରି କୌଣସି ଭଲ କଥାରେ ଆଗେଇ ଯିବାକୁ ପ୍ରେରଣା ଦିଏ, ସାହସ ଦିଏ । ସ୍ୱାମୀଙ୍କ କଥାରେ ସେ ଏକମତ ହେଲା ।

 

ଦେବୀକାନ୍ତ ଓ ସଂଘମିତ୍ରାଙ୍କ ଉଚ୍ଚଶିକ୍ଷା ନିମିତ୍ତ ସମସ୍ତ ବ୍ୟବସ୍ଥା କରାଗଲା । ସେମାନେ କଟକ ପଢ଼ିବାକୁ ଗଲେ ।

 

ରସାନନ୍ଦ କଟକରେ ଚାକିରୀ କରୁଥିବା ହେତୁ ସେମାନେ ତା' ପାଖରେ ନଣ୍ଡା ଦେଉଳ ନିକଟରେ ଗୋଟିଏ ଭଡ଼ାଘରେ ରହିଲେ ।

 

କଲେଜରେ ଭାଇ ଭଉଣୀ ଦୁଇଜଣଯାକ ନାମ ଲେଖାଇଲେ । ପ୍ରଥମେ ପ୍ରଥମେ ସେମାନଙ୍କୁ ଭାରି ଅଡ଼ୁଆ ଲାଗିଲା । ଅନ୍ୟାନ୍ୟ ପିଲାଙ୍କ ସାଙ୍ଗରେ ତାଳ ଦେଇ ଚାଲି ପାରିଲେନି । କାହିଁକିନା କଲେଜର ବେଶଭୂଷା, ଚାଲି-ଚଳନ, ଆଦବ କାଇଦା ସବୁ ସ୍ଵତନ୍ତ୍ର, ନୂତନ ଧରଣର ।

 

ଉଦ୍ୟାନରେ ଫୁଟିଥିବା ବିଭିନ୍ନ ରଙ୍ଗର ଅସଂଖ୍ୟ ଫୁଲ ପରି କଲେଜରେ ବିଭିନ୍ନ ମନୋମୁଗ୍‍ଧକର ରଙ୍ଗୀନ ପୋଷାକପତ୍ରରେ ସଜ୍ଜିତ ଅସଂଖ୍ୟ ପିଲାମାନଙ୍କର ସମାବେଶ । ବୁଦ୍‍ବୁଦ୍ ପରି ଭାଇଭଉଣୀଙ୍କର ସତ୍ତା ତା'ଭିତରେ ଲୀନ ହୋଇଗଲା । ଗ୍ରାମ୍ୟ ହାଇସ୍କୁଲରେ ଦେବୀକାନ୍ତ ଓ ସଂଘମିତ୍ରାଙ୍କୁ ଯେଉଁ ସମ୍ମାନ ମିଳୁଥିଲା, ଏଠାରେ ତାହା ସ୍ଵପ୍ନ ହେଲା କାରଣ ପ୍ରଚଣ୍ଡ ପ୍ରତିଯୋଗିତାର ପ୍ରଶସ୍ତ କ୍ଷେତ୍ରରେ ଏମାନେ ପରାଜୟ ସ୍ୱୀକାର କଲେ ।

 

ଦେବୀକାନ୍ତ ଯେପରି ନୂଆ ନୂଆ ସାଙ୍ଗ ପାଇଁ ନିଜକୁ ଭୁଲିଗଲା, ନୂଆ ନୂଆ ଫେସନରେ ନିଜକୁ ସଜାଇଲା, ଅପବ୍ୟୟରେ ଦାସ ହୋଇ ପଡ଼ିଲା, ସଂଘମିତ୍ରା ସେଇମିତି ନିଜର ଆଦର୍ଶରୁ ବିଚ୍ୟୂତ ହେଲା । ଅନ୍ୟାନ୍ୟ ସହପାଠିନୀଙ୍କ ପରି ନିଜକୁ ସଜାଇଲା । ଅଧରରେ ଲିପ୍‍ଷ୍ଟିକ୍ ବୋଳିଲା । ଚିପା ପୋଷାକ ଉପରେ ଶବରମାଳି ଗଳାରେ ଲମ୍ବାଇଲା । ଆଖିରେ କଜ୍ଜ୍ଵଳର ରେଖା ଟାଣି କାନରେ ରିଙ୍ଗ୍‍ ଝୁଲାଇଲା । ବେଣୀରେ ସାମ୍ପୋ ମାରି ଫୁଲ ଖୋସିଲା । ମରାଳୀ ଭଳି ଅଣ୍ଟା ହଲାଇ ପୁସ୍ତକ କାଖରେ ଜାକି ଗଲାବେଳେ ସମସ୍ତଙ୍କ ଆଖି ତା'ରି ଆଡ଼କୁ ଢଳି ଆସିଲା । ସିନେମା, ଥିଏଟରକୁ ନ ଗଲେ ଚଳିଲା ନାହିଁ ।

 

ବଡ଼ ଆଶ୍ଚର୍ଯ୍ୟର କଥା ।

 

ଯେଉଁ ସଂଘମିତ୍ରା ହାତକଟା ସୂତାରେ ତିଆରି ଖଦଡ଼ ଲୁଗା ଛଡ଼ା ମିଲ ଲୁଗା ଯେତେ ଲୋଭନୀୟ ହେଲେବି ଆଦୌ ପିନ୍ଧୁ ନ ଥିଲା, ନୂଆବୋହୂଙ୍କ ଭଳି ମୁଣ୍ଡରେ ହାତେ ଓଢ଼ଣା ଟାଣି ବାଟ ଚାଲୁଥିଲା, ସିନେମା, ଥିଏଟର ନାଆଁ ଶୁଣିଲେ ନାକ ଟେକୁଥିଲା, ଶସ୍ତା ଉପନ୍ୟାସ ତା' ନଜରରେ ପଡ଼ୁଥିଲେ ଫଣିନୀ ପରି ଗର୍ଜି ଉଠୁଥିଲା, ତା’ର ସାଙ୍ଗମାନଙ୍କୁ ବେଦ, ବେଦାନ୍ତ, ପୁରାଣ ଗୀତା, ଭାଗବତ ପଢ଼ିବା ପାଇଁ ପ୍ରବର୍ତ୍ତାଉ ଥିଲା, ସ୍କୁଲ, କଲେଜରେ ଝିଅମାନଙ୍କର ଉଚ୍ଛୃଙ୍ଖଳତା ପାଇଁ ମା'ମାନଙ୍କୁ ଦାୟୀ କରି ତର୍କସଭାରେ ଭାଷଣ ଦେଇ ଯୁକ୍ତି କରୁଥିଲା–"ମା' ମାନଙ୍କର ନଜରକୁ ଏଡ଼ାଇ ଝିଅମାନଙ୍କର କିଛି କରିବା ଅସମ୍ଭବ । ପ୍ରଥମେ ଝିଅମାନଙ୍କ ଠାରେ କୌଣସି ନୂତନତା ଦେଖାଗଲେ, ଅସଙ୍ଗତ ରୁଚିର ସଙ୍କେତ ବିଦ୍ୟମାନ ହେଲେ, ସମାଜ ବିହିର୍ଭୁତା ରୀତିର ସନ୍ଧାନ ମିଳିଲେ, ଅପବାଦର ବିଷ ମଞ୍ଜି ବୁଣାଯିବାର ଉପକ୍ରମ ହେଲେ–ମା'ମାନେ ଝିଅମାନଙ୍କୁ ସତର୍କ କରାଇ ଦେଇ–କଠୋର କଟକଣା ଜାରୀ କରିବା ଉଚିତ । ତା'ହେଲେ ସେମାନେ ସଚେତନ ହେବେ । ନିଜର ଭୁଲ ନିଜେ ବୁଝିପାରି ଅପଥରୁ ସୁପଥକୁ ଫେରି ଆସିବେ ।

 

ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ ହୁଏ । ମା'ମାନେ ଝିଅମାନଙ୍କର ମୁହଁ ବଢ଼ାନ୍ତି । ଅନୀତିକୁ ଆୟୁଧ କରିବାକୁ ପ୍ରେରଣା ଦିଅନ୍ତି । ସବୁ ରକମର ଉଚ୍ଛୃଙ୍ଖଳତାର ପ୍ରଧାନ ଅଭିନେତ୍ରୀ ହେବାପାଇଁ ପ୍ରଶ୍ରୟ ଦିଅନ୍ତି ।

 

ଯେତେବେଳେ ଗୋଡ଼ ଖସିଯାଏ, ପାଟିରେ ପାଣି ପଶିଯାଏ, ଅପବାଦର ଡିଣ୍ଡିମ ପିଟା ହୁଏ, କାନ ବାଟେ କଥା ଚାଲେ, ସେତେବେଳେ ଯାଇ ବାପ ମା'ଙ୍କର ଚେତା ପଶେ ।

 

ପ୍ରକୃତରେ ସେତେବେଳକୁ ଆଉ କିଛି କରିବାର ନ ଥାଏ । ମନ ବଳି ଯାଇଥାଏ । ବନ ଢଳି ଯାଇଥାଏ । ନୀତି ନିୟମରେ ଶକ୍ତ ପୂର୍ଣ୍ଣଚ୍ଛେଦ ପଡ଼ି ସାରିଥାଏ । କିଛି କରି ହୁଏନା ।

 

ଗଭୀର ମନସ୍ତାପ ହିଁ ସାର ହୁଏ । ଅନେକ ସମୟରେ ଝିଅମାନଙ୍କୁ ଦୋଷ ଦେଇ ହୁଏ ନାହିଁ, କାରଣ ପାପୀକୁ ଘୃଣା ନ କରି ପାପକୁ ଘୃଣା କଲାଭଳି–ସେମାନଙ୍କୁ ଦୋଷ ନ ଦେଇ ସେମାନଙ୍କର ବୟସକୁ ଦୋଷ ଦେବାକୁ ହୁଏ ।"

 

ସଂଘମିତ୍ରା ଅଳ୍ପ ବୟସର ପିଲା ହେଲେହେଁ ଓଡ଼ିଆ ସାହିତ୍ୟରେ ତା’ର ଗଭୀର ପ୍ରବେଶକୁ କଲେଜର ପ୍ରବୀଣ ଅଧ୍ୟାପକଙ୍କ ଠାରୁ ଛାତ୍ରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମୁକ୍ତ କଣ୍ଠରେ ସ୍ୱୀକାର କଲେ ।

 

ବିଭିନ୍ନ ସାହିତ୍ୟ ସଭାରେ ସଂଘମିତ୍ରାଙ୍କୁ ସାହିତ୍ୟ ସମ୍ୱନ୍ଧରେ ଭାଷଣ ଦେବା ପାଇଁ ସମସ୍ତେ ଅନୁରୋଧ କରୁଥିଲେ । ସାହିତ୍ୟ କୀର୍ତ୍ତି ତା’ର କଲେଜ ହତା ଡେଇଁ ଚାରିଆଡ଼େ ଖେଳିଗଲେ । ସମସ୍ତଙ୍କ ମୁାହଁରେ ତା’ର ଉଚ୍ଛଳ ପ୍ରଶଂସା ।

 

ସାହିତ୍ୟର ପ୍ରଗତି ସମ୍ବନ୍ଧରେ ବିଶ୍ଳେଷଣ କରି ସେ ଭାଷଣ ପ୍ରସଙ୍ଗରେ କହୁଥିଲା–"ଆମର ସବୁ ଅଛି କହି ଆତ୍ମସନ୍ତୋଷ ଲାଭ କଲେ ଚଳିବ ନାହିଁ । ଆମକୁ ପଡ଼ୋଶୀ ସାହିତ୍ୟ ତଥା ବିଶ୍ୱସାହିତ୍ୟ ସହିତ ତାଳଦେଇ ଚାଲିବାକୁ ହେଲେ ଆମକୁ ଆହୁରି ଆଗେଇବାକୁ ହେବ । ବାଣୀଭଣ୍ଡାରକୁ ସମୃଦ୍ଧ କରିବାକୁ ହେଲେ ଅଣନିଶ୍ଵାସୀ ହୋଇ ଦଉଡ଼ିବାକୁ ପଡ଼ିବ । କାନ୍ତଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ "ଓଡ଼ିଆ ଏକ୍‍ଟା ଭାଷା ନୟ" ଅସୂୟାଜନିତ ପ୍ରଚାର ସାଲ ୧୮୬୫ ଠାରୁ ଆଜି ପର୍ଯ୍ୟନ୍ତ ସମୀକ୍ଷା କଲେ, ସାହିତ୍ୟରେ ଆମରି ପ୍ରଗତି ସମ୍ୱନ୍ଧରେ ପରିଷ୍କାର ଭାବରେ ସବୁ ଜଣା ପଡ଼େ । ଆମେ ଯେ ସାହିତ୍ୟରେ କିଛି ନ କରିଛୁ ଏହା ନୁହେଁ, ମାତ୍ର ଆଶାନୁରୂପ ନୁହେଁ ।

 

ଯେଉଁ ଜାତିର ସାହିତ୍ୟ ଯେତେ ଉନ୍ନତ, ସେହି ଜାତି ସେତେ ଉନ୍ନତ । ଅଯଥା ଅହଂକାର, ଆତ୍ମବଡ଼ିମାକୁ ନେଇ କେହି କେବେ ବଡ଼ ହୋଇ ପାରେନା । ଆମକୁ ସବୁ ରକମର ବାଦ ବିବାଦ ଭୁଲିବାକୁ ହେବ । ଯାହାର ଯେଉଁ ସମ୍ମାନ ପ୍ରାପ୍ୟ, ତାକୁ ଦେବାକୁ ହେବ । ପ୍ରାକ୍ତନ ଯେପରି ପୂଜନୀୟ, ନୂତନ ସେହିପରି ବନ୍ଦନୀୟ । ସାରସ୍ଵତ କ୍ଷେତ୍ରରେ ବ୍ୟକ୍ତିଗତ କୁତ୍ସା ଅସୂୟାକୁ ଆଣି ମୂର୍ତ୍ତିମନ୍ତ ବିଗ୍ରହ କରି ଠିଆ କରାଇଲେ ଜଗତେ ଜନେ ହସିବେ କେବଳ ।

 

ତେବେ ବି ବେଳ ଅଛି । ଆମକୁ ଅଣ୍ଟା ଭିଡ଼ିବାକୁ ହେବ । ସାହିତ୍ୟରୁ ଅଶ୍ଳୀଳତାକୁ ସମାଧି ଦେବାକୁ ହେବ । ଯାହା ସାର୍ବଜନୀନ, ନିତ୍ୟ-ନୂତନ, ସତ୍ୟ-ଶିବ-ସୁନ୍ଦର, ତାହାର ପୂଜା କରିବାକୁ ହେବ ।"

 

ହାୟ !

 

ଯେଉଁ ସଂଘମିତ୍ରା ଏଭଳି ସାଗରଗର୍ଭକ, ଜ୍ଞାନଗୁମ୍ପିତ ଭାଷଣରେ ଉଦ୍‍ବୋଧନ ଦେଇ ସହସ୍ର ପ୍ରାଣରେ ପ୍ରେରଣା, ଉଦ୍ଦୀପନା ସୃଷ୍ଟି କରୁଥିଲା, ସେହି ସଂଘମିତ୍ରା ଏବେ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇ ଯାଇଛି । ସକାଳ ମେଘ ପରି ତା’ର ହିତୋପଦେଶ ପାଣି ଫାଟି ଯାଇଛି । ସଂଭ୍ରାନ୍ତ ପରିବାରର ସଂଭ୍ରମକୁ ସମ୍ୟକ ରୂପେ ଜଳାଞ୍ଜଳି ଦେଇଛି । ଉଚ୍ଛୃଙ୍ଖଳାତାର ପରମ ପୂଜାରିଣୀ ସାଜିଛି ।

 

ଅସଂବୃତା ଲାସ୍ୟମୟୀ କୋଣାର୍କ ନର୍ତ୍ତକୀ ପରି ବଳିଷ୍ଠ ଅଙ୍ଗସୌଷ୍ଠବର-ଫେନିଳ ଯୌବନକୁ ସର୍ବାଧୁନିକ ଫେସନ ମାଧ୍ୟମରେ ବିଜ୍ଞାପିତ କରୁଛି । ଭାରତୀୟ ପୁଣ୍ୟ ସଂସ୍କୃତିକୁ ସଂହାର କରୁଛି । ଶିକ୍ଷା ଦୀକ୍ଷାର ପବିତ୍ରତାକୁ ହତ୍ୟା କରୁଛି । ସଭ୍ୟତା ମୁଖରେ ଚୁନ କାଳି ବୋଳୁଛି-। ନିଜର ବଂଶ, ପରିବେଶ, କୁଳ, ସାମାଜିକତା କଥା ଟିକିଏ ଭାବୁ ନାହିଁ । ଯୌବନ ଉଷ୍ଣତାର ଚାପରେ ସେ ନିଜକୁ ସ୍ଵେଚ୍ଛାଚାରର ପ୍ରକୃଷ୍ଟ ନିଦର୍ଶନ କରି ତୋଳୁଛି । ସେ ଅତୀତର ଲୌହ ଦୃଢ଼ କବାଟ ଫିଟାଇ ଟିକିଏ ଅନାଉ ନାହିଁ କି ଭବିଷ୍ୟତ ଆଡ଼କୁ ଦୃଷ୍ଟି ଲମ୍ବାଇ ପରିଣାମ ପ୍ରତି ଭ୍ରୂକ୍ଷେପ କରୁନାହିଁ । ସେ ବର୍ତ୍ତମାନର ମଥାରେ ଜୟମାଲ୍ୟ ପିନ୍ଧାଇ ନିଜକୁ ଶ୍ରେଷ୍ଠ ନାୟିକା ରୂପେ ବିବେଚନା କରୁଛି ।

 

ସଂଘମିତ୍ରାକୁ ସ୍ଵଳ୍ପ ସମୟ ଭିତରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବା ମୂଳରେ ଜଣଙ୍କର ବଳିଷ୍ଠ କୂପ୍ରେରଣା କାମ କରିଛି । ନିଜର ନୀଳବର୍ଣ୍ଣ ଶୃଗାଳ ପଣିଆରେ ସଂଘମିତ୍ରାଙ୍କୁ ଦୀକ୍ଷିତ କରିଛି । ନିଜର ଦଳ ପୁଷ୍ଟ କରିବାରେ ସେ ସଂଘମିତ୍ରାଙ୍କୁ ପ୍ରଧାନ ସମର୍ଥନ ପ୍ରଦାୟିନୀ ରୂପେ ଗଢ଼ି ପାରିଛି । ସଂଘମିତ୍ରା ତା’ର କୌଶଳକୁ ବୁଝି ପାରିନାହିଁ, ତା’ର ଚକ୍ରାନ୍ତକୁ ଭେଦି ପାରି ନାହିଁ । ତାର ଅଦୃଶ୍ୟ ହାତର କରାମତିକୁ ଅନୁଭବ କରି ପାରି ନାହିଁ, ସାଙ୍ଗ ବୋଲି-ସମବୟସୀ ବୋଲି, ସହପାଠିନୀ ବୋଲି-ସେ ଯାହା କହିଛି, ସଂଘମିତ୍ରା ସେଥିରେ ହିଁ ଭରିଛି । ସେ ଯେପରି ଚଳାଇଛି ଏ ସେପରି ଚାଲିଛି । ସେ ଯେପରି ନଚାଇଛି, ଏ ସେପରି ନାଚିଛି । ସେ ଯେପରି ଶିଖାଇଛି, ଏ ସେପରି ଶିଖିଛି । ମୋଟ ଉପରେ ସଂଘମିତ୍ରାର ସରଳତାର ପୂର୍ଣ୍ଣ ସଦୁପଯୋଗ କରିଛି ସେ ।

 

ସେ ଜଣକ କିଏ ?

 

ସେ ହେଉଛି ଆଭା । କୁଖ୍ୟାତିର ଶ୍ରେଷ୍ଠାସନ ଲାଭ କରିଥିବା କୁମାରୀ ଆଭା ମାଇତି । ଯେଉଁଠି ଶୁଣ, ସେଠାରେ ଆଭା ଚର୍ଚ୍ଚା । ଯେତେ ଶସ୍ତା ଧରଣର ଯୌନମୂଳକ ମାସିକ ପତ୍ରିକାରେ ଦେଖ, ଆଭାର ଆବକ୍ଷ ଶୋଭିତ ଛବି । ଯେତେ ଦୈନିକ ପତ୍ରିକା ରବିବାସରୀୟ ଶୋଭନ ସଂସ୍କରଣ ଦେଖ-ଆଭାର ପ୍ରଣୟ ରହସ୍ୟର ରୋମାଞ୍ଚ କାହାଣୀ । ଯେତେ ବ୍ୟବସାୟିକ କ୍ୟାଲେଣ୍ଡର ଦେଖ, ଆଭାର ବିଭିନ୍ନ ଭଙ୍ଗୀର ନଗ୍ନଛବି । ସେଥିରେ କଲେଜ ଭିତରକୁ ପଶି ଗଲେ ସହପାଠୀମାନେ ଦେହରେ ଇଲେକ୍ଟ୍ରିସକ୍ ଲାଗିଲା ଭଳି ଅନୁଭବ କରନ୍ତି । ଅଧ୍ୟାପକମାନଙ୍କ ହାତରୁ ପୁସ୍ତକ ଖସି ପଡ଼େ । ଆଖି ଲାଖି ରହେ ତାରି ରୂପରେ ।

 

ଯେ ଥରେ ତା’ର ସାନ୍ନିଧ୍ୟ ଲାଭ କରିବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି, ସେ କହନ୍ତି–

 

‘‘ଆଭା କୁଆଡ଼େ ଥରେ ମୁରୁକି ହସି ଦେଲେ ଲକ୍ଷେ ପଦ୍ମ ଫୁଟେ । ପଦେ କଥା କହିଲେ, ସତେ ଯେମିତି ଅମୃତ ଭାଣ୍ଡ ଢାଳି ହୋଇଯାଏ । ଟିକିଏ କଣେଇ ଚାହିଁ ଦେଲେ ପାଷାଣ ତରଳି ଯାଏ । ପୁରୁଷ ବା ବଞ୍ଚନ୍ତେ କେମିତି ?’’

 

ସେହି କୁଲକ୍ଷଣୀ ଆଭା ସଂଘମିତ୍ରାର ସ୍ପଳନ ପାଇଁ ପୁରାପୁରି ଦାୟୀ । ସଂଘମିତ୍ରା ଆଭା ସାଙ୍ଗରେ ମିଶିବା ପର୍ଯ୍ୟନ୍ତ ଖୁବ ଭଲ ଥିଲା । ଆଭା ଯେଉଁ ଦିନ ଆସି କଲେଜରେ ନାଆଁ ଲେଖାଇଲା ସେଦିନ ସଂଘମିତ୍ରା ଅନୁପସ୍ଥିତ ଥିଲା । ତହିଁ ଆରଦିନ ଯେତେବେଳେ ସେ ସଂଘମିତ୍ରାଙ୍କୁ ଦେଖିଲା, ସେତେବେଳେ କହିଲା–‘‘ଆମେ ସାଙ୍ଗ ହୋଇ ବସିବା ।’’

 

ସଂଘମିତ୍ରାର ପିଲାମନ ଭଳିଗଲା । ବୁଝି ବିଚାରି କାର୍ଯ୍ୟ କରିବା କଥା ଭୁଲିଗଲା । ତାର ଅଜାଣତରେ ସେ ପ୍ରମାଦ କିଣିଲା ।

 

ରଙ୍ଗ ଟହ ଟହ କିଂଶୁକକୁ ଦେଖି ସେ କଣ ଜାଣି ଥିଲା ଯେ କିଂଶୂକ ନିର୍ଗନ୍ଧ ବୋଲି ! ପିତ୍ତଳକୁ ଦେଖି ସୁନା ବୋଲି ଧରି ନେଲା । କଟକ ନୂଆ ହୋଇ ଆସିଥିବା ଜଣେ ବଡ଼ ହାକିମଙ୍କ ଝିଅ ବୋଲି ଯେତେବେଳେ ଶୁଣିଲା, ସେ ନିଜକୁ ଗୌରବାନ୍ଵିତ ମନେ କଲା ।

 

କିନ୍ତୁ–

 

ସେ କ’ଣ ଜାଣିଥିଲା ଯେ ଆଭା ଜଣେ ଅଜ୍ଞତା କୂଳଶୀଳା ବୋଲି ? ଆଭା ପଛରେ ଏକ ବିରାଟ ଇତିହାସ ରହିଛି ବୋଲି ?

 

ମୁଜାଫରପୁରର ରାମାନନ୍ଦ ବାବୁ ବମ୍ବେରେ ଫିଲିମ୍‍ କମ୍ପାନୀରେ ଚାକିରୀ କରୁଥିଲେ । ଦିନେ ସେ ବମ୍ବେ ମେରାଇନ୍ ଡ୍ରାଇଭରେ ବୁଲୁ ବୁଲୁ ଦେଖିଲେ, ଶିଶୁକନ୍ୟାଟିଏ ହାଣ୍ଡିରେ ପଶି କୁଆଁ କୁଆଁ କରି କାନ୍ଦୁଛି । ସେ ତତ୍‍କ୍ଷଣାତ୍ ଧାଇଁ ଯାଇ ଛୁଆଟିକୁ ଉଠାଇ ଆଣିଲେ । ହାଣ୍ଡି ଭିତରୁ ଖଣ୍ଡିଏ ଚିଠି ବି ପାଇଲେ । ସେଥିରେ ଅତି ମର୍ମସ୍ପର୍ଶୀ ଭାଷାରେ ଲେଖା ହୋଇଥିଲା ଯେ–‘‘ମଣିଷ ସବୁବେଳେ ନିଜ ସୀମା ଭିତରେ ରହିବା ଆବଶ୍ୟକ । ପର ବୁଦ୍ଧିରେ ପଡ଼ି ନଦୀ ପହଁରିଲେ କୁମ୍ଭୀର ମୁଖରେ ପଡ଼ି ପ୍ରାଣ ହରାଇବା ନିଶ୍ଚିତ । ମୋର ବିଶ୍ୱାସ, ମୋ ଜୀବନ କାହାଣୀରୁ କାହାର କିଛି ଶିକ୍ଷା ମିଳିଲେ ମୁଁ ନିଜକୁ ଧନ୍ୟ ମନେ କରିବି । ମୋ ନାମ ଧରି ନେଲେ ହେବ ‘‘ସୁ’’ । ମୋର ଜନ୍ମ ସୁଦୂର ମଫସଲରେ । ମୋର ବାପା ଜଣେ ସାଧାରଣ ବ୍ୟବସାୟୀ । ମାଆ ଜଣେ ଅଶିକ୍ଷିତା ସୁ-ଘରଣୀ । ପାଞ୍ଚ ପୁଅରେ ଗୋଟିଏ ଝିଅ । ଭାରି ଶ୍ରଦ୍ଧାରେ ଭାରି ଅଳିଅଳରେ ବଢ଼ିଥିଲି ମୁଁ । ମୋତେ ଯେତେବେଳେ ଦଶବର୍ଷ ପଶିଲା, ଯେତେବେଳେ ମୁଁ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ବଳାଇଥିବା ପ୍ରାଣରାମଙ୍କ ନଜରରେ ପଡ଼ିଲି । ସେ ମୋର ବାପା ବୋଉଙ୍କୁ ଖୁବ୍ ପ୍ରଲୋଭନ ଦେଖାଇଲେ । ସଙ୍ଗେ ସଙ୍ଗେ ପାଞ୍ଚ ଛଅ ହଜାର ଟଙ୍କା ଦେଇ ଦେଲେ । ତାଙ୍କର ପ୍ରଲୁବ୍‍ଧ ଶ୍ୱେନ ଗ୍ରହଣ ଦୃଷ୍ଟିରୁ ଶିକାର ହେଲି ମୁଁ । ମୋତେ ସେ ଚଳଚ୍ଚିତ୍ରରେ ଅଭିନେତ୍ରୀ ଭାବରେ ଗ୍ରହଣ କରିବାର ଆଶା ଦେଖାଇ ଥିଲେ ହେଁ–ତାଙ୍କର ଭିତିରି ଉଦ୍ଦେଶ୍ୟ ଥିଲା ଭିନ୍ନ । ସରଳ ବାପା ବୋଉ ମୋର ସେ କଥା ବୁଝି ପାରିଲେ ନାହିଁ । ମୋତେ ପ୍ରାଣାରାମଙ୍କ ହାତରେ ଟେକି ଦେଲେ ।

 

ପ୍ରାଣାରାମ ମୋତେ ସବୁବେଳେ ଖାଇବା, ପିଇବା, ଶୋଇବା, ପିନ୍ଧିବା ସବୁଥିରେ ରାଜକୁମାରୀ ଭଳି ରଖିଲେ । ମୁଁ ତାଙ୍କ ବ୍ୟବହାରରେ ନିଜକୁ ଧନ୍ୟା ମଣିଲି । ପ୍ରତି ମାସରେ ବି ସେ ମୋ' ବାପା ବୋଉଙ୍କ ପାଖକୁ ଦୁଇ ଶହ କରି ଟଙ୍କା ପଠାଇଥିଲେ । ସେ ତେଣେ ଖୁସିରେ ରହିଲେ । ମୁଁ ଏଣେ ଆମୋଦ-ପ୍ରମୋଦ, ବିଳାସ ବ୍ୟସନରେ ବୁଡ଼ି ରହିଲି । ମୋର ପଢ଼ାପଢ଼ିରେ ବି ବ୍ୟବସ୍ଥା ପ୍ରାଣାରାମ କରିଦେଲେ ।

 

ମୁଁ ଆସିଲା ଦିନରୁ ପ୍ରାଣାରାମଙ୍କ ଘରେ ଦେଖେ ତିନୋଟି ଝିଅ, ତିନୋଟି ପୁଅ । ସମସ୍ତେ ପ୍ରାଣାରାମଙ୍କୁ ବାପା ବୋଲି ଡାକନ୍ତି । ଗୋଟିଏ ସୁନ୍ଦରୀ ସ୍ତ୍ରୀକୁ ମା' ବୋଲି ଡାକନ୍ତି । ମୁଁ ଯେତେବେଳେ ପିଲାମାନଙ୍କ ଭଳି ଉକ୍ତ ସୁନ୍ଦରୀଙ୍କୁ ମା' ବୋଲି ଡାକେ, ସେ ହସି ହସି କୁହେ–"ମୁଁ ମା' ଡାକିବି ନା, ତୁମେ କ’ଣ ମୋତେ ମା' ଡାକୁଛ ମ" ? ମୁଁ କିଛି ବୁଝି ପାରେ ନାହିଁ ।

 

ପ୍ରକୃତରେ ସେଦିନ ବୁଝିଲି ଯେଉଁଦିନ ମୋତେ ଜବରଦସ୍ତି ବେଦୀ ଉପରେ ନେଇ ବସାଇ ଦିଆଗଲା । ପ୍ରାଣାରାମ ବାବୁଙ୍କ ହାତରେ ମୋର ଥରଥର ହାତକୁ ନେଇ ମୋ ଇଚ୍ଛା ବିରୁଦ୍ଧରେ ଛନ୍ଦି ଦିଆଗଲା ।

 

ମୁଁ ଦେହକୁ କାଠ କରି, ଛାତିକୁ ପାଷାଣ କରି ବେଦୀରେ ବସିଥାଏ । ମୋର ମନ ଯାହା ହେଉଥାଏ ସେ କଥା ମୁଁ ଜାଣେ । ଅନ୍ୟ ଲୋକ ତାହା ଆଦୌ ବୁଝିପାରିବେ ନାହିଁ ।

 

ପ୍ରାଣାରାମ ବାବୁଙ୍କ କଥା ସ୍ମରଣ କରି ମୋ ପ୍ରାଣରେ ଘୃଣାର ଲହରୀ ଉଠୁଥାଏ–ପଡ଼ୁଥାଏ ।

 

ସତେ ମ ! ପ୍ରାଣାରାମ ବାବୁ ଏକା କାହିଁକି, ଦୁନିଆଁରେ ବହୁ ଲୋକ ଅଛନ୍ତି–ସେମାନଙ୍କର କଥା ଓ କାର୍ଯ୍ୟ ଭିତରେ ଆକାଶ ପାତାଳ ତଫାତ୍‍ । ସେମାନଙ୍କ ବେଶଭୂଷା, ଚାଲିଚଳନ, ଭାବଭଙ୍ଗୀ ଦେଖିଲେ ମନେହୁଏ ସେମାନେ ପ୍ରତ୍ୟେକେ ଜଣେ ଜଣେ ନରନାରାୟଣ, ଦୟାର ପ୍ରତିମୂର୍ତ୍ତୀ, ଦେବଦୂତ । ସେମାନଙ୍କ କାର୍ଯ୍ୟକଳାପ ଦେଖିଲେ ମନେ ହୁଏ ନରକର କୀଟ ।

 

ଅନେକ ଲୋକ ଅଛନ୍ତି ମୁହଁରେ ଦାଢ଼ି ରଖି, କମଣ୍ଡଳୁ ଧରି, ଗେରୁଆ ବସ୍ତ୍ର ପିନ୍ଧି ସବୁ ବେଳେ ରାମ ରାମ କହୁଥାନ୍ତି–କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ଅତ୍ୟନ୍ତ ଅମହତ । ସେମାନଙ୍କର ହୀନ ମନୋଭାବର ମାତ୍ରା ଅଧିକ । ପରଧନକୁ ଲୋଷ୍ଟ୍ରବତ ମନେ କରିବା ଓ ପର ସ୍ତ୍ରୀର ସତୀତ୍ୱକୁ ଅସମ୍ମାନ କରିବା ସେମାନଙ୍କର ଧର୍ମ । ସେମାନଙ୍କର ଜୀବନରେ ଶୁଭ ଚିନ୍ତା ବୋଲି କିଛି ନ ଥାଏ । ଅନ୍ୟ ଏକ ଶ୍ରେଣୀର ଲୋକେ ଅଛନ୍ତି, ସେମାନେ କଥା କଥାକେ ଗୀତା, ଭାଗବତ, ହିତୋପଦେଶର ଶ୍ଳୋକମାନ ଆବୃତ୍ତି କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଲୋକେ ସେମାନଙ୍କ ଠାରୁ ସତ୍ ଉପଦେଶ ଶୁଣି ନିଜକୁ ଧନ୍ୟ ମନେ କରନ୍ତି । ଋଷିମୁନୀଙ୍କ ଭଳି କାୟୋମନୋବାକ୍ୟରେ ସତ୍ୟନିଷ୍ଠ, ଧାର୍ମିକ, ନିଷ୍ଠାବାନ ବୋଲି ମନେ କରନ୍ତି ।

 

କିନ୍ତୁ–

 

ପ୍ରକୃତରେ ସେମାନଙ୍କ ଅନ୍ତରରେ ହଳାହଳ ଢଳଢଳ ହେଉଥାଏ । ସାମାନ୍ୟ ସୁବିଧା ସୁଯୋଗ ପାଇଲା ମାତ୍ରେ ସେ ଦଶଦେଶର ସର୍ବନାଶ ଘଟାଇବାରେ ଆଦୌ ପଶ୍ଚାତ୍‍ପଦ୍ ହୁଅନ୍ତି ନାହିଁ ।

 

ଆଉ ଦଳେ ଲୋକ ଅଛନ୍ତି, ଅନ୍ୟମାନଙ୍କୁ ପ୍ରଲୋଭନ ଦେଖାଇ ନିଜର ସ୍ୱାର୍ଥ ସାଧନ କରିବାରେ ଧୁରନ୍ଧର । ସେମାନେ ଯାହା ନୁହନ୍ତି, କି ଜୀବନରେ ହୋଇ ପାରିବେ ନାହିଁ–ତାହା ସବୁ କହି ଲୋକ ମନରେ ଆସନ ଜମାଇବାକୁ ଚେଷ୍ଟା କରନ୍ତି । ନାନାରକମର ପ୍ରଲୋଭନର ପ୍ରଲେପ ଲୋକଲୋଚନରେ ବୋଲି ଦିଅନ୍ତି । ସେମାନେ ଏଭଳି ଭାବରେ କଥାବାର୍ତ୍ତା କରନ୍ତି ଯେ ଅନ୍ୟ କୌଣସି ଲୋକ ସେମାନଙ୍କୁ ଅଜ୍ଞାତକୂଳଶୀଳ ବା ପର ବୋଲି ଭାବି ପାରେ ନାହିଁ । ସେମାନଙ୍କ ନିକଟରେ ପରିବାରର ଗୋପନୀୟତା ମଧ୍ୟ ଅଛପା ରହେ ନାହିଁ । ପରିବାରର ପରିଚାଳକ ଥରେ କୌଣସି ବ୍ୟକ୍ତିଙ୍କୁ ନିଜର ଆତ୍ମୀୟ ବୋଲି ଘୋଷଣା କଲେ ତାକୁ ପରିବାରର ଲୋକେ ସର୍ବାନ୍ତକରଣରେ ଅନୁମୋଦନ କରିବା ସଙ୍ଗେ ସଙ୍ଗେ ମାନିବାକୁ ବାଧ୍ୟ ହୁଅନ୍ତି ।

 

ଏହିଭଳି ଏକ ସୁଯୋଗ ପ୍ରାଣାରାମବାବୁ ଗ୍ରହଣ କରି, ମୋର ବାପା ମା'ଙ୍କୁ ଭୁଲାଇ ମୋର ସର୍ବନାଶ ଘଟାଇଲେ । ବିବାହର ଅଳ୍ପଦିନ ପରେ ଆଭାର ଅସ୍ତିତ୍ୱ ମୁଁ ଅନୁଭବ କଲି । ନାନାଦି ନୂତନ ଉପସର୍ଗ ଦେହରେ ମୋର ଛୁଇଁ ହୋଇଗଲା । ମନ ଆଦୌ ଭଲ ରହିଲା ନାହିଁ । ପ୍ରଥମ କରି ମୁଁ ଜୀବନରେ ଜାଣିଲି ଯେ ମନ ସହିତ ଦେହର କେତେ ସମ୍ପର୍କ ସତେ ! ମନ ଭଲ ନ ରହିଲେ ଯେପରି ଦେହ ଭଲ ରହେ ନାହିଁ, ସେଇମିତି ଦେହରେ କୌଣସି ବେଦନା ବିଦ୍ୟମାନ ହେଲେ, ମନ ଆଦୌ ଭଲ ରହେ ନାହିଁ । ମନ ସବୁବେଳେ ଧରି ଆଣିଲା ଚଢ଼େଇର ମନ ଭଳି ହୁଏ ।

 

କେତେବେଳେ କ’ଣ ଘଟି ଯାଇପାରେ–ଏହି ସନ୍ଦେହରେ ଦୋଦୁଲ୍ୟମାନ ଅବସ୍ଥାରେ ସବୁବେଳେ କାଳାତିପାତ କରିବାକୁ ହୁଏ । ମୋ ଗର୍ଭରେ ଆଭାର ଅଜ୍ଞାତବାସ ମୋତେ ଯେତିକି ବେଦନା ଦେଉଥାଏ–ସେତିକି ଆନନ୍ଦ ଦେଉଥାଏ । ମୁଁ ମନେ ମନେ ଈଶ୍ଵରଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ହୃଦଭରା କୃତଜ୍ଞତା ଜ୍ଞାପନ କରୁଥାଏ ।

 

ବିଚିତ୍ର ତାଙ୍କର ସୃଷ୍ଟି । ମନୋଜ୍ଞ ତାଙ୍କର ସୃଜନ ଶକ୍ତି । ଧନ୍ୟ କହିବ ତାଙ୍କ ସୁକ୍ଷ୍ମ ବିନ୍ଧାଣୀ ବୁଦ୍ଧିକି । ଅଜ୍ଞାତବାସରେ ସେ କିପରି ମାଂସ ଦେହରେ ହାଡ଼ ଖଞ୍ଜନ୍ତି, ଆଖି ଯୋଡ଼ନ୍ତି, କାନ ଲଗାନ୍ତି, ମୁହଁ ଖଞ୍ଜନ୍ତି, ପାଟି ଚିରନ୍ତି, ଗୋଡ଼ ହାତ ଲଗାନ୍ତି । ପାଣିକୁଣ୍ଡରେ ଶିଶୁ ଖେଳିଲା ଭଳି କଣ୍ଢେଇ ରୁଧିର କୁଣ୍ଡରେ ଖେଳେ-ହାତ ହଲାଏ–ଗୋଡ଼ କଚାଡ଼େ । ଜନନୀ ବେଦନା ମିଶ୍ରିତ ଆନନ୍ଦରେ ଅଧୀର ହୁଏ । ମାଂସ କଣ୍ଢେଇର ବହିଃ ଆଗମନକୁ ଆଗ୍ରହରେ ଅପେକ୍ଷା କରି ରହେ । ସତ୍ୟ, ଶିବ, ସୁନ୍ଦରର ପ୍ରତୀକ ଜୀବାତ୍ମାକୁ ସ୍ୱାଗତ ଜଣାଇବାକୁ ଅଧୀର ହୋଇ ଉଠେ ।

 

ମନେହୁଏ, ପିଲାଟି ଯେତେ ଦିନ ପବିତ୍ର ମାତୃଗର୍ଭରେ ସୂଚୀଭେଦ୍ୟ ଅନ୍ଧକାର ଭିତରେ ଜଗନ୍ନାଥ ଅଣସର ଘରେ ଥିଲା ଭଳି ଥାଏ, ସେତେଦିନଯାଏ ଈଶ୍ଵରଙ୍କର ପୂର୍ଣ୍ଣ ଦାୟିତ୍ୱାଧୀନରେ ଥାଏ । ଶିଶୁଟିର ପୂର୍ଣ୍ଣ ଗଠନ ପରେ ଈଶ୍ଵର ନିଜ ହାତରେ ତା' ଦେହରେ ମାୟା ବୋଳି ଦିଅନ୍ତି । ତାପରେ ଶିଶୁଟି ପାର୍ଥିବ ସଂସାର ଆଡ଼କୁ ଗୋଡ଼ ବଢ଼ାଏ, ମୁହଁ ବୁଲାଏ, ଆଖି ଖୋଲି ଅନାଏ । ଈଶ୍ଵର ସେତେବେଳେ ନିଜର ସୃଷ୍ଟି କୌଶଳର ପରାକାଷ୍ଠା ସମ୍ବନ୍ଧରେ ସମ୍ୟକ୍ ସଚେତନ ହୋଇ ମୁରୁକି ହସି ଦିଅନ୍ତି, ଶିଶୁଟି କର୍ମ ଆଦରି ପୃଥିବୀର କୋଳାହଳ, ମାୟା ଜଞ୍ଜାଳ, ହର୍ଷ ବିଷାଦ ଭିତରେ ନିଜକୁ ହଜାଇ ଦିଏ ।

 

ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ମାତୃ ଉପରେ ଦେଇ ପରୋକ୍ଷ ଦାୟିତ୍ୱରେ ଈଶ୍ଵର ରହନ୍ତି । ତା’ପରେ ଶିଶୁଟି ସଂସାର ଚକ୍ରରେ ଘୂରି ବୁଲେ । କପାଳରେ ଯାହା ଲେଖା ହୋଇଥାଏ, ତାହା ସୋପାନ ସୋପାନ ଦେଇ ଭୋଗ କରେ । ସଂସାରର ସମସ୍ତ ଶକ୍ତି ବି ଠୁଳ ହେଲେ–ସବୁ ଦେବଦେବୀ ଏକତ୍ର ହେଲେ କେହି କାହାର ଭାଗ୍ୟରୁ ବିଧାତା ସ୍ୱାକ୍ଷରକୁ ଲିଭାଇ ପାରିବେ ନାହିଁ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଦୃଶ୍ୟ ଶକ୍ତିର ସ୍ୱାକ୍ଷରଟି ଜାଜ୍ଜ୍ଵଲ୍ୟମାନ ହୋଇଉଠେ ।

 

ଯାହାହେଉ–

 

ଆଭା ଜନ୍ମର ଠିକ୍ ଅବ୍ୟବହିତ ପୂର୍ବରୁ ମୁଁ ମନ ପରିବର୍ତ୍ତନ ପାଇଁ ମେରାଇନ୍ ଡ୍ରାଇଭକୁ ଆସିଥିଲି । ଆକସ୍ମିକ ଭାବରେ ଆଭା ଜନ୍ମ ହେଲା । ମୁଁ ମୂର୍ଚ୍ଛିତ ହୋଇ ପଡ଼ିଥିବା ସମୟରେ ସ୍ୱାମୀ ପ୍ରାଣବାନନ୍ଦଜୀ ବହୁ କଷ୍ଟ ସ୍ୱୀକାର କରି ମୋତେ ନେଇ ତାଙ୍କ ଆଶ୍ରମରେ ରଖାଇଲେ । ମୋର ଚେତା ଫେରି ପାଇଲା ପରେ ସବୁ କଥା ଜାଣିଲି । ଠିକ୍ ସେହିଦିନ ରାତ୍ରିରେ ମୁଁ ଆସି ମୋର ଜୀବନର ଏକ କ୍ଷୁଦ୍ର ଅଥଚ ବିସ୍ମୟକର ଇତିହାସ ସହିତ ଶିଶୁଟିକୁ ଛାଡ଼ି ଦେଇ ଯାଉଛି । ମୁଁ ଏ ଦେବ ଶିଶୁକୁ ନେଇ ପ୍ରାଣାରାମବାବୁଙ୍କ ଭଳି କପଟୀ, ନରାଧମ, ଆତ୍ମଜ୍ଞାନ ବିବର୍ଜିତ, ପାର୍ଥିବ ଭୋଗବିଳାସଲିପ୍‍ସୁ ବ୍ୟକ୍ତିଙ୍କୁ ଆଉ ମୁହଁ ଦେଖାଇବାକୁ ଚାହେଁନା । ତେଣୁ ଶିଶୁଟିକୁ ଛାଡ଼ି ମୁଁ ଚାଲି ଯାଉଛି । ଯେଉଁ ସହୃଦୟ ପୁଣ୍ୟାତ୍ମା ବ୍ୟକ୍ତି ଏ ଶିଶୁଟିକୁ ପାଇବେ–ସେ ଏହାର ନାମ ରଖିବେ ଆଭା-। ମୋ' କାମନାର ସ୍ୱାକ୍ଷର, ବେଦନାର ଜୟମାଲ୍ୟ–ଶିଶୁଟିକୁ ଯେପରି ରାଜକୁମାରୀ ଭଳି ଲାଳନପାଳନ କରିବେ । ଏତିକି ମୋର ଅଶ୍ରୁଳ ଅନୁରୋଧ ।"

 

ରାମନନ୍ଦନ ବାବୁ ସନ୍ତାନହୀନ ଥିବାରୁ ଶିଶୁ କନ୍ୟାଟିକୁ ଆଗ୍ରହରେ ଆଣି ପାଳିଲେ । ସେ ବହୁ ଦିନରୁ ବିପତ୍ନୀକ ହୋଇଥିଲେ । ତେଣୁ ଶିଶୁକନ୍ୟାଟିର ଲାଳନ ପାଳନ ଭାର ନିଜେ ବହନ କଲେ । ତା’ର ନାମ ରଖାଗଲା ସେହି ଆଭା । ଆଭା ରାମନନ୍ଦନ ବାବୁଙ୍କୁ 'ବାପା ବାପା' ଡାକିଲା । ରାମନନ୍ଦନ ବାବୁ ବି ତାକୁ କନ୍ୟା ଭାବରେ କେବଳ ଯେ ଗ୍ରହଣ କଲେ ତାହା ନୁହେଁ, ଉତ୍ତରାଧିକାରିଣୀ ଭାବରେ ମଧ୍ୟ । ତାର ପଢ଼ାପଢ଼ିର ବ୍ୟବସ୍ଥା କଲେ । ଅନେକ ଦିନ ପରେ ଫିଲିମ୍ କମ୍ପାନୀର କର୍ମକର୍ତ୍ତାମାନଙ୍କ ସହିତ ମନାନ୍ତର ଘଟି ରାମନନ୍ଦନ ବାବୁ ବମ୍ବେରୁ ବିଦାୟ ନେଲେ ।

 

ତା' ପରେ–

 

କଳେ ବଳେ କୌଶଳେ–

 

ଓଡ଼ିଶାର ଜଣେ ଉଚ୍ଚପଦସ୍ଥ ଶାସନ ବିଭାଗୀୟ କର୍ମଚାରୀ ରୂପେ ଯୋଗଦେଲେ । ଅଳ୍ପ ସମୟ ଭିତରେ ସେ ଅତ୍ୟନ୍ତ କାର୍ଯ୍ୟଦକ୍ଷ ଲୋକ ବୋଲି ବିବେଚିତ ହେଲେ । ଶାସକ ଭାବରେ ତାଙ୍କର ନାମ ଚାରିଆଡ଼େ ବିଖ୍ୟାତ ହୋଇଗଲା । ସେ ବି କଟକରେ ମହାନଦୀ କୂଳରେ ଖଣ୍ଡିଏ ଜାଗା କିଣି ଘର ଦ୍ୱାର କରି ରହିଲେ ।

 

ଦିନେ କାର୍ଯ୍ୟୋପଲକ୍ଷରେ ସେ ବମ୍ବେ ଯାଇଥିଲେ । ସ୍ୱାମୀ ପ୍ରଣବାନନ୍ଦଙ୍କ ସହିତ ତାଙ୍କର ସାକ୍ଷାତ ହେଲା । ସ୍ୱାମୀଜୀଙ୍କୁ ଓଡ଼ିଶା ଆସିବା ପାଇଁ ସେ ସଭକ୍ତି ଅନୁରୋଧ କଲେ । ସ୍ୱାମୀଜୀ ତାଙ୍କୁ ନିଜର ସମ୍ମତି ଜଣାଇଲେ । ରାମନନ୍ଦନ ବାବୁଙ୍କର ଆନନ୍ଦ କହିଲେ ନ ସରେ ।

 

ସ୍ୱାମୀ ପ୍ରାଣବାନନ୍ଦ ରାମାନନ୍ଦନ ବାବୁଙ୍କ ସହିତ ଆସି ତାଙ୍କ ମହାନଦୀ କୂଳ ବାସଭବନରେ ଏକ ଘରେ ରହିଲେ । ରାମନନ୍ଦନ ବାବୁଙ୍କ ଘରେ ଆଭା ବ୍ୟତୀତ ଅନ୍ୟ କେହି ନଥିବାରୁ ସ୍ୱାମୀଜୀଙ୍କର କୌଣସି ଅସୁବିଧା ହେଲା ନାହିଁ । ସ୍ୱାମୀଜୀଙ୍କ ଐଶ୍ଵରୀକ ଶକ୍ତି ସମ୍ବନ୍ଧରେ ଚାରିଆଡ଼େ ପ୍ରଚାର ହୋଇଗଲା । ଦିନ ରାତି ଶହ ଶହ ଦର୍ଶନକାମୀ ଜନତା ସ୍ୱାମୀଜୀଙ୍କ ନିକଟକୁ ଦଉଡ଼ିଲେ । ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ଏକରକମ ରାମନନ୍ଦନ ବାବୁଙ୍କ ଘର ତୀର୍ଥରେ ପରିଣତ ହୋଇଗଲା । ସିଦ୍ଧ ସାଧୁ ସ୍ୱାମୀଜୀଙ୍କ ଠାରୁ ଯେ ଯାହା ଚାହିଁଲା ତାହା ପାଇଲା ।

 

ଦିନେ ଏକ ଅଦ୍ଭୁତ ଘଟଣା ଘଟିଲା । ଜଣେ କୁଷ୍ଠ ରୋଗିଣୀ ସ୍ୱାମୀଜୀ ମଣୋହୀରେ ବସିଥିବା ସମୟରେ ଘର ଭିତରକୁ ପଶି ଆସିଲା । ସ୍ୱାମୀଜୀ ତା' ଆଡ଼କୁ ଆଦୌ ଅନାଇଲେ ନାହିଁ-। ମୁହଁ ତଳକୁ କରି ମୁରୁକି ମୁରୁକି ହସିଲେ । ଅନ୍ୟମାନେ ବ୍ୟସ୍ତ ହୋଇ ରୋଗିଣୀଟିକୁ ତଡ଼ି ଦେବା ସମୟରେ ସ୍ୱାମୀଜୀ ହସ୍ତ ହଲାଇ ସେପରି ନ କରିବାକୁ ଇଙ୍ଗିତ ଦେଲେ ।

 

ରୋଗିଣୀଟି ଯେତେବେଳେ ଅତ୍ୟନ୍ତ କାତର ହୋଇ କରୁଣ କ୍ରନ୍ଦନ କରି ଅଧିରା ହୋଇ ଗୋଡ଼ତଳେ ପଡ଼ି ସ୍ୱାମୀଜୀଙ୍କ ପାଦରୁ ଚରଣ ଧୂଳୀ ନେବାକୁ ହାତ ବଢ଼ାଇଲା, ସ୍ୱାମୀଜୀ ସେତେବେଳେ କହିଲେ–"ତୁମର ପାପର ପ୍ରାୟଶ୍ଚିତ ଶେଷ ହୋଇ ନାହିଁ । ଆଉ ଦୁଇ ମାସ ପରେ ତୁମେ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଯିବ ।

 

ରୋଗିଣୀ ଆଖିରୁ ଆନନ୍ଦର ଲୁହ ଧାର ଧାର ହୋଇ ବହିଗଲା । ସେ କୃତଜ୍ଞତାରେ ହାତଯୋଡ଼ି ସ୍ୱାମୀଜୀଙ୍କୁ ପ୍ରଣତି ଜଣାଇ ବିଦାୟ ନେଇ ଚାଲିଗଲା । ପ୍ରତିଦିନ ସକାଳେ, ସନ୍ଧ୍ୟାବେଳେ ରୋଗିଣୀଟି ସ୍ୱାମୀଜୀଙ୍କ ନିକଟକୁ ଆସେ । କିଛି ସମୟ ବସେ, ତା’ପରେ ଚାଲିଯାଏ-

 

ସ୍ୱାମୀଜୀଙ୍କ ଆଦେଶମତେ ଯେଉଁଦିନ ଦୁଇମାସ ପୁରିଗଲା, ଠିକ୍ ସେହିଦିନ ରୋଗମୁକ୍ତ ହୋଇଗଲା ଭଳି ଅନ୍ତରରେ ସେ ଅନୁଭବ କଲା । କ୍ରମେ କ୍ରମେ ତା` ଦେହରେ ଲାବଣ୍ୟ ଉକୁଟି ଉଠିଲା । ସେ ଆଉ ସ୍ୱାମୀଜୀଙ୍କ ପାଖ ଛାଡ଼ି କୁଆଡ଼େ ଗଲାନାହିଁ । ସ୍ୱାମୀଜୀଙ୍କ ଭଳି ଗେରୁଆ ବସ୍ତ୍ର ପିନ୍ଧିଲା । ତାଙ୍କର ସେବାରେ ସବୁବେଳେ ଲାଗିରହିଲା । ଅଭାକୁ ନିଜର କନ୍ୟା ଭଳି ଦେଖିଲେ ସ୍ୱାମୀଜୀ । ତା’ର ସବୁ ହାନି ଲାଭ ବୁଝିଲେ ।

 

ରାମନନ୍ଦନ ବାବୁ ଆଉ ସ୍ୱାମିଜୀଙ୍କୁ ଛାଡ଼ିଲେ ନାହିଁ କି ସ୍ୱାମୀଜୀ ରାମନନ୍ଦନବାବୁଙ୍କ ଭକ୍ତିରେ ଏପରି ଭାବରେ ବଶ ହୋଇଗଲେ ଯେ ତାଙ୍କୁ ଛାଡ଼ି କୁଆଡ଼େ ଯାଇପାରିଲେ ନାହିଁ । ତେବେ–

 

ରାମନନ୍ଦନ ବାବୁଙ୍କର ଗାର୍ହସ୍ଥ୍ୟ ଜୀବନ ଉପଭୋଗ କରିବାର ସୀମା ପାରି ହେବାର ସମୟ ହୋଇ ନଥିବା ହେତୁ ବେଳେ ବେଳେ ସଂସାରର ମାୟା ମମତାରେ ଧନ୍ଦି ହୋଇ ପଥହରା ହୋଇଥାଅନ୍ତି । ମୁଣ୍ଡର ଗୋଳମାଳ ଘଟେ । ସେ ଦୁଇ ନାବରେ ଗୋଡ଼ଦେଇ ଗୋଳମାଳ ଅବସ୍ଥାରେ ପଡ଼ନ୍ତି । ସ୍ୱାମୀଜୀ ଏକଥା ଜାଣି ରାମନନ୍ଦନ ବାବୁଙ୍କୁ ସଂସାରୀ ହେବା ପାଇଁ ପ୍ରବର୍ତ୍ତାନ୍ତି-

 

ଅନ୍ୟାନ୍ୟ ଶିଷ୍ୟମାନେ ଏଥିରେ ଆଶ୍ଚର୍ଯ୍ୟ ହୋଇ ସ୍ୱାମୀଜୀଙ୍କୁ ନାନା ପ୍ରଶ୍ନ ବଣରେ ଜର୍ଜରିତ କରନ୍ତି । ସ୍ୱାମୀଜୀ ଧୀରସ୍ଥିର ଚିତ୍ତରେ ପ୍ରଶ୍ନକର୍ତ୍ତାମାନଙ୍କୁ ଜ୍ଞାନୀୟ ଉତ୍ତର ଦେଇ ସନ୍ତୁଷ୍ଟ କରନ୍ତି । ସେ ଉପଦେଶ ଛଳରେ କହନ୍ତି ‘‘ଯେଉଁ ପଥ ଧରିବ ଯିଏ ଧର । ତାହା ଗୋଟିଏ ହେବା ବିଧେୟ । ଯେଉଁ କଥା ଯିଏ କରିବ କର, ତାହା ଭଲ ଭାବରେ କରିବା ଉଚିତ । କୌଣସି କାର୍ଯ୍ୟକୁ ଅଧା କରି ଛାଡ଼ିଦେଲେ ମଣିଷ ହିସାବରେ ଆତ୍ମତୃପ୍ତି ତ ଆସେ ନାହିଁ କି କିଛି ଫଳ ମଧ୍ୟ ମିଳେ ନାହିଁ । ଏହାଦ୍ଵାରା ଭଗବାନ ଅସନ୍ତୁଷ୍ଟ ହୁଅନ୍ତି । ଏଣୁ ସାବଧାନ ହୋଇ କର୍ତ୍ତବ୍ୟ କରିବା ଉଚିତ । ପ୍ରତି କଥାରେ ପଛଘୁଞ୍ଚା ଦେଲେ ପଲାୟନପନ୍ଥୀ ପଦବୀରେ ଭୂଷିତ ହେବାକୁ ହେବ ।

 

ମଣିଷ ଜନ୍ମ ହୋଇ ଯାହା କରିବା ଉଚିତ, ତାହା ଭଲ ଭାବରେ କରିଯିବା ଉଚିତ । କ୍ଷୀର ହାଣ୍ଡିରେ ହାତ ପୂରାଇ ତାର ସ୍ୱାଦ ଅନୁଭବ କରିବା ପୂର୍ବରୁ କ୍ଷୀର ହାଣ୍ଡିରେ ହାତ ପୂରାଇ ଦେଲେ କିଛି ସ୍ୱାଦ ତ ବାରିହୁଏ ନାହିଁ ବରଂ ଏକ କିମ୍ଭୂତକିମାକାର ରୁଚିର ସୃଷ୍ଟି ହୋଇ ମନକୁ ବିଷାକ୍ତ କରେ । ଆଶା, ଆସକ୍ତିକୁ କମାଇ ଦିଏ ।

 

ଗାର୍ହସ୍ଥ୍ୟ ଓ ବାନପ୍ରସ୍ଥ କେହି କାହାଠାରୁ କୌଣସି ଗୁଣରେ ଊଣା ନୁହେଁ । ଉଭୟ ହିଁ ମାନବୋଚିତ ଧର୍ମ । ଗୋଟିକରେ ପଶି ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ରୂପେ ଜ୍ଞାନ ଲାଭ କରିବା ପୂର୍ବରୁ ଅନ୍ୟ ଆଡ଼େ ମନ ବଳାଇଲେ କୌଣସିଟିରେ ତୃପ୍ତି ଆସେ ନାହିଁ । ଅଶାନ୍ତ ଆତ୍ମା ପ୍ରେତ ଭଳି ସବୁବେଳେ ହାହାକାର କରିଉଠେ । ଦାନ, ଧର୍ମ, ତପ ଜପ ସବୁ ନିଷ୍ଫଳ କରି ଦେବାର ଚେଷ୍ଟା କରେ ।

 

ଏଣୁ ମୋ ମତରେ ତୁମର ଗାର୍ହସ୍ଥ୍ୟ ଜୀବନ ଯେତେବେଳେ ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ ତୁମେ ସେତେବେଳେ ବାନପ୍ରସ୍ଥର କଣ୍ଟକ ପଥରେ ପାଦ ନ ଥାପି ପୁଣି ଗାର୍ହସ୍ଥ୍ୟ ଜୀବନର ମହତ୍ତ୍ୱ ସମ୍ଭନ୍ଧରେ ଜ୍ଞାନ ଆହାରଣରେ ଆଗ୍ରହୀ ହୁଅ । ରାମନନ୍ଦନବାବୁଙ୍କର ମସ୍ତକରେ ବଜ୍ର ପଡ଼ିଲା । ସ୍ୱାମୀଜୀଙ୍କ ଆଦେଶକୁ ଶ୍ରୀରୋଧାର୍ଯ୍ୟ କରି ସେ ପୁଣି ଘର ସଂସାରର ମଧୁ ଚାଖିବାକୁ ଇଚ୍ଛା ବାରଣ କଲେ । ମହାମାୟା କଲେଜର ଅଧ୍ୟକ୍ଷ ଶିଖାଦେବୀଙ୍କ ସହିତ ରାମନନ୍ଦନବାବୁଙ୍କର ଶୁଭ ପରିଣୟ ସମ୍ପନ୍ନ ହେଲା ।

 

ଯେତେବେଳେ ରାମନନ୍ଦନବାବୁଙ୍କର ନବ ବିବାହିତା ପତ୍ନୀ ଆସି ସ୍ୱାମିଜୀଙ୍କୁ ମୁଣ୍ଡରୁ ଓଢଣା ଟେକି ପ୍ରଣାମ କଲେ, ସେତେବେଳେ ସ୍ୱାମୀଜୀ କହିଲେ "ତୁମର ଝିଅ ଭଳି ଗୋଟିଏ ସର୍ବଗୁଣ ସମ୍ପୂର୍ଣ ପୁତ୍ର ଲାଭକର ।"

 

ମୁଣ୍ଡରେ ଓଢ଼ଣା ଟାଣି ଦେଇ ଚମକି ପଡ଼ିଲା ନୂଆବୋହୂ । ସ୍ୱାମୀଜୀଙ୍କ କଥା ପଦକ ଯେପରି ଅସୀମୁନ ଭଳି ତା' ଛାତିରେ ଭୁସି ହେଇଗଲା । କଲିଜାରେ ଦାଗ କାଟିଦେଲା ।

 

ସେ କିଛି ନ ଜାଣିଲା ପରି ନିଜର ସ୍ୱାମୀ ରାମନନ୍ଦନ ବାବୁଙ୍କୁ ନିଶୀଥରେ ଗେହ୍ଲେଇ ହୋଇ କହିଲା–"ମୋ ରାଣ ପକାଇଲ, ମୁ ଯାହା ପଚାରିବି ତାହା ସତ କହିବ ?"

 

ନବବଧୂଙ୍କ କଥାରେ ହଠାତ୍ ଉତ୍ତର ନଦେଇ ରାମନନ୍ଦନ ବାବୁ ଚୁପ୍‍ରହି କେତେ କ’ଣ ଭାବିଗଲେ । ଏଭଳି ପ୍ରଶ୍ନ ରାମନନ୍ଦନ ବାବୁଙ୍କ ନିକଟରେ ଆଦୌ ନୂଆ ନୁହେଁ । ଏହିପରି ଦିନେ ଜଣେ ନବବଧୂ ତାଙ୍କୁ ରାଣ ଦେଇ କେତେ କଥା ପ୍ରଥମ ସାକ୍ଷାତ ବେଳେ ପଚାରିଥିଲା । ସାଧାରଣତଃ ନବ ବିବାହିତ ପତି ପତ୍ନୀଙ୍କ ମଧ୍ୟରେ ‘ରାଣ’ ଟି ନିର୍ମ୍ମାଲ୍ୟ ଭଳି କାମ କରେ । ଏହି ରାଣ ମାଧ୍ୟମରେ ଜଣେ ଜଣଙ୍କଠାରୁ ଅନେକ କଥା ଆଦାୟ କରିବାକୁ ଚେଷ୍ଟା କରେ ।

 

ପୁଣି–

 

ଏହି 'ରାଣ' ମାଧ୍ୟମରେ ଜଣେ ଜଣଙ୍କ ପାଖରେ ଏକାନ୍ତ ଅପରିଚିତ ହେଲେ ହେଁ–ଜୀବନ ସମର୍ପଣ ଉତ୍ସବ ନିମିଷକରେ ଅନୁଷ୍ଠିତ ହୋଇଥାଏ ।

 

ଅବଶ୍ୟ–

 

ଉତ୍ତର ଜୀବନରେ, ବାସ୍ତବକ୍ଷେତ୍ରରେ, ଏ ରାଣର ମୂଲ୍ୟ ଅନେକ ପରିମାଣରେ କମିଯାଏ । ଜୀବନ ସଂଗ୍ରାମର ଦ୍ଵନ୍ଦରେ ଅନେକ ସମୟରେ କାଟୁ କରେନା । ସେତେବେଳକୁ ଆଉ ଯୁବସୁଲଭ ଚପଳତା ନଥାଏ–ଆସକ୍ତିର ଲେଲିହାନ ବହ୍ନି ଧୂ' ଧୂ' ହୋଇ ଜଳୁ ନ ଥାଏ–କାମନାର ନନ୍ଦନବନରେ କଳ୍ପନାର ପାରିଜାତ ଫୁଟୁ ନ ଥାଏ–ଅନୁରକ୍ତିର କ୍ଷୀଣ ରେଖାକୁ ସ୍ପର୍ଶ କରି ସମ୍ପର୍କ ତିଷ୍ଠି ରହିଥାଏ ।

 

ରାମନନ୍ଦନ ବାବୁ ଏଥର ପତ୍ନୀଙ୍କୁ ହସି ହସି କହିଲେ–"ହଁ ଯାହା ପଚାରିବ, ତାହା କହିବି-।" ନବବଧୂ ରାମନନ୍ଦନ ବାବୁଙ୍କ ଗଳାରେ ବାହୁଲତାକୁ ବେଢ଼ାଇ, କଣ ପାଖରେ ତୁନି ତୁନି କରି ପଚାରିଲେ–"ମୁଁ ଆଜି ସ୍ୱାମିଜୀଙ୍କୁ ପ୍ରଣାମ କଲାବେଳେ ସେ ଏପରି ଆଶୀର୍ବାଦ କଲେ କ’ଣ-?’’ ରାମନନ୍ଦନ ବାବୁ ହସିହସି କହିଲେ–“ତୁମେ ମୋର ଦେହ ଛୁଅଁ, ଯଦି ଏକଥା କାହା ଆଗରେ ନ କହିବ, ତେବେ ମୁଁ କହିପାରେ ।’’ ନବବଧୂ ରାମନନ୍ଦନ ବାବୁଙ୍କ ଦେହ ନ ଛୁଇଁ ଜଳୁଥିବା ଶୁଭବାସର ପ୍ରଦୀପକୁ ଛୁଇଁ, ନିୟମ କରି କହିଲା ଯେ “ମୁଁ ଏକଥା କେବେ କାହାକୁ ଜୀବନରେ କହିବି ନାହିଁ ।”

 

ରାମନନ୍ଦନ ବାବୁ କହିଲେ–"ସ୍ୱାମୀଜୀଙ୍କ କଥାରେ ନିଶ୍ଚୟ ଯଥାର୍ଥ୍ୟ ପୂର୍ଣ୍ଣ ମାତ୍ରାରେ ଅଛି । ଆମ ଘରେ ଗୋଟିଏ ଝିଅ ଅଛି । ମୁଁ ତାକୁ ବମ୍ବେରେ ଥିଲାବେଳେ ମେରାଇନ ଡ୍ରାଇଭ୍‍ରୁ ପାଇଥିଲି । ସେ ସବୁ ଅନେକ କଥା । କହି ବସିଲେ ପୋଥି ହେବ । ସେଇଦିନରୁ ମୁଁ ପିଲାଟିକୁ ମୋ ଝିଅ ବୋଲି ଧରି ନେଇଛି । ତା’ର ପିତାମାତା ସମ୍ପୂର୍ଣ୍ଣ ଅଜ୍ଞାତ ।

 

ପିଲାଟି ସମ୍ବନ୍ଧରେ ବିଶେଷ ଜାଣିବା ପାଇଁ ଗୋଟିଏ ବିଧିବଦ୍ଧ ଦଲିଲ ମୋ ନିକଟରେ ଅଛି । ସେଇଠିକୁ ପଢ଼ିଲେ ତୁମେ ସବୁ ଜାଣି ପାରିବ ।

 

ନବବଧୂ ଜିଦ୍ କଲାରୁ ଟ୍ରଙ୍କ ଫିଟାଇ ଚିଠିଟିକୁ ଆଣି ଦେଲେ ରାମନନ୍ଦନ ବାବୁ ।

 

ହୋମ ନଡ଼ିଆରୁ ରମାନନ୍ଦନ ବାବୁ ଖଣ୍ଡିଏ ମଡ଼ ମଡ଼ କରି ଚୋବାଉ ଥିଲାବେଳେ ନବବଧୂ ଚିଠିଟିକୁ ଏକା ନିଶ୍ୱାସକେ ପଢ଼ି ଯାଉଥିଲା ।

 

ଚିଠିଟି ପଢ଼ିସାରିଲା ପରେ ଗଛ କାଟିଲାପରି ବାସର ଶେଜ ଉପରେ କଚାଡ଼ି ହୋଇ ମୂର୍ଚ୍ଛିତା ହୋଇଗଲା ନବବଧୂ । ରାମନନ୍ଦନବାବୁ କିଛି ଭାବି ପାରିଲେ ନାହିଁ । ନିଜର ନବ ବିବାହିତ ପତ୍ନୀଙ୍କର ଏତାଦୃଶ ଭାବପ୍ରବଣତାରେ ନିଜକୁ ଅସହାୟ ମଣିଲେ । ପାଣିସିଞ୍ଚି ତାକୁ ସଚେତ କରାଇଲେ ।

 

ଆଉ ଅଧିକ କିଛି ପଚାରିଲେ ନାହିଁ । ଜୀବନର ସବୁ ଠାରୁ ସ୍ମୃତିସଂକୁଳ ମଧୁମୟ ଦିବସହିଁ ଅଶ୍ରୁ ଉତ୍ସବର ଉଦ୍‍ଯାପନ ଦିବସ ହୋଇ ରହିଲା । ରାତି ପାହିଗଲା ।

 

ନବବଧୂ ମହାନଦୀକୁ ସ୍ନାନାର୍ଥେ ଗଲେ । ରାମନନ୍ଦନବାବୁ ଦେଖିଲା ବେଳକୁ ଆଭା ସହିତ ମିଳିଥିବା ଚିଠିଟି ଚିରା ହୋଇ ପଡ଼ିଛି । ରାମନନ୍ଦନବାବୁ ଚିଠିକୁ କେନ୍ଦ୍ରକରି କେତେ କ’ଣ ଭାବିଯାଉଥିଲେ ।

 

ରାମନନ୍ଦନବାବୁ ଓଡ଼ିଶା ସରକାରଙ୍କର ଯେଉଁ ବିଭାଗରେ ସର୍ବୋଚ୍ଚ ପଦାଧିରୂଢ଼, ସେହି ବିଭାଗରେ ଜଣେ ଅଧସ୍ତନ କର୍ମଚାରୀ ରୂପେ କାର୍ଯ୍ୟକରେ ରସାନନ୍ଦ ।

 

ବଡ଼ ହାକିମ ରାମନନ୍ଦନ ବାବୁଙ୍କ ଝିଅ ଆଭା ସହିତ ନିଜ ଝିଅ ସଂଘମିତ୍ରାର ସଖ୍ୟତା ଥିବା ହେତୁ ରସାନନ୍ଦ ନିଜକୁ ଧନ୍ୟ ମନେ କରେ । ଏହି ସୂତ୍ରରେ ହାକିମଙ୍କ ଠାରୁ ଅଧିକ ଅନୁଗ୍ରହର ଆଶା ରଖେ । ସକାଳୁ ଅଫିସକୁ ଯାଇ ସଞ୍ଜରେ ଘରକୁ ଫେରେ । ଆଉ କେଉଁକଥା ତା’ର ବୁଝିବାକୁ ବେଳ କାହିଁ ?

 

ବେଳେ ବେଳେ ପୁଅଝିଅଙ୍କୁ ରସାନନ୍ଦ ପଢ଼ା ପଢ଼ି ସମ୍ବନ୍ଧେ ପଚାରି ଦିଏ ।

 

ତାପରେ ତା'ବାଟରେ ସିଏ । ପୁଅଝିଅଙ୍କ ବାଟରେ ପୁଅଝିଅ ।

 

ରେବତୀ ଗାଁରୁ କଟକ ଆସିଲା ଦିନରୁ କିଛି କହେନା ସଂଘମିତ୍ରାକୁ । ବରଂ କେହି କିଛି କହିଲେ ରେବତୀ କହେ–"ଝିଅ କ’ଣ ଆଉ କୋଳର କାଖର ପିଲାଛୁଆ ହୋଇଛି ଯେ–ତାକୁ କ’ଣ କହିହେବ ? କିଛି କହିଲେ ଲୋକେ କହିବେ–"ମଲା, ଶାଶୁ ଶଶୁର ଘର ଝିଅଟାକୁ ଏମିତି କ’ଣ କହୁଛନ୍ତି ମ ।"

 

ତେଣୁ–

 

ସଂଘମିତ୍ରା ମନଇଚ୍ଛା କେଉଁଦିନ ଆଭାଙ୍କ ଘରେ ଯାଇଁ ରହେ, ଆଭା କେଉଁ ଦିନ ଆସି ସଂଘମିତ୍ରାଙ୍କ ଘରେ ରହେ । କେହିକିଛି କହନ୍ତି ନାହିଁ ।

 

ସବୁଦିନ ସମାନ ନ ଥାଏ । ଉଭୟଙ୍କର କଞ୍ଚା ବୟସ । କଞ୍ଚା ମନ । ଦେହରେ ଭରା ଯୌବନ । ମନରେ ଗୋଲାପୀ କଳ୍ପନାର ଜୁଆର । ପ୍ରତି ମୁହୂର୍ତ୍ତରେ ସ୍ଖଳନର ସମ୍ଭାବନା, ସେଥିରେ ପୁଣି ଆକଟ ନାହିଁ ।

 

ଶସ୍ତା ଉପନ୍ୟାସର ନହୁଲୀ ନାୟିକା ଭଳି ଉଭୟେ ସତତ ଉନ୍ମନା, ସଂଯମ, ଶୃଙ୍ଖଳାର ସୀମା ବାହାରେ ।

 

ଓଧ ସାଙ୍ଗରେ ଭୁଆଁ ବିରାଡ଼ି ବାଇ ହେଲା ପରି ପୁରୁଷ ସହପାଠୀ ସୌମେନ୍ଦ୍ର ସାଙ୍ଗରେ ସେମାନେ ନାଇଟ୍ କ୍ଳବ୍‍କୁ ଯାନ୍ତି, ସୁରାପାନ କରନ୍ତି, ବଲ ଡ୍ୟାନ୍‍ସରେ ତାଲିମ ନିଅନ୍ତି । କ୍ଲବ୍‍ରେ ରାତି ପୁହାନ୍ତି ।

 

ଆଭାଙ୍କ ଘରେ ସମସ୍ତେ ଜାଣନ୍ତି–"ଆଭା ସଂଘମିତ୍ରାଙ୍କ ଘରେ ଅଛି । ସଂଘମିତ୍ରାଙ୍କ ଘରେ ସମସ୍ତେ ଅନୁମାନ କରନ୍ତି ସଂଘମିତ୍ରା ଆଭାଙ୍କ ଘରେ ଅଛି । କେହି କାହାରି କଥା ଜାଣିପାରନ୍ତି ନାହିଁ । ମନରେ ସନ୍ଦେହ ବି ପୋଷଣ କରନ୍ତି ନାହିଁ ।

 

ଯେଉଁଦିନ ଧବଳେଶ୍ୱର ମନ୍ଦିରରେ ଆଭାର ବୋଉ, ଶିଖା ଆଉ ସଂଘମିତ୍ରାର ବୋଉ ରେବତୀ ଦେଖା ହୋଇଥିଲେ–ସେହିଦିନ ଉଭୟେ ଉଭୟଙ୍କର ହୃଦୟ ଜାଣିବାର ସୁଯୋଗ ପାଇଥିଲେ । କର୍ମଜଞ୍ଜାଳ ଭିତରେ ଦେଖାସାକ୍ଷାତ ନ ଘଟୁଥିଲେ ମଧ୍ୟ ଉଭୟେ ଉଭୟଙ୍କୁ ନିବିଡ଼ ଭାବରେ ମନେ ରଖିଛନ୍ତି ।

 

ଉଭୟେ ଉଭୟଙ୍କୁ ଖାଲି ପସନ୍ଦ କରନ୍ତି ନାହିଁ, ଭାରି ଶ୍ରଦ୍ଧା କରନ୍ତି, ପ୍ରଶଂସା କରନ୍ତି । ମଝିରେ ମଝିରେ ଝିଅମାନଙ୍କ ଦ୍ୱାରା ଚିଠି ପତ୍ର ଆଦାନ ପ୍ରଦାନ ହୋଇ ବନ୍ଧୁତାର ମୂଳଦୁଆ ଉପରେ ମମତାର ମାଟି ମୁଠାଏ ପଡ଼େ ।

 

ରେବତୀ ଶିଖାର ପ୍ରଶଂସା କରିବାକୁ ଯାଇ କହେ–"ସତେମ, କେଡ଼େ ପାଠୋଇ ଝିଅଟାଏ । ଗୋଟାଏ ଏଡ଼େ ବଡ଼ କଲେଜର ଅଧ୍ୟକ୍ଷା । ଗୋଟାଏ ବିଭାଗର ସର୍ବୋଚ୍ଚକର୍ତ୍ତାଙ୍କ ସହଧର୍ମିଣୀ । ତିଳେହେଲେ ସେଥିପାଇଁ ତା’ର ମନରେ କ’ଣ ଗର୍ବ ଅଛି ? ନା–ବେଶଭୂଷାରେ ସେମିତି ଚାକଚକ୍ୟ ଅଛି ? ସବୁବେଳେ ହସ ହସ ମୁହଁ । ଯେ କୌଣସି ଲୋକକୁ ଘଡ଼ିକରେ ନିଜର କରି ନେବା । ଭାରି ମିଳାପୀ, ମିଷ୍ଟଭାଷିଣୀ ।

 

କିନ୍ତୁ–

 

ସଂଘମିତ୍ରା ଠାରୁ ଶୁଣିଛି ସେ ।

 

କଲେଜରେ ସେ କୌଣସି ଝିଅର ଅର୍ଦ୍ଧନଗ୍ନ ବେଶ, ଅସାମାଜିକ ଫେସନ, ଅଭଦ୍ରୋଚିତ ଭାବଭଙ୍ଗୀ ଦେଖିଲେ ରାଗରେ ଜର୍ଜରିତ ହୋଇ ରାମଚଣ୍ଡୀ ବେଶ ଧାରଣା କରେ । ଝିଅମାନେ ଭୟରେ ଥରହର ହୁଅନ୍ତି । କୌଣସି ବିବାହିତା ଝିଅ ମୁଣ୍ଡରେ ଓଢ଼ଣା, ମୁଣ୍ଡରେ ସିନ୍ଦୁର ଟୋପା ନଦେଲେ ସେ ଯେପରି ବିରକ୍ତ ହୁଏ, କୌଣସି ଅବିବାହିତା ଝିଅ ମୁଣ୍ଡ ମେଲା କରି ମୁଣ୍ଡରେ କୁଙ୍କୁମଟିପା ମାଇଲେ ସେ ସେଇମିତି ଭର୍ତ୍ସନା କରି ନାନାଦି କଟୁକଥା କହେ ।

 

ଆଭା ତା’ର ଦାଉ ସମ୍ଭାଳି ନପାରି ପୁରୁଷ କଲେଜରେ ପଢ଼ୁଛି ପରା !

 

ଶିଖା ସେଇମିତି ରେବତୀକୁ ଖୁବ୍ ପ୍ରଶଂସା କରେ । ତା’ର ବୁଦ୍ଧି, ବିବେକକୁ ଧନ୍ୟ ଧନ୍ୟ କରେ । ତା’ର ଚାଲିଚଳନ, ସହିଷ୍ଣୁତା, ଘରଣୀ ପଣିଆ, ଅମାୟିକ ବ୍ୟବହାର, ନିରାଡ଼ମ୍ବର ବେଶଭୂଷା ପାଇଁ ପସନ୍ଦ କରେ । ପ୍ରତି କଥାରେ ସେ ରେବତୀର ଉଦାହରଣ ଦେଇଥାଏ ।

 

ଏଣୁ ଆଭା ଓ ସଂଘମିତ୍ରା ଯାହା ଘରେ ରହିଲେ ମଧ୍ୟ କିଛି ଯାଏ ଆସେ ନାହିଁ । ଏହି ଧାରଣାରେ ସମସ୍ତେ ରହନ୍ତି ।

 

ବହୁଦିନ ପରେ–

 

ସବୁକଥା କିନ୍ତୁ ଜଣା ପଡ଼ିଲା । ସେତେବେଳେକୁ ଶାସ୍ତ୍ର ପ୍ରଳମ୍ବ ଅଶୁଦ୍ଧ ହୋଇ ସାରିଥିଲା ।

 

ପୂର୍ଣ୍ଣକୁମ୍ଭ ଥରେ ଚହଲିଲେ–ନିସ୍ତରଙ୍ଗ ସମୁଦ୍ରରେ ଥରେ ତରଙ୍ଗ ଉଠିଲେ–ମଧୁର ସ୍ୱାଦ ଥରେ ପାଟିରେ ଚହଟିଲେ–କଳ କଳ ନାଦିନୀ ନଦୀ ଥରେ ଗିରି କନ୍ଦର ଛାଡ଼ି ବୋହିଗଲେ–ନାରୀମନ ଥରେ ଢଳିଗଲେ–ଯୌବନ ବନରେ ଥରେ ବ୍ୟାକୁଳ ବସନ୍ତର ମଳୟ ଲାଗି ସ୍ପନ୍ଦନ ସୃଷ୍ଟି ହେଲେ ଆଉକି ସମ୍ଭାଳି ହୁଏ ? ଆଉକି ସଜାଡ଼ି ହୁଏ ?

 

ସୌମେନ୍ଦ୍ରକୁ କେନ୍ଦ୍ର କରି ଦୁଇଟି ଘୂର୍ଣ୍ଣାୟମାନ ଅଶାନ୍ତ ଗ୍ରହଭଳି ଆଗ ପଛ ହୋଇ ଘୂରିଲେ–ସଂଘମିତ୍ରା ଆଉ ଆଭା । ଏହାର ପୂର୍ଣ୍ଣ ସୁଯୋଗ ଗ୍ରହଣ କଲା ସୌମେନ୍ଦ୍ର ।

 

ପୁରୁଷ ଭ୍ରମର । ମଧୁପାନ ତା’ର ଧର୍ମ । ସୃଜନ ଶକ୍ତିରେ ସେ ନିପୁଣ । ଯେଉଁ ଫୁଲରେ ରଙ୍ଗ ଲାଗିଲା–ପରାଗ ଚହଟିଲା, ସେଇଠି ଆସ୍ଥାନ ଜମାଇବାକୁ ଚାହେଁ ଭ୍ରମର । ଫୁଲ ଯେପରି ଭଲ ମନ୍ଦ, ସମ୍ଭାବ୍ୟ ସମ୍ଭାବନାକୁ ଖାତର ନକରି ଭ୍ରମରକୁ ସଶ୍ରଦ୍ଧ ସଂବର୍ଦ୍ଧନା ଜଣାଏ, ଭ୍ରମର ସେହିପରି ନ୍ୟାୟ-ଅନ୍ୟାୟ, ଧର୍ମା-ଧର୍ମ ବାଛ-ବିଚାର ନକରି କୁସୁମର ସମ୍ବର୍ଦ୍ଧନାକୁ ସାଦରେ ଗ୍ରହଣ କରେ । ପରେ ଯେତେବେଳେ ମନ ମରିଯାଏ, ନିଶା ଛାଡ଼ିଯାଏ, ସେତେବେଳେ ଯାଇ ଚେତା ପଶେ, ଶୁଭ ବୁଦ୍ଧି ଜାଗ୍ରତ ହୁଏ । ସେତେବେଳେ–କେବଳ ଲୋକହସା ହିଁ ସାର ହୁଏ ।

 

କିଛିଦିନ ଘୂରିଲା ପରେ କକ୍ଷଚ୍ୟୂତ ହୋଇ ଛିଣ୍ଡିପଡ଼ିଲା ଗୋଟିଏ ଗ୍ରହ, ଆଭା ।

 

ଆଉ ଗୋଟିଏ ଗ୍ରହ ସଂଘମିତ୍ରା ପ୍ରଖର ଗତିରେ ଘୂରିବାକୁ ଲାଗିଲା । ଜାତି ଗୋତ୍ରର ଭେଦା ଭେଦ ରହିଲା ନାହିଁ । ପ୍ରଣୟଧାରାର ବାରି ପାନ କରିବାକୁ ଚିତ୍ତ-ଚାତକ ତା’ର ସବୁବେଳେ ଘୂରିଲା । ଧନ, ମାନ, ରୂପ, କୁଳ ମର୍ଯ୍ୟାଦା କଥା ଭୁଲିଗଲା ।

 

ମନର ମିଳନ ଘଟିଲା । ଥରେ ମନର ମିଳନ ଘଟିଲେ ତାହା ଆଉ ବିଚ୍ଛେଦରେ ପର୍ଯ୍ୟବସିତ ହେବା ସହଜ ନୁହେଁ ଯେପରି ଲକ୍ଷ ଯୁଗ ପାଣିରେ ଝକମକିକି ବୁଡ଼ାଇ ରଖିଲେ ତା’ର ଦେହରୁ ଅଗ୍ନିକଣା ନିଃଶେଷ ହୁଏନା । ସଂଘମିତ୍ରା ବଶିଷ୍ଟ ମହାପାତ୍ର ଘରର ଝିଅ । ସୌମେନ୍ଦ୍ର ଇତର ଜାତିର ପୁଅ । ସଙ୍ଘମିତ୍ରାର ବାପ, ଅଜା ଚଉଦ ପୁରୁଷ, ବୁନିଆଦୀ ଖାନଦାନୀ ପାଖରେ ସୌମେନ୍ଦ୍ର ବଂଶର କଥା ଉଠିପାରେନା ।

 

ଏହା ଆଖିରେ ଦେଖିବାର କଥା ।

 

ବେଶୀ ଦିନର ଘଟଣା ନୁହେଁ । ସଙ୍ଘମିତ୍ରାର ପିତୃପକ୍ଷ ଅଜା ରଙ୍ଗନାଥଙ୍କ ଦୟାରୁ ସୌମେନ୍ଦ୍ର ବଂଶ ଏ ଗାଆଁରେ ପାଦ ଥାପି ରହି ପାରିଲେ । ରଙ୍ଗନାଥଙ୍କ ଘରେ ସୌମେନ୍ଦ୍ରର ଅଜା ଚାକିରୀ କରୁଥିଲା । ରଙ୍ଗନାଥଙ୍କ ଘରେ ସେ ବିଶ୍ଵସ୍ତ ଭୃତ୍ୟରୂପେ ପରିଗଣିତ ହେଉଥିଲା । ରଙ୍ଗନାଥ ତାକୁ ବିଭା କରାଇଥିଲେ । ରଙ୍ଗନାଥଙ୍କ ଢିଙ୍କିଶାଳ ଘରେହିଁ ସୌମେନ୍ଦ୍ରର ପିତା ଜନ୍ମ ହୋଇଥିଲେ ।

 

ଧର୍ମ ପାଳନ କରି ରଙ୍ଗନାଥ ସୌମେନ୍ଦ୍ରର ଅଜାକୁ କିଛି ଭୂସମ୍ପତ୍ତି କିଣିଦେଇ ଘରଦ୍ଵାର କରି ଦେଇଥିଲେ ।

 

ସେଦିନ ନାହିଁ । ସେ କଥା କିନ୍ତୁ ଲୋକଙ୍କ ମନରେ ଲିପିବଦ୍ଧ ହୋଇ ରହିଛି ।

 

ସଂଘମିତ୍ରା କିପରି ସୌମେନ୍ଦ୍ର ସାଙ୍ଗରେ ମନ ମିଳାଇଛି, ଏହାହିଁ ଆଶ୍ଚର୍ଯ୍ୟର ବିଷୟ । ସଂଘମିତ୍ରା କେଉଁ ଘରର ପିଲା ହୋଇ କିକଥା କରୁଛି ସତେ ?

 

ତା' ମନରେ ନିଜର କାର୍ଯ୍ୟ ପାଇଁ ଅନୁଶୋଚନା ନାହିଁ । ଗ୍ଲାନି ନାହିଁ, ଭବିଷ୍ୟତ ସମ୍ବନ୍ଧରେ ଦ୍ୱିଧା ନାହିଁ ।

 

ଯାହାହେଉ–

 

କେବଳ ହସ୍ତଗଣ୍ଠି ପଡ଼ିବା ବାକି ରହିଛି । ଉଭୟେ ଉଭୟଙ୍କ ନିକଟରେ ସ୍ୱାମୀ ସ୍ତ୍ରୀ ରୂପେ ପରିଚିତ । ଏକଥା କିନ୍ତୁ ଅତ୍ୟନ୍ତ ଗୋପନୀୟ ଥିଲା । ଆଭାର ପିତା ରାମନନ୍ଦନ ବାବୁ ମାତା ଶିଖା ଦେବୀ ଯେପରି ଏ କଥା ଜାଣି ନଥିଲେ ସଙ୍ଘମିତ୍ରାର ପିତାମାତା ରସାନନ୍ଦ-ରେବତୀ ସେମିତି କିଛି ସନ୍ଧାନ ପାଇ ନଥିଲେ ।

 

ସୌମେନ୍ଦ୍ର ସଂଘମିତ୍ରା ସାଙ୍ଗରେ ଆସିଲେ ବରଂ ରେବତୀ ଓ ରସାନନ୍ଦ ଝିଅର ସହପାଠୀ ହିସାବରେ ଅଧିକ ଆଦର କରୁଥିଲେ ।

 

ସଂଘମିତ୍ରା ଏଠାର ଆଇ.ଏସ୍ ସି. ପାଶ କରି ଡାକ୍ତରୀ ପଢ଼ିଲା ଆଉ ଦେବୀକାନ୍ତ ଇଂଜିନିୟରିଙ୍ଗ ପଡ଼ିବାପାଇଁ ଯାଦବପୁର ଗଲା ।

 

ଆଭାର କାର୍ଯ୍ୟକଳାପରେ ସନ୍ଦେହ କରି ତାକୁ ଆଉ ତା’ର ବାପ ମା' କୁଆଡ଼େ ପଢ଼ାଇଲେ ନାହିଁ ।

 

ରସାନଦ ଆଉ ରେବତୀ ଦୁହେଁ ନିଜର ପୁତ୍ର କନ୍ୟାଙ୍କର କୃତିତ୍ୱରେ କୃତ୍ୟ କୃତ୍ୟ ହୋଇ ସେମାନଙ୍କର ଶୁଭ ପାଞ୍ଚିଲେ ।

 

ମଣିଷର ଗର୍ବ, ଦମ୍ଭ ଅଭିମାନ ବୁଦ୍‍ବୁଦ୍‍ ସମ । ଆଜି ଯୋରାଜେନ୍ଦ୍ରାସନେ କାଲି ସେ ଫକୀର । କାହାର ସମ୍ମାନ ଦୁନିଆରେ ସ୍ଥାୟୀଭାବରେ ରହେନାହିଁ କି କାହାରି ଦିନ ସମାନ ଭାବରେ ଯାଏ ନାହିଁ ।

 

ଘଡ଼ିକେ ଘୋଡ଼ା ଛୁଟେ । ସବୁ ଆଶା ଭରସା ଲୋପ ପାଏ । ନିର୍ଦ୍ଧାରିତ ଗସ୍ତକ୍ରମର ପରିବର୍ତ୍ତନ ଘଟେ । ଜୀବନର ଗତି ବଦଳି ଯାଏ ।

 

ଏହାଭିତରେ ରଙ୍ଗନାଥଙ୍କର ମାନସିକ ଅବସ୍ଥାର ପୁଣି ପରିବର୍ତ୍ତନ ଘଟିଛି । ତାଙ୍କର ବହୁ ଧନ, ରତ୍ନ ଚୋରୀ ହୋଇଯାଇଛି । ଏ ଚୋରୀ ସୁପରିକଳ୍ପିତ ବୋଲି ଜଣା ପଡ଼ିଛି । ରଙ୍ଗନାଥଙ୍କ ପ୍ରତି ଅସୂୟା ପୋଷଣ କରୁଥିବା ଭାରତୀୟ ମାନେହିଁ ଏ ଚୋରୀ ସହିତ ସଂପୃକ୍ତ ଥିବାର ସନ୍ଦେହ କରାଯାଉଛି । ଏକା ମା' ପେଟର ଭାଇ ହୋଇ–ଏକା ପାଣି ପବନରେ ବଢ଼ି–ଏକା ଜାତିର ଲୋକ ହୋଇ ସେମାନେ ଏଭଳି ହୀନ କାମ କରିଛନ୍ତି । ଏହା ଆମ ଜାତୀୟ ଚରିତ୍ରରେ ଏକ ନିନ୍ଦନୀୟ ବିଷୟ ହୋଇ ଦେଖା ଦେଇଛି ।

 

ବର୍ତ୍ତମାନ ଚାରିଆଡ଼େ ରେଙ୍ଗୁନର ସିଟି ପୋଲିସ ଭାରତୀୟମାନଙ୍କ ଧରପଗଡ଼ କରୁଛନ୍ତି । ମେରୀ ମଧ୍ୟ ଧରା ହୋଇ ଜେଲ ହାଜତରେ ଅଛି । ମେରୀ ଘର ଖାନତଲାସ ହେଲା ବେଳେ ଅନେକ ଟଙ୍କା ଧରା ପଡ଼ିଛି । ସମସ୍ତଙ୍କ ମନରେ ସମାନ ଭାବରେ ସନ୍ଦେହ ସୃଷ୍ଟି ହୋଇଛି ଯେ ଉକ୍ତ ଚୋରୀ ଘଟଣା ସହିତ ନିଶ୍ଚୟ ମେରୀ ସଂପୃକ୍ତ ଅଛି ।

 

ମେରୀକୁ ଗିରଫ କଲାବେଳେ ସେ କେବଳ ସଜଳ ନୟନରେ ପ୍ରଭୁଙ୍କୁ ବିନମ୍ର ନମସ୍କାର ଜଣାଇଲା ଓ ତା’ପରେ ଜେଲ ହାଜତକୁ ଗଲା । ଜେଲ ହାଜତରେ ତାକୁ ଯେତେବେଳେ ଜେରା କରାଗଲା–ସେ ବିନା ଦ୍ୱିଧାରେ କହିଲା–"ହଁ, ହଁ, ମୋ ଘରୁ ଯେଉଁଟଙ୍କା ବାହାରିଛି ତାହା ନିଶ୍ଚୟ ରଙ୍ଗନାଥ ବାବୁଙ୍କ ଟଙ୍କା । ମୋର ଜାଣିବାରେ ମୁଁ ତାଙ୍କ ଘରୁ ଚୋରୀ କରିନାହିଁ । ଯଦି ମୋତେ ଦୋଷୀ ବୋଲି ସାବ୍ୟସ୍ତ କରାଯାଏ, ତଥାପି ବି ମୋର ଆପତ୍ତି ନାହିଁ ।" ମେରୀର ଏଭଳି ଉତ୍ତରରେ ପୋଲିସ ବଡ଼ ଅସୁବିଧାର ସମ୍ମୁଖୀନ ହେଲେ ।

 

ତଥାପି–

 

ଆଇନକୁ ତା' ବାଟରେ ଯିବାକୁ ଛାଡ଼ି ଦେଲେ । ମେରୀକୁ କୋର୍ଟରେ ହାଜର କରାଗଲା । ତା’ର ବିଚାର ଯିବାକୁ ଚାଲିଲା । ରଙ୍ଗନାଥ ଯେତେବେଳେ ଜାଣିଲେ ଯେ ମେରୀ ଚୋରୀ କରିବା ଅପରାଧରେ ଅଭିଯୁକ୍ତା ହୋଇ ବିଚାରର ସମ୍ମୁଖୀନ ହୋଇଛି ସେତେବେଳେ ଆହୁରି ତାଙ୍କର ମୁଣ୍ଡ ଖରାପ ହୋଇଗଲା । ସେ ରାୟ ବାହାରିବା ଦିନ ସିଧାଯାଇ କୋର୍ଟରେ ହାଜର ହୋଇଗଲେ । ମର୍ମସ୍ପର୍ଶୀ ବାଣୀରେ ଯେତେବେଳେ ବିଚାରପତିଙ୍କୁ ଆବେଦନ କରି କହିଲେ–"ହଜୁର ମୋର କିଛି କହିବାର ଅଛି ।"

 

ସରକାରୀ ଓକିଲ ସେତେବେଳେ ବାଧାଦେଇ କହିଲେ–ଜେରା ସରିବା ପରେ–ରାୟ ବାହାରିବା ପୂର୍ବରୁ ଆଉ କେହି କିଛି କହି ପାରିବେ ନାହିଁ ।

 

ବିଚାରପତି ବଜ୍ର ନିର୍ଘୋଷ ବାଣୀରେ ସରକାରୀ ଓକିଲଙ୍କୁ ଲକ୍ଷ୍ୟକରି କହିଲେ ଯେ ମୁଁ ନ୍ୟାୟପତି ଭାବରେ ଅନୁମତି ଦେଉଛି ଯେ ଆପତ୍ତିକାରୀ ଯାହାକିଛି କହିପାରିବେ ।

 

ରଙ୍ଗନାଥ ଅତି ନିର୍ଭିକ ଭାବରେ କୋର୍ଟରେ ହୃଦ୍‍ବୋଧ ହେଲାଭଳି କହିଲେ–"ହଜୁର ମୁଁ ପ୍ରଥମେ ଗୋଟିଏ କଥା ଆପଣଙ୍କର ଦୟାଦୃଷ୍ଟି ଆକର୍ଷଣ କରୁଛି । ପୋଲିସ ଆଇନରେ ଅଛି–"ଦୋଷୀ ପଛେ ଖସିଯାଉ ନିର୍ଦ୍ଦୋଷ ଦଣ୍ଡ ନ ପାଉ ।"

 

କିନ୍ତୁ–

 

ଏଠାରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ହୋଇଛି । ନିର୍ଦ୍ଦୋଷକୁ ଟାଣି ଓଟାରି ଦୋଷୀ ସାବ୍ୟସ୍ତ କରାଯାଇଛି । ମେରୀ ଘରୁ ଯେଉଁ ଟଙ୍କା ମିଳିଛି ତାହା ମୋ' ଘରୁ ଚୋରୀ ଯାଇଥିବା ଟଙ୍କା ନୁହେଁ-।" ବିଚାରପତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ–"ଆଉ ?" ରଙ୍ଗନାଥ ପୁଣି କହିବାକୁ ଲାଗିଲେ–"ମୋର ଜୀବନ ବଞ୍ଚାଇଥିବା ହେତୁ ମୁଁ ମେରୀର ଅନିଚ୍ଛା ସତ୍ତ୍ୱେ ତାକୁ ଏ ଟଙ୍କା ଦେଇଥିଲି । ଏଣୁ ମୋର ବିନୀତ ପ୍ରାର୍ଥନା, ମେରୀକୁ ଛାଡ଼ି ଦିଆଯାଉ ।" ବିଚାରପତି ପୁଣି କହିଲେ–"ତାହା ହେଲେ କେଶ୍ ମାଡ଼ ଖାଇଯିବ । ତୁମର ଚୋରୀ ଜିନିଷ ଆଉ ମିଳିବାର ସମ୍ଭାବନା ନାହିଁ ।"

 

ରଙ୍ଗନାଥ ଅତି କରୁଣ ଅଥଚ ଉଦ୍‍ବିଗ୍ନ ଭାବରେ କହିଲେ–"ସେଥିପାଇଁ ମୋର ଚିନ୍ତା ନାହିଁ, ହଜୁର । ମୋ'ଭାଗ୍ୟରେ ଯାହା ଅଛି ତାହା ମୁଁ ଭୋଗିବି । ମେରୀକୁ ଛାଡ଼ି ଦିଆଯାଉ । "ରଙ୍ଗନାଥ ମେରୀ ନିର୍ଦ୍ଦୋଷ ବୋଲି ଆକୁଳ ନିବେଦନ କରୁଥିବାବେଳେ ମେରୀ ପାଳିଥିବା କୁକୁର 'ଭାରତେନ୍ଦୁ' ଦୁଇ ଗୋଡ଼ ଉଠାଇ ଜଜ୍‍ଙ୍କ ହାତ କାମୁଡ଼ି କାକୁତି ମିନତି ହେଲା । ମେରୀ ଦୋଷମୁକ୍ତା ହୋଇ ଛାଡ଼ ପାଇଲା । ସେ ପଦାକୁ ଆସିବାମାତ୍ରେ ରଙ୍ଗନାଥଙ୍କୁ ଧରି ଭୋ' ଭୋ' କାନ୍ଦି କହିଲା–"ଆପଣ ମୋତେ ଏତେ ଅସୁବିଧାରେ ପକାଇଲେ ।"

 

ରଙ୍ଗନାଥ ମୌନେ ସମ୍ପତି ଲକ୍ଷଣ ପ୍ରକାଶ କରି ମେରୀ ଆଖିର ଲୁହ ନିଜର ପିନ୍ଧାକାନିରେ ପୋଛି, ସାନ୍ତ୍ୱନା ଦେଇ କହିଲେ–"ଦେଖ ମେରୀ, ମଣିଷର ଯେତେବେଳେ ଯାହା ଭୋଗିବାର ଅଛି ତାହା ସେ ନିଶ୍ଚୟ ଭୋଗିବ । ତୁମେ ଏତେ ବୁଦ୍ଧିମତୀ, ଜ୍ଞାନବତୀ, ଏଇ ସାମାନ୍ୟ କଥା ପାଇଁ ଏତେ ଅଧୀରା ହେଉଛ ?

 

ମଣିଷର ମଣିଷତାହିଁ ବିପଦ, ଦୁଃଖ କଷଟିରେ କଷା ହେଲେ ଯାଇଁ ଜଣାପଡ଼େ ।

 

ମେରୀ ଆଉ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲା । କୋର୍ଟରୁ ଫେରି ପାଇଥିବା ଟଙ୍କାକୁ ନେବାକୁ ଦୃଢ଼ ଅନିଚ୍ଛା ପ୍ରକାଶ କଲା ।

 

ରଙ୍ଗନାଥ ପକାଇଲା ଛେପକୁ ଆଉ ଢୋକିବାକୁ ଚାହିଁଲେ ନାହିଁ ।

 

ମେରୀ ଅତ୍ୟନ୍ତ ଦୁଃଖର ସହିତ ଟଙ୍କା ନେଇ ଗଲାବେଳେ ଶେଷ ନମସ୍କାର ଜଣାଇ ରଙ୍ଗନାଥଙ୍କୁ କହିଗଲା–"ଏଇ ବୋଧହୁଏ ମୋର ଆପଣଙ୍କ ସହିତ ଶେଷ ଦେଖା ।"

Unknown

 

ରଙ୍ଗନାଥ ଖାଲି ମେରୀ ଗଲାପଥକୁ ଚାହିଁ ଉର୍ଦ୍ଧ୍ଵନିଶ୍ୱାସ ଛାଡ଼ି କହୁଥିଲେ–"ହେ ଭଗବାନ-!"

 

ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ? ଆଉ ଅମଙ୍ଗଳ କରାଏ କିଏ ? ମଙ୍ଗଳ, ଅମଙ୍ଗଳ ସବୁର ଭିଆଣ କର୍ତ୍ତା ସେହି ଭଗବାନ । ସବୁର ନିଧନକର୍ତ୍ତା ସେହି ଭଗବାନ ।

 

ସବୁ କଥାରେ ତାଙ୍କର ଇଙ୍ଗିତ ଥାଏ । ଚୋରକୁ ପ୍ରବର୍ତ୍ତାନ୍ତି ଚୋରୀ କରିବାକୁ–ସାଧୁକୁ କହନ୍ତି ତାର ଶାସ୍ତି ବିଧାନ କରିବାକୁ । ହରିଛଡ଼ା କୀର୍ତ୍ତନ ନାହିଁ ।

 

ତାଙ୍କରି ଇଙ୍ଗୀତରେ ଏଭଳି ଭାବରେ ଗୋଟିଏ ଗୋଟିଏ ଘଟଣା ଘଟେ ଓ ଯାହା ପ୍ରାଣୀ ଜୀବନରେ ଆମୂଳଚୂଳ ପରିବର୍ତ୍ତନର ସୂତ୍ରପାତ ଘଟାଏ ।

 

ଏହି ପରିବର୍ତ୍ତନର ଝଡ଼ ବହିଥିଲା ମେରୀ ଜୀବନରେ । କୋର୍ଟରୁ ଦଶମୁକ୍ତା ହୋଇ ଫେରିଲା ପରେ ମେରୀର ମନ କାହିଁକି ଖାଲି ଉଡ଼ିଲା । ସ୍ଵଦେଶକୁ ବାହୁଡ଼ି ଯିବାକୁ ତାର ପ୍ରାଣ ବ୍ୟାକୁଳ ହେଲା । ପ୍ରିୟଜନମାନଙ୍କ ମୁଖକମଳ ଦେଖିବା ପାଇଁ ଚିତ୍ତ ଚଞ୍ଚଳ ହେଲା । ଅତୀତର କେତେ କଥା ସ୍ମୃତିପଟରେ ତାର ଭାସି ଉଠିଲା । ସେ କାର୍ଯ୍ୟ କରୁଥିବା ହସପିଟାଲରୁ ତିନି ମାସ ଛୁଟିଆଣି "ବିଦାୟ ରେଙ୍ଗୁନ ବିଦାୟ" କହି ସ୍ଵଦେଶ ବାହୁଡ଼ିବାକୁ ଜାହାଜ ବନ୍ଦରର ଉପସ୍ଥିତ ହେଲା-। ସେ ଗୋଟିଏ କୁକୁର ପାଳିଥିଲା । ତାର ନାମ ଦେଇଥିଲା "ଭାରତେନ୍ଦୁ" । ଏହି କୁକୁରଟିକୁ ଦେଇଥିଲେ ରଙ୍ଗନାଥ । ମେରୀ ବାହାରିଲା ପୂର୍ବରୁ ଭାବିଥିଲା "ଭାରତେନ୍ଦୁ"କୁ ଜଣେ ଭାରତୀୟ ବନ୍ଧୁଙ୍କ ପାଖରେ ରଖି ଦେଇଯିବ । ଫେରିଆସିଲା ପରେ ପୁଣି ତାକୁ ଆଣିବ ।

 

କିନ୍ତୁ–

 

'ଭାରତେନ୍ଦୁ' କ’ଣ ଜାଣିଲା କେଜାଣି ସବୁବେଳେ ଭୋ' ଭୋ' ହୋଇ ଭୁକିଲା । ମେରୀ ଯୁଆଡ଼େ ଗଲା ସେ ସିଆଡ଼େ ଗଲା । ମେରୀ ଲୁଗାକୁ କାମୁଡ଼ି ସବୁବେଳେ ଅଳି କଲା ଭଳି ତା' ଆଗେ ଆଗେ ଚାଲିଲା ।

 

ମେରିର ମନ କ’ଣ ହୋଇଗଲା । ସେ ତାକୁ ସାଙ୍ଗରେ ଭାରତ ନେଇଯିବାକୁ ମନସ୍ଥ କଲା । ଜାହାଜ ବନ୍ଦରରେ ପହଞ୍ଚି 'ଭାରତେନ୍ଦୁ' ଆଉ ତା’ର ନିଜ ପାଇଁ ଦୁଇଖଣ୍ଡ ଟିକେଟ କଲା । ତା’ପରେ ସେ ନିଜ ଚଳନୀୟା ଜିନିଷପତ୍ର ଆଉ ଭାରତେନ୍ଦୁକୁ ଆଣି ଜାହାଜକୁ ଆସିଲା । ତା ପାଇଁ ନିର୍ଦ୍ଦିଷ୍ଟ ବଖରାରେ ଜିନିଷପତ୍ର ରଖି ନିଜ ଆସନରେ ବସି ପଡ଼ିଲା । ଭାରତେନ୍ଦୁ ତା' ଗୋଡ଼ ପାଖରେ ଶୋଇଲା ।

 

ଯଥା ସମୟରେ ଜାହାଜ ହର୍ଣ୍ଣ ଦେଇ ବନ୍ଦର ଛାଡ଼ିଲା । ବହୁ ଭାରତୀୟ ସେହି ଜାହାଜରେ ସ୍ଵଦେଶକୁ ବାହୁଡ଼ି ଥିଲେ । ଛ'ସାତ ବର୍ଷ ପରେ ମେରୀ ଜନ୍ମଭୂମିକୁ ଫେରୁଥିବାରୁ ହୃଦୟ ତା’ର ଆନନ୍ଦରେ ନାଚି ଉଠୁଥିଲା । ଦୀର୍ଘ ବିରହର ବିଚ୍ଛେଦ ବହ୍ନି ପ୍ରାଣ ତଳେ ତା’ର ଧୁ ଧୁ ହୋଇ ଜଳୁଥିଲା ଆଉ ଲିଭୁଥିଲା । ବାସର ରାତିର ସ୍ପର୍ଶାନୁଭୂତିର ପହିଲି ଅଲିଭା ସ୍ମୃତି ମନ ମଧ୍ୟରେ ଉଜ୍ଜ୍ଵଳି ଉଠୁଥିଲା । ସ୍ୱାମୀ ସୂର୍ଯ୍ୟକାନ୍ତର ସୂର୍ଯ୍ୟୋଜ୍ଜ୍ଵଳ ମୁଖର ଦୀପ୍ତି ଆଖି ଆଗରେ ଖାଲି ଉଦ୍ଭାସି ଉଠୁଥିଲା । ସ୍ୱାମୀ !

 

ଯେତେ ଦୋଷ କଲେ ବି ସେ ସ୍ୱାମୀ । ନାରୀର ସର୍ବସ୍ଵ । ଇହକାଳ ପରକାଳର ଦେବତା । ଯେତେ ଦୋଷ କଲେ ବି ସେ କ୍ଷମଣୀୟ । ଯେତେ ଅନ୍ୟାୟ କଲେ ବି ସେ ଆଦରଣୀୟ । ଯେତେ ଦୋଷ କଲେ ବି ସେ ସମ୍ମାନାସ୍ପଦ ।

 

ଏତେ ବର୍ଷ ପରେ ଆଜି ପ୍ରଥମ କରି ଅତି ନିବିଡ଼-ଭାବରେ ଭାବୁଛି ମେରୀ ନିଜର ସ୍ୱାମୀ କଥା । ପ୍ରକୃତରେ ସ୍ୱାମୀ ଯଦି ତାକୁ ଦେଖି ଡାକନ୍ତି ସେ କ’ଣ ତାଙ୍କ ସାଙ୍ଗରେ କଥା କହିବ ନାହିଁ ? ସ୍ତ୍ରୀ ଭାବରେ ସ୍ୱାମୀ ପ୍ରତି ଯେଉଁ ମହନୀୟ କର୍ତ୍ତବ୍ୟ ତାହା ସେ ସମ୍ପାଦନ କରିବ ନାହିଁ ? ତାଙ୍କ ଘରକୁ ଯଦି ସେ ଡାକନ୍ତି ତାଙ୍କ ସାଙ୍ଗରେ ନ ଯାଇ କ’ଣ ବାପଘରକୁ ଚାଲିଯିବ ? ବାପଘରର ଲୋକ ଯଦି ଆଦର ନ କରନ୍ତି ସେ ପୁଣି କ’ଣ କରିବ ?

 

ଏଇମିତି ଅସଂଖ୍ୟ ପ୍ରଶ୍ନ ମେରୀ ମନରେ ଉଦୟ ହୋଇ ଅସ୍ତ ହେଉଥିଲା । ମେରୀ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରୁ ନ ଥିଲା ।

 

ସୂର୍ଯ୍ୟଦେବ ଏଥର ବୁଡ଼ିବାର ଉପକ୍ରମ କଲେ । ରଙ୍ଗ ଅବିର ଆକାଶରେ କିଏ ବିଞ୍ଚିଦେଲା ପରି ଦିଶିଲା ।

 

ତାହାପରେ ରାତି ଘନେଇ ଆସିଲା । ଅସଂଖ୍ୟ ତାରକା ଫୁଲରେ ନଭମଣ୍ଡଳ ଦାଉଦାଉ ଦିଶିଲା ।

 

ଜାହାଜରେ ଆଲୋକ ଜଳି ଉଠିଲା । ବିଶ୍ଵବରେଣ୍ୟ ନେତା, ଭାରତ ଜନନୀଙ୍କର ଅନ୍ୟତମ ଯୋଗ୍ୟପୁତ୍ର ପଣ୍ଡିତ ଜବାହରଲାଲଙ୍କ ଭଉଣୀ କୃଷ୍ଣାହାଥିସିଂଙ୍କ ଲିଖିତ–"କାରଦିନ ଗୁଡ଼ିକ" ପୁସ୍ତକଟି ପଢ଼ିବାରେ ମଗ୍ନ ଥିଲାବେଳେ ନୈଶ୍ୟ ଭୋଜନର ସାମଗ୍ରୀ ଆଣି ଖାନସମା ମେରୀ ସମ୍ମୁଖରେ ଠିଆ ହୋଇଗଲା । ମେରୀ ପଦଧ୍ଵନିର ସଙ୍କେତ ବାରି ବହିଟି ଉପରୁ ମୁହଁ ଟେକି ଖାନସମା ଆଡ଼କୁ ଅନାଇଲା । ଖାନସମା ଦୃଷ୍ଟିରେ ମେରୀର ଦୃଷ୍ଟି ନିବଦ୍ଧ ରହିଗଲା ।

 

ଚମକି ପଡ଼ିଲା ଖାନସମା !

 

ମେରୀର ଦୃଷ୍ଟି ଖାନସମା ଦୃଷ୍ଟି ଫାଶରୁ ଖସିଗଲା । ସେ ଖାନସମାର ଗୋଡ଼ଠାରୁ ମୁଣ୍ଡଯାଏ ଭଲ ଭାବରେ ନିରୀକ୍ଷଣ କଲା । ଖାନସମା ତରତରରେ ଖାଦ୍ୟସାମଗ୍ରୀ ଥୋଇଦେଇ ଚାଲିଗଲା ।

 

ଜଣେ ତ ନୁହଁ, ଶହ ଶହ ଯାତ୍ରୀ । ସମସ୍ତଙ୍କୁ ଖାଇବାକୁ ନେଇ ଦେବାକୁ ହେବ । ମାଗଣାରେ କିଏ କାହାକୁ ଖାଇବାକୁ ଦେଉନାହିଁ । ସେମାନେ ଜାହାଜରେ ଚଢ଼ିବା ପୂର୍ବରୁ ଖାଦ୍ୟପେୟ ପାଇଁ ଆଗରୁ ଟଙ୍କା ଦେଇଛନ୍ତି ।

 

ଖାନସମା ଚାଲିଗଲାସିନା ! ମନ ତା’ର ମେରୀ ପାଖରେ ରହିଗଲା । ସେ ମନେ ମନେ ଭାବିଲା ଏଇ ଜାହାଜରେ ସେ ଖାନସମା ଚାକିରୀ କଲାଦିନରୁ କେତେ କେତେ ଯାତ୍ରୀଙ୍କର ସାନ୍ନିଧ୍ୟ ଲାଭ କରିଛି । ପୃଥିବୀର ବିଭିନ୍ନ ପ୍ରାନ୍ତର ଲୋକଙ୍କ ସଂସ୍ପର୍ଶରେ ଆସିଛି । କେତେ ଅନିନ୍ଦ୍ୟ ସୁନ୍ଦରୀ ତରୁଣୀଙ୍କ ସହିତ ହସି ଖେଳି ଦିନ କଟାଇଛି ।

 

କିନ୍ତୁ–

 

ଆଜି କାହିଁକି ତା’ର ଏ ଦୁର୍ବଳତା ? ଜଣେ ନିର୍ଦ୍ଦିଷ୍ଟ ଯାତ୍ରୀପ୍ରତି ତା’ର କାହିଁକି ସ୍ଵତନ୍ତ୍ର ମମତା ? ଯଦି କୌଣସିମତେ ଏକଥା ଜାହାଜର କର୍ତ୍ତୃପକ୍ଷଙ୍କ କାନକୁ ଯାଏ, ତେବେ ତା’ର ସର୍ବନାଶ ହେବନାହିଁକି ? ତା’ର ଜୀବିକାଟି ଚାଲିଯିବ ନାହିଁକି ?

ନା–

ଆଉ ସେ ନିର୍ଦ୍ଦିଷ୍ଟ ମହିଳାଙ୍କ କଥା ବେଶି ଭାବିବ ନାହିଁ ।

ମାତ୍ର–

ନ ଭାବି ରହିପାରୁଛି କେଉଁଠି ? ଖାଦ୍ୟସାମଗ୍ରୀ ବାଢ଼ିଲାବେଳେ ଡାଲି ପ୍ଲେଟରେ ତର୍କାରୀ ଦେଇ ଦେଉଛି । ତର୍କାରୀ ପ୍ଲେଟରେ ଭଜା ଥୋଇ ଦେଉଛି । ନିରାମିଷାଂଶୀକୁ ଆମିଷ ଦେଇ ଦେଉଛି । ମାଛ, ମାଂସ ଖାଇବା ଲୋକଙ୍କୁ ନିରାମିଷ ନେଇ ଦେଉଛି ।

ସମସ୍ତେ ଖାଲି ଖାନସମାକୁ ଚାହୁଁଛନ୍ତି । ପ୍ରଥମଥର ଭୁଲ ପାଇଁ କ୍ଷମାଦେଇ ଚୁପ୍ ରହୁଛନ୍ତି ।

ଏଣେ–

ମେରୀ ଆଦୌ ଖାଇପାରୁ ନାହିଁ । ଖାନସମା ଦେଇଯାଇଥିବା ଖାଦ୍ୟ ସେଇମିତି ଥୁଆ ହୋଇଛି । 'ଭାରତେନ୍ଦୁ' ମେରୀକୁ ଖାଇବା ପାଇଁ ଗୋଡ଼ଉଠାଇ ଲୁଗାଟାଣି ଯେତେ ଡାକିଲେ ମଧ୍ୟ ସେ ମୋତେ ଶୁଣୁନାହିଁ ।

ମଝିରେ ମଝିରେ ଖାନସମା ବି ଆସି ମେରୀଆଡ଼କୁ ଅନାଇଁଦେଇ ଅନାବଶ୍ୟକ ଭାବରେ ଚାଲିଯାଉଛି । ମେରୀ ହୃଦୟରେ ଜଳୁଥିବା ସନ୍ଦେହର ନିଆଁ ଆହୁରି ଜଳି ଉଠୁଛି । ଯେମିତି ଜଳିଉଠି ଅରଣ୍ୟ ବହ୍ନି ପ୍ରବଳ ଝଞ୍ଜା ପରଶ ପାଇ ।

 

ରାତି ଅଧରୁ ବଳିଲା ।

 

ଯାତ୍ରୀମାନେ କିଏ କୁଆଡ଼େ ଅଚିନ୍ତା ନିଦ୍ରାରେ ଶୋଇ ଘୁଙ୍ଗୁଡ଼ି ମାରିଲେ ।

 

ମେରୀ ଶେଜ ପକାଇ ଯେତେ ଶୋଇବାକୁ ଚେଷ୍ଟା କଲେ ବି ଶୋଇପାରିଲା ନାହିଁ । ଯେଉଁ ବିଛଣାରେ ସେ ମାସ ମାସ ନୁହେଁ, ବର୍ଷ ବର୍ଷ ଧରି ଶୋଇ ଆସିଛି, ସେଇ ଶେଯରେ ଆଜି ତାକୁ ନିଦ ଆସୁନାହିଁ । ଶେଯରେ ଦେହକୁ ଲମ୍ବାଇ ଦେଲା ବେଳକୁ ବିଛା ଫୋଡ଼ିଲା ପରି ସେ ଅସ୍ଵସ୍ତି ଅନୁଭବ କରୁଛି ।

 

ଯେଉଁ ମେରୀ ଶେଯ ଛୁଇଁଲାମାତ୍ରେ ଗଭୀର ନିଦ୍ରାଭିଭୂତ ହୁଏ, ସେ ଆଜି ଆକାଶର ତାରା ଗଣି ଗଣି ସମୟ କଟାଇ ଦେଉଛି । ଯେ ଶାନ୍ତିରେ ଶୋଇବା ପାଇଁ ରାତ୍ରୀର ଦୀର୍ଘତାକୁ ସବୁବେଳେ ଚାହିଁ ଆସିଛି–ସେ ଆଜି ରାତ୍ରୀଟା ଦୀର୍ଘ ବୋଲି ଅଭିଯୋଗ ବାଢ଼ୁଛି । ଏଣେ ମେରୀ ଯେପରି ଯନ୍ତ୍ରଣାରେ ଛଟପଟ ହେଉଛି–

 

ତେଣେ–

 

ଖାନସମା ବିଚରା ସେଇମିତି ଶୋଇପାରୁ ନାହିଁ । ନାନାଦି ବାହାନା କରି ମେରୀର କୋଠରୀ ଆଡ଼କୁ ଆସି ବୁଲିଯାଉଛି । କୌଣସିମତେ ରାତିପାହିଲା, ସକାଳ ହେଲା । ଯାତ୍ରୀମାନେ ସ୍ନାନଘରକୁ ଯାଇଁ ସ୍ନାନ ଶେଷ କଲେ ।

 

ମେରୀ ସ୍ନାନ ସାରିଆସି ଶୋଇ ପଡ଼ିଲା । ଶୀକର ପବନ ଆଖିରେ ତା’ର ନିଦ କାହୁଁ କାହୁଁ ଆଣି ଭରିଦେଲା ।

 

ଖାନସମା ଅନ୍ୟ କାମ ଭିତରେ ମଝିରେ ମଝିରେ ଥରେ ଥରେ ଧୂମକେତୁ ଭଳି ମେରୀ କୋଠରୀ ଭିତରକୁ ଆସିଯାଏ । 'ଭାରତେନ୍ଦୁ' ଭୁକିଉଠି ମେରୀର ଲୁଗାକୁ ଟାଣେ । ମେରୀ ବିରକ୍ତ ହୋଇ ପାଟି କଲେ ଭାରତେନ୍ଦୁ ଚୁପ୍ ହୋଇ ରହିଯାଏ ।

 

ଏଥିରେ ଯେତେବେଳେ ଖାନସମା ମଧ୍ୟାହ୍ନ ଭୋଜନର ସାମଗ୍ରୀ ଧରିଆସି ଠିଆହୋଇ 'ଭାରତେନ୍ଦୁ' ଘନ ଘନ ଭାବରେ ଭୁକି ମେରୀ ଲୁଗାକୁ ଦାନ୍ତରେ କାମୁଡ଼ି ଜୋର୍‍ରେ ଟାଣିଲା । ମେରୀ ଆଖି ଖୋଲିଦେଲା ଦେଖିଲା ଯେ ତା’ର କଳ୍ପନାର ନାୟକ ଭୋଜନ ସାମଗ୍ରୀ ଧରି ତା' ଆଡ଼କୁ ଅନାଇ ରହିଛନ୍ତି । ସେ ଧଡ଼ପଡ଼ ହୋଇ ଉଠି ଖାନସମା ଆଡ଼କୁ ଅନାଇଁ ଅସଙ୍ଗତ ବେଶଭୁଷାକୁ ସଜାଡ଼ି ନେଉଁ ନେଉଁ ଅଜାଣତରେ ତା’ର ପାଟିରୁ ବାହାରିପଡ଼ିଲା–"ଏ କ’ଣ ତେବେ ସେଇ ସୂର୍ଯ୍ୟକାନ୍ତ ?"

 

ସୂର୍ଯ୍ୟକାନ୍ତ ଦେହରେ ତା’ର ଇଲେକ୍‍ଟ୍ରି ସକ୍‍ର ଅଜସ୍ର ସ୍ପନ୍ଦନ ଅନୁଭବ କଲା । ହାତରୁ ତା’ର ଭାତଥାଳି ଖସି ପଡ଼ିଲା ।

 

ସେ କାନ୍ଦି କାନ୍ଦି କହିଲା–"ହଁ ହଁ ମେରୀ ମୁଁ ତୁମର ସେଇ ଅଧମ ସୂର୍ଯ୍ୟକାନ୍ତ । "

 

ଭାତଥାଳି ଖସିବା ଶବ୍ଦରେ ଚମକିପଡ଼ି ଅନ୍ୟ କୋଠରୀର ଯାତ୍ରୀମାନେ ଆସି ସମାବେଶ ହେଲେ । ସୂର୍ଯ୍ୟକାନ୍ତ କାହାକୁ କିଛି ନ କହି ନିଜର କର୍ତ୍ତବ୍ୟ ସମ୍ପାଦନା କରିବାକୁ ବାହାରିଗଲା । ଜାହାଜର କ୍ୟାପ୍‍ଟେନ ବି ଆସି ଉପସ୍ଥିତ ହେଲେ । ସେ ଆମୂଳଚୂଳ ସମସ୍ତ କଥା ମେରୀଠାରୁ ଶୁଣି ରୋମାଞ୍ଚିତ ହୋଇ ଉଠିଲେ; କାରଣ ଏ ଘଟଣା ଯେକୌଣସି ଉପନ୍ୟାସଠାରୁ ଅଧିକ ସ୍ୱାଦ୍ୟ, ଉପଭୋଗ୍ୟ ।

 

ଜାହାଜରେ ଯାତ୍ରା କରୁଥିବା ସମବୟସ୍କ ମହିଳା ଯାତ୍ରୀମାନେ ଯେପରି ମେରୀ ସହିତ ଆଳାପ ଆଲୋଚନାରତ ଥାଇ ରସିକତା କରି ଭୋଜୀ ଖାଇବାକୁ ମାଗିଲେ ସମବୟସ୍କ ପୁରୁଷଯାତ୍ରୀମାନେ ବି ସୂର୍ଯ୍ୟାକାନ୍ତକୁ ସେହିପରି ପରିହାସ ଛଳରେ ଦିବ୍ୟ ଭୋଜନ ବ୍ୟବସ୍ଥା କରିବା ପାଇଁ ଜିଦ୍ କଲେ ।

 

ସେଦିନ–

 

ଜାହାଜରେ ଏକ ଚାଞ୍ଚଲ୍ୟ ଖେଳିଗଲା । ସମସ୍ତଙ୍କ ମୁହଁରେ ମେରୀ ଆଉ ସୂର୍ଯ୍ୟକାନ୍ତଙ୍କ ବିଷୟ ସ୍ଥାନ ପାଇଲା । ମେରୀ ଆଉ ସୂର୍ଯ୍ୟକାନ୍ତଙ୍କ ପକ୍ଷରୁ ସେଦିନ ଜାହାଜର ସମସ୍ତ ଭାରତୀୟ ଯାତ୍ରୀମାନଙ୍କ ପାଇଁ ପ୍ରୀତି-ଭୋଜନର ଆୟୋଜନ କରାଗଲା । ମେରୀ ପାଚିକା ଭାବରେ ଭାରତୀୟ ରୀତିରେ ସମସ୍ତ ଖାଦ୍ୟସାମଗ୍ରୀ ନିଜ ହାତରେ ରାନ୍ଧିଲା । ରନ୍ଧାବଢ଼ା ପରେ ନିଜ ହାତରେ ବାଢ଼ି ଖାଇବାକୁ ଦେଲା । ସମସ୍ତେ ଧନ୍ୟ ଧନ୍ୟ କହିଲେ ।

 

ସୂର୍ଯ୍ୟକାନ୍ତ ନିଜର ସମସ୍ତ କର୍ତ୍ତବ୍ୟ ସମ୍ପାଦନା କରିସାରିଲା ପରେ ମେରୀ ପାଖକୁ ଆସିଲା । ଦୁଇଟି ପ୍ରାଣ ବୀଣାର ତା’ର ଗୋଟିଏ ସ୍ଵରରେ ବାଜିଉଠିଲା । ଆନନ୍ଦାଶ୍ରୁରେ ଉଭୟ ଉଭୟଙ୍କର ବକ୍ଷ ତିନ୍ତି ବେପଥୁର ଜୁଆର ଛୁଟାଇଲା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେତେ ପୁରୁଣା ସ୍ମୃତିକୁ କେନ୍ଦ୍ରକରି ଆଲୋଚନା ଚାଲିଲା । ସୂର୍ଯ୍ୟକାନ୍ତ ନିଜର ଭୁଲପାଇଁ ପ୍ରାଣପ୍ରିୟା ମେରୀ ନିକଟରେ କ୍ଷମା ମାଗିଲା ।

ମେରୀ ନିଜର ସ୍ଵଭାବ ସୁଲଭ-ଗୁଣରେ ସହାସ୍ୟ ବଦନରେ ନିଜର ସ୍ୱାମୀଙ୍କ 'କ୍ଷମା' କଥାଟିକୁ ଉପଭୋଗ କରୁଥିଲା ।

ଦୀର୍ଘଦିନ ପରେ ଦୁଇଟି ହୃଦୟର ମିଳନ ବଂଶୀ ମଧୁର ସ୍ଵରରେ ବାଜି ଉଠିଲା ।

କିନ୍ତୁ–

ତୃଷାର୍ତ୍ତ ଚାତକ ଉତ୍ତପ୍ତ ନିଦାଘରେ ସନ୍ତାପିତ ହୋଇ ଆଦ୍ୟାଷାଢ଼ର ପହିଲି ବର୍ଷାର ପ୍ରଥମ ବିନ୍ଦୁକୁ ପାଟିରେ ଦେଉ ଦେଉ ନିୟତି ହଟ୍ଟ ସାଧିଲା । ଆକଣ୍ଠ ବର୍ଷାମୃତ ସେ ପାନ କରିବାକୁ ସମର୍ଥ ହେଲା ନାହିଁ ।

ଏତିକିବେଳେ–

ହଠାତ୍–

ଜାହାଜ ଆଶୁବିପଦ ସମ୍ଭାବନାର ସତର୍କ ଘଣ୍ଟି ଲହରେଇ ଲହରେଇ ବାଜି ଉଠିଲା । ଯାତ୍ରୀମାନେ ସଜାଗ ହୋଇ କ’ଣ ବିପଦ ଘଟିଛି ବୋଲି ପରସ୍ପର ପଚରା ପଚରି ହେଲେ ।

ମାତ୍ର ହାୟ !

ଚାହୁଁ ଚାହୁଁ ବିରାଟକାୟ ଜଳଯାନଟି ସମୁଦ୍ର ମଧ୍ୟରେ ଜଳମଗ୍ନ ହୋଇଗଲା । ଶହ ଶହ ଅମୂଲ୍ୟ ଜୀବନ ସଲିଲ ସମାଧି ବରଣ କଲା ।

ତା' ଭିତରେ ମେରୀ ଆଉ ସୂର୍ଯ୍ୟକାନ୍ତର ଅମର ଆତ୍ମା ଚିରଦିନ ପାଇଁ ସୀମିତ ତନୁ ନୀଡ଼ର ମାୟା ବିସ୍ମରି–ପ୍ରେମ ପନିର ପାନ କରି ଅସୀମାର ଆହ୍ୱାନ ଏଡ଼ି ନ ପାରି ଉଡ଼ିଗଲା ।

କୌଣସି ସୂତ୍ରରୁ ଖବର ପାଇ ସାହାଯ୍ୟକାରୀ ଦଳ ଅନ୍ୟ ଏକ ଜାହାଜରେ ସ୍ଥଳଭାଗରୁ ଆସିଲେ । ଜାହାଜର ସନ୍ଧାନ ତା ମିଳିଲା ନାହିଁ । ଅଜସ୍ର ମୃତ ଦେହକୁ ଜଳଜନ୍ତୁମାନେ ଭକ୍ଷଣ କରି କ୍ଷୁଧା ନିବାରଣ କରି ସାରିଥିଲେ ।

ସାହାଯ୍ୟକାରୀ ଦଳ ମାନବିକତା ଦୃଷ୍ଟିକୋଣ ନେଇ ବହୁତ ଖୋଜା ଖୋଜି କଲାପରେ ସମୁଦ୍ର ଭିତରେ ଥିବା ଗୋଟିଏ ବାଲି ଚଡ଼ାରେ ଯୁଗଳ ମିଳନ ଅବସ୍ଥାରେ ଜଣେ ନାରୀ ଓ ଜଣେ ପୁରୁଷ ମିଳିଲେ । ଅନୁସନ୍ଧାନ ପରେ ଜଣାପଡ଼ିଲା ଯେ ଦୁଇଜଣଙ୍କ ନାମ ଦୁଇ ଜଣଙ୍କ ହାତରେ ଚିତାକୁଟା ହୋଇଛି । ଜଣକ ନାମ ମେରୀ, ଆଉ ଜଣକ ନାମ ସୂର୍ଯ୍ୟକାନ୍ତ । ସମସ୍ତେ ଅନୁମାନ କଲେ ଯେ ଦମ୍ପତି ଯୁଗଳ ହେଉଛନ୍ତି ଗୋଟିଏ ନୀଡ଼ର ଦୁଇଟି ପକ୍ଷୀ, ଗୋଟିଏ ବୀଣାରେ ଦୁଇଟି ତାର, ଗୋଟିଏ ସମୁଦ୍ରରେ ଦୁଇଟି ତରଙ୍ଗ ।

ଅନ୍ୟ ଯାତ୍ରୀମାନଙ୍କର ଯେତେବେଳେ କୌଣସି ପତ୍ତା ମିଳିଲା ନାହିଁ, ସେତେବେଳେ ପ୍ରଣୟୀ ଯୁଗଳଙ୍କର ମର ଶରୀରରେ କୌଣସି କ୍ଷତି ସାଧିତ ହୋଇ ନ ଥିଲା । ଲବଣଜଳ ସେମାନଙ୍କ ଦେହର ରଙ୍ଗକୁ ବିଶ୍ରୀ କରିପାରି ନ ଥିଲା । ପ୍ରଶାନ୍ତ ବଦନରେ ହସର ରେଖା ଫୁଟି ଉଠୁଥିଲା । ଆଖିର ଡୋଳା ସେଇମିତି ଜାଜୁଲ୍ୟମାନ ଅବସ୍ଥାରେ ଥିଲା । ଉଭୟେ ଉଭୟଙ୍କୁ ବାହୁଲତାରେ ଖୁବ ଜୋର୍‍ରେ ବାନ୍ଧି ରଖିଥିଲେ । ହସ୍ତଗୁଡ଼ିକ ଏଭଳିଭାବରେ ବାନ୍ଧି ହୋଇଥିଲା ଯେ, କୌଣସି ବିନ୍ଧାଣି ବି ନିହାଣ, ବାରିସୀ ଦ୍ୱାରା ନିଖୁଣ ଭାବରେ କରିପାରି ନ ଥାନ୍ତା !

ଅନୁସନ୍ଧାନକାରୀ ଦଳ ପ୍ରଣୟୀ ଯୁଗଳକୁ ବାଲିଚଡ଼ା ଉପରେ ସମାଧି ଦେବା ପାଇଁ ଆୟୋଜନ କଲେ । ସେହି ଉଦ୍ଦେଶ୍ୟରେ କେତେଜଣ କର୍ମଚାରୀ ଗର୍ତ୍ତ ଖୋଲିବାରେ ନିଯୁକ୍ତ ହେଲେ । ଭାରତୀୟ ମହାନ ପାରମ୍ପରିକ ପଦ୍ଧତି ଅନୁସାରେ ସେମାନଙ୍କୁ ନୂଆ ଲୁଗା ପିନ୍ଧାଇ ଦିଆଗଲା । ବେକରେ କର୍ପୁର ହାର ଲମ୍ବାଇ ଦେଲେ । ଯେତେବେଳେ ପୋତିବା ପାଇଁ ପ୍ରଣୟୀ ଯୁଗଳଙ୍କୁ ଧରାଧରି କରି ଉଠାଇଲେ ସେତେବେଳେ ସମୁଦ୍ର ଭୟଙ୍କର ଭାବରେ ଗର୍ଜି ଉଠିଲା । ପ୍ରବଳ ଝଡ଼ ତୋଫାନର ସୂତ୍ରପାତ ହେଲା । ଅଜସ୍ର ଅଚିହ୍ନା-ସମୁଦ୍ର-ପକ୍ଷୀ କଳରବ କରି ଆକାଶ କମ୍ପାଇ ଦେଲେ । କ୍ଷଣକ ମଧ୍ୟରେ ଆକାଶ ଯେପରି ସାହାଯ୍ୟକାରୀ ଦଳର ଲୋକମାନଙ୍କ ମୁଣ୍ଡ ଉପରକୁ ଲାଗି ଆସିଲା ପରି ପ୍ରତୀୟମାନ ହେଲା ।

 

ଏହି ସମୟରେ ଶୂନ୍ୟବାଣୀ ହେଲା–"ପୁଣ୍ୟାତ୍ମା ପ୍ରଣୟୀ ଯୁଗଳଙ୍କୁ ଭୂଗର୍ଭରେ ପୋତି ତାଙ୍କ ନିଖୁଣ ଅଙ୍ଗ ପ୍ରତ୍ୟଙ୍ଗରେ ବିକୃତିର ଛାପ ବସାଅ ନାହିଁ । ସେମାନଙ୍କୁ ସେହିପରି ବାଲି ଉପରେ ଠିଆ କରାଇ ପାଦ ପୋତି ଦିଅ । ଯଦି ଏ ଆଦେଶକୁ ଅବଜ୍ଞା କର ତେବେ ତୁମ୍ଭେମାନେ ଆଉ ଏଠାରୁ ଯାଇପାରିବ ନାହିଁ–ତୁମ୍ଭମାନଙ୍କର ମହାପ୍ରୟାଣ ଘଟିବା ନିଶ୍ଚିତ ।"

 

ଜାହାଜର କର୍ମଚାରୀମାନେ ଭୟରେ ଥରି ଉଠିଲେ । ସେମାନଙ୍କ ମଧ୍ୟରେ ଆତଙ୍କର ମାତ୍ରା ବଢ଼ିଗଲା । ଜୀବନର ଆଶା କ୍ଷୀଣ ହୋଇ ଆସିଲା ।

 

କିନ୍ତୁ–

 

ସେମାନେ ଯେତେବେଳେ ନିଜ କାର୍ଯ୍ୟରୁ ବିରତ ହୋଇ ପ୍ରଣୟୀ ଯୁଗଳଙ୍କୁ ବାଲିରେ ଠିଆ କରାଇ ଦେଇ ପାଦ ପୋତିଦେଲେ, ସେତେବେଳେ ଝଡ଼ତୋଫାନ କମିଗଲା । ସମୁଦ୍ର ଗର୍ଜନ ଉଣା ହେଲା ପକ୍ଷୀମାନେ କେଁ କେଁ ଶବ୍ଦରୁ ବିରତ ହେଲେ । ସମୁଦ୍ର ଲହରୀ ମାଡ଼ି ଆସି ପ୍ରଥମେ ପ୍ରଣୟୀ ଯୁଗଳଙ୍କୁ ସମ୍ବର୍ଦ୍ଧନା ଜଣାଇଲା ।

 

ଜାହାଜର ପ୍ରତ୍ୟେକ କର୍ମଚାରୀ ସଭକ୍ତିରେ ପ୍ରଣାମ କଲେ । ମୁଗ୍‍ଧ ପ୍ରଣୟିନୀ ମେରୀଙ୍କ ନାଁ ଅନୁସାରେ ସେହି ବାଲି ଚଡ଼ାର ନାମ ରଖିଲେ ମେରୀ ପାହାଡ଼ ।

 

ତା’ପରେ ସେମାନେ କୂଳଭାଗ ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ । ସେମାନେ ବାଟରେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି । କୂଳରେ ପହଞ୍ଚି ଏ ଘଟଣା ଯେତେବେଳେ କହିଲେ–ସାରା ଭାରତରେ ଚହଳ ପଡ଼ିଗଲା । ରେଙ୍ଗୁନ ଯାତ୍ରୀମାନେ ଭାରତରୁ ଏକଥା ଶୁଣି ଯେତେବେଳେ ରେଙ୍ଗୁନରେ କହିଲେ, ସେଠାରେ ଜାତିବର୍ଣ୍ଣ-ଧର୍ମ ନିର୍ବିଶେଷରେ ଆବାଳବୃଦ୍ଧ ବନୀତାଙ୍କ ମଧ୍ୟରେ ଏକ ଆଲୋଡ଼ନ ସୃଷ୍ଟି ହେଲା । ସେମାନଙ୍କ ମୁଣ୍ଡ ଭକ୍ତିରେ ନଇଁ ପଡ଼ିଲା ।

 

ପ୍ରକୃତରେ–

 

ମଣିଷ ଭିତରେ ହିଁ ଅନେକ ଦେବତା ଅଛନ୍ତି । ସେମାନେ କୌଣସି ଅଭିଶାପ ଫଳରେ କର୍ମଫଳ ଭୋଗିବା ମର୍ତ୍ତକୁ ଆସିଥାନ୍ତି । ସେମାନେ କର୍ମଫଳ ଭୋଗିସାରିଲା ପରେ ଫେରିଯାନ୍ତି ।

 

ଆଉ–

 

ଅନେକ ଅବତାର ରୂପେ ଜନ୍ମ ଗ୍ରହଣ କରି ପୃଥିବୀର ପାପ ଭାରା ଉଶ୍ୱାସ କରନ୍ତି । ସାଧୁଜନମାନଙ୍କୁ ନିସ୍ତାର କରି ମ୍ଳେଚ୍ଛମାନଙ୍କୁ ସଂହାର କରନ୍ତି । ଶକ୍ତି ଏକ ।

 

ଏକ ଭାଗବତ୍ ଶକ୍ତି । ସେଇ କେତେବେଳେ ଆଦ୍ୟାଶକ୍ତି ରୂପେ ଅବତୀର୍ଣ୍ଣ ହୋଇ ପ୍ରାଣୀକୁ ମୋକ୍ଷ କରିବାରେ ପ୍ରୟାସ କରନ୍ତି । ଆଉ କେତେବେଳେ ନରନାରାୟଣ ରୂପେ ଆସି ପାପ, ତାପ ନିବାରଣ କରି ବରାଭୟ ପ୍ରଦାନ କରନ୍ତି ।

 

ଏହି ମଣିଷ ଭିତରେ ରାମ, କୃଷ୍ଣ, ଯିଶୁ, ବୁଦ୍ଧ ତ ଜନ୍ମ ଗ୍ରହଣ କରିଥିଲେ ? ମହାତ୍ମାଗାନ୍ଧୀଙ୍କ କଥାତ ଆଖି ଆଗରେ । ଏକଥା ଯେତେବେଳେ ରେଙ୍ଗୁନରେ ରଙ୍ଗନାଥ ଶୁଣିଲେ, ସେତେବେଳେ ହତଜ୍ଞାନ ହୋଇଗଲେ । ତାଙ୍କୁଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ତାଙ୍କର ଅତି ପରିଚିତ ମେରୀ ଛଡ଼ା ଆଉ କେହି ନୁହେଁ ସେ ।

 

ମେରୀ କଥା ଶୁଣିଲାବେଳକୁ ରଙ୍ଗନାଥ ପୁଣି ଶଯ୍ୟାଶାୟୀ ହେଲେ ।

 

ଏବେ ଯେଉଁ ଯାତ୍ରୀମାନେ ଜାହାଜ ଦ୍ଵାରା ସମୁଦ୍ର ପଥରେ ରେଙ୍ଗୁନ ଯାଆନ୍ତି–ଆଉ ରେଙ୍ଗୁନରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସେମାନେ ମେରୀ ପାହାଡ଼କୁ ଦେଖନ୍ତି । ଜାହାଜ ମେରୀ ପାହାଡ଼ ନିକଟରେ ନଙ୍ଗର କରେ । ଯାତ୍ରୀମାନେ ଯେ ଯାହା ଭୋଗ ସାମଗ୍ରୀ ନେଇଥାନ୍ତି ତାହା ଅର୍ପଣ କରି ସଭକ୍ତିରେ ପ୍ରଣତିବାଢ଼ି ସାଶ୍ରୁଲୋଚନରେ ବିଦାୟ ନିଅନ୍ତି ।

 

ସମସ୍ତଙ୍କଠାରୁ ଶୁଣାଯାଏ ରାତ୍ରୀର ନିସ୍ତବ୍‍ଧ ସମୟରେ ଜଣେ ନାରୀ ଜଣେ ପୁରୁଷ ମେରୀପାହାଡ଼ ପାଦ ଦେଶରେ ସମୁଦ୍ର ପୁଲିନରେ ବୁଲାବୁଲି କରୁଥାନ୍ତି । ସେମାନଙ୍କ ଦେହରୁ ଅପୂର୍ବ ଜ୍ୟୋତି ସ୍ଫୁରଣ ହେଉଥାଏ । ସେମାନେ ସବୁବେଳେ

 

'ସର୍ବେ ଭବନ୍ତୁ ସୁଖୀନ

ସର୍ବେସନ୍ତୁ ନିରାମୟ"

 

ଆଶୀର୍ବାଦାତ୍ମକ ଅମର ଶ୍ଲୋକଟିକୁ ଉଚ୍ଚାରଣ କରୁଥାନ୍ତି । ତେବେ ନାରୀକଣ୍ଠର ଅମୃତ ଲହରୀର ସଙ୍କେତ ସ୍ପଷ୍ଟ ବାରି ହୋଇପଡ଼େ ।

 

ପ୍ରକୃତରେ–

 

ଦୁନିଆରେ ସବୁ ମରେ, ସବୁ ସରେ ।

 

ପ୍ରୀତି ମରେ ନାହିଁ, ପ୍ରେମ ସରେ ନାହିଁ ।

 

ସର୍ପ ବଢ଼ୁ ବଢ଼ୁ ଚକ୍ର ବଢ଼ିଲା । ସଂଘମିତ୍ରା ଯେଉଁଦିନ ରସାନନ୍ଦର ମୁଣ୍ଡ ତଳକୁ କରି ରେବତୀ ମୁହଁରେ କଳା ବୋଳି-ପ୍ରାଣ ପ୍ରତିମ ଭାଇ ଦେବୀକାନ୍ତ ମୁହେଁ ମୁହେଁ ଜବାବ ସଫା ସଫା କହି ଦେଲା ଯେ "ମୁଁ ସୌମେନ୍ଦ୍ର ଛଡ଼ା ଅନ୍ୟ କାହାରିକୁ ଜୀବନର ସାଥୀ ରୂପେ ବରଣ କରି ପାରିବି ନାହିଁ, ସେତେବେଳେ ରସାନନ୍ଦ ପିଲାଙ୍କ ପରି କାନ୍ଦିଲା । ରେବତୀ ଦୁଃଖରେ ମୁଣ୍ଡ ପିଟିଲା-

 

ରସାନନ୍ଦ କହିଲା–"ମୁଁ କେମିତି କାହା ଆଗରେ ମୁହଁ ଦେଖାଇବି ?’’ ସାଇ ପଡ଼ିଶା ବନ୍ଧୁ ବାନ୍ଧବମାନେ କହିବେ କ’ଣ ? ମୁଁ ସବୁବେଳେ ଯେଉଁମାନଙ୍କ ଆଗରେ ମୋ ଝିଅ ପୁଅଙ୍କର ପ୍ରଶଂସା କରୁଥିଲି, ସେମାନେ କି ଧାରଣା କରିବେ ? ଗାଁରେ ଏକଥା ଶୁଣିଲେ ଲୋକେ କ’ଣ କହିବେ ? ଜ୍ଞାତି, କୁଟୁମ୍ବଙ୍କ ହାଡ଼ଶୂଳା କଥା ଶୁଣି ରହିହବ ତ ? ମୁଁ ଯେଉଁମାନଙ୍କୁ ଆଜିଯାଏ ବାରି ଆସୁଥିଲି, କହି ଆସୁଥିଲି–ସେହିମାନେ ହିଁ ପ୍ରଥମଥର ପାଇଁ ମୋତେ ବାରିବେ–ମୋତେ ନାନା ପରିହାସ କରିବେ । ମରଣଠାରୁ ଲଜ୍ଜା ବଳିବ । ଅନ୍ୟ କାହାକଥା ହେଲେ କିଏ କାହିଁକି ଖବର ରଖନ୍ତା–ଏହା ଯେତେବେଳେ ମୋ ଘରକଥା, ସେତେବେଳେ ଚାରିଆଡ଼େ ଡିବି ଡିବି ନାଗରା ବାଜିଯିବ । ମୁଁ କେମିତି ସହକର୍ମୀମାନଙ୍କୁ ଅଫିସରେ ମୁହଁ ଦେଖାଇବି । ଯେଉଁମାନେ ମୋତେ ସବୁଦିନେ ଗୋଟିଏ ଗୋଟିଏ ଭଲ ବର, ଭଲ ଘରର ପ୍ରସ୍ତାବ ଆଣି ଦେଉଥିଲେ–ସେମାନେ କ’ଣ ଭାବିବେ ? ମୁଁ ଇଚ୍ଛାକଲେ କ’ଣ ଡାକ୍ତର କି ଇଂଜିନିୟର ପାତ୍ରଟି ପାଇବି ନାହିଁ ?

 

ସଂଘମିତ୍ରାକୁ ଲକ୍ଷ୍ୟକରି କହିଲା–ମୋ ମା'ପରା ତୁ ତୋର ମନ ପରିବର୍ତ୍ତନ କର । ସୌମେନ୍ଦ୍ରକୁ ଛାଡ଼ି ଅନ୍ୟ ଯେଉଁଠାରେ କହିବୁ ମୋର କିଛି ଆପତ୍ତି ନାହିଁ ।

 

ରେବତୀ କହିଲା–"ମଉନ ମୁହୀଁ ? ତୋ' ଠାରେ ପୁଣି ଏତିକି ଗୁଣ ଥିଲା ବୋଲି ମୁଁ ଜାଣି ନ ଥିଲି । ଆଗରୁ ଯଦି ଏହାର ସନ୍ଧାନ ଟିକିଏ ପାଇଥାନ୍ତି ତେବେ ଏନ୍ତୁଡ଼ିଶାଳରୁ ପଦାକୁ ଆଉ ତୁ' ଆସି ନ ଥାଆନ୍ତୁ । ଆମେ କ’ଣ ସବୁ ଝିଅ ହୋଇ ନ ଥିଲୁ ? ଆମେ କ’ଣ ବାହାଚୋରା ହୋଇ ଘର ସଂସାର କରୁନୁ ? ୟା' ବୋଲି କ’ଣ ଆମେ ମନେ ମନେ ସବୁ କରିଛୁ ? ପାଠପଢ଼ାର ଏ ଗୁଣ ?

 

ମୁଁ ତ ସେଥିପାଇଁ ମୂଳରୁ ପାଠ ପଢ଼ିବାକୁ ମନା କରୁଥିଲି । ଯେ ପଢ଼ାଇଛନ୍ତି ସେ ଏବେ ସମ୍ଭାଳନ୍ତୁ ।

 

ପୁଣି ରେବତୀ ସଂଘମିତ୍ରାକୁ ଲକ୍ଷ୍ୟକରି କହିଲା–ତୋ ଭଳି ପିଲା ଏମିତି ଉଦ୍ଧତ କେମିତି ହେଲା ? ତୁ' ତ ଡାକ୍ତରୀ ପଢ଼ିଲୁଣି ତୋତେ ଆଜିଯାଏ ଲୁଗା ପିନ୍ଧି ଆସେ ନାହିଁ । ଭଲ କରି ଗଣ୍ଡେ ଖାଇ ଆସେ ନାହିଁ । ମାନତି ଅପମାନତି କ’ଣ ଜାଣୁ ନାହିଁ । ତୁ' ପୁଣି ଏମିତି ହେବୁ ବୋଲି ମୁଁ କଳ୍ପନାରେ ସୁଦ୍ଧା ଭାବି ନ ଥିଲି ତଥାପି ବେଳ ଅଛି । ମୋ ମା' ପରା, ମୋ ସାନ କଥା ମାନ । ତୁ' ସେ ଅଲାଜୁକ ପଣିଆ କଥା ଛାଡ଼ ତୋର ବାପ ଭାଇ ଅଛନ୍ତି । ତୋର ମଙ୍ଗଳ ପାଇଁ ସେ ସବୁ କରି ପାରିବେ । ତୋ'ର ସେ ବିଷୟରେ ମୁଣ୍ଡ ଖେଳାଇ ଲାଭ କ’ଣ ? ତୁ ତୋ' ପଢ଼ାପଢ଼ିରେ ଲାଗ ।

 

ଆଉ ସେ ସୌମେନ୍ଦ୍ର କଥା ଉଠାନା ? ସେ କ’ଣ ତୋ ଉପଯୁକ୍ତ ବର ?

 

ସଂଘମିତ୍ରାର ସାଙ୍ଗ ଆଭା କହିଲା–"ମାଉସୀ, ପୁଅଟାକୁ ତ ଝିଅଟାଏ । ଯେଉଁଠି ହେଲେ ବିଭା ହେବ । ସଂଘମିତ୍ରା ଯେଉଁଠି ଚାହୁଁଛି ସେଠାରେ ବିଭା ହେଉ, ମନା କରି ଲାଭ କ’ଣ-?

 

ସଂଘମିତ୍ରା ଆଭା କଥା ଉପରେ ଜୋର ଦେଇ କାନ୍ଥକୁ ନଖରେ ଆମ୍ପୁଡ଼ୁ ଆମ୍ପୁଡ଼ୁ କହିଲା–"ମୋ' କଥା ଯଦି ନ ରହେ ବୋଉ ମୁଁ ନିଶ୍ଚୟ ଆତ୍ମହତ୍ୟା କରିଦେବି ।" ଚମକି ପଡ଼ିଲା ରେବତୀ ।

 

ଭାଇ ଦେବକାନ୍ତ ଆଖିରେ ସହସା ଅଗ୍ନିଜଳି ଉଠିଲା । ସେ କ୍ରୋଧ ଜର୍ଜରିତ ହୋଇ ଧାଇଁ ଆସି ସଂଘମିତ୍ରାଙ୍କୁ ଏପରି ଭାବରେ ଆଘାତ କଲା ଯେ ସଂଘମିତ୍ରା ଭୂମି କାମୁଡ଼ି ପଡ଼ିଗଲା । ଛାମୁଦାନ୍ତ ଭାଙ୍ଗି ଝର ଝର ହୋଇ ରକ୍ତ ବୋହିଲା ।

 

ସଂଘମିତ୍ରା ପାଖରେ ଠିଆ ହୋଇଥିବା ଆଭାକୁ ଦାନ୍ତ କାମୁଡ଼ି ଚାପୁଡ଼ା ଉଞ୍ଚାଇ ଦେବୀକାନ୍ତ ଗୋଡ଼ାଇ ଗଲା । ଆଭା ଆଖି ପିଛୁଳାକେ ବିଜୁଳି ବେଗରେ ଦଉଡ଼ି ରାଜପଥକୁ ପଳାଇ ଆସି ଜନ ଗହଳି ଭିତରେ ମିଶିଗଲା । ସୌଭାଗ୍ୟକ୍ରମେ ସେ ତ୍ରାହି ପାଇଗଲା ।

 

ନଚେତ ???

 

ଏ ଘଟଣା ପରେ ପରେ ଝିଅର ରକ୍ତାକ୍ତ ଅବସ୍ଥା ଦେଖି ମାଆ ବାପାଙ୍କର ମନ ବଦଳିଗଲା । ହୃଦ ତରଳି ଗଲା । ଦେବୀକାନ୍ତଙ୍କୁ ବାପାମାଆ ଶ୍ରଦ୍ଧାରେ ଡାକନ୍ତି–"ଟୁକୁନା ।" ମାଆ କହିଲା–"ଟୁକୁନାରେ ଏ କ’ଣ କଲୁ ? ଜାଣୁ ଜାଣୁ ଝିଅଟାକୁ ମାରିପକାଇଲୁ ? ଝିଅ ଜନ୍ମ ପରା ଘରକୁ । ଯେଉଁଦିନ ହେଲେ ପରଘରକୁ ଯିବ ସେ । ସେ ଯାହା ହାତ ଧରିବ ସେ ତାକୁ ନେଇ ଘର କରିବ ନା ଆଉ କଣ ଆମକୁ । ତା' କର୍ମ ଭିତରେ କିଏ ପଶିଛି ? ଯାହା ତା' ଭାଗ୍ୟରେ ଥିବ ସେ ଭୋଗିବ ।

 

ବାପ କହିଲା–ଟୁକୁନାରେ ତାକୁ ମାରଧର କରି ଲାଭ କ’ଣ ? ସେ କ’ଣ ଆଉ ପିଲା ହୋଇଛି ? ବୁଝିବା ଶୁଝିବାରେ ବୟସ ତା’ର ହୋଇଛି । ପାଠଶାଠ ପଢ଼ି ଭଲ ମନ୍ଦ ବାରିବାର ଶକ୍ତି ଆହରଣ କରି ସାରିଛି । ଅନ୍ଧକାରରୁ ଆଲୋକକୁ ଆସିଛି । ଯଦି ସେ ପୁଣି ଅନ୍ଧକାରକୁ ଫେରିଯିବାକୁ ଚାହୁଁଛି ଯାଉ । ସେ କ’ଣ ଆଉ କୋଳର କାଖର ଦୁଗ୍‍ଧ ପୋଷ୍ୟ ଶିଶୁ ହୋଇଛି ଯେ ଆମେ ତାକୁ ଆକଟ କରିବା ? ତା' ଇଚ୍ଛା ବିରୁଦ୍ଧରେ ଯିବା ? ତାକୁ କ’ଣ ପେଡ଼ି ପେଟରାରେ ଭାନୁମତୀ ଭଳି ପୁରାଇ ରଖିବା ? ତାକୁ ଯାହା ସୁନ୍ଦର ଦିଶୁଛି ତାହା ସେ କରୁ ।

 

ସେ ଯଦି ଆମର ବଂଶର ସମ୍ମାନ ବଜାୟ ରଖିବାକୁ ଚାହୁଁନି କୁଳୀନତାକୁ ଗୌରବୋଜ୍ଜ୍ଵଳ କରି ରଖିବାକୁ ପସନ୍ଦ କରୁନି ଆମର ବା କ୍ଷୁର୍ଣ୍ଣ ହେବାର କ’ଣ ଅଛି ?

 

ଦେବୀକାନ୍ତ ଏଥର ପ୍ରକୃତିସ୍ଥ ହେଲା । ଅନୁତାପରେ ତଳଓଠ କାମୁଡ଼ି କଇଁ କଇଁ ହୋଇ କାନ୍ଦିଲା । ଯେଉଁ ଭଉଣୀକି ସେ ଆଜିଯାଏ ଦିନେ ହେଲେ ଟିପ ଛୁଆଁଇ ନ ଥିଲା ତା' ପ୍ରତି ସେ ଆଜି ଏଭଳି ନୃଶଂସ ଆଚରଣ ଦେଖାଇଲା କାହିଁକି ?

 

ସତେ କାହିଁକି ? ଏ ପ୍ରଶ୍ନର ଜବାବ ଦେବ କିଏ ? ଏକା ଜବାବ ଦେଇ ଥାନ୍ତା ସଂଘମିତ୍ରା; ମାତ୍ର ସେ କ’ଣ ଜବାବ ଦେବା ପରିସ୍ଥିତିରେ ଅଛି ?

 

ସଂଘମିତ୍ରା ପାଇଁ କେତେ କଳ୍ପନା କରି ନ ଥିଲା ସତେ ଦେବୀକାନ୍ତ ? ସଂଘମିତ୍ରା ଡାକ୍ତର ହେବ । ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବ । ବିଦେଶରୁ ଫେରିଲେ ଘରୋଇ ଭାବରେ ଚିକିତ୍ସା କରିବା । ଆଉ ସେ ଇଂଜିନିୟରିଂ ପାଶ୍ କରି ଆସି ଗୋଟିଏ ବଡ଼ ଶିଳ୍ପ ଫାର୍ମ କରିବ । ଭାଇ-ଭଉଣୀ ଦୁହେଁ ରୋଜଗାର କରି ଘରର ଅବସ୍ଥା ପରିବର୍ତ୍ତନ କରି ଦେବେ । ରସାନଦର ଚାକିରୀ ଛଡ଼ାଇ ଘରେ ବସାଇବେ ? ସଂଘମିତ୍ରା ଦେବୀକାନ୍ତ କଳ୍ପନାର ସୌଧକୁ ଭାଙ୍ଗି ଚୁରମାର କରିଦେଲା ।

 

ଏହିପରି ଭାବରେ ଦେବୀକାନ୍ତ ନାନା କଥା ଭାବୁଥିଲା ବେଳେ ଦାଣ୍ଡ ଦୁଆରେ ଆସି ଗୋଟିଏ କାର ହର୍ଣ୍ଣ ଦେଇ ଠିଆ ହୋଇଗଲା ।

 

ଦେବୀକାନ୍ତ ପଦାକୁ ଯାଇଁ ଦେଖେ ତ ରାମାନନ୍ଦନ ବାବୁ ଆଉ ତାଙ୍କର ସ୍ତ୍ରୀ ଶିଖା ଦେବୀ ଉଭୟେ କାର ଭିତରୁ ବାହାରୁଛନ୍ତି । ସେ ଦଉଡ଼ି ଯାଇଁ ରସାନନ୍ଦଙ୍କୁ ଡାକି ଦେଲା ।

 

ରସାନନ୍ଦ ଆସି ଯଥାବିଧି ପୂର୍ବକ ତା’ର ଉପରିସ୍ଥ ବଡ଼ ହାକିମ ରାମନନ୍ଦନ ବାବୁଙ୍କୁ ଆଦର ସମ୍ମାନ ଜଣାଇଲା ।

 

ରାମନନ୍ଦନ ବାବୁ ସେ ସବୁଥିରେ ଭଳିବା ଅବସ୍ଥାରେ ନ ଥିଲେ । ସେ କ୍ରୋଧ ଜର୍ଜରିତ ହୋଇ କହିଲେ–"ଆପଣ ଉପସ୍ଥିତ ଥାଉଁ ଥାଉଁ ମୋ ଝିଅ ପ୍ରତି ଆପଣଙ୍କର ପୁଅ ଆଜି ଯେଭଳି ଭାବରେ ବ୍ୟବହାର ଦେଖାଇଲେ ଆପଣ ତାହା ସମର୍ଥନ କଲେ କେମିତି ?’’

 

ରସାନନ୍ଦ ଭିତରେ ଟିକେ ଉତ୍ତେଜିତ ହୋଇଗଲେ ବି ମୁହଁରେ ନମ୍ରଭାବରେ କହିଲା–ମୋ' ପୁଅ ଆପଣଙ୍କ ଝିଅ ପ୍ରତି ଏଭଳି କିଛି ଅଶୋଭନୀୟ ଆଚରଣ ଦେଖାଇ ନାହିଁ ଯେ ମୁଁ ଯାହାର ପ୍ରତିବାଦ କରିଥାନ୍ତି ।

 

ଶିକ୍ଷା ଦେବୀ ଏଥର କହିଲେ–ତା' ହେଲେ ଆପଣଙ୍କ ପୁଅ କ’ଣ ମୋ ଝିଅକୁ ପିଟି ପିଟି ମାରି ଦେଇଥିଲେ ଆପଣ ପ୍ରତିବାଦ କାରିଥାନ୍ତେ ?

 

ରେବତୀ ଆଉ ସମ୍ଭାଳି ହୋଇ ନ ପାରି କହିଲା–ପିଟିଲେ ହେଲା କ’ଣ ? ତୁମର ଗୋଟାଏ ରଣଚଣ୍ଡୀ ଝିଅ ମୋର ସୁନାର ସଂସାରକୁ ଭାଙ୍ଗି ଚୂର୍‍ମାର୍ କରିଦେଲା । ମୋ ଝିଅକୁ ଶିଖାଇ ଲୋକ ଲଜ୍ଜ୍ୟାରେ ବୁଡ଼ାଇଲା–ତାକୁ ନ ପିଟି ଯଦି ପିଟିଲି ଆଛା ହେଲା, ଭଲ ହେଲା ।

 

ରାମନନ୍ଦନ ବାବୁ ଦେଖିଲେ ତାଙ୍କ ଭିତର କଳିଟା ନିମ୍ନ ସ୍ତରକୁ ଖସି ଆସିବାକୁ ବସିଲାଣି । ତେଣୁ ସେ ଆଉ କିଛି ନ କହି–କେବଳ ଶକ୍ତ "ହୁଁ" ଟିଏ ମାରି ଶିଖା ଦେବୀଙ୍କୁ ଯିବା ପାଇଁ ଇଙ୍ଗିତ ଦେଲେ ।

 

ପତିପତ୍ନୀ ଦୁହେଁ ଚାଲିଗଲା ପରେ ରେବତୀ କହିଲା–"ହାଇରେ ଦଇବ ଶେଷରେ ଏହା ଶୁଣିବାକୁ ମୋର କପାଳରେ ଥିଲା ।"

 

ରସାନନ୍ଦ କହିଲା–"ତୁମର ବ୍ୟସ୍ତ ହେବାର କିଛି ନାହିଁ । କେଉଁ ପାଣି କୁଆଡ଼କୁ ଯାଉଛି ଯାଉ । ସେ ଯଦି ମୋର କିଛି କ୍ଷତି କରନ୍ତି ତେବେ ମୁଁ ତାଙ୍କୁ ଏଭଳି ବୁଦ୍ଧି ଶିଖାଇଦେବି ଯେ ସେ ବାପାକୁ ମଉସା ବୋଲି ଡାକିବେ ।"

 

ଦେବୀକାନ୍ତ କହିଲା–"ବାପା, ଆମର ପଛେ କିଏ ଅପକାର କରି ସର୍ବନାଶ କରୁ । ଆମେ କାହାର ଉପକାର ଛଡ଼ା ଅପକାର କରିବା ନାହିଁ ।"

 

ଶେଷ ବସନ୍ତର ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ଯାଇଛି । ବାହାରେ ମାତିଛି ଝଡ଼ । ସୌରଭର ଝଡ଼ । ତାରାଗୁଡ଼ାକ କ’ଣ ଜହ୍ନ କାନରେ ଫୁସୁଫୁସୁ କହି ଆଖି ମିଟିକା ମାରୁଛନ୍ତି । ତଟିନୀର କୁଳୁ କୁଳୁ ଧ୍ଵନି ପ୍ରାଣତଳେ ଖେଳାଇ ଦେଉଛି ଆନନ୍ଦର ବନ୍ୟା ।

 

ତଥାପି–

 

ସଂଘମିତ୍ରାର ମନ ଆଜି ଭାରାକ୍ରାନ୍ତ ! ସେ ସବୁଦିନ ଭଳି ଆଜି ଏ କମନୀୟ ସଂଧ୍ୟାର ମଧୁମେୟ ପରିବେଶକୁ ପ୍ରାଣ ଖୋଲି ସ୍ୱାଗତ ଜଣାଇପାରୁ ନାହିଁ । ତା’ର ମନରେ ଖେଳୁଛି ଗୋଟିଏ କଥା । ଯଦି ସୌମେନ୍ଦ୍ର ଆଜିର ଦୁଃଖଜନକ ଘଟଣା ଶୁଣିଥିବେ ସେ କ’ଣ ଭାବୁଥିବେ ? ମୋ ପ୍ରତି ସେ କି ଧାରଣା କରିଥିବେ ?

 

ନା-ନା-

 

ଯଦି ସେ ଆସି ମୋତେ କିଛି ପଚାରନ୍ତି ମୁଁ ସଫା ସଫା ମନା କରିଦେବି ମୋ' ଜଣାରେ କାହିଁ କିଛି ତ କେଉଁଠି ଘଟିନାହିଁ । ମୋତେ ତ କେହି କିଛି କହି ନାହାନ୍ତି ।

 

ଯଦି ସେ ଦାନ୍ତ ଭାଙ୍ଗିବାଟା ଦେଖନ୍ତି ?

 

ଦେଖନ୍ତୁ–

 

ମୁଁ କହିବି ମୁଁ ରିକ୍‍ସାରୁ ପଡ଼ି ଏ ଅବସ୍ଥା ଭଜିଛି । ତା’ପରେ ସେ ନିଶ୍ଚୟ ନିରୁତ୍ତର ହୋଇଯିବେ । ଏଥର ସେ ଦର୍ପଣ ଆଗକୁ ଗଲା ।

 

ନିଜକୁ ମନଇଚ୍ଛା ସଜାଇବାରେ ଲାଗିଲା । ସବୁଦିନଠାରୁ ଆଜିର ମେକ୍ଅପ୍‍ଟା ତାକୁ କାହିଁକି ଭାରି ଭଲ ଦିଶୁଛି । ସେ ବାରବାର ବହୁବାର ଦର୍ପଣରେ ନିଜକୁ ଦେଖିନେଲା । ଲବଣବିହୀନ ବ୍ୟଞ୍ଜନ ଭଳି ତାର ସାଜସଜା ଭିତରେ ସେ ଗୋଟିଏ ଅଭାବ ଅନୁଭବ କଲା । ବେଣୀରେ ତା’ର ଗୋଲାପଟି ଖୋସିଲେ ଭାରି ଭଲ ଦିଶନ୍ତା ।

 

ଏହି ସମୟରେ ପଛରୁ ଚପୁ ଚୁପୁ ଆସି ସୌମେନ୍ଦ୍ର ବେଣୀରେ ତା’ର ଗୋଟିଏ ଗୋଲାପ ଫୁଲ ଖୋସିଦେଲା ।

 

ଖିଲି ଖିଲି କରି ହସି ଉଠିଲା ସଂଘମିତ୍ରା । କହିଲା–"ସତେ ତୁମେ ଭାରି ଦୁଷ୍ଟ ।"

 

ଦେବୀକାନ୍ତ ଘର ଭିତରକୁ ପଶି ଆସୁ ଆସୁ ନଜର ପଡ଼ିଲା ସୌମେନ୍ଦ୍ର ଉପରେ । ଗୋଖର ସାପ ଲାଙ୍ଗୁଡ଼ରେ ହାତ ମାରିଦେଲେ ସେ ଯେପରି ଫଅଁ କରି ଉଠେ, ଦେବୀକାନ୍ତ ସେହିପରି ଫଅଁ କରି ଉଠିଲା । ବାପାମାଆଙ୍କର ସବୁ ଉପଦେଶ ପାଣି ଫାଟିଗଲା । ତା' ଭିତରେ କୁହୁଳୁଥିବା ପୁଞ୍ଜିଭୂତ କ୍ରୋଧ, ଅସନ୍ତୋଷର ବିସ୍ଫୋରଣ ଘଟିଲା । ଅତି ଉତ୍ତେଜିତ ଚଢ଼ା ଗଳାରେ ଦେବୀକାନ୍ତ କହିଲା–"ଦେଖ ସୌମେନ୍ଦ୍ର ଆଉ ଯେପରି ଦିନକ ପାଇଁ ତୁମର ପାଦ ଆମ ଦୁଆରେ ନ ପଡ଼େ । ତୁମେ ଆମର ସରଳତାର ସୁଯୋଗ ନେଇ ସର୍ବନାଶ କରିଛ ।"

 

ତୁମେ ମୋ'ସାଙ୍ଗରେ ବର୍ଷ ବର୍ଷ ଧରି ପାଠ ପଢ଼ିଲ । ମୁଁ ଜାଣି ନ ଥିଲି ଯେ ତୁମର ଚରିତ୍ର ଏଡ଼େ ନିନ୍ଦନୀୟ ବୋଲି । ତୁମରିଠାରୁ ମୋର ଧାରଣା ହୋଇଛି ଯେ ଯେଉଁମାନେ କାହାକୁ କିଛି ନ କହି ମଉନ ଭାବରେ ଚାଲିଥାନ୍ତି–ପଦାକୁ ଅତି ଶାନ୍ତଶିଷ୍ଟ ବୋଲି ପ୍ରତୀୟମାନ ହେଉଥାନ୍ତି ସେମାନେ ଗୋଟିଏ ଗୋଟିଏ ଚୁପ୍ ସୈତାନ । ସେମାନଙ୍କର ଚରିତ୍ର ବୋଲି ଗୋଟାଏ କିଛି ଜିନିଷ ନ ଥାଏ । ଘଡ଼ିକେ ଘୋଡ଼ା ଛୁଟାଇ ପାରନ୍ତି ସେମାନେ । ଆତ୍ମସମ୍ମାନର ବି ଧାର ଧାରନ୍ତି ନାହିଁ । ପର ଝିଅ ବୋହୂକୁ ଉଡ଼େଇ ଦେବାରେ ସେମାନେ ବିଶେଷ ପାରଙ୍ଗମ ।

 

ଦେବୀକାନ୍ତର କଟୁ କଥାରେ ସୌମେନ୍ଦ୍ର ଆଉ ସମ୍ଭାଳି ହୋଇ ପାରିଲାନି । ସାପକୁ ଦେଖି ନେଉଳ ଫୁଲି ଉଠିଲା ପରି ଫୁଲି ଉଠିଲା ସେ । କଂସେଇଖାନାରୁ ଘାତକ ଫେରିଲାବେଳେ ତା’ର ଆଖି ଯେପରି ଦେଖା ଯାଉଥାଏ–ସେହିପରି ସୌମେନ୍ଦ୍ରର ଆଖି ଦେଖାଗଲା । ସତେ ଯେମିତି ରକ୍ତ ଥୋପି ପଡ଼ିଲା । ସେ ଗୋଡ଼ କଚାଡ଼ି କର୍କଶ କଣ୍ଠରେ ଦେବୀକାନ୍ତକୁ ଜବାବ ଦେଇ କହିଲା–"ନିଜର ଘର ଠିକ୍ ନ କରି ପରକୁ ଦୋଷ ଦେବା କେବଳ ଅବିବେକୀମାନଙ୍କର କାର୍ଯ୍ୟ ।" ଦେବୀକାନ୍ତ ଏଥର ଥର ଥର ଗଳାରେ ପଚାରିଲା–"ସୌମେନ୍ଦ୍ର ତୁମେ ଜାଣ ତୁମେ କେଉଁଠି ଏବଂ କାହା ସଙ୍ଗରେ ଯୁକ୍ତି କରୁଛ ?"

 

ସୌମେନ୍ଦ୍ର କହିଲା ହଁ ମୁଁ ଜାଣେ ରସାନନ୍ଦ ବାବୁଙ୍କ ଘରେ ଆଉ ତାଙ୍କ କୁଳଚନ୍ଦ୍ରମା ପୁତ୍ର ଦେବୀକାନ୍ତଙ୍କ ସହିତ ଯୁକ୍ତି କରୁଛି । ମୁଁ ବେଶି କିଛି କହୁ ନାହିଁ । ମଣିଷ ହିସାବରେ ଯେତିକି କହିବାର କଥା ସେତିକି କହୁଛି ।

 

ଦେବୀକାନ୍ତର ଆତ୍ମସମ୍ମାନର ଏଠାର ଘୋର ଆଘାତ ଲାଗିଲା । ସେ ଦଉଡ଼ିଯାଇ ଘରୁ ବନ୍ଧୁକଟିଏ ଆଣି ସୌମେନ୍ଦ୍ର ଆଡ଼କୁ ଆଗେଇ ଆସିଲାବେଳେ ସଂଘମିତ୍ରା ଆଗରେ ଠିଆ ହୋଇ ଛାତି ଦେଖାଇ କହିଲା–"ଭାଇ ମୋତେ ମାରି ଦିଅ ସବୁ ଅଡ଼ୁଆ ଛିଣ୍ଡିଯିବ । ସବୁ ଦୋଷ ମୋର । ତାଙ୍କୁ ମାର ନାହିଁ, ସେ ସଂପୂର୍ଣ୍ଣ ନିର୍ଦ୍ଦୋଷ ।"

 

ଦେବୀକାନ୍ତ ହାତରୁ ବନ୍ଧୁକ ଖସି ପଡ଼ିଲା । ସୌମେନ୍ଦ୍ର ପଛେଇ ପଛେଇ ଚାଲିଗଲା ।

 

ଦେବୀକାନ୍ତର ମୁଣ୍ଡ କ’ଣ ହୋଇଗଲା । ସେ ଗଛ କାଟିଲା ପରି ତଳେ କଚାଡ଼ି ହୋଇ ପଡ଼ିଲା । ସଂଘମିତ୍ରା ଦଉଡ଼ି ଯାଇଁ ଦେବୀକାନ୍ତର ମୁଣ୍ଡକୁ କୋଳକୁ ଟେକି ଆଣି ଉଚ୍ଚ ସ୍ଵରରେ ଭାଇ ଭାଇ ଡାକିଲା ।

 

ରେବତୀ ପାଣି ଆଣି ଦଉଡ଼ି ଆସି ଦେବୀକାନ୍ତଙ୍କ ମୁଣ୍ଡରେ ସିଞ୍ଚୁ ସିଞ୍ଚୁ ସଂଘମିତ୍ରାକୁ ଲକ୍ଷ୍ୟ କରି କହୁଥିବାର ଶୁଣା ଯାଉଥିଲା–"ଭଉଣୀ ହୋଇ ତୁ ଭାଇର ସମ୍ମାନ ରଖି ପାରିଲୁ ନାହିଁ-।"

 

ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଲୋକ କୁମ୍ଭାଟୁଆ ବସାର କାଠିକୁ ଆଶ୍ରା କଲାଭଳି ନିଜକୁ ବଞ୍ଚାଇ ଜୀବନ ସଂଗ୍ରାମରେ ବିଜୟ ହାସଲ ପାଇଁ ମଣିଷ ଅନେକ ସମୟରେ ସୀମା ବାହାରକୁ ଯାଇଥାଏ । ଅନ୍ୟାୟର ଆଶ୍ରା ନେଇଥାଏ । ରାମନନ୍ଦନ ବାବୁ ବମ୍ବେରେ ଯେତେବେଳେ ସିନେମା କମ୍ପାନୀରୁ ଅନ୍ତର ହେଲେ ସେତେବେଳେ କ’ଣ କରିବେ ବୋଲି କିଛି ବୁଝି ପାରିଲେ ନାହିଁ । ନିଜର ସ୍ଥିତି ବଜାୟ ରଖି, ଆଭାକୁ ଚଳାଇ ସେଠାରେ ରହିବା ଅସମ୍ଭବ ହେଲା ।

 

ଅନେକ ସମୟରେ ଏମିତି ହୁଏ । ଯେଉଁଠାରେ ମଣିଷ ପ୍ରାଧାନ୍ୟ ବିସ୍ତାର କରି ହୁକୁମ ଜାହିର କରି, ସମ୍ମାନର ସହିତ ଦିନ କାଟୁଥାଏ । ଯଦି କୌଣସି କାରଣରୁ ସେ କ୍ଷମତାଚ୍ୟୂତ ହୁଏ, ସବୁ ସୁବିଧା ସୁଯୋଗରୁ ବଞ୍ଚିତ ହୁଏ ତେବେ ସେଠାରେ ଆଉ ସେ ଗୋଟିଏ ଦିନ ବି ରହିପାରିବା ଅସମ୍ଭବ । ପୃଥିବୀରେ ଧନ ଆଉ କ୍ଷମତାରେ ବଶୀଭୂତ ସମସ୍ତେ । ଏହି ଦୁଇଟି ଶକ୍ତିରୁ ବିଲୟ ଘଟିଲେ କେହି କାହାକୁ ପଚାରେ ନାହିଁ । ସମ୍ମାନ ରହେ ନାହିଁ । ବିଶୃଙ୍ଖଳା ଉପସ୍ଥିତ ହୁଏ । ପ୍ରତି ମୁହୂର୍ତ୍ତରେ ହୀନମଣ୍ୟତାର ସତ୍ତା ଅନୁଭବ କରିହୁଏ । ଅନୁତାପରେ ମନ ଭାଙ୍ଗିପଡ଼େ । ସେଇ ଲୋକ, ସେଇ ସ୍ଥାନ ସେଇ ପାରି ପାରିପାର୍ଶ୍ଵିକ ଅବସ୍ଥା ସବୁ ଠିକ୍ ଭାବରେ ଥାଏ, ତଥାପି ଆଉ କିଛି ଭଲ ଲାଗେନା । ମନ ବ୍ୟାକୁଳ ହୁଏ, ସେ ସ୍ଥାନ ଛାଡ଼ି ପଳାଇ ଯିବାକୁ ।

 

ସେଇମିତି ଦିନେ ରାମନନ୍ଦନ ବାବୁଙ୍କ ପ୍ରାଣ ବ୍ୟାକୁଳ ହୋଇ ଉଠିଥିଲା । ସେ ପେଟ ପୋଷ ନାହିଁ ଦୋଷ ନ୍ୟାୟରେ ଖଣ୍ଡିଏ ଜାଲ ସାର୍ଟିପିକେଟ୍ ସଂଗ୍ରହ କରି ଓଡ଼ିଶାର ଶାସନ ବିଭାଗରେ ଭର୍ତ୍ତି ହୋଇ ଯାଇଥିଲେ ।

 

ସେତେବେଳେ ଇଂରେଜୀ ଶାସନ ଅମଳ । ଏକା ତୁଠରେ ବାଘ ବକୁରୀ ପାଣି ପିଉଥିଲେ । ତାଙ୍କ ଶାସନ ବିଷୟରେ ପାଟି ଫିଟାଇବାର କାହାର ଜୁ' ନ ଥିଲା । ବିଲାତରେ ଯେଉଁମାନେ ମେଷପାଳକ ସେମାନେ ଏଠାରେ ଲେଫଟନାଣ୍ଟ ଗଭର୍ଣ୍ଣର ହୋଇ ଏକାଧିପତ୍ୟ କ୍ଷମତା ବିସ୍ତାର କରୁଥିଲେ । ସ୍ଥାନୀୟ ଲୋକଙ୍କୁ ବିଶେଷ କ୍ଷମତା ଦିଆଯାଉ ନ ଥିଲା । ସବୁ ବିଦେଶୀ ଲୋକଙ୍କୁ ଆଣି ବିଭିନ୍ନ କି' ପୋଷ୍ଟରେ ରଖା ଯାଉଥିଲା । ସେମାନଙ୍କ ଦୟା ଉପରେ ନିର୍ଭର କରୁଥିଲେ ସ୍ଥାନୀୟ ଅଧିବାସୀଗଣ । ସେମାନେ ଧର୍ମାବତାର ହୋଇ ଅନୁଗ୍ରହ ବିତରଣ କରୁଥିଲେ । ବ୍ୟକ୍ତିଗତ ସ୍ୱାଧୀନତା ଏକାନ୍ତ ବିପନ୍ନ ଅବସ୍ଥାରେ ଥିଲା ।

 

ସେତେବେଳେ ଯଦି କାହାର ପୁଅ ସବ୍ଡ଼େପୁଟି ଚାକିରୀଟିଏ କରୁଥିଲା, ତେବେ ତା’ର ସପ୍ତପୁରୁଷ ଉଦ୍ଧାର ହୋଇ ଯାଉଥିଲା ବୋଲି ସେ ମନେ କରୁଥିଲା । ସବ୍ଡ଼େପୁଟି ଚାକିରୀ ମଧ୍ୟ ସେହିଭଳି ଲୋଭନୀୟ ଥିଲା । ବର୍ତ୍ତମାନ ଆଇ: ଏ: ଏସ୍: ଓ ଆଇ: ପି: ଏସ୍: ଚାକିରୀରେ ଯେଉଁ ଖ୍ୟାତି, ଯେଉଁ ଖ୍ୟାତିରେ ଯେଉଁ ସମ୍ମାନ, ସେତେବେଳେ କିନ୍ତୁ ସବ୍ଡ଼େପୁଟି ଚାକିରୀ ସବୁ ଗୁଣରେ ସମ୍ମାନାସ୍ପଦ ଥିଲା । ସବ୍ଡ଼େପୁଟି ବାବୁଙ୍କର ସହଧର୍ମିଣୀ ସାକ୍ଷାତ୍ ଇନ୍ଦ୍ରାଣୀ ବୋଲି ବିବେଚିତ ହେଉଥିଲା । ସେ ଛୋଟୀ ହେଲେ ମଧ୍ୟ ତାଙ୍କୁ ଶ୍ରୀମତୀ ବୋଲି ଲୋକେ କହିବାକୁ ବାଧ୍ୟ ହେଉଥିଲେ; କାରଣ ତାଙ୍କର ସ୍ୱାମୀ ମ୍ୟାକଲେ ସାହେବଙ୍କ ନିର୍ଦ୍ଦେଶମତେ ଛାତି ଫୁଲାଇ ବାଟ ଚାଲୁଥିଲେ । ସେ ସମାଜରେ ସ୍ଵତନ୍ତ୍ର ଆସନ ଦାବୀ କରୁଥିଲେ । କାରଣ ସେମାନେ ବାପାକୁ ନ ପୋଷି ମଉସାକୁ ପୋଷୁଥିଲେ ।

 

ଅବଶ୍ୟ ଯେ ସବ୍ଡ଼େପୁଟି ସାହେବମାନଙ୍କ ମଧ୍ୟରୁ କେତେକ ସ୍ଵଦେଶହିତୈଷୀ, ସ୍ୱାଧିନଚେତା, ଦୟାପରାୟଣ, ପରଦୁଃଖକାତର ବ୍ୟକ୍ତି ଯେ ନ ଥିଲେ ଏପରି ନୁହେଁ, ଅନେକ ଥିଲେ । ପଥର ତଳେ ବିଭିନ୍ନ କୀଟ, ପତଙ୍ଗ, ଜୀବଜନ୍ତୁ, ଛାଡ଼ି ରହିଲା ଭଳି ସେମାନଙ୍କର ମନୋଭାବ କଡ଼ା ନିୟମ, ଶୃଙ୍ଖଳା ଭିତରେ ଲୁଚି ରହିଥିଲା । କେତେକ ଚାକିରୀ ଛାଡ଼ି ଦେଉଥିଲେ-

 

ଆଉ ଯେଉଁମାନେ କେବେ କଥାରେ ବା କାର୍ଯ୍ୟରେ ସ୍ଵଦେଶ ହିତୈଷୀତାର ପରିଚୟ ଦେଉଥିଲେ, ସେମାନେ ଇଂରେଜୀ ସରକାରଙ୍କର କୋପ ଦୃଷ୍ଟିରେ ପଡ଼ୁଥିଲେ । ଇନ୍ଦ୍ରପଦରୁ ଅପସାରିତ ହେଉଥିଲେ । ନାନା ଭାବରେ ଲାଞ୍ଛିତ ନିର୍ଯ୍ୟାତୀତ ହେଉଥିଲେ ।

 

ଗୋରା ହାକିମମାନଙ୍କର ସୁଦୃଷ୍ଟି ଯାହା ଉପରେ ପଡ଼ୁଥିଲା, ତାକୁ ଭାଗ୍ୟଦେବୀ ସାଙ୍ଗେ ସାଙ୍ଗେ ସୁପ୍ରସନ୍ନ ହୋଇ ଯାଉଥିଲେ । ସେଇମିତି ଜଣେ ସାହେବଙ୍କର ସୁଦୃଷ୍ଟି ପଡ଼ିବାରୁ ରାମନନ୍ଦନ ବାବୁ ଶାସନ ବିଭାଗରେ ନିର୍ବିବାଦରେ ଉଚ୍ଚପଦାଧୀରୁଢ଼ ହୋଇ ବିପୁଳସମ୍ମାନର ଅଧିକାରୀ ହୋଇଥିଲେ ।

 

ସେ କ’ଣ ସେତେବେଳେ କଳ୍ପନା କରିଥିଲେ ଯେ ପୁଣି ଦିନେ ତାଙ୍କୁ ପୁନର୍ମୂଷିକ ହେବାକୁ ହେବ । ତାଙ୍କର ସବୁ ଯଶ, ପ୍ରତିଷ୍ଠା ପାଣିରେ ଗାର ଭଳି ନିମିଷକେ ମିଳାଇ ଯିବ ? ସେ କ’ଣ କେବେ ଚିନ୍ତା କରିଥିଲେ ଯେ ମହାମାନନୀୟ ଇଂରେଜ ସରକାର ଏତେ ଶୀଘ୍ର ପେଡ଼ିପୁଟୁଳି ବାନ୍ଧି ସ୍ଵଦେଶକୁ ସୁନାପିଲା ପରି ବାହୁଡ଼ିଯିବେ ? ଦିନ ଗଡ଼ିଗଲା । ଚକ ଘୂରିଗଲା । କାଳବେଳା କଟିଗଲା । ମାହେନ୍ଦ୍ର ଯୋଗ ଆସିଲା । ଭାରତମାତାର କମଳ-କୋମଳ ଚରଣରୁ ବେଢ଼ି ଖସିପଡ଼ିଲା ।

 

ନିଜ ଦେଶର ଲୋକେ ନିଜ ଶାସନ ଭାର ମୁଣ୍ଡାଇଲେ । ନିଜର ସୁଖ ଦୁଃଖ କଥା ବୁଝିଲେ । କୌଣସି ସୂତ୍ରକୁ ଜଣାପଡ଼ିଲା ଯେ ରାମନନ୍ଦନ ବାବୁ ଯାହା ନୁହନ୍ତି ସେ ତାହାର ପ୍ରମାଣ ଦେଖାଇ ସମସ୍ତଙ୍କ ଆଖିରେ ଧୂଳି ଦେଇ ଶାସନର ଉଚ୍ଚସ୍ତରରେ ଆସନ ଜମାଇ ବସିଛନ୍ତି । ଅନତିବିଳମ୍ବେ ତାଙ୍କୁ ଚାକିରୀରୁ ବରଖାସ୍ତ ନୋଟିସ ଦିଆଗଲା । ଜାତୀୟ ସରକାର ଦୟା ଦେଖାଇ ଆଉ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ କି ତାଙ୍କର ସଞ୍ଚିତ ଧନ ସମ୍ପତ୍ତି ବ୍ୟାଜ୍ୟାପ୍ତି କଲେ ନାହିଁ ।

 

ଲୋକ ଲଜ୍ଜ୍ୟା ଭୟରେ ଅନ୍ୟତ୍ର ଚାଲିଗଲେ । ତା’ପରେ ଆସି ତାଙ୍କ ଘରେ ରହିଲେ । ତାଙ୍କର ସ୍ତ୍ରୀ ଶିଖା ଦେବୀ ଶିକ୍ଷା ବିଭାଗରେ ମଧ୍ୟ ଉଚ୍ଚ ପଦବୀରେ ସମ୍ମାନିତା ହେଲେ । ଏହା ଭିତରେ ସେ ବି ଏକ ପୁତ୍ର ସନ୍ତାନ ଲାଭ କରି ସାରିଥିଲେ ।

 

ସ୍ୱାମୀ ପ୍ରଣବାନନ୍ଦଜୀଙ୍କ ଉପଦେଶରେ ଏଥର ରାମନନ୍ଦନ ବାବୁ ପୁତ୍ର, କନ୍ୟା, ପତ୍ନୀଙ୍କୁ ସମର୍ପି ସନ୍ନ୍ୟାସ ଆଡ଼କୁ ମନ ଦେଲେ ।

 

ସବୁ ଦେଶରେ, ସବୁ ଯୁଗରେ ଦେଖା ଯାଇଥାଏ ଯେ ମିଳନ ଆଶାୟୀ ଯୁବକ ଯୁବତୀଙ୍କ ମଧ୍ୟରେ ଯେଉଁ ପ୍ରଶଂସାର ଜୁଆର ଛୁଟେ, ସେଥିରେ ଅନୁରକ୍ତିର ବିନ୍ଦୁବିସର୍ଗ ନ ଥାଏ । ପୂର୍ଣ୍ଣ ଆସକ୍ତିରେ ପ୍ରଶଂସାର କଳେବର ଗଠିତ ହୋଇଥାଏ । ସେତେବେଳେ ଯୁବକ ଯୁବତୀଙ୍କ ମନରେ କାମନାର ଲେଲିହାନ ବହ୍ନି ଧୁ ଧୁ ଜାଳି ଉଠୁଥାଏ । ଦୃଦୟରେ ଆସଙ୍ଗ ଲିପ୍‍ସାର ଉତ୍ତାପ ଉତ୍ତପ୍ତ ଜ୍ୱାଳା ଭରୁଥାଏ । ଧର୍ମର ଧାରଣା କାହାରି ପାଖ ପାଶେ ନାହିଁ । କର୍ମର ପ୍ରେରଣା ହୃଦୟରେ ଜାଗେ ନାହିଁ । କାୟା ସଙ୍ଗେ ଛାୟା ରହିଲା ପରି ପାଶେ ପାଶେ ରହିବାକୁ ଇଚ୍ଛା ହୁଏ । କାହାରି ପାଖ ଛାଡ଼ି କେହି କୁଆଡ଼େ ଯିବାକୁ ମନ ବଳାନ୍ତିନାହିଁ ।

 

ଏହିପରି ଏହି କେତେଦିନ ହେଲା ସଂଘମିତ୍ରା ଆଉ ସୌମେନ୍ଦ୍ର ଜଣେ ଜଣକୁ ଛାଡ଼ି କ୍ଷଣେହେଲେ କୁଆଡ଼େ ଗଲେ ଲକ୍ଷେ ଯୁଗ ଭଳି ମନେ କରୁଛନ୍ତି । ସବୁବେଳେ ସୌମେନ୍ଦ୍ର ମୁହଁରେ ସଂଘମିତ୍ରାର ପ୍ରଶଂସା । ସଂଘମିତ୍ରାର ବୁକୁ ପ୍ରିୟ ପ୍ରଶଂସାରେ ଗର୍ବରେ ଫାଟି ପଡ଼ୁଛି । ଆଜି ନୁହେଁ, ପୃଥିବୀ ସୃଷ୍ଟି ହେଲାଦିନୁ ଏହା ସର୍ବକାଳୀନ ସାର୍ବଜନୀନ ସତ୍ୟ ରୂପେ ପ୍ରତିଷ୍ଠିତ ହୋଇ ଆସିଛି ଯେ ଯଦି କୌଣସି ସର୍ବ ସୁଲକ୍ଷଣା ପଦ୍ମ ପଳାଶ ଲୋଚନା, ପୂର୍ଣ୍ଣ ଯୌବନା ଶୋଭନା ନବ କିଶୋରୀ ନାୟକ ମୁଖରୁ ନିଜ ଗୁଣର ପ୍ରଶଂସା ଆଉ ରୂପାର ଗୌରବ ଶୁଣେ, ତେବେ ସେ ସଜ ଫୁଟା ଫୁଲ ପରି ଅଭିମାନରେ ଫୁଲି ଉଠି, ଲାଜକୁଳୀ ଲତାର ବିନମ୍ର ସଂଭ୍ରମରେ ଲାଜମୁଖୀ ହୋଇଥାଏ । ଆଦାମ୍ ଇଭ୍‍ଙ୍କଠାରୁ ଅବଧି ସବୁ ନାରୀ ସବୁ ପୁରୁଷଙ୍କଠାରୁ ପ୍ରଶଂସା ଶୁଣିବାକୁ ଭଲ ପାଇ ଆସିଛନ୍ତି ।

 

ଦୁଇ ମାସ ହେଲା ସୌମେନ୍ଦ୍ର ଆଉ ସଂଘମିତ୍ରାର ବିବାହ ସରିଛି । ସମାଜର ରକ୍ତଚକ୍ଷୁରୁ ନିସ୍ତାର ମିଳିଛି । ଜନ ଅପବାଦର ଭୟା-ବହତାରୁ ତ୍ରାହି ମିଳିଛି । ଦାମ୍ପତ୍ୟ ଜୀବନର ଦଲିଲ ସମ୍ପାଦନ ସରିଛି । ମୁକ୍ତ ଆକାଶର ବିହଙ୍ଗାମତ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ନୀଡ଼ର ସୀମିତ ପରିସରକୁ ଦୁଇଟି ଜୀବନ ହସି ହସି ସ୍ୱାଗତ ଜଣାଇଛି । ସବୁ ବାଦ, ବିବାଦ, ଯୁକ୍ତିତର୍କ, ଜଳ୍ପନା ଜଳ୍ପନାର ପରିସମାପ୍ତି ଘଟିଛି ।

 

ଅବଶ୍ୟ–

 

ଇଚ୍ଛା ବିରୁଦ୍ଧରେ ସଂଘମିତ୍ରାର ବାପା ରସାନନ୍ଦ ଶଙ୍ଖରେ ପାଣି ଟେକି ସମର୍ପଣ ସାରିଛି-। ମା' ରେବତୀ ଲୁହ ନ କାନ୍ଦି ରକ୍ତ କାନ୍ଦି ମନକଥା ମନରେ ମାରି ଶୁଭ-ବିବାହର ସବୁ ଦାୟିତ୍ୱ ତୁଲାଇଛି । କେଉଁ ବନ୍ଧୁଙ୍କୁ ଖୋଜା ଲୋଡ଼ା ହୋଇନାହିଁ କି କେଉଁ ଝିଅ ଝିଆଣୀଙ୍କୁ ଅଣାଯାଇ ନାହିଁ-। କେଉଁ ସୂର୍ଯ୍ୟ ମଇତ୍ର ଘରେ ଗୁଆ ବଣ୍ଟାଯାଇ ନାହିଁ । ସାଇପଡ଼ିଶା, ଜ୍ଞାତି କୁଟୁମ୍ବଙ୍କୁ ସରାଗରେ ଡକାଯାଇ ନାହିଁ । ଯିଏ ନ ଆସିଲେ ନ ଚଳିବ ସେହିମାନେ କେବଳ ନିମନ୍ତ୍ରିତ ହୋଇ ଆସିଛନ୍ତି । ଭାଇ ଦେବୀକାନ୍ତ ବିବାହର ଆୟୋଜନ ସାରି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଛି ତା’ର ଖୋଜ ଖବର ନାହିଁ । ସେ ଏ ବିଭାଘର ପାଇଁ ବେଶୀ ପରିମାଣରେ ଲଜ୍ଜିତ, ବିଶେଷ ଭାବରେ ଦୁଃଖିତ ।

 

କିନ୍ତୁ–

 

ସଂଘମିତ୍ରା ଆଦୌ ଦୁଃଖିତ ନୁହେଁ । ସେ ନିଜର ଜିଦ୍‍ରେ ଅଟଳ ରହି ସମସ୍ତଙ୍କ ମୁହଁରେ ଚୂନକାଳି ବୋଳି ସୌମେନ୍ଦ୍ରକୁ ଜୀବନ ସାଥୀରୂପେ ବାଛିଚି । ସ୍ଵଚ୍ଛସଲୀଳା ନଦୀ ସାଗର ସଙ୍ଗରେ ନିଜକୁ ଗର୍ବିତା ଅନୁଭବ କଲାପରି ସେ ଚାହେଁ ସୌମେନ୍ଦ୍ରର ସୌଭାଗ୍ୟର ଭାଗୀ ହୋଇ ଜୀବନକୁ ଉପଭୋଗ କରିବାକୁ ଯେତେବେଳେ ଯେଉଁ କଥା ।

 

ବେଳ ଗଡ଼ିଗଲେ–ବଳ ଖସିଗଲେ–ବୟସ ନଇଁ ଆସିଲେ ଆଉ କ’ଣ ଜୀବନରେ ପୂର୍ଣ୍ଣ ଉପଭୋଗର ସମ୍ଭାବନା ଥାଏ ?

 

ବିବାହ ପରଠାରୁ ସଂଘମିତ୍ରା ସୌମେନ୍ଦ୍ରର ଘରକୁ ଯାଇନି । ତାଙ୍କରି ଘରେ ଅଛି । ସୌମେନ୍ଦ୍ର ବି ସେଠାରେ ରହୁଛି । ସୌମେନ୍ଦ୍ର, ମଝିରେ ମଝିରେ ସଂଘମିତ୍ରାଙ୍କୁ ଅନ୍ୟତ୍ର ଯିବାକୁ ପ୍ରବର୍ତ୍ତାଉଛି । ସେ କିନ୍ତୁ ଯିବାକୁ ରାଜି ହେଉନି । ସୌମେନ୍ଦ୍ର ଶଶୁର ଘରେ ବେଶୀ ଦିନ ରହିବାକୁ ପସନ୍ଦ କରୁନି । ଏହି ସ୍ଥାନାନ୍ତର ବିଷୟରେ ମତାନ୍ତର ଘଟି ବେଳେ ବେଳେ ନବବିବାହିତ ଦମ୍ପତିଙ୍କ ମଧ୍ୟରେ ମଧୁର କଳହର ସୂତ୍ରପାତ ହୋଇ ପ୍ରଭାତର ମେଘ ଡମ୍ୱରୁ ଭଳି ଉଭେଇ ଯାଉଛି । ନିଜ ମା’ବାପଙ୍କୁ ଛାଡ଼ି ସଂଘମିତ୍ରା କୁଆଡ଼େ ଯିବାକୁ ରାଜି ହେଉନି । ସେ ଭାବୁଥିଲା ଅଭିଆଡ଼ୀ ଥିଲାବେଳେ ସୌମେନ୍ଦ୍ର ଯେମିତି ତା' କଥାରେ ପରିଚାଳିତ ହେଉଥିଲା ସାରାଜୀବନ ସେମିତି ସୁନା ପିଲାପରି ସବୁକଥା ମାନି ଚଳୁଥିବ । ତା' ଇଚ୍ଛାକୁ ସବୁବେଳେ ସମ୍ମାନ ଦେଖାଉଥିବା । ତା' ମନକୁ ଘେନି ସବୁବେଳେ ଚଳୁଥିବ । ଚାଟୁବାଣୀରେ ଯେପରି ମନ ମୋହୁଚି ଚିରଦିନ ସେହିପରି ମୋହି ତା' ପ୍ରାଣରେ ଆଘାତ ଦେଲାଭଳି କୌଣସି ଟାଣ କଥା କହିବ ନାହିଁ ।

 

ମାତ୍ର–

 

ସେ କ’ଣ ଜାଣିଥିଲା ଯେ କେଳା ସାପକୁ ବଶ କରିବା ପାଇଁ ପଣା ଦିଏ–ପଦ୍ମତୋଳା ବୋଲିଥାଏ । ତା’ପରେ ଯେତେବେଳେ ସାପ ବେକ ତା' ହାତ ମୁଠାରେ ପଡ଼ିଯାଏ ସେ ଦାନ୍ତ ଭାଙ୍ଗିଦେଇ ପେଡ଼ିରେ ପୂରାଇ ରଖେ । ମନଇଚ୍ଛା ଖେଳାଏ । ସାପର ପୂର୍ବ ସ୍ୱାଧୀନତା ରହେ ନାହିଁ-। ସେ ମନଇଚ୍ଛା କୁଆଡ଼େ ଯାଇପାରେ ନାହିଁ–କୁକ୍ଷି ଭରି ଆହାର ଭକ୍ଷଣ କରିପାରେ ନାହିଁ-

 

ବରଂ–

 

କେଳା ଆଣ୍ଠୁ ହଲାଇ-"ହାଁରେ ବନମାଳୀରେ" କହି ସାପର ପରାଜୟ ସ୍ୱୀକୃତିକୁ ଜନଜଗତ ସମକ୍ଷରେ ଘୋଷଣା କରିଥାଏ । ପୁଣି ସାପ ଦେହରୁ କାତି ଛାଡ଼ିଲେ କେଳା ତାକୁ ଛାଡ଼ିଦେଇ ନୂତନ ସାପ ସନ୍ଧାନରେ ବାହାରିପଡ଼େ ।

 

ଦିନଥିଲା–ଯେତେବେଳେ ସୌମେନ୍ଦ୍ର କାର୍ଯ୍ୟ ହାସଲ ପାଇଁ-ସ୍ୱାର୍ଥ ସାଧନ ଲାଗି କାମନାପୂରଣାର୍ଥେ ଆତ୍ମସମ୍ମାନକୁ ପଛରେ ପକାଇ-ପୁରୁଷତ୍ୱକୁ ପାଦରେ ଦଳି ସଂଘମିତ୍ରା ନିକଟରେ ନିଉଛାଳି ହେଉଥିଲା । ତା ଇଙ୍ଗିତରେ ପରିଚାଳିତ ହେଉଥିଲା ତାର ହୁକୁମ ତାମିଲ କରୁଥିଲା–ଆଜି କରିବ କାହିଁକି ?

 

ସଙ୍ଘମିତ୍ରାଙ୍କୁ ଆଜି ସୌମେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ହେବ, ମାର୍ଜି ଜଗି ଚଳିବାକୁ ହେବ–କଥାମାନି ବାଟ ଚାଲିବାକୁ ହେବ ।

 

ତା' ନ ହେଲେ ଆଶାନ୍ତିର ଅଶାନ୍ତ ଝଡ଼ ସବୁବେଳେ ବହିବ । ଦାମ୍ପତ୍ୟ ଜୀବନର ମଧୁମୟ ପରିବେଶ ବିଷାକ୍ତ ହୋଇ ଉଠିବ । ହୃଦ୍ୟତାର ସୌଧ ଭୁଷୁଡ଼ି ପଡ଼ିବ । ମମତାରେ ଘୁଣ ପଶି କଣା କରିଦେବ ।

 

ଦିନେ ସୌମେନ୍ଦ୍ର ଅଟଳ ଜିଦ୍‍ଧରି ବସିଲା ଯେ ଆଜି ଅନ୍ୟସ୍ଥାନକୁ ଯିବାକୁ ହେବ ତା' ନ ହେଲେ ସେ ଚାଲିଯିବ । ସଂଘମିତ୍ରା ପଛେ ଥାଉ ।

 

ଏ କେମିତି କଥା ?

 

ବିନାଶ୍ରୟେ ନବର୍ତ୍ତନ୍ତି କବିତା କବିତା ଲତା । ସ୍ୱାମୀ କି ଛାଡ଼ି ସ୍ତ୍ରୀ କେମିତି ଏକା ରହିବ-?

 

ପୁଣି–

 

ଏକା ସହରରେ ? ଦୁନିଆଁରେ ଲୋକେ କହିବେ କ’ଣ ? ଦାଣ୍ଡକୁତ ଭଲ ଦେଖାଯିବ ନାହିଁ । ଧର୍ମକୁ ଆଖିଠାର ମାରିଲା ଭଳି କଥା ହେବ । ଯାହା ସହିତ ସାରା ଜୀବନ କଟାଇବାକୁ ପଡ଼ିବ–ତାକୁ ଛାଡ଼ି କିଛିଦିନ ଏକୁଟିଆ ରହିଗଲେ କ’ଣ ଯୁଗ ମେଣ୍ଟିଯିବ ?

 

ନିଜ ମନକୁ ବହୁତ ବୁଝାଇଲା ସଂଘମିତ୍ରା । ଶେଷରେ ଯିବା କଥା ମା ଆଗରେ କହିଲା-। କେଉଁ ଗର୍ଭ ଧାରିଣୀ ମା' ଝିଅ ବିଦାୟ କଥା ଶୁଣି ଧୈର୍ଯ୍ୟ ଧରି ପାରିବ ? ଏହା ଜାଣିଲା ପରେ କେଉଁ ବାପ ଅଶ୍ରୁ ସମ୍ୱରଣ ନ କରି ରହି ପାରିବ ?

 

ମାଆ ବାପାଙ୍କର ଛାଡ଼ିବାକୁ ଇଚ୍ଛା ନ ଥିଲେ ବି ମୁହଁରେ ବାରଣ କରି ପାରିଲେ ନାହିଁ । ଝିଅ ଜନମ ପର ଘରକୁ ।

 

ସେମାନେ ସହରରେ ଅନ୍ୟତ୍ର ଗୋଟିଏ ଘର ଭଡ଼ା ନେଇ ରହିଲେ । ସଂଘମିତ୍ରା ପଢ଼ାପଢ଼ିରେ ମନ ଦେଲା । ସୌମେନ୍ଦ୍ର ଗୋଟିଏ କଲେଜରେ ଅଧ୍ୟାପକତ୍ୱ ଗ୍ରହଣ କଲେ ।

 

ଚୋରମା' ପରି ଦୁଆର ଦେଇ କାନ୍ଦିବା ବ୍ୟତୀତ ରେବତୀ ଆଉ ରସାନନ୍ଦର କିଛି ଉପାୟ ନ ଥିଲା ।

 

ଅନେକ ଦିନ ହେଲା ରଙ୍ଗନାଥ ପୁଣି ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କ ମନରେ କେତେ ପୁରୁଣା କଥା ଉଙ୍କି ମାରୁଛି । ଦିନ ଦିନକର କଥା, ଯୁଗ ଯୁଗ କର ସ୍ମୃତି ହୋଇ ରହିଯାଇଛି । ସମୟ ଜୁଆର ସବୁ ଭସାଇ ନେଇଛି, ବୟସକୁ ଢଳାଇଛି, ମନକୁ ଜଳାଇଛ, ଧୈର୍ଯ୍ୟକୁ ଟଳାଇଛି, ଲହୁ ଝରାଇଛି, ଲୁହ ସରାଇଛି; ମାତ୍ର ସ୍ମୃତିକି ପୋଛି ପାରିନାହିଁ । ଘାତ ପ୍ରତିଘାତରେ ସ୍ମୃତି ବରଂ ଅଧିକରୁ ଅଧିକ ଉଜ୍ଜ୍ଵଳ ହୋଇ ଉଠିଛି ।

 

ଜୀବନରେ ସେ ସ୍ମୃତି ହଜିବାର ନୁହେଁ । ମରିବାର ନୁହେଁ, ଲିଭିବାର ତ ନୁହେଁ–ମରଣ ପରେ ବି ତାହାର କ୍ଷୟକ୍ଷତି ସାଧିତ ହେବା ଅସମ୍ଭବ ।

 

ରଙ୍ଗନାଥ ଯେତେବେଳେ ରେଙ୍ଗୁନ ଅଭିମୁଖେ ବାହାରିଲେ ସେତେବେଳେ ସେବତୀ ଯେଭଳି ମର୍ମ୍ମସ୍ପର୍ଶୀ ଆବେଗମୟ ଭାଷାରେ କହିଥିଲା–"ମୋ' ରାଣ, ତୁମେ କୁଆଡ଼େ ଯାଅନାହିଁ । ଘରେ ଯାହା ଅଛି, ତାହା ପେଜ ପାଣି କରି ଖାଇବା–ଯେଉଁଦିନ ସରିଯିବ ପଛେ ସେଦିନ ଏକା ବିଛଣାରେ ଚିର ଶାନ୍ତିରେ ମହାନିଦ୍ରାରେ ଶୋଇଯିବା । ଆଉ ରଙ୍ଗନାଥ ସେବତୀର କଥା ଶୁଣି ହସି ଦେଇଥିଲେ । ତା' କଥା କାନକୁ ଆଦୌ ଆଣି ନ ଥିଲେ । ସେ କ’ଣ ଭାବିଥିଲେ ଯେ ସେବତୀ ଯାହା କହୁଛି ତାହା ତାହାର କଥା ନୁହେଁ ବୋଲି । ନିୟତି କଥା ତା' କଣ୍ଠରେ ପ୍ରକାଶ ପାଉଛି । ଏତିକି ତ ଭଗବାନଙ୍କର ମାୟା । ତାଙ୍କ ସୃଷ୍ଟିର ବିଶେଷତ୍ୱ । ମଣିଷ ସବୁ ଦେଖି ଅଦେଖା ହୁଏ । ସବୁଜାଣି ଅଜଣା ହୁଏ–ଯେମିତି ଅଜଣା ହୁଅନ୍ତି ବିଦ୍ୟାଳୟର ଅଳ୍ପ ବୟସ୍କ ଚଞ୍ଚଳ-ଚିତ୍ତ ପ୍ରଗଳଭ ବାଳକ ବାଳିକାମାନେ । ଶିକ୍ଷକ ଉଦାହରଣ ଛଳରେ ପରୀକ୍ଷାରେ ପଡ଼ିବା ସମ୍ଭାବିତ ପ୍ରଶ୍ନଯାକ କୌଶଳରେ କଳାପଟାରେ ଲେଖି ଦିଅନ୍ତି ।

 

ପିଲାମାନେ ସେଥିପ୍ରତି ଆଦୌ ଧ୍ୟାନ ଦିଅନ୍ତି ନାହିଁ କି ଖାତାରେ ଲେଖି ନିଅନ୍ତି ନାହିଁ । ସେତେବେଳେ ବରଂ ଅନ୍ୟମନସ୍କ ରହି ନାନାଦି ଅଯଥା, ଅର୍ଥଶୂନ୍ୟ ଅବାନ୍ତର କଥାରେ ମୁଣ୍ଡ ଖେଳାଇ ଥାନ୍ତି । ଶିକ୍ଷକ ଶ୍ରେଣୀ ଛାଡ଼ି ଚାଲିଗଲା ପରେ ପିଲାମାନେ ନକଲି ଶିକ୍ଷକ ସାଜି ପ୍ରକୃତ ଶିକ୍ଷକଙ୍କ ଲେଖାକୁ ଲିଭାଇ ଦେଇ ବ୍ୟଙ୍ଗଚିତ୍ର, ହାସ୍ୟୋଦୀପକ ଖଣ୍ଡ ବାକ୍ୟ ମାନ ଲେଖି ଦିଅନ୍ତି । ସେ କ’ଣ ଆଉ ଜାଣି ଥାଆନ୍ତି ଯେ ଯାହା ସେ ନିଜ ହାତରେ ଲିଭାଇ ଦେଲେ ତାହା ଦିନେ ତାଙ୍କ ଆଗରେ ବିରାଟ ସମସ୍ୟା ହୋଇ ଦେଖା ଦେବ ? ସତକୁ ସତ ପରୀକ୍ଷାରେ ସେହି ପ୍ରଶ୍ନ ଯେତେବେଳେ ପଡ଼ିଯାଏ, ପିଲା ଅନୁତାପରେ ଭାଙ୍ଗିପଡ଼େ । "ନରେ କି ବାନରେ ଅଶ୍ଵତ୍ଥମା ହତ" କରି ପ୍ରଶ୍ନର ଉତ୍ତର ଲେଖି ଦିଏ । ଆଉଦିନେ ଏ ଭଳି ନ କରିବାକୁ ମନେ ମନେ ପ୍ରତିଜ୍ଞା କରେ । ପ୍ରତିଜ୍ଞା ହିଁ ପ୍ରତିଜ୍ଞାରେ ରହିଯାଏ । ପୂର୍ବବତ୍ ପୁଣି ଆଚରଣ କରି ଚାଲେ ।

 

ସେଇମିତି ସେତେବେଳେ ଯଦି ରଙ୍ଗନାଥ ସେବତୀର କଥାକୁ ଧ୍ରୁବ ସତ୍ୟ ବୋଲି ଗ୍ରହଣ କରିଥାନ୍ତେ ତେବେ ହୁଏତ ଅବସ୍ଥା ଭିନ୍ନ ଆକାର ଧାରଣ କରିଥାନ୍ତା । ତାଙ୍କ ଜୀବନ ରଥ ଚକର ଗତି ଅନ୍ୟ କୁଆଡ଼କୁ ହୋଇଥାନ୍ତା । ସେ ଦୂର ଦୃଷ୍ଟି ସେତେବେଳେ ତାଙ୍କର ନ ଥିଲା । ସେବତୀର କଥାକୁ ଅବଳା, ଦୁର୍ବଳାର ବାଣୀ ବୋଲି ଧରିନେଇ ଥିଲେ ।

 

ଆଜି ସେଇକଥା ଭାବି ତାଙ୍କର ମୁଣ୍ଡ କ’ଣ ହୋଇ ଯାଇଛି । ଦିନ ସରୁନାହିଁ । ପ୍ରିୟା, ପୁତ୍ର ପ୍ରିୟଜନମାନଙ୍କର ମୁଖ କମଳ ଦେଖିବାର ଆଶା କ୍ଷୀଣ ହୋଇ ଆସୁଛି । ଜୀବନ ଦୀପର ଉଜ୍ଜ୍ଵଳ ଶିଖା ମଳିନ ହୋଇ ଆସୁଛି । କିଏ ଜାଣେ କେତେବେଳେ ଏହା ଲିଭିଯିବ ? ଏ ଖବର କାହାରି ପାଖରେ ପହଞ୍ଚି ପାରିବ ନାହିଁ ।

 

ଆଜି ରଙ୍ଗନାଥଙ୍କର ଚେତା ପଶୁଛି । ଆଜି ସେ ଭାବୁଛନ୍ତି । ପ୍ରକୃତରେ ମଣିଷ ଯେତେବେଳେ ଯେଉଁ କାର୍ଯ୍ୟରେ ହାତ ଦେବ, ସେତେବେଳେ ତାହା ଭଲଭାବରେ ବୁଝି, ବିଚାରି, ଚିନ୍ତାକରି ସେ କାର୍ଯ୍ୟ କରିବା ଉଚିତ । ଥରେ ବୁଦ୍ଧି ହୁଡ଼ିଲେ ଆଉ ପୁଣି ସଜାଡ଼ି ହେବା ସହଜ ସାଧ୍ୟ ବ୍ୟାପାର ନୁହେଁ ।

 

ଏହିପରି ବୁଦ୍ଧି ହୁଡ଼ିଛନ୍ତି ରଙ୍ଗନାଥ । ଆଉ କ’ଣ ସେ ରେବତୀ ଓ ରସାନନ୍ଦକୁ ସ୍ଵ ଚକ୍ଷୁରେ ଦେଖି ପାରିବେ ? ସେମାନେ କ’ଣ ସତରେ ଜୀବନରେ ଥିବେ ? କରାଳ ଦୁର୍ଭିକ୍ଷ କ’ଣ ସମନ ହାତରେ ତାଙ୍କୁ ସମର୍ପଣ ନ କରି ଛାଡ଼ି ଯାଇଥିବ ? ଅସମ୍ଭବ ।

 

ଭାବନାର ଲହଡ଼ି ପରେ ଲହଡ଼ି ଆସୁଥିଲା । ରଙ୍ଗନାଥ ଯନ୍ତ୍ରଣାରେ ନୋଳିଆର ପଢ଼ୋଉ ଭଳି ଖାଲି ବୁଡ଼ୁଥିଲେ ଉଠୁ ଥିଲେ । ଅନୁତାପର ପାଣି ଝଳକା ଝଳକା ନାକ, କାନରେ ପଶି ଯାଉଥିଲା ।

 

ପୁଣି ଏକ ଗୁରୁତର ସଙ୍କଟର ସମ୍ମୁଖୀନ ସେ ହୋଇଛନ୍ତି । ବର୍ମା ସରକାର ତାଙ୍କର ନାଗରିତ୍ୱକୁ ସ୍ୱୀକାର କରୁ ନାହାନ୍ତି । ସେ ଏକା କାହିଁକି ହଜାର ହଜାର ପ୍ରବାସୀ ଭାରତୀୟ ରେଙ୍ଗୁନ ଛାଡ଼ି ଭାରତ ଫେରିଯିବା ପାଇଁ ନୋଟିସ ପାଇଗଲେଣି । ରେଙ୍ଗୁନ ସରକାର ଆଉ ଭାରତ ସରକାରଙ୍କ ଭିତରେ ଯେଉଁ ଆଲୋଚନା ପ୍ରତ୍ୟାଲୋଚନା ଚାଲିଥିଲା ତାହା ବିଫଳ ହୋଇଛି ବୋଲି ଜଣାପଡ଼ିଛି । ଗୋଟିଏ ସର୍ତ୍ତରେ ରଙ୍ଗୁନ ସରକାର ରାଜି ହୋଇଛନ୍ତି ଯେ ଯେଉଁ ଭାରତୀୟମାନେ ରେଙ୍ଗୁନରେ ଜନ୍ମଗ୍ରହଣ କରିଛନ୍ତି ସେହିମାନେ କେବଳ ରେଙ୍ଗୁନରେ ରହିବାକୁ ହକ୍‍ଦାର ।

 

ତା ନ ହେଲେ ଅନ୍ୟମାନେ ଦୁଇମାସ ଭିତରେ ବର୍ମା ଛାଡ଼ି ଚାଲିଯିବେ । ବର୍ମାସ୍ଥ ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତି କରି ନିଆଯିବ । କେବଳ ଭାରତ ଫେରିବା ପାଇଁ ଯେତିକି ଖର୍ଚ୍ଚ ଦରକାର ତା’ର ଦୁଇଗୁଣ ଅର୍ଥ ଦିଆଯିବ । ଏହା କ’ଣ ସତେ ଗୋଟିଏ ଦେଶର ପ୍ରତିଷ୍ଠିତ ସରକାରର ନ୍ୟାୟ ବିଚାର ?

 

ଯେଉଁମାନେ ଜୀବନକାଳ ବିଦେଶରେ କଟାଇ ଦେଲେ ହାଡ଼ଭାଙ୍ଗି, ଲୁହ ଲହୁ ଢାଳି ସୁନା ଫଳାଇଲେ–ଧନସମ୍ପତ୍ତି ଅର୍ଜିଲେ, ସେମାନେ ଆଜି ବସ୍ତୁହରା ରୂପେ ବିଦେଶରୁ ସ୍ଵଦେଶକୁ ଫେରିବେ ? ସେମାନେ ପୁଣି ଯିବେ କେଉଁଠିକି ? ରହିବେ କେଉଁଠି ? ଯେଉଁମାନଙ୍କର ଘରଦ୍ୱାର ଅଛି ସେମାନେ ବା ଯାଇଁ କୌଣସିମତେ ମୁଣ୍ଡଗୁଞ୍ଜି, ମୂଲମଜୁରୀ ଲାଗି, ଜୀବନ ଧାରଣ କରିପାରନ୍ତି; ମାତ୍ର ଯେଉଁମାନେ ଜମିବାଡ଼ି ବିକି ସ୍ଥାୟୀ ଭାବରେ ବିଦେଶକୁ ଚାଲି ଆସିଥିଲେ ସେମାନେ, ଯିବେ କୁଆଡ଼େ, ସେମାନଙ୍କୁ ପଚାରିବ କିଏ ?

 

ଏଇମିତି ନାନା କଥାରେ ରଙ୍ଗନାଥ ମୁଣ୍ଡ ଖେଳାଇ ବିବ୍ରତ ହେଉଥିବା ବେଳେ ପଦାରେ ଗୋଟିଏ କୁକୁର ଭୋ' ଭୋ' ହେଉଥିବାର ସେ ଶୁଣିଲେ । ଦଉଡ଼ିଯାଇଁ ଦେଖନ୍ତି ତ ସେ କୁକୁର ଅନ୍ୟ କେହି ନୁହେଁ–ମେରୀର ଅତି ପ୍ରିୟ ଭାରତେନ୍ଦୁ । ସେ ତାକୁ ଆଉଁସିଦେଇ ଚୁମ୍ବକ ଦେଉଥିଲାବେଳେ ଜଣେ ଭଦ୍ରଲୋକ ଦୌଡ଼ି ଆସି କହିଲେ–"ଆଜ୍ଞା ସେ କୁକୁରଟି ମୋର ଏଠାକୁ ପଳାଇ ଆସିଛି ।"

 

ରଙ୍ଗନାଥ କହିଲେ–"ଏ ଯଦି ଆପଣଙ୍କର କୁକୁର, ତେବେ ଏହାର ନାମ କ’ଣ କହିପାରିବେ ?" ଭଦ୍ରଲୋକ କହିଲେ 'ଟାଇଗର' । ରଙ୍ଗନାଥ କହିଲେ–"ଭାରତେନ୍ଦୁ ।" ଭଦ୍ରଲୋକ ଅତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ କିପରି ।

 

ରଙ୍ଗନାଥ କହିଲେ ତାହାହେଲେ ଆପଣ 'ଟାଇଗର୍' ଡାକନ୍ତୁ ସେ ଯିବ କି ନାହିଁ । ଭଦ୍ରଲୋକ ଡାକିଲେ ସେ ଗଲା ନାହିଁ । ରଙ୍ଗନାଥ କହିଲେ ଏଥର ଡାକନ୍ତୁ–"ଭାରତେନ୍ଦୁ" । ଭଦ୍ରଲୋକ ଡାକି ଦେଲା ମାତ୍ରେ ଭାରତେନ୍ଦୁ ଯାଇଁ ତାଙ୍କୁ ଚାଟି ପକାଇଲା । ପୁଣି ଫେରି ଆସିଲା ରଙ୍ଗନାଥଙ୍କ ନିକଟକୁ ।

 

ଭଦ୍ରଲୋକ କହିଲେ ଏ ତ ବଡ଼ ବିସ୍ମୟ ବିଷୟ । ମୁଁ ଭାରତରୁ ଫେରିଲାବେଳେ ଏ କୁକୁରଟିକୁ ସମୁଦ୍ରରୁ ଉଦ୍ଧାର କରିଥିଲି ।

 

ରଙ୍ଗନାଥ କହିଲେ–"କିପରି ?"

 

ଆମେ ଆସୁଥିବା ଜାହାଜରେ ଦୂରରୁ ଦେଖିଲୁ ଯେ ଏ କୁକୁରଟି ଗୋଟିଏ କାଠ ପଟା ଉପରେ ଭାସି ଭାସି ଯାଉଛି । ମୁଁ ବହୁ କଷ୍ଟରେ ତାକୁ ସମୁଦ୍ରରୁ ଉଦ୍ଧାର କରି ଆଣି ପାଖରେ ବାନ୍ଧି ରଖିଥିଲି । ତାକୁ ଆଜି ଯେପରି ଫିଟାଇ ଦେଇଛି ସେ ଏକାନିଶ୍ୱାସକେ ଏଣେ ଦଉଡ଼ି ପଳାଇ ଆସିଲା ।

 

ରଙ୍ଗନାଥ ଏଥର ଅନ୍ୟମନସ୍କ ହେଲେ । ଆଖିରୁ ତାଙ୍କର ଗଡ଼ି ପଡ଼ିଲା ଲୁହ ଧାର ଧାର ହୋଇ ।

 

ଭଦ୍ରଲୋକ କହିଲେ–"ଆଜ୍ଞା ଆପଣ କାନ୍ଦିଲେଣି କାହିଁକି ?"

 

ରଙ୍ଗନାଥ କହିଲେ–"ସେ ସବୁ ବହୁତ କଥା ।"

 

ଭଦ୍ରଲୋକ ଜିଦ୍ କଲାରୁ ରଙ୍ଗନାଥ ଅତୀତର ସବୁ କଥା କହିଗଲେ । ଏ କୁକୁରଟିକୁ ଯେତେବେଳେ ମାସେ ହୋଇଥିଲା, ସେତେବେଳେ ସେ ମେରୀ ନାମ୍ନୀ ଜନୈକା ନର୍ସକୁ ଉପହାର ଦେଇଥିଲେ । ଏ ଅନେକ ସମୟରେ ମେରୀ ସାଙ୍ଗରେ ଏଠାକୁ ଆସେ ।

 

ମେରୀ ନାମ ଶୁଣିଲା ମାତ୍ରେ "ଭାରତେନ୍ଦୁ" ଭୋ ଭୋ କରି ଉଠିଲା । 'ଭାରତେନ୍ଦୁ'ର ଉଦ୍ଧାରକର୍ତ୍ତା କହିଲେ–"ଆହା ପ୍ରଭୁଭକ୍ତ କୁକୁରଟିର କେତେ ଭକ୍ତି ସତେ ? ମେରୀ ନାମ ଶୁଣୁଶୁଣୁ ସେ ଭୁକିଭୁକି ଅସ୍ଥିର ହୋଇ ଯାଉଛି ।

 

ମୋର ଏ କୁକୁର ଆଉ ଦରକାର ନାହିଁ । ଆପଣ ରଖନ୍ତୁ ରଙ୍ଗନାଥବାବୁ ।

 

ରଙ୍ଗନାଥ କୃତଜ୍ଞତାରେ ଭାଙ୍ଗି ପଡ଼ିଲେ । ଭଦ୍ରଲୋକଙ୍କର ଦୟାରେ ବିମୁଗ୍‍ଧ ହୋଇଗଲେ । ଭଦ୍ରଲୋକଙ୍କୁ ଯଥୋଚିତ ଆଦର ସମ୍ମାନ ପରେ ବିଦା କଲାବେଳେ ଦୁଇଶହ ଟଙ୍କା ଦେଲେ । ପ୍ରଥମେ ଭଦ୍ରବ୍ୟକ୍ତି ଟଙ୍କା ନେବାକୁ ରାଜି ହେଉ ନ ଥିଲେ–ତା’ପରେ ଦୁଃଖର ସହିତ ଗ୍ରହଣ କରି ଚାଲିଗଲେ ।

 

ତା’ପରେ–

 

ରଙ୍ଗନାଥ "ଭାରତେନ୍ଦୁ"କୁ ଆଉଁଷି ଦେଉଁ ଦେଉଁ ସ୍ଵଦେଶକୁ ଫେରିବେ କି ଅନ୍ୟତ୍ର ଯାଇ ଜୀବନର ଅଧିକାଂଶ ସମୟକୁ କଟାଇ ଦେବେ ସେହି ବିଷୟରେ ଚିନ୍ତା କରୁଥିଲେ ।

 

ଏହା ଭିତରେ ଦୁଇବର୍ଷ ବିତିଯାଇଛି । ଦେବୀକାନ୍ତ ଇଂଜିନିୟରିଂ ପାଶ୍ କରିସାରି ଓଡ଼ିଶା ସରକାରଙ୍କ ଅଧୀନରେ ଇଂଜିନିୟର ରୂପେ ଯୋଗ ଦେଇଛି । ପାରାଦୀପ ବନ୍ଦର ପରିକଳ୍ପନାରେ ମୁଖ୍ୟ ଅଂଶ ଗ୍ରହଣ କରିଛି । ପଡ଼ୋଶୀ ପ୍ରଦେଶ ଇଂଜିନିୟରମାନଙ୍କ ଭଳି ସେ ସ୍ୱାର୍ଥସାଧନ ନିମିତ୍ତ ଆଦୌ ତତ୍ପର ନୁହେଁ କି ସେ ବିଷୟରେ ଆଦୌ ଆଗ୍ରହୀ ନୁହେଁ ।

 

ତା’ର ବାପା ଭଳି ସେ ସବୁବେଳେ ଭାଗ୍ୟବାଦୀ । ମା'ପରି ସବୁବେଳେ ସେ ଭଗବାନଙ୍କ ଉପରେ ନିର୍ଭର କରି ବାଟ ଚାଲେ । ଶ୍ରମ ମର୍ଯ୍ୟାଦାର ଜ୍ଞାନ ତା’ର ଯଥେଷ୍ଟ । ସେ ବିନା ପରିଶ୍ରମରେ ବିନା ଝାଳବୁହାରେ ଅର୍ଥ ଅର୍ଜନ କରିବାକୁ ପସନ୍ଦ କରେ ନାହିଁ । ଯାହାକରିବ ତା’ର ଶକ୍ତିର ବାହାର ତାହା ସେ କରିଦେବାର ପ୍ରତିଶ୍ରୁତି ଦେଇ କାହାଠାରୁ କିଛି ଉପଢ଼ୌକନ ନେବାକୁ ମନ ବଳାଏ ନାହିଁ । ସେ ଗୋଟିଏ ଟ୍ରକ ବାଲିକୁ ଦଶ ଟ୍ରକ ବାଲି ବୋଲି ଲେଖେ ନାହିଁ କି ଗୋଟିଏ ଗଛ କଟାଇ ଶହେଟି ଗଛର ବିଲ୍ ତିଆରି କରେ ନାହିଁ ।

 

ସେ ଅନ୍ୟାନ୍ୟ ସହକର୍ମୀଙ୍କ ଭଳି ବିଭତ୍ସ ଯୌନ ଲାଳସାର ବଶବର୍ତ୍ତୀ ହୋଇ କୌଣସି ମରାଳଗମନୀ ନହୁଲୀ ବୟସୀର ସମ୍ପର୍କୀୟ ବ୍ୟକ୍ତିମାନଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ନାହିଁ କି ଉପରିସ୍ଥ ହାକିମମାନଙ୍କର ନାଲି ଆଖି ଦେଖି ସେମାନଙ୍କର କନ୍ୟା, ସହଧର୍ମିଣୀମାନଙ୍କୁ ସୌଖୀନ ସାମଗ୍ରୀ ଯୋଗାଇ ଶସ୍ତା ସୌଜନ୍ୟର ପାତ୍ର ହୁଏ ନାହିଁ ।

 

ସେ ସବୁବେଳେ ନିଜର କର୍ତ୍ତବ୍ୟର ଐଶୀଶକ୍ତିର ସତ୍ତା ଅନୁଭବ କରେ । ଦେଶ ଯଶ ପ୍ରତି କୃତଘ୍ନତା କଲେ ଜାତି ଜାତୀୟତା ପଛରୁ ଛୁରୀକା ମାରିଲେ ଭଗବାନ ଅସନ୍ତୁଷ୍ଟ ହୁଅନ୍ତି ବୋଲି ସେ ସଂପୂର୍ଣ୍ଣ ସଚେତନ ।

 

ନିଜର ପରିଶ୍ରମରୁ ସେ ଯେତିକି ଅର୍ଜନ କରେ ସେତିକି ସେ ସନ୍ତୋଷ ଲାଭକରେ । ସେ ବେଶୀ କି ଆଶା କରେ ନାହିଁ କି ଅନ୍ୟାୟ ଅନୀତିକୁ ଜାଣି ଜାଣି ପ୍ରଶ୍ରୟ ଦିଏ ନାହିଁ । ତା’ର ଚାଲିଚଳନ ଆଚାର ବ୍ୟବହାର ସମସ୍ତଙ୍କୁ ମୁଗ୍‍ଧ କରେ ।

 

ତା’ର ଏଭଳି ମନୋଭାବ ଦେଖି ଅନେକ ତାକୁ ବିଦ୍ରୂପ କରନ୍ତି । ବିଦ୍ରୂପ କରିବାର ବି ଯଥେଷ୍ଟ କାରଣ ଅଛି । ଦ୍ୱିତୀୟ ବିଶ୍ଵ ମହାଯୁଦ୍ଧ ପରେ ଦୁର୍ନୀତି ଏପରି ଭାବରେ ଚେର ମାଡ଼ିବସିଛି ଯେ ତା’ର ମୂଳୋତ୍ପାଟନ କରିବା ଦୁଃସହ ନୁହେଁ ଦୂରାସାଧ୍ୟ । ମଣିଷ ଭଳି ମଣିଷଟିଏ ଏ ଯୁଗରେ ଖୋଜି ପାଇବା ସହଜ ନୁହେଁ । ଦୁର୍ନିତି ମୁକ୍ତ ଲୋକ ଯେ ନାହାନ୍ତି ଏପରି ଭାବିବା ଭୁଲ । ଅଛନ୍ତି । ତେବେ ତାଙ୍କ ସଂଖ୍ୟା ଖୁବ୍ କମ୍ । ସେହିମାନେ ଯେତେବେଳେ ସତକଥା କହନ୍ତି ଦୁର୍ନିତି-ମୁକ୍ତ ବାୟୁମଣ୍ଡଳ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ବିରୁଦ୍ଧରେ ବହୁ ଶତ୍ରୁ ବାହାରନ୍ତି । ଦୁର୍ନିତିଗ୍ରସ୍ତ ବ୍ୟକ୍ତିମାନେ ଭୟ କରନ୍ତି, ଯଦି ଲୋକଙ୍କ ଭିତରେ ଜାଗରଣ ଆସେ ? ସେମାନଙ୍କ ମଧ୍ୟରେ ଗଭୀର ଆଲୋଡ଼ନ ସୃଷ୍ଟି ହୁଏ, ତେବେ ବହୁପରିମାଣରେ ବ୍ୟସ୍ତସ୍ଵାର୍ଥ ବ୍ୟକ୍ତିମାନଙ୍କର ସ୍ୱାର୍ଥରେ ଆଞ୍ଚ ଆସିବ । ସେମାନେ ଧରାପଡ଼ିଯିବେ । ନିନ୍ଦିତ ହେବେ । ତେଣୁ ନୀଳବର୍ଣ୍ଣ-ଶୃଗାଳ ଭଳି ସେମାନେ ଅନ୍ୟମାନଙ୍କୁ ବିବର୍ଣ୍ଣ କରିବାକୁ ଚାହାନ୍ତି ।

 

ଦେବୀକାନ୍ତ ସ୍ଵତନ୍ତ୍ର ଧରଣର ପିଲା । ସେ କାହାରି କଥାରେ ଭୁଲିବାର ନୁହେଁ କି କାହାରି ପ୍ରଲୋଭନରେ ପଡ଼ିଯିବା ସହଜ ନୁହେଁ । ସେ ଯାହା ଠିକ୍ ବୋଲି ବୁଝେ ତାହା କରିଯାଏ ।

 

ଅନେକ ସମୟରେ ଏବେ ଦେଖା ଯାଉଛି ଦେବୀକାନ୍ତ ଅନ୍ୟମନସ୍କ ରହି କ’ଣ ଭାବୁଛି-। ତା’ର ସହକର୍ମୀ ଅନୁଗତମାନେ ଯେତେ ପଚାରିଲେ ମଧ୍ୟ ସେ କିଛି କହୁନାହିଁ ।

 

ସବୁବେଳେ ସେ ସଂଘମିତ୍ରା କଥା ଭାବୁଛି । ତା’ରି ଚିନ୍ତାରେ ବିମର୍ଷ ହେଉଛି । ଘରଛାଡ଼ି ଦୂରରେ ରହି ସେ କିପରି କ’ଣ କରୁଥିବ ? ଯେ 'ରେ' ପାଦ ଜୀବନରେ ଶୁଣିନାହିଁ ସେ କିପରି 'ବେ' ପଦ ଶୁଣୁଥିବ ?

 

ବିବାହ ପରେ ତା’ର କଣ କିଛି ପରିବର୍ତ୍ତନ ହୋଇଥିବ ? ମନୋଭାବ ବଦଳିଥିବ ? ଏ ଯେମିତି ପିଲା ସେ ସବୁ କିଛିର ଧାର ଧାରି ନ ଥିବ ବୋଧହୁଏ । ସେ କ’ଣ ଏତେ ଶୀଘ୍ର ତା’ର ଭାଇକୁ ଭୁଲିଯାଇଥିବ ? ଯେଉଁ ଭାଇକୁ ନ ଦେଖିଲେ ତା' ଆଖିରେ ନିଦ ଆସେନାହିଁ ଯେଉଁ ଭାଇର ଆଦେଶ ବିନା ସେ ପାହୁଣ୍ଡେ ବି ଆଗକୁ ପାଦ ବଢ଼ାଏ ନାହିଁ, ସେ କିପରି ତାର ଭାଇକୁ ପାଶୋରି ଥିବ ? ହଁ ଭୁଲି ନ ଥିବ ବା କାହିଁକି ? ଯେତେବେଳେ ତା'ରି ସାଙ୍ଗର ଝିଅ ବାହାହୋଇ ଘର ସଂସାରରେ ପାଦ ଦେଉଁ ଦେଉଁ ସେମାନଙ୍କ ଭାଇକୁ ଭୁଲିଯାଇ ପାରୁଛନ୍ତି, ମୁହଁ ଆଡ଼େଇ ବାଟ ଚାଲି ପାରୁଛନ୍ତି, ନାସିକା କୁଞ୍ଚନ କରି ବଡ଼ଲୋକୀ ଦେଖାଇ ପାରୁଛନ୍ତି, ବିଦ୍ରୂପ କରି ନାନା କଟୁକଥା କହି ପାରୁଛନ୍ତି, ଜୀବନର ଭଲମନ୍ଦ ନାନା ବିଷୟକୁ ନେଇ ଯୌବନର ଉନ୍ମାଦନାରେ ପର ପୁଅ ଆଗରେ ଥୋଇ ପାରୁଛନ୍ତି, ଅତୀତର ସବୁ ସ୍ନେହ ମମତାକୁ ଭୁଲି ଭାଇର ସର୍ବନାଶ କରିବାକୁ ଅଣ୍ଟା ଭିଡ଼ୁଛନ୍ତି, ଶତ୍ରୁତାର ଚରମ ସୀମାକୁ ଉଠି ଅବିଶ୍ୱାସର ବାତ୍ୟା ସୃଜି ପାରୁଛନ୍ତି ମାନବିକତାକୁ ଭୁଲି ମୃତ୍ୟୁର ଫାଶ ବସାଇ ଦେଉଛନ୍ତି–ସଂଘମିତ୍ରା ବା ନ ପାରିବ କାହିଁକି ? ସେ ପୁଣି ଯେଉଁ ରକ୍ତ, ଯେଉଁ ଭଉଣୀ–ଏପୁଣି ସେହି ରକ୍ତ ସେ ଭଉଣୀ ତ !

 

ନା-ନା-

 

ସଂଘମିତ୍ରା କ’ଣ ଏତେ ବାଟକୁ ଉଠିପାରିବ ? ଯିଏ ଜୀବନରେ କୂଟ କପଟ କ’ଣ ଜାଣିନି-ମିଥ୍ୟାର ପାଖ ପଶିନି-ପରର କ୍ଷତିସାଧନ କରିବାର ମନୋବୃତ୍ତି ଶିଖିନି–ସେ ପୁଣି ଏତେ କଥା କରି ପାରିବ କାହୁଁ ?

 

ଏଇମିତି କେତେ କଥା ଭାବେ ଦେବୀକାନ୍ତ । ଅତୀତର ଶତ ସ୍ମୃତି ଛାୟା ଛବି ଭଳି ମନରେ ନାଚିଯାଏ ତାର ।

 

ଆଉ ଗୋଟିଏ ପ୍ରଶ୍ନ ବି ତା' ଆଗରେ ଠିଆ ହୋଇଯାଏ । ସେ ତା'ରି ବାପାମା'ଙ୍କ ଆଦେଶ ପାଳନ କରି ଘରସଂସାରରେ ପଶିବ କି ନାହିଁ । ସେ ମନେ ମନେ ଦୃଢ଼ଭାବରେ ଉତ୍ତର ଦିଏ ପଶିବ ନାହିଁ । ସେ ପ୍ରଥମେ ଦେଖିବ ତା'ରି ସାଙ୍ଗର ତା' ଭଉଣୀ ଘରସଂସାରରେ ପଶିଛି । ସେ କିପରି କ’ଣ କରୁଛି ତାକୁ ଲକ୍ଷ୍ୟ କରିବ ସେ । ଦୁନିଆଁରେ ସମସ୍ତେ ଯେ ବିବାହ ହେବେ ଏହାର କ’ଣ ଅର୍ଥ ଅଛି ? ଯିଏ ସଂସାରର ଢେଉ ସହି ନ ପାରିବ-ଜଞ୍ଜାଳର ଧକ୍‍କା ସମ୍ଭାଳି ନ ପାରିବ–ସେ ଘର ସଂସାରରେ ନ ପଶିଲେ କ୍ଷତି କ’ଣ ?

 

ଦେବୀକାନ୍ତର ଭାବନା ଭାଙ୍ଗିଯାଏ । ସେ ବାସ୍ତବତାକୁ ଫେରି ପୁଣି ସଂଘମିତ୍ରା କଥା ଭାବେ ।

 

ପୌଷମାସ । ଘନଘୋର ରାତି । ବାହାରେ ମାତିଛି ଝଡ଼ । ଦିନେ ନୁହେଁ, ଦୁଇଦିନ ନୁହେଁ ଦଶ ଦିନ ହେଲା ଏ ଝଡ଼ ବର୍ଷା ଲାଗିରହିଛି । କେବେ ଛାଡ଼ିବ ଭଗବାନ ଜାଣନ୍ତି । କୋହଲା ପାଗରେ ଦେହ ଥରି ଉଠୁଛି । ବତୀଟିଏ ଜାଳି ଖବରକାଗଜ ଉପରେ ଆଖି ବୁଲାଇ ନେଉଛି ସଂଘମିତ୍ରା । ପାଣିପାଗ ଟିପ୍‍ପଣୀରୁ ଜଣାଯାଉଛି ଏ ବର୍ଷା ଆହୁରି ଦିନେ ଦୁଇଦିନ ଲାଗି ରହିବ । ଆଜି ସକାଳେ ରେଡ଼ିଓ ବି ସେୟା କହୁଥିଲା ।

 

କେମିତିକା ମଣିଷ ଏ ? କୁଆଡ଼େ ଗଲେ ଆଜିଯାଏ ୟାଙ୍କର ଦେଖାଦର୍ଶନ ନାହିଁ । ଏକୁଟିଆ ମୋତେ ଛାଡ଼ି ତିନିଦିନ ହେଲା ସିଆଡ଼େ ନିଦକ ହୋଇ ରହିଛନ୍ତି । କି ଲେଖକ ସମ୍ମିଳନୀ ହେଉଛି କେଜାଣି ? ହଁ–ଆଜିକାଲି ଏବେ କୋଉ ଲେଖକର ଅଭାବ ଅଛି ନା ଲେଖାର ଅଭାବ ଅଛି । ଯିଏ ଜୀବନରେ ସାହିତ୍ୟର ସ' ଅକ୍ଷର ଜାଣି ନାହିଁ ରାତି ପାହିଲା ବେଳକୁ ସେ ତ ଲେଖକ ହୋଇ ଯାଉଛି । କି କାଳ ହେଲା ଏ ସତେ ? ଲେଖକ ହେବାକୁ ହେଲେ ସାଧନା ଯେ ଏକାନ୍ତ ଆବଶ୍ୟକ ସେକଥା କେହି ଭାବୁ ନାହିଁ । କ ବ କରି ଦି ଚାରି ଧାଡ଼ି ଲେଖି କଳକୌଶଳରେ ସମ୍ବାଦପତ୍ରରେ ଛପାଇ ଦେଲେ ଲେଖକର ଲାଇସେନ୍‍ସ ମିଳିଯାଉଛି । ଏହିଭଳି ଯଦି ଲେଖା ଓ ଲେଖକ ସଂଖ୍ୟା ବଢ଼ିଚାଲେ ତେବେ ସମୟ ଆସିବ ଯେତେବେଳେ ସମସ୍ତେ ଲେଖକ ହୋଇ ସାରିଥିବେ; ମାତ୍ର ଲେଖାଭଳି ଲେଖାଟିଏ ନ ଥିବ । ଲେଖା ବୋଲି ଯାହା ବାଣୀ ମନ୍ଦିରରେ ଗଜାମରି ଥିବ ତାହା ହୁଏତ ହୋଇଥିବ ଆରବ ଦେଶର କବି ହୋସେନ ମରିଗଲା ପରେ ଧୋବାଘରକୁ ଯାଇଥିବା ଲୁଗା ହିସାବର ବିବରଣୀ । ଲେଖକ ଯିଏ ହେବ ସେ ପ୍ରତିଭାବାନ ହୋଇଥିବ, ପ୍ରଭୃତ୍ୱ ଅଭିଜ୍ଞତା, ବିଦ୍ୟା ବୁଦ୍ଧିର ଅଧିକାରୀ ହୋଇଥିବ, ସର୍ବୋପରି ସତ୍ୟଶିବ ସୁନ୍ଦର ପରମ ପୂଜାରୀ ହୋଇଥିବ ତା' ନ ହେଲେ ସେ ଲେଖକ ହୋଇ ପାରିବ ନାହିଁ । ପ୍ରକୃତ ଲେଖକକୁ ଯଦି ସୂର୍ଯ୍ୟ ବୋଲି ଧରାଯାଏ, ତେବେ ସେ ନାମବିକା ଲେଖକ ଜ୍ୟୋତିରିଙ୍ଗଣ ହୋଇ ରହିବ ।

 

ନାନାଦି ଚିନ୍ତାରେ ବୁଡ଼ି ରହିଥିବା ବେଳେ ସୌମେନ୍ଦ୍ର ଆଉ ତା’ର ଜଣେ ସାଙ୍ଗ ଓଦା ହୋଇ ଆସି ପହଞ୍ଚିଲେ । ଜାମା, ଲୁଗା ସବୁ ତିନ୍ତିଛି । ଅପରିଚିତଙ୍କ ଆଗମନରେ ମୁଣ୍ଡରେ ଓଢ଼ଣା ଟାଣି କବାଟ କଣରେ ଠିଆହେଲା ସଂଘମିତ୍ରା । ସୌମେନ୍ଦ୍ର ହସି ହସି ଆସି କବାଟ କଣରୁ ଭିଡ଼ିନେଲା ସଂଘମିତ୍ରାକୁ ଆଗନ୍ତୁକ ବନ୍ଧୁଙ୍କ ପାଖକୁ । ମୁଣ୍ଡରୁ ଓଢ଼ଣା କାଢ଼ିଦେଇ କହିଲା "ବନ୍ଧୁ ଏ ହେଉଛନ୍ତି ଶ୍ରୀମାରୀ ସଂଘମିତ୍ରା ସ୍ୱାଇଁ; ଅର୍ଥାତ୍‍ ଡାକ୍ତର ସଂଘମିତ୍ରା ଦେବୀ ଏମ୍. ବି.ବି. ଏସ୍. । ଚମକି ପଡ଼ିଲେ ବନ୍ଧୁ ଜଣକ ।

 

ସଂଘମିତ୍ରାକୁ ଦେଖି କେତେ କ’ଣ ଭାବିଗଲେ ସେ–ତାଙ୍କ ଭାବନାର ଆଜି ଅନ୍ତ ନ ଥିଲା । ତାଙ୍କ ଭଉଣୀ ବଞ୍ଚିଥିଲେ ଏଇମିତି ହୋଇଥାନ୍ତା ।

 

ଠିକ୍–

 

ଏଇ ରୂପ, ଏଇ ଉଚ୍ଚ, ଏଇ ମୁହଁ ଗଢ଼ଣ ଏଇମିତି ଲଜ୍ଜାଶୀଳା । ବି.ଏ. ପଢ଼ିଲା ବେଳେ ସେ ସାଙ୍ଗ ସାଥୀମାନଙ୍କ ସହିତ ପୁରୀରେ ସମୁଦ୍ରସ୍ନାନ ସାରୁ ସାରୁ ସଲୀଳ ସମାଧି ନେଇଥିଲା । ତା’ର ନାମ ବି ଥିଲା ସଂଘମିତ୍ରା । ସୌମେନ୍ଦ୍ର ବନ୍ଧୁଙ୍କର ଅନ୍ୟମନସ୍କତାକୁ ଲକ୍ଷ୍ୟକରି କିହଲେ–"ଆପଣ କ’ଣ ସଂଘମିତ୍ରାଙ୍କୁ ଚିହ୍ନନ୍ତି କି ?"

 

ନା–

 

ତେବେ ମୋର ଗୋଟିଏ ଭଉଣୀ ଥିଲା ତା’ର ନାମ ସଂଘମିତ୍ରା । ସାତ ଭାଇରେ ଗୋଟିଏ ଭଉଣୀ । ଚିରଦିନ ପାଇଁ ଆମ୍ଭମାନଙ୍କୁ ଶୋକ ସାଗରରେ ଭସାଇ ଦେଇ ତା' ବାଟ କାଟି ଚାଲି ଯାଇଛି ।

 

"ଅତୀତ କଥା ଛାଡ଼ନ୍ତୁ । ବର୍ତ୍ତମାନ ଯେ ଅଛନ୍ତି ତାଙ୍କୁ ଭଉଣୀ ବୋଲି ଗ୍ରହଣ କଲେ କ୍ଷତି କ’ଣ ?" ହସି ହସି କହିଲା ସୌମେନ୍ଦ୍ର ।

 

ବନ୍ଧୁ ଜଣକ କହିଲେ–ମୋର କିଛି ଆପତ୍ତି ନାହିଁ ।

 

ସୌମେନ୍ଦ୍ର ଏଥର ପୁଣି ସଂଘମିତ୍ରାକୁ କହିଲା–ଆଉ ଲଜ୍ଜା କାହିଁକି ? ଯାଅ ଭାଇଙ୍କ ପାଇଁ ଲୁଗା ଆଣ ପିନ୍ଧିବାକୁ, ଆଉ ଚାହା ଆଣ ପିଇବାକୁ । ସଂଘମିତ୍ରା ଯିବାକୁ ଉଦ୍ୟତ ହୁଅନ୍ତେ ପଛରୁ ଲୁଗା କାନିକି ଟାଣି ପୁଣି ସୌମେନ୍ଦ୍ର ପଚାରିଲା–"ଆଚ୍ଛା ତୁମର ଯଦି ସେ ଭାଇ ହେଲେ ମୋ'ର କଣ ହେବେଟି ?"

 

ସଂଘମିତ୍ରା ମୁରୁକି ହସି କହି ଚାଲିଯାଉଥିଲା–"ତୁମେ ଭାରି ଦୁଷ୍ଟ ।"

 

ଓଦାଲୁଗା ପାଲଟି ଦୁଇଟି ଚେୟାରରେ ବସିଲେ ଦୁଇବନ୍ଧୁ–କେତେ କଥା ପଡ଼ିଲା । ଚାହା ଆଣି ଦେଇଗଲା ସଂଘମିତ୍ରା ଖାଇବାକୁ । ବନ୍ଧୁ ଜଣକ କହିଲେ–"ବାସ୍ତବିକ ସୌମେନ୍ଦ୍ରବାବୁ ଆପଣ ବଡ଼ ସୌଭାଗ୍ୟବାନ ଯେ ସଂଘମିତ୍ରା ଭଳି ପିଲାକୁ ସହଧର୍ମିଣୀ ରୂପେ ପାଇଛନ୍ତି । କୋଟିକରେ ଗୋଟିଏ ଝିଅ ଏପରି ମିଳନ୍ତି ।"

 

ସୌମେନ୍ଦ୍ର କହିଲା–"ତା' ହେଲେ ଆପଣ ଯାହାଙ୍କୁ ଶ୍ରୀମତୀ ରୂପେ ପାଇଛନ୍ତି ତାଙ୍କ ଉପରେ ଆଦୌ ସନ୍ତୁଷ୍ଟ ନୁହନ୍ତି ।"

 

ବନ୍ଧୁ ଜଣକ ଅତି ବିମର୍ଷ ଭାବରେ ତଳକୁ ମୁଖ ପୋତି କହିବାର ଶୁଣାଯାଉଥିଲା–"ହଁ ସୌମେନ୍ଦ୍ରବାବୁ, ଆପଣ ଯେଉଁ ପ୍ରଶ୍ନ ପରିହାସ ଛଳରେ ପଚାରିଛନ୍ତି, ଏ ପ୍ରଶ୍ନ ସିରିୟସ ଭାବରେ ମଧ୍ୟ ଯେ କୌଣସି ସ୍ୱାମୀ ବା ସ୍ତ୍ରୀଙ୍କୁ ପଚରାଯାଇପାରେ । ଆଜି ମୋତେ ଏଭଳି ଲାଭନାହିଁ କି ମୋର ଉତ୍ତର ଦେବା ଆବଶ୍ୟକ ନାହିଁ । ଯେଉଁ ଭୁଲଟାକୁ ମୁଁ ନିଜେ କିଣିଛି, ଆଜି ନୁହେ ବହୁତ ଦିନରୁ ତାକୁ ଆଉ ସୁଧାରିବା କ’ଣ ଏଡ଼େ ସହଜ ? ତାରୁଣ୍ୟର ଉନ୍ମାଦନାରେ–ବୟସର ଚାପରେ ସାଙ୍ଗ ସାଥିଙ୍କ ପ୍ରରୋଚନାରେ, ଥରେ ଯେଉଁ ଭୁଲ କରେ ତାହା ତ ଜୀବନ ସାରା ଆଉ ସୁଧାରିବା ସମ୍ଭବ ନୁହେଁ । ଏହି ଭୁଲ ପାଇଁ ବି ପ୍ରତି ମୁହୂର୍ତ୍ତରେ ପଳ ପଳ କରି ମରିବାକୁ ହୁଏ ।

 

ମୋତେ ଯେତେବେଳେ ଖୁବ୍‍ କମ୍‍ ବୟସ, ସେତେବେଳେ ମୋର ବିବାହ ହୋଇଥିଲା-। ଏ ବିବାହ ହୋଇ ନ ଥିଲା ସବାରୀ ପାଲିଙ୍କିରେ ବସି । କଣ୍ଢେଇ ବିହାଘର ପରି ଥାଳିରେ ବସି ବର ଆସିଥିଲା କନ୍ୟା ଘରକୁ, ବିବାହ ସରିଥିଲା । ପିଲା କନ୍ୟା ବିବାହପରେ ବର ଘରକୁ ଯିବା ବିଧି ନୁହେଁ । ବୋଉ ମୋର କିନ୍ତୁ ଏକଜିଦ୍‍ କରି ନବବଧୂକୁ ଆମ ଘରକୁ ଆଣିଥିଲା । ନବବଧୂକୁ ଦେଖିବା ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ସେମାନେ ନବବଧୂଙ୍କ ଠାରୁ ପଦେ ହେଲେ କଥା କିଛି ଶୁଣି ନ ଥିଲେ କି ତାଙ୍କୁ ସମ୍ମାନ, ଶ୍ରଦ୍ଧା ଜଣାଇବାର ଆବଶ୍ୟକତା ଅନୁଭବ କରି ନଥିଲେ । କିଏ କେତେ ରକମର ଅନୁକୂଳ ପ୍ରତିକୂଳ ମନ୍ତବ୍ୟ ବାଢ଼ିଥିଲେ ତା’ର କଳ୍ପନା ନାହିଁ ।

 

ଅଷ୍ଟ ମଙ୍ଗୁଳା ସାରି ନବବଧୂ ପିତୃ ଗୃହକୁ ବାହୁଡ଼ି ଥିଲା । ଆମେ ଉଭୟେ ସେତେବେଳେ ବିବାହ କ’ଣ କିଛି ଜାଣି ନ ଥିଲୁ । ଆମେ ଯେତେବେଳେ ବେଦୀ ପରେ ବସି ବିଭା ହେଉଥିଲୁ ଭାରି ହସ ମାଡ଼ୁଥିଲା । କାରଣ ପ୍ରତିଦିନ ବି ଧୂଳିଘର କରି ଆମେ ପିଲାମାନେ ବିଭା ହେଉ । ଯିଏ ନବବଧୂ ହୁଏ ତା' ମୁଣ୍ଡରୁ ଓଢ଼ଣା ଟାଣି ଅନ୍ୟ ପିଲାମାନେ ଖୁବ୍‍ ଜୋର୍‍ରେ ହସନ୍ତି । ତାଳି ବୃଷ୍ଟି ହୁଏ । ଖେଳ ଭାଙ୍ଗେ । ସବାରୀ, ଗୋପାଳ ଫେରିଯାଆନ୍ତି ।

 

ଏ ବିବାହକୁ ଅମେ ଦୁହେଁ ସେୟା ଭାବିଥିଲୁ । ଆମେ ଜାଣିଥିଲୁ ପେଚି, ଛଇଳା, ସମ୍ପଦ, ଝାମ୍ପ, ଯଶୋଦା, ଅନାମ, ଗନ୍ଧିଆ, ହଗୁରା, ରଙ୍ଗିଆ, କାହ୍ନୁଆ ପ୍ରଭୁତି ଯେମିତି ପ୍ରତିଦିନ ବିବାହ ହେଉଥିଲେ ଖେଳ ଭାଙ୍ଗିଲାପରେ କେହି କାହାରି ନୁହନ୍ତି । ଏ ସେଇମିତି ଏକ ବିବାହ !

 

ଆମେ କ’ଣ ଜାଣିଥିଲୁ–ଆମେ ବିବାହ କ’ଣ ଜାଣିବା ପୂର୍ବରୁ, ପ୍ରୀତି କି ପଦାର୍ଥ–ତା’ର ସ୍ଵାଦର ଗନ୍ଧ ବାରିବା ପୂର୍ବରୁ, ସ୍ୱାମୀ ସ୍ତ୍ରୀ କ’ଣ ସେ ବିଷୟରେ ଜ୍ଞାନ ଲାଭ କରିବା ପୂର୍ବରୁ–ସଂସାରର ଜଡ଼ମଡ଼ି ସହିବା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ, ଆମର କଅଁଳ ନିଷ୍ପାପ ଥର ଥର ହାତ ଦୁଇଟିକୁ ଏକାଠି କରି ସାରାଜୀବନ ପାଇଁ ବାନ୍ଧି ଦିଆଯିବ ବୋଲି ?

 

ଆମେ ଯେତେବେଳେ ବଡ଼ ହେଲୁ, ସଂସାରକୁ ଚିହ୍ନିଲୁ, ନିଜର ରୁଚିରେ ପରିଚାଳିତ ହେଲୁ ସେତେବେଳକୁ ଆଉ ନିଜ ଇଚ୍ଛାରେ କିଛି କରି ପାରିଲୁ ନାହିଁ । ଜ୍ଞାତି କୁଟୁମ୍ବ ଆକଟ କଲେ । ଭାଇ ବନ୍ଧୁ ଆଖି ଦେଖାଇଲେ । ସମାଜ ବାଧା ଦେଲା । ଆମର ବିବାହକୁ ଦୃଢ଼ଭାବରେ ସବୁସ୍ତରରେ ସମସ୍ତେ ସମର୍ଥନ କଲେ । ସେ ଦିନର ପିଲା ନବବଧୂ ଷୋଡ଼ସୀ–ଘରଣୀ ହୋଇ ବିଜେ କଲେ । ଦେହରେ ପାଚିଲା ଯୌବନ । ମନରେ ହୁ' ହୁ' ଜଳୁଛି କାମନାର ନିଆଁ । ଅଧରରେ ଖେଳୁଛି ଲାଳସା ହାସର ଜୁଆର । ଆଖିରେ ଅସୀଧାରଠୁ ତୀକ୍ଷ୍‍ଣ ଚାହାଣୀ । କାଳିନ୍ଦୀ ବିଚୀ–କୁଟୀଳ କେଶରାଶିରା ଭୁରୁ ଭୁରୁ ଗନ୍ଧରେ ମଣିଷ ବି ମେଣ୍ଢା ହୋଇଯିବ ।

 

ବୋଉ ମୋର ବୋହୂକୁ ଯେତେବେଳେ ଦେଖିଲା ମନ ତା’ର ଫିକା ପଡ଼ିଗଲା । ଯିଏ ଦେଖିଲା ସିଏ କହିଲା–ପୁଅକୁ ବୋହୂ ହେଲାନି । ବୋଉ ମୋର ବହେ କାନ୍ଦିଲା । ଚୁପ ହୋଇ ରହିଲା । ମୋର କିଛି କରିବାର ନ ଥିଲା । ମୁଁ ମନେ ମନେ ପ୍ରତିଜ୍ଞା କରିଥିଲି ଯେ ବାପା ବୋଉ ଯାହା କହିବେ ତାହା ମୁଁ ମାନିବି । ସେ ଯାହା କରିବେ ମୁଁ ତାଙ୍କ ଇଚ୍ଛାକୁ ସମ୍ମାନ ଦେଖାଇବି । ମୋର ପ୍ରତିଜ୍ଞାରେ ସର୍ତ୍ତ ମୁଁ ଅକ୍ଷରେ ଅକ୍ଷରେ ପାଳନ କଲି ।

 

ବୋଉ ମୋର ଝୁରି ଝୁରି କଣ୍ଟାହେଲା । ମନେ ମନେ ଗଞ୍ଜି ହେଲା । ବଡ଼ ଲୋକ ଘର ବୋହୂ ଆଣିଲେ ସେ ବହୁତ ଜିନିଷ ପାଇବ । ମାନସମ୍ମାନ ବଢ଼ିଯିବ । ଲୋକଙ୍କର ଖାତିର ବଢ଼ିବ । ବଡ଼ଲୋକ ଘର ଝିଅଟି ଆସିଲେ ତା’ ରି ରୁଚି ଅନୁଯାୟୀ ଘରକୁ ସଜାଡ଼ି ନେବ; ତେଣୁ ମାହାର୍ଦ ଛୁଇଁ ବାହାଘର ପାଇଁ ଶପଥ କରିଥିଲା ।

 

ପୁଅ ସାଙ୍ଗରେ ବୋହୂକୁ ମନେ ମନେ ତୁଳନା କରିଥିଲା । ଠିକ୍‍ ହେବ । ଭାଇ ଭଉଣୀ ଭଳି ଦିଶିବେ ।

 

ସେ କ’ଣ କଳ୍ପନା କରିଥିଲା ଯେ ମାତ୍ର ଦଶଟି ବର୍ଷ ପରେ ବୋହୂ ପୁଅକୁ ବଳାଇଯିବ । ଭାଇ ଭଉଣୀ ଭଳି ନ ଦିଶି ମା' ପୁଅ ଭଳି ଦିଶିବେ । ପୁଅ ବୋହୂଙ୍କର ରୁଚି ଭିନ୍ନ ହୋଇଯିବ ?

 

ସୌମେନ୍ଦ୍ର ଏଥର କହିଲା–"ଆରେ ଭାରି ମଜା କଥାତ ? ସଂଘମିତ୍ରାକୁ ଲକ୍ଷ୍ୟକରି କହିଲା–"ଶୁଣୁଚ ଆହେ ଶୁଣୁଚ ?"

 

ଆଚ୍ଛା–ତା' ପରେ କ’ଣ ହେଲା ?

 

ବନ୍ଧୁ ଜଣକ କହିଲେ ଆଉ ହେବ କ’ଣ ? ବୋହୂଙ୍କର ସ୍ୱରୂପ ଅଳ୍ପଦିନରେ ଧରା ପଡ଼ିଗଲା । ଯେଉଁ ବଡ଼ ଲୋକୀର ଗନ୍ଧ ବାରିଲେ ମୁଁ ଅଥୟ ହୁଏ, ସେହି ହୀନ ବଡ଼ ଲୋକୀର ଗନ୍ଧ ଚାରିଆଡ଼େ ଖେଳିଗଲା । ଆମ ଘର ସାଙ୍ଗରେ ସେ ନିଜକୁ ଖାପ ଖୁଆଇ ଚଳି ପାରିଲେ ନାହିଁ । ଶାଶୁ ଶଶ୍ୱରଙ୍କୁ ଯେଉଁ ଭକ୍ତି, ସମ୍ମାନ ଦେବାର କଥା ତାହା ଦେବାକୁ କୁଣ୍ଠାପ୍ରକାଶ କଲେ । ଘରକୁ ଘର ମଣିଲେ ନାହିଁ । ଧର୍ମଶାଳା ବୋଲି ଜ୍ଞାନ କଲେ । ଧର୍ମଶାଳାରେ ଯେପରି କାହାରି ନିଘା ନ ଥାଏ, ଯେଝାକାମ ସରିଲେ ଯେଝା ଚାଲିଯାନ୍ତି–ଏ ସେହିପରି ଘରେ ଚଳିଲେ ।

 

ବାପା ବୋଉ କେହି ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ କି ତାଙ୍କ କାର୍ଯ୍ୟକୁ ପସନ୍ଦ କରିପାରିଲେ ନାହିଁ । ସେ ତାଙ୍କ ବାପଘରକୁ ଚାଲିଗଲେ ।

 

ବାପା ଗଲେ ।

 

ବୋଉ ଗଲା ।

 

ଏବେ ସେ ପୁଣି ଆସିଛନ୍ତି ।

 

ସୌମେନ୍ଦ୍ର ପଚାରିଲା–"ତାଙ୍କର କ’ଣ ଏବେ ବି କିଛି ପରିବର୍ତ୍ତନ ହୋଇ ନାହିଁ ?"

 

ବନ୍ଧୁ ଜଣକ କହିଲେ–"ହଁ, ହୋଇଛି ମାତ୍ର ଆଶାନୁରୂପ ନୁହେଁ ?

 

ସୌମେନ୍ଦ୍ର ଏଥିରେ ହସି ହସି କହିଲା–"ସେ ଯେମିତି ତୁମ ଘରେ ଚଳି ପାରିଲେ ନାହିଁ କି ଘରକୁ ଚଳାଇ ପାରିଲେ ନାହିଁ, ଏ ସେମିତି ଯେ–ନ କରିବେ କିଏ କହିବ ?

 

ବନ୍ଧୁ ଜଣକ ବାଧା ଦେଇ କହିଲେ–"ସଂଘମିତ୍ରାଙ୍କୁ ସେଭଳି ଭାବିବା ଭୁଲ । ତୁଳସୀ ଦୁଇ ପତ୍ରରୁ ବାସେ । ବିଛୁଆତି ଦୁଇ ପତ୍ରରୁ ଗଲୁ ।" ସୌମେନ୍ଦ୍ର ଏଥର ଟିକିଏ ଗଂଭୀର ହୋଇ କହିଲା–"ଭାଇ ଯେତେବେଳେ–ଭଉଣୀକି ପ୍ରଶଂସା ନ କରନ୍ତୁ କିପରି ?

 

ସଂଘମିତ୍ରା ଏଥର ଡାକିଲା–"ଖାଇବା ଆସ" ଦୁଇ ବନ୍ଧୁଯାକ ଗଲେ । ଖାଇ ବସିଲା ବେଳେ ସୌମେନ୍ଦ୍ର ବନ୍ଧୁଜଣକୁ ଲକ୍ଷ୍ୟ କରି କହିଲା–"ବୁଝିଲ ବନ୍ଧୁ, ଆଗ କଥାଥିଲା ଭିନ୍ନେ, ଏବେ କଥା ହେଲା ଭିନ୍ନେ । ମଝିରେ ମଝିରେ ଆସି ଆମକୁ ଯେପରି ଶଙ୍ଖୋଳିବାକୁ ଭୁଲି ନ ଯାଅ ।’’

 

ସମସ୍ତେ ଶୋଇଲେ ।

 

ରାତି ପାହିଲା । ବନ୍ଧୁ ଜଣକ ବାହାରିଲା ଯିବାକୁ । ହସି ହସି ବିଦାୟ ଦେଲେ ସୌମେନ୍ଦ୍ର ଆଉ ସଂଘମିତ୍ରା । ବନ୍ଧୁ ଜଣକ ବିଦାହୋଇ ଗଲାପରେ ସୌମେନ୍ଦ୍ର କହିଲା–"ଲୋକଟି ଭାରି ଭଦ୍ର ଚରିତ୍ରବାନ, ମିଳାପୀ । ସେ ଯେତେବେଳେ ଯେମିତି ଆସୁଥିବ ତା' ସାଙ୍ଗରେ ଭଲ ବ୍ୟବହାର କରିବ ।"

 

ସଂଘମିତ୍ରା ସୌମେନ୍ଦ୍ରର କଥା ଶୁଣି ମୁରୁକି ମୁରୁକି ହସୁଥିଲା ।

 

ଦୁନିଆଁ ଅତି ବିଚିତ୍ର । ସମୟେ ସମୟେ ଏପରି ହୁଏ ଯେ ଅତୀତ ମୂର୍ତ୍ତିମନ୍ତ ହୋଇ ମଣିଷ ଆଗରେ ଆସି ଠିଆ ହୁଏ । ଅତୀତର ସ୍ମୃତି କନ୍ୟା ପ୍ରୀତି ପରଖେ । ପ୍ରେମ ମନ୍ଦାକିନୀ ବହିଯାଏ । ତା’ର ଆକର୍ଷଣର କାଉଁରୀ ସ୍ପର୍ଶ ଆଖିରେ ଲାଗେ । ମଣିଷକୁ ସବୁ ବାଦ ବିବାଦ ମାନ ଅଭିମାନ ଭୁଲି ଅତୀତର ସ୍ମୃତି କଥାକୁ ଆଦରରେ ଆଲିଙ୍ଗନ କରିବାକୁ ହସ୍ତ ସଂପ୍ରସାରଣ କରିଦିଏ-

 

ଯେଉଁ ଆଭାକୁ ବହୁ ଦିନହେଲା ପାଶୋରି ଥିଲା ସୌମେନ୍ଦ୍ର; ଯାହାର ନାମ ଶୁଣିଲେ ସେ ବିରକ୍ତି ପ୍ରକାଶ କରୁଥିଲା । ଯାହାର ସ୍ମୃତିକୁ ସେ ଏକ ରକମ ମନରୁ ପୋଛି ଦେବାକୁ ସତତ ଚେଷ୍ଟା କରୁଥିଲା–ସେହି ଆଭାର ଆବିର୍ଭାବରେ ପୁଣି ନିଜକୁ ଧନ୍ୟ ମନେ କରୁଛି ସୌମେନ୍ଦ୍ର । ତା’ର ଭୋକିଲା ଦୃଷ୍ଟିରେ ଦୃଷ୍ଟି ବିନିମୟ କରୁଛି । ତା’ର ହସରୁ ଚଳା ଚଳା କରି ପିଉଛି ସେ । ସୁବିଧା ସୁଯୋଗରେ ତା’ର ପ୍ରଣୟ ସାଗରରେ ଅବଗାହନ କରିବାକୁ ପଶ୍ଚାତ୍‍ପଦ ହେଉନି । ଏକ ପତ୍ନୀ ବ୍ରତକୁ ସେ ଜଳାଞ୍ଜଳି ଦେଇଛି । ଆଭା ବି ଅତୀତକୁ ଭୁଲିଯିବାକୁ ଚେଷ୍ଟା କରୁଛି ।

 

ବାସ୍ତବିକ ।

 

ସେ ସୌମେନ୍ଦ୍ରକୁ ଭାରି ଭଲ ପାଏ । ସୌମେନ୍ଦ୍ର ଜଣେ କବି । ସେ କବି ହେବାପାଇଁ ଯୁଗ ଯୁଗ ଧରି ସାଧନା କରି ଆସିଛି । ସେ ଜୀବନର ମୂଲ୍ୟ ବୁଝେ । ପ୍ରୀତିର ମହତ୍ତ୍ୱ ଜାଣେ । ଆଜି ଯେତେବେଳେ ଦୁନିଆଁରେ ସମସ୍ତେ ତାକୁ ଘୃଣା ଚକ୍ଷୁରେ ଦେଖୁଛନ୍ତି–ତା' କଥା ପଡ଼ିଲେ ନାକ ଟେକୁଛନ୍ତି–ତାକୁ ଦୁଶ୍ଚରିତ୍ରା ବୋଲି ଡିଣ୍ଡିମ ତାର ନାରୀତ୍ୱକୁ ପଳ ପଳ କରି ହତ୍ୟା କରିବାର ଚକ୍ରାନ୍ତ କରୁଛନ୍ତି, ପିଟୁଛନ୍ତି–ସେତେବେଳେ ସୌମେନ୍ଦ୍ର ତାକୁ ଅଭୟ ଦେଇଛି । ତା' ପାଇଁ ସ୍ନେହ ସାରୁଛି । ତାକୁ ମଣିଷର ସମ୍ମାନ ଦେଉଛି । ସେ କିପରି ସୌମେନ୍ଦ୍ରକୁ ବିନିମୟରେ କୃତଜ୍ଞତା ସ୍ୱରୂପ ପ୍ରେମର ସୀଧୁ ପାନ ନ କରାଇବ ?

 

ପ୍ରକୃତରେ ଏ ପୃଥିବୀରେ ଯେ କୌଣସି ପଦାର୍ଥ ପାଇବାର ସମ୍ଭାବନାରେ ହିଁ ଥାଏ ମହତ୍ୱ, ଆକର୍ଷଣ, ଆନନ୍ଦ ମାତ୍ର; ପଦାର୍ଥଟି ହାତରେ ପଡ଼ିଗଲେ ଆଉ ତାର ମହତ୍ଵ ଉପଲବଧି କରିହୁଏ ନାହିଁ । ତା’ର ମୂଲ୍ୟ ବୁଝି ହୁଏ ନାହିଁ । ତାହା ଅଲୋଡ଼ା ବୋଲି ଫିଙ୍ଗି ଦେଇ ନୂତନ ପଦାର୍ଥ ଆଡ଼କୁ ଦୃଷ୍ଟି ପୁଣି ଡେଇଁ ଥାଏ । ମନ ପଳାଇ ଯାଏ ।

 

ଦିନ ଥିଲା ଯେତେବେଳେ ଆଭାକୁ ଠେଲି ଠେଲି ଦେଇ ସଂଘମିତ୍ରାକୁ ବେଶୀ ଭଲ ପାଇଥିଲା ସୌମେନ୍ଦ୍ର । କାୟା ସଙ୍ଗେ ଛାୟା ରହିଲା ପରି ରହିଥିଲା ତା' ପାଖେ ପାଖେ । ଶୟନ ସ୍ଵପନ ଜାଗରଣରେ ସେ ବିହ୍ୱଳ ହୋଇ ଉଠିଥିଲା ସଂଘମିତ୍ରାକୁ ପାଇବା ପାଇଁ ।

 

ସଂଘମିତ୍ରାକୁ ପାଇଲା ପରେ ସୌମେନ୍ଦ୍ରର ମନ ବଦଳି ଯାଇଛି । ପୁଣି ପୁରୁଣା ରୋଗରେ ସେ ଆକ୍ରାନ୍ତ ହୋଇଛି । ସଂଘମିତ୍ରାର ଚିକିତ୍ସାକୁ ସେ ପସନ୍ଦ କରୁନାହିଁ । ନୂଆ ଲୋକର ଚିକିତ୍ସାକୁ ସେ ଶ୍ରେୟ ମନେ କରୁଛି ।

 

ବାସ୍ତବିକ ।

 

ମଣିଷ ଯେତେ ପାଏ, ତେତେ ଚାହେଁ । ତା’ର ଲୋଭର ସୀମା ନାହିଁ–ପରିତୃପ୍ତିର ପରିଧି ନାହିଁ–କାମନାର ନିର୍ବାଣ ନାହିଁ । ସେ ସବୁବେଳେ ପୁରଣାକୁ ପାଦରେ ଦଳି ନୂଆ ପାଇବା ପାଇଁ ବ୍ୟାକୁଳତା ପ୍ରକାଶ କରେ । ନାରୀ ମନକୁ ବାରି ନ ପାରିଲେ ମଧ୍ୟ ତା' ହୃଦରେ ପ୍ରେମର ମନ୍ଦିର ପ୍ରତିଷ୍ଠା କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରେ ।

 

ମଣିଷ କାଳଜୟୀ ହେବା ପାଇଁ ଯେପରି ଦେବାଳୟ ତୋଳେ, ପୁଷ୍କରିଣୀ ଖୋଳାଏ, ଅନ୍ନଛତ୍ର ଦିଏ, ହାଟ ବସାଏ, ଛାୟାଦାନ ନିମିତ୍ତ ବର ଅଶ୍ଵତ୍‍ଥ ପଥପାର୍ଶ୍ୱରେ ରୋପଣ କରେ–ପ୍ରେମ ପାଇଁ ସେପରି କିଛି ଧରାବନ୍ଧା ନିୟମ ନାହିଁ ।

 

ନାରୀ ହୃଦରେ ପ୍ରେମ ମନ୍ଦିର ନିର୍ମାଣ କରିବା ଲାଗି ଲୋଡ଼ା ହୁଏ ନାହିଁ । ପ୍ରଭୂତ୍ୱ ପ୍ରଭୁତ୍ୱ, ଅଜସ୍ର ଅର୍ଥ, ଅମାପ ଅହଂକାର ! ଯଦି କଳେବଳେ କୌଶଳେ ନାରୀମନକୁ ଜୟ କରିବା ସମ୍ଭବ ହୁଏ ତେବେ ପ୍ରେମ ମନ୍ଦିର ନିର୍ମାଣ କରିବା ସହଜ ହୋଇଥାଏ ।

 

ପୁଣି–

 

ଚୂନ, ସିମିଟି ପୁରୁଣା ହୋଇଗଲେ ଇଟା ପଥର ଖସି ଯେପରି ଦେବାଳୟ ମନ୍ଦିର ଭାଙ୍ଗେ, ସେପରି ଭାଙ୍ଗେ ନାହିଁ ପ୍ରେମର ସୌଧ । କାରଣ ପ୍ରେମରୁ ପ୍ରୀତି । ପ୍ରୀତିରୁ ଇତି । ପ୍ରୀତି ହିଁ ଦେହାତୀତ । ଧରାରେ ପ୍ରୀତିଠାରୁ ବଡ଼ ପଦାର୍ଥ ଆଉ କିଛି ନାହିଁ । ପ୍ରୀତିର ଥରେ ଯେଉଁ ପ୍ରେମିକ ପ୍ରେମିକା ସଙ୍ଗେ ମନ ମିଳୁଛି ସେ ଜୀବନରେ କେହି ଆହାରିକୁ ଭୁଲି ପାରିବେ ନାହିଁ ।

 

ଦୁନିଆଁରେ ସବୁ ମରେ । ସବୁ ସରେ । ପ୍ରୀତି ମରେ ନାହିଁ କି ସରେ ନାହିଁ । ଓଡ଼ିଆ କବିସମ୍ରାଟ ଯଥାର୍ଥରେ ଗାଇଛନ୍ତି–

 

ପରମ ପଦାର୍ଥ ନାହିଁ ସ୍ତ୍ରୀରିରୁ ଜାଣନ୍ତେ

ସମହୋଇ କଥା ନାହିଁ ପୀରତି ସଙ୍ଗତେ

 

ପୁଣି ସେଇ ପୁରୁଣା ପ୍ରୀତିର ଚାରା ଅଙ୍କୁରିଛି ଉଭୟ ସୌମେନ୍ଦ୍ର ଆଉ ଆଭାଙ୍କ ହୃଦୟରେ ନିଭୃତ ନିକୁଞ୍ଜରେ–ପରିପୂର୍ଣ୍ଣ ଆତ୍ମସମର୍ପଣରେ ସେମାନେ ଲଭୁଛନ୍ତି ଇନ୍ଦ୍ରଭୂତି ବିଷ୍ଣୁ ଜଣେ ଜଣକୁ ନ ଦେଖିଲେ ହେଉଛନ୍ତି ଉଦ୍‍ବିଗ୍ନ, ରହୁଛନ୍ତି ଉନ୍ମିଦ୍ର । ଆଭାର ଦୀର୍ଘ ଦିନର ବିରହ ବହ୍ନି ପୁଣି ପ୍ରଜ୍ଜ୍ଵଳିତ ହୋଇ ଉଠିଛି । ପତଙ୍ଗର ଧର୍ମ ବରଣ କରିଛି ସୌମେନ୍ଦ୍ର ।

 

ସୌମେନ୍ଦ୍ର ଅବହେଳା ପ୍ରଦର୍ଶନ କରିଛି ଏ କେଇଦିନ ହେଲା ସଂଘମିତ୍ରା ପ୍ରତି । ବିସ୍ମରିଛି ତା’ର ପ୍ରଣୟର ଉଷ୍ମତାକୁ । ପାଶୋରିଛି ସେ ମିଳନ ତୀର୍ଥର ମାହାତ୍ମ୍ୟକୁ ତାର ପ୍ରୀତିର ସ୍ୱୀକୃତି ପତ୍ରକୁ ଚିରି ଫିଙ୍ଗି ଦେବାକୁ ବସିଛି ସୌମେନ୍ଦ୍ର ।

 

ଏହି ସୁଯୋଗ ନେଇ ଆଭା ସୌମେନ୍ଦ୍ର ମନକୁ ବିଷାକ୍ତ କରିଦେବାକୁ ନିଜର ବିଚକ୍ଷଣତା ବୋଲି ଭାବୁଛି । ଅଧ୍ୟାମୃତ ପିଆଇ ବିମୁଗ୍‍ଧ । ଉନ୍ମତ୍ତ କରି ସୌମେନ୍ଦ୍ରର ମନରେ ସନ୍ଦେହର ମଞ୍ଜି ବୁଣି ଦେଇଛି । କୌଶଳରେ ପୁଣି ତା’ର ହୃଦ ସିଂହାସନରେ ପ୍ରେମ ସାମ୍ରାଜ୍ଞୀ ରୂପେ ନିଜକୁ ଅଭିସିକ୍ତା କରିବାର ସ୍ୱପ୍ନ ଦେଖି ଚଞ୍ଚଳ ହୋଇ ଉଠୁଛି । ପୃଥିବୀର ସବୁ ଦେଶର ସବୁ ନାରୀ ସମାନ । ସମସ୍ତଙ୍କ ପ୍ରକୃତି ସମାନ ଧରଣର । ଅନ୍ୟ କେଉଁଥିରେ ଯେ ଯାହା ହେଉପଛେ ପ୍ରେମ–ରୁଚିରେ ସମସ୍ତେ ଏକ । ପ୍ରୀତି ଅସ୍ତ୍ର ଦେଖାଇ ଯେ କୌଣସି ମଣିଷକୁ ଯେପରି କାବୁ କରିଦିଅନ୍ତି ଦୁନିଆଁର ଦାଉକୁ ସେହିପରି କାଟି ଖଣ୍ଡ ଖଣ୍ଡ କରିଦିଅନ୍ତି । ପୁରୁଷ ଅନେକ ସମୟରେ ନାରୀର ହସ୍ତରେ କ୍ରୀଡ଼ା ପୁତ୍ତଳିକା ହୋଇ ନାଚୁଥାଏ । ତା’ର ନିଜତ୍ୱ କିଛି ରହେ ନାହିଁ ।

 

ଏବେ ଆଭା ଯାହା କହୁଛି, ସୌମେନ୍ଦ୍ର ଶୁଣୁଛି । ଯାହା କରୁଛି ସେ ତାକୁ ଅନ୍ତରର ସହ ସମର୍ଥନ କରୁଛି । ଆଭା ନିଜକୁ ସୌଭାଗ୍ୟବତୀ ବୋଲି ମନେକରୁଛି ।

 

ଦିନ ବହିଯାଉଛି ପାଣି ସୁଅପରି ।

 

ଶୀତ ଦିନର କୁହୁଡ଼ିଆ ସକାଳ । ସଂଘମିତ୍ରା ବେକ ପର୍ଯ୍ୟନ୍ତ ଘୋଡ଼େଇ ହୋଇ କେତେ କ’ଣ ଭାବି ଚାଲିଛି । ସେ ଭାବନାର ଆଦିଅନ୍ତ ନାହିଁ । ସୌମେନ୍ଦ୍ରକୁ କେନ୍ଦ୍ରକରି ଅତୀତର ଦିନଗୁଡ଼ିକ ଛାୟାଛବି ଭଳି ଆଖି ଆଗରେ ତା’ର ନାଚି ଯାଉଛି । ସେଦିନର ବାସ୍ତବତା ଆଜି ସ୍ୱପ୍ନ ଭଳି ଜଣା ପଡ଼ୁଛି । ଦିନ ଥିଲା ଯେତେବେଳେ ସୌମେନ୍ଦ୍ର ଆଉ ସଂଘମିତ୍ରା ଉଭୟ ଉଭୟଙ୍କୁ ଏତେ ଭଲ ପାଉଥିଲେ ଯେ କେହି କାହାରିକି କ୍ଷଣେ ନ ଦେଖିଲେ ଅଧୀର ହୋଇ ଉଠୁଥିଲେ । ରାତି ପହୁଥିଲେ ବି ଆଖିକି ନିଦ ଆସୁ ନ ଥିଲା । ସକାଳୁ ସଂଧ୍ୟାଯାଏ ପେଟକୁ ଭାତ ଯାଉ ନ ଥିଲା । ଅଧିକାଂଶ ସମୟ ଏକାଠି ରହି କଟାଉଥିଲେ ସେ । କେତେ ହସ, କେତେ କାନ୍ଦ କେତେ ମାନ ଅଭିମାନରେ ସେହି ସୁନ୍ଦର ମଧୁମୟ ଦିନଗୁଡ଼ିକ ବିତିଯାଉଥିଲା । ସେତେବେଳେ ପୁଣି ନ ଥିଲା ବନ୍ଧନ । ଜନକ୍ଷେତ୍ରରେ ମାୟାଜନ ବୋଲିବାର 'ପତିପତ୍ନୀ 'ର ସାର୍ଟିଫିକେଟ ।

 

ପ୍ରକୃତରେ–

 

କ’ଣ ତଫାତ୍‍ ସତେ ବିବାହିତ ଆଉ ଅବିବାହିତମାନଙ୍କ ମଧ୍ୟରେ ? ପ୍ରେମିକ–ପ୍ରେମିକା ଆଉ ପତିପତ୍ନୀଙ୍କ ଭିତରେ ।

 

Unknown

କେବଳ ରୁଚିର ଏବଂ ଶୁଚିର ତଫାତ୍‍ । ଆଉ ସବୁ କଥା ପ୍ରାୟ ସମାନ । ବ୍ୟତିକ୍ରମକୁ ବାଦ ଦେଲେ ବୈଧ ଅବୈଧ ଭିତରେ ପ୍ରାୟ କିଛି ତଫାତ୍‍ ନାହିଁ । ଏହି ବ୍ୟତିକ୍ରମକୁ ହିଁ ଆମେ କହୁ ଅସାମାଜିକତା । ଅସାମାଜିକତା ବୋଲି ଗୋଟିଏ ଜିନିଷ କ’ଣ ?

 

ପତିପତ୍ନୀ ହେଲାପରେ ଯେଉଁ ସନ୍ତାନ ଜନ୍ମଲାଭ କରେ–ତାହା ସମାଜର ସଂସ୍କାରର ସ୍ୱୀକୃତି ପାଏ–ଉତ୍ତରାଧିକାରୀତ୍ୱର ଦାବୀ ପାଇଁ ସମର୍ଥ ହୁଏ ମାତ୍ର ପ୍ରେମିକ ପ୍ରେମିକାଙ୍କଠାରୁ ଯେଉଁ ସନ୍ତାନ ଜାତ ହୁଏ ତାକୁ ଆମେ କହୁ ଅବୈଧ ସନ୍ତାନ । ଅସାମାଜିକ ଶିଶୁ । ସାମାନ୍ୟ ବ୍ୟତିକ୍ରମ ପାଇଁ ସେ ଶିଶୁଟି ହୁଏ ବୈଧ ଏ ଶିଶୁଟି ହୁଏ ଅବୈଧ । ଦୁନିଆର ଗତି ଅତି ବିଚିତ୍ର । ମନର ମିଳନ ଘଟିଲେ ସବୁକିଛି ସଂସାରରେ ସମ୍ଭବ ହୁଏ । ଏହି ମନର ମିଳନ ମୂଳରେ କଳଙ୍କି ଲାଗିଲେ ପୁଣି ମନର ଅମେଳ ପରିଲକ୍ଷିତ ହୁଏ । ବେଳେବେଳେ ବିଚ୍ଛେଦର ସୃଷ୍ଟି ହୁଏ । ମନ ଚହଲିଯାଏ ।

 

ଏଇ କେତେଦିନ ହେଲା ସଂଘମିତ୍ରାର ମନ ଚହଲି ଯାଇଛି । । ସୌମେନ୍ଦ୍ର ତାକୁ କଟକରୁ ଆଣି ଗାଆଁ ସୁବର୍ଣ୍ଣପୁରରେ ଛାଡ଼ିଲାଦିନୁ ତା’ର ସବୁ ଗୋଳମାଳ ହୋଇଯାଇଛି । ଦୁଃଖରେ ଦିନ କାଟୁଛି । ଲୁହ ନ କାନ୍ଦି ରକ୍ତ କାନ୍ଦୁଛି । ଆହା କହିବାକୁ ସାହାନାହିଁ କେହି ତା’ର ।

 

ଗୋଟିଏ ସନ୍ତାନର ଜନନୀ ସେ ହୋଇ ସାରିଛି ସତ; ନିଜର ଭୁଲ ପାଇଁ ଏବେ ଅଶ୍ରୁରେ ପ୍ରାୟଶ୍ଚିତ କରୁଛି । ଯେ ପିଲାଦିନୁ ଖଟପଲଙ୍କରୁ ଓହ୍ଲାଇ ନ ଥିଲା–ନିଜ ହାତରେ ଖାଇ ନ ଥିଲା ସର ଲବଣୀ ଥୁ ଥୁ କରି କାଢ଼ୁଥିଲା ସେ ଏବେ ରାନ୍ଧୁଣୀ ସାଜିଛି । ସ୍ଵ ହସ୍ତରେ ଚଟୁ ଧରି ଲକ୍ଷ୍ମୀଠାକୁରାଣୀଙ୍କ ଭଳି ରୋଷେଇ ଘରେ ପଶୁଛି । ନିଜେ ପାଣି କାଢ଼ୁଛି ପରଷୁଛି । ଧୂଆଁ ବାଜି ଆଖି ଫୁଲି ଗେଣ୍ଡାପରି ଦେଖାଯାଉଛି । ଡାକ୍ତରୀପଢ଼ା ତା’ର ଚୁଲୀରେ ହୁ ହୁ ହୋଇ ଜଳୁଛି । ସେ ସେଥିପାଇଁ ଆଦୌ ବିବ୍ରତ ହେଉନାହିଁ ।

 

ତଥାପି–

 

ତା' ଶିରୀ ଦେଖିପାରୁ ନାହାନ୍ତି । ତା' ଛୁଆକୁ କେହି ଭଲ ପାଉ ନାହାନ୍ତି । ଶାଶୁ, ଯାଆ, ନଣନ୍ଦ ଟିକକ କଥାରେ ଖୁଣ୍ଟା, ଉଲୁଗୁଣା ଦେଇ ହାଡ଼ରୁ ମାଂସ ଝାରୁଛନ୍ତି ।

 

ପରିସ୍ଥିତି ଏବଂ ପାରିପାର୍ଶ୍ୱିକ ଅବସ୍ଥା ମଣିଷକୁ ସତେ କ’ଣ ନ କରେ ? ପରିସ୍ଥିତିର ଚାପରେ ଭଲ ମଣିଷ ଭେଲ ହୋଇଥାଏ । ସାମାନ୍ୟ ସାମାନ୍ୟ ଭୁଲ ପାଇଁ ସାରା ଜୀବନ ହା' ହୁତାଶମୟ ଅବସ୍ଥାରେ ଦିନ କାଟିବାକୁ ହୁଏ, ସେଥିପାଇଁ ବାପା ମା' ମାନେ ନିଜର ଦୁହିତା ପାଇଁ ଭଲ ବର, ଭଲ ଘର ଖୋଜନ୍ତି । ଭଲ ଘର ବୋଇଲେ କେବଳ କୋଠାଘର ନୁହେଁ ବା ଧନଦୌଲତ ପୂର୍ଣ୍ଣ ଦାସଦାସୀ ଭରା ଘର ନୁହେଁ । ଯେଉଁ ଘରେ ଭଲ ମଣିଷ ଥାଆନ୍ତି, ତାହାହିଁ ଭଲ ଘର । ଘରେ ସବୁ ଥାଇ ଯଦି ଭଲ ଆଦର, ବ୍ୟବହାର, ସ୍ନେହ, ମମତା ନ ମିଳେ ତେବେ ସେ ଘରେ ମଣିଷ ରହିବା ଘର ନୁହେଁ–ପ୍ରେତପୁରୀର ଗନ୍ତାଘର ।

 

ଯାହା ହେଉ,

 

ସଂଘମିତ୍ରାର ବାପ, ମାଙ୍କୁ ଦୋଷ ଦେବାର ଜୁ' ନାହିଁ । ସବୁ ପରିସ୍ଥିତି ସବୁ ଅବସ୍ଥା ପାଇଁ ସେ ନିଜେ ଦାୟୀ, ସେ ନିଜେ ଏ ଅବସ୍ଥା କିଣିଛି । ଯା' ଗୋଡ଼ ଅଠରଟା ଦାସ ଦାସୀ ମୋଡ଼ୁ ଥିଲେ–ସେ ଆଜି ଅପରିଷ୍କାର–ଅପରିଚ୍ଛନ୍ନ ପାଦର ପାଣି ନ ପାଇଲେ ହଟା ବସୁଛି–ଡିବି ଡିବି ନାଗରା ବାଜୁଛି । ପିଲାଟି ତା’ର କାନ୍ଦି କାନ୍ଦି ଧୂଳି ଧୂସରିତ ହୋଇ ଗଡ଼ୁଥିଲେ, କାହାରି ଦୟା ଆସୁନାହିଁ–କେହି ଟିକିଏ କାଖକୁ ନେଉ ନାହାନ୍ତି । ସଂଘମିତ୍ରାର ପୁଅର ପୁଣି ଏ ହୀନ ଅବସ୍ଥା ? ହଇରେ ଦଇବ ।

 

ସଂଘମିତ୍ରା ଘରର ବୋହୂ । ଅନ୍ୟ କେହି ନୁହେଁ । ବାହା ହୋଇ ଆସିଛି ସେ । ଅନ୍ୟମାନଙ୍କ ଭଳି ବରଣମାଳା ଦେଇ ଆସିନାହିଁ କି ପୋଇଲୀଙ୍କ ପରି ଆସି ରହି ନାହିଁ ।

 

କିନ୍ତୁ–

 

ତା’ର ଏ ଘରରେ କିଛି ଅଧିକାର ନାହିଁ । ସେ ହାତ ଟେକି କାହାକୁ ମୁଠେ ଭିକ ଦେଇ ପାରୁନାହିଁ କି କାହା ସହିତ ପଦେ ଭଲ ମନ୍ଦ, ସୁଖ ଦୁଃଖ କଥାବାର୍ତ୍ତା ହୋଇ ପାରୁନାହିଁ । ନିଜେ ସୌମେନ୍ଦ୍ର ଯେଉଁ ବନ୍ଧୁଙ୍କୁ ଆଣି ସଂଘମିତ୍ରାଙ୍କୁ ଚିହ୍ନାଇ ଦେଇ କହିଥିଲା–"ଦେଖ ବନ୍ଧୁ ଯେତେବେଳେ ଆସିବେ ତାଙ୍କ ଆଦର ଅଭ୍ୟର୍ଥନାରେ ଉଣା କରିବ ନାହିଁ । ସେ ତ ତୁମକୁ ଭଉଣୀ ବୋଲି କହୁଛନ୍ତି–ତୁମେ ତାଙ୍କୁ ଭାଇ ବୋଲି ଜ୍ଞାନ କରିବ ।"

 

ସେହି ବନ୍ଧୁ ଆସିଲେ ସାଇଯାକ ଟୁପଟାପ ହେଉଛନ୍ତି । ମୁରୁକି ମୁରୁକି ହସୁଛନ୍ତି । ସଙ୍ଘମିତ୍ରା ତାଙ୍କୁ ଭଲକରି ପଦେ କଥା କହି ପାରୁନାହିଁ କି ତାଙ୍କୁ ଚର୍ଚ୍ଚା କରିପାରୁ ନାହିଁ । ସେ ଆସି ମନ ଦୁଃଖରେ ଫେରି ଯାଉଛନ୍ତି । ସଂଘମିତ୍ରାର କ’ଣ ଚାରା ଅଛି ?

 

ସୌମେନ୍ଦ୍ର ପାଖକୁ ନ ଛ ଲଗାଇ କଟକ ଚିଠି ଲେଖୁଛନ୍ତି । ସେ ଆଉ ଆସୁନି କି ସଂଘମିତ୍ରାଙ୍କୁ ଭଲ ଚକ୍ଷୁରେ ଦେଖୁନି । ପୂର୍ବଭଳି ପ୍ରତି ରବିବାର ଦିନ ଘରକୁ ଆସି ଭଲ ମନ୍ଦ ଖବର କିଛି ବୁଝୁନି । ସେ ପୁଣି ଆଭା ସଙ୍ଗରେ ମାତିଛି ।

 

ନାନା ଦୁଃଖ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ୁଛି ସଂଘମିତ୍ରା । ଜୀବନ ତା’ର ଦୁର୍ବିସହ ହୋଇ ଉଠୁଛି । ସେ କିପରି ଜୀବନ ଧରି ରହିବ ? ଛୁଆଟିକି କିପରି ବଞ୍ଚାଇ ମଣିଷ କରିବ ? ଆତ୍ମହତ୍ୟା କରିଦେବ, ହେଲେ ? ନା–ଆତ୍ମହତ୍ୟା ମହାପାପ ।

 

ମଣିଷ ଜନ୍ମ ପୁଣି ସବୁ ଜନ୍ମ ଭିତରେ ଶ୍ରେଷ୍ଠ । ତାକୁ ନଷ୍ଟ କରି ଈଶ୍ୱରଙ୍କ ସୃଷ୍ଟିକି ଅପମାନ ଦେଇ ପାରିବନି ସେ । ତା'ହେଲେ ସେ ପାଠଶାଠ ପଢ଼ିବାର ମୂଲ୍ୟ କ’ଣ ?

 

ତେବେ ସେ ତା' ବାପା, ବୋଉଙ୍କ ପାଖକୁ ଫେରିଯିବ ?

 

କେମିତି କାହାକୁ ଯାଇ ମୁହଁ ଦେଖାଇବ ସେ ? କି କୈଫିୟତ ଦେବ ସତେ ?

 

ସେ ଠିକ୍‍ କରେ ଚାକିରୀ କରିବ । ସୌମେନ୍ଦ୍ରର ବିନା ଅନୁମତିରେ ସେ ଚାକିରୀ କରିବାକୁ ଚାହୁଁ ନାହିଁ । ସୌମେନ୍ଦ୍ରକୁ ଲେଖିଲେ ମଧ୍ୟ ସେ ଅନୁମତି ଦେଉନାହିଁ । ସ୍ଵାମୀଙ୍କ ଇଚ୍ଛା ବିରୁଦ୍ଧରେ ଯିବାକୁ ତାହାର ସାହସ ହେଉନାହିଁ । ତେବେ ସେ ଚଳିବ କେମିତି ?

 

ପିଲାଟି ତା’ର ଖାଇବାକୁ କ୍ଷୀର ଟୋପିଏ, ବିସ୍କୁଟ ଖଣ୍ଡିଏ ପାଉନି । ପିନ୍ଧିବାକୁ ଜାମା ପ୍ୟାଣ୍ଟ ଖଣ୍ଡେ ପାଉନି । ଗୋଡ଼କୁ ଜୋତା ହଳେ ନାହିଁ ।

 

ତା' ନିଜ କଥା । ଯିଏ ବନାରସୀ ଶାଢ଼ୀରେ ପାଦ ପୋଛୁଥିଲା, ସେ ଆଜି ଖଣ୍ଡେ ଛିଣ୍ଡା ଲୁଗା ପିନ୍ଧିବାକୁ ପାଉନି । ଭୋକିଲା ପେଟ କରି ଚଳିହେବ । ଦେହ ନଙ୍ଗଳା କରି ଚଳିବ କେମିତି ସେ ?

 

ଯେ ଯାହା କହୁ ପଛେ ସେ ଏ ଘର ଛାଡ଼ି ଚାଲିଯିବ । ହୁଏତ ତା ବାପା, ବୋଉଙ୍କ ପାଖକୁ ଯାଇ ନିଜର ଭୁଲ ସ୍ୱୀକାର କରିବ । ଭାଇଙ୍କ ହାତ ଧରି କ୍ଷମା ମାଗିବ । ଯଦି ସେମାନେ ନ ପଚାରିବେ ତେବେ ସେ ଗଛ ମୂଳେ ପଡ଼ି ମରିବ ପଛେ ଆଉ ଏଠାକୁ ଫେରିବ ନାହିଁ ।

 

ଏହିପରି ନାନା କଳ୍ପନା ଜଳ୍ପନା ଭିତରେ ବୁଡ଼ି ରହିଥିଲାବେଳେ ସୌମେନ୍ଦ୍ର ଆସିବାର ଖବର ପାଇଲା ସେ । ତରତର ହୋଇ ଯାଇ ରନ୍ଧାବଢ଼ା କଲା । କଟକରୁ ଆସିଲାଣି, ଭୋକ ହେବଣି ବୋଧ ହୁଏ । ଏ ଗାଆଁଟା ସଂସାର ଛଡ଼ା ଗାଁଆ ।

 

କ’ଣ କତିରେ ନା ପାଖରେ ହେଇଛି । କଟକରୁ କୋଡିଏ କୋଶ ବାଟ । କଟକରୁ ରେଳ, ରେଳରୁ ମଟର, ମଟରରୁ ଓହ୍ଲାଇ ପୁଣି ପାଞ୍ଚକୋଶ ବାଟ ଚାଲିବାକୁ ହେବ । ଦି' ଦିଟା ଘାଟ ପାରି, ଦୁଇ ପାଖରେ ଦୁଇଟି ନଈ ।

 

ଦି'ଟୋପା ମେଘ ବରଷିଲେ ଦୁଆରେ ପାଣି । ବେଙ୍ଗଙ୍କ ରଡ଼ିରେ କାନ ଫାଟିଯାଏ । ନଈରେ ମନ୍ଦାଏ ବଢ଼ିପାଣି ଆସିଲେ ଗାଆଁରେ ପାଣି ପଶିଯାଏ । ହାତ ବାଟ ସବୁବନ୍ଦ । ବିନା ଡଙ୍ଗାରେ କୁଆଡ଼କୁ ଯାଇ ହୁଏ ନାହିଁ । ଦେହ ମୁଣ୍ଡ କିଛି ହେଲେ ଔଷଧ ମିଳେନା । ନିଜେ ସ୍ରଷ୍ଟା ବି ଯଦି ଆସି ଏ ଗାଆଁରେ ରହନ୍ତି, ତାଙ୍କ ବୁଦ୍ଧି ହଜିଯିବ । ସେ ଦିନେ ଓଳିଏ ରହିଲେ ଏ ଗାଆଁ ଛାଡ଼ି ପଳାଇଯିବେ । ଗାଆଁ ବୋଇଲେ ଦଶ ବାରଟି ଘର । କାହାରି ସାଙ୍ଗରେ କାହାରି ପଡ଼େନା କାହା ସହିତ କାହା ମନ ମିଳେନା । ଯେଝା ହାତରେ ଯେଝା ଚଉଦ ପା' । ଏ ଗାଆଁରେ ଗଛ ବୋଇଲେ କେତୋଟି ଚାକୁଣ୍ଡା ଗଛ ଆଉ ବାଗୁଲା ଗଛ । ଅନ୍ୟ ଗଛ ନାହିଁ । ଶୁଣାଯାଏ ଜଣେ ଆଣି ତେନ୍ତୁଳି ଗଛଟିଏ ଲଗାଇ ଥିଲା–ତେନ୍ତୁଳି ଫୁଟିଲା ନାହିଁ । ସାମୁଦ୍ରିକ ପକ୍ଷୀ କେତୋଟି ନଈ ପଠାରେ ବସିବା ଛଡ଼ା ଅନ୍ୟ ପକ୍ଷୀ ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ସମୟେ ସମୟେ ସକାଳୁ କାଉ କା' କା' କରି ଗାଁଆ ଉପରେ ଉଡ଼ି ଯାଉଥାଏ । ଶୁଆପଲ କେଁ କଟର କରି ଉଡ଼ି ଯାଉଥାନ୍ତି ।

 

ତେବେ ପ୍ରାତଃକାଳୀନ, ସାୟଂକାଳୀନ ପ୍ରାକୃତିକ ଦୃଶ୍ୟ ମନୋରମ । ଦୁଇ ପାଖରେ ଦୁଇଟି ନଦୀ । ପଛରେ ଘଞ୍ଚ କଣ୍ଟା ଜଙ୍ଗଲ । ନାନା ଜାତିର ଫୁଲ ଫୁଟେ । ଆଗରେ ଲଳିତ ଗିରି ପାହାଡ଼, ପାହାଡ଼ ଶିଖରରେ ଆଦ୍ୟାଷାଢ଼ର ପହଲି ମେଘ ଗର୍ଭବତୀ ସରୀସୃପ ଭଳି ଖେଳି ବୁଲିବାର ଶୋଭା ନିରୀକ୍ଷଣ କଲେ ମନ ପ୍ରାଣରେ ଆନନ୍ଦ ଖେଳିଯାଏ । ସାଧାରଣ ସାଂସାରିକ ଲୋକ ପାଇଁ ଏ ସ୍ଥାନ ନୁହେଁ । ଏହା କଳ୍ପନାଜୀବୀ କବିଙ୍କୁ ଖୋରାକ ଯୋଗାଇଥାଏ ।

 

ଯାହାହେଉ,

 

ସୌମେନ୍ଦ୍ର ଆସି ନଈ ପାଖରୁ କ’ଣ କା'ଠାରୁ ଶୁଣିଲା କେଜାଣି ଆଉ ଖାଇଲା ନାହିଁ କି ସଂଘମିତ୍ରାଙ୍କୁ ପାଟି ଫିଟାଇଲା ନାହିଁ । ଘରକୁ ବି ଗଲା ନାହିଁ । ପୁଅଟି ଟିକେ ଦେଖିବାକୁ ଇଚ୍ଛାକଲା ନାହିଁ କି ଜାତିର ମଣିଷ ସୌମେନ୍ଦ୍ର କେଜାଣି ।

 

ନିଜ ଘରଠାରୁ ଟିକିଏ ଦୂରରେ ଥିବା ଠାକୁର ଘରେ ଶୋଇଲା । ଖୁବ୍‍ ବଡ଼ିଭୋରରୁ ଉଠି ବ୍ୟାଗ୍‍ଟିଏ ଧରି କଟକ ଅଭିମୁଖେ ପୁଣି ପ୍ରତ୍ୟାବର୍ତ୍ତନ କରିବାକୁ ବାହାରିଲା । ବଂଶଯାକର ଲୋକ ସମସ୍ତେ ଦେଖୁଥାନ୍ତି କେହି କିଛି କହୁ ନ ଥାନ୍ତି । ନିର୍ଲଜ ମୁହଁକୁ ସଲଜ କରି ସଂଘମିତ୍ରା ଯାଇଁ ସୌମେନ୍ଦ୍ର ହାତରୁ ହସି ହସି ବ୍ୟାଗଟି ଛଡ଼ାଇ ହାତ ଧରି ଟାଣିଲା–"ଘରକୁ ଆସୁନା । ପିଲାଙ୍କ ଭଳି କ’ଣ ହେଉଛ ? ମୁଁ ସିନା କିଛି ଅପରାଧ କରିଥିବି ଘରର ଦୋଷ କ’ଣ ?"

 

ସୌମେନ୍ଦ୍ର କିଛି କହିଲା ନାହିଁ । ଶକ୍ତ ଅର୍ଥପୂର୍ଣ୍ଣ 'ହୁଁ' ଟିଏ ମାରି ଦୀର୍ଘନିଶ୍ୱାସ ପକାଇଲା-। ସଂଘମିତ୍ରା ସେ ଦୀର୍ଘ ନିଶ୍ୱାସରେ ଅନୁଭବ କଲା ଯେମିତି ବିଷର ଜ୍ୱାଳା, ଦ୍ଵେଷର ଉଷ୍ଣତା, କ୍ରୋଧର ବ୍ୟାପକତା ।

 

ତଥାପି–

 

ସଂଘମିତ୍ରା କାନ୍ଦି କାନ୍ଦି କହିଲା–"ମୁଁ ଆଉ ଏତେ ଭୋକ ଉପାସରେ ସଢ଼ି ପାରିବି ନାହିଁ କି ଦେହ ନଙ୍ଗଳା, ମୁଣ୍ଡ ନୁଖୁରା କରି ଚଳିପାରିବି ନାହି । ତୁମେ ଯଦି ଯାଉଛ ଯାଅ, ମୋର ମନା ନାହିଁ । ତୁମର ଛୁଆଟିକୁ ତୁମ ସାଙ୍ଗରେ ନେଇଯାଅ ।

 

ସଂଘମିତ୍ରାର ଏତିକି କଥା ଶୁଣୁ ଶୁଣୁ ଅଗ୍ନିଶର୍ମା ହୋଇଗଲା ସୌମେନ୍ଦ୍ର । ତା’ର ଉନ୍ମକ୍ତ ତୈଳବିହୀନ ଅଯତ୍ନ ଦୋଳାୟିତ କେଶଗୁଚ୍ଛକୁ ବାମ ହାତରେ ଟାଣିଆଣି ବିଧା, ଚାପୁଡ଼ା ମାରି ଭୂତଳଶାୟିନୀ କରିଦେଲେ । ବଡ଼ପାଟି କରି କହିଲା–"ବାହା ହେବୁ ମୋତେ ରାତି ପୁହାଇବ ମୋର ବନ୍ଧୁଙ୍କ ସହିତ, ନା ? ଦେଖିବି ତ କେଉଁ ବାପା ପିଠିରେ ପଡ଼ିବ । ପୁଣି ଦି' ମୁଥ ପକାଇଲା, ଗାଲ ମୁହଁରେ, ରକ୍ତ ଝରି ପଡ଼ିଲା । ଗାଆଁଯାକର ଲୋକେ ସେତେବେଳେକୁ ରୁଣ୍ଡ ହୋଇ ଗଲେଣି-। ସୌମେନ୍ଦ୍ର ସେ ଗାଆଁର ବଡ଼ ବାବୁ, ବଡ଼ ପାଠୁଆ ତାକୁ ଭରସି କରି କେହି କିଛି କହିପାରୁ ନ ଥାନ୍ତି । ଓଲଟି ସଂଘମିତ୍ରା ଉପରେ ଦୋଷ ଲଦି ଦେଉଥାନ୍ତି ।

 

ସଂଘମିତ୍ରା ସେଇମିତି ମାଟି କାମୁଡ଼ି ପଡ଼ିଥାଏ । ପୁଅଟି ରାହା ଧରି କାନ୍ଦୁଥାଏ । ସୌମେନ୍ଦ୍ର ଫଅଁ ଫଅଁ ହୋଇ ଏକମୁହାଁ ହୋଇ ଚାଲିଗଲା, ଆଉ ପଛକୁ ଫେରି ଚାହିଁଲା ନାହିଁ ।

 

କିଛି ସମୟ ପରେ ସଂଘମିତ୍ରା ଉଠି ଝାଡ଼ି ଝୁଡ଼ି ହୋଇ ମନଭରି କାନ୍ଦିଲା । ନିଜକୁ ଦୋଷ ଦେଇ ନିଜେ କହିଲା–"ଆପଣା ହସ୍ତେ ଜିହ୍ଵା ଛେଦି, କ ତା’ର ଅଛି ପ୍ରତିବାଦୀ ।"

 

ତା' ପରେ ପ୍ରଥମ ଥର ପାଇଁ ଘରୁ ଗୋଡ଼ କାଢ଼ି ଚାଲିଯିବା ପାଇଁ ମନସ୍ଥ କଲା । ସେ ଯିବ କେମିତି ? କେତେବେଳେ ଯିବ ? ସାଙ୍ଗରେ ଯିବ କିଏ ?

 

ଅଜଣା ସ୍ଥାନ, ଅଚିହ୍ନା ବାଟ ଆସିଲାବେଳେ ସେ ସବାରୀରେ ଆସିଥିଲା । ଦି ଦି'ଟା ଘାଟ ପାରହୋଇ ବେଣାପାଟ ଭିତରେ ଯିବ କେମିତି ? ଏମାନେ ଯଦି ଦେଖିବେ ? ମରଣଠାରୁ ଲଜ୍ଜା ବଳିବ । ଚାରିଆଡ଼େ ନିନ୍ଦାର ନାଗରା ବାଜିବ । ଯାହା ହେଉଛି ହେଉ, ଯେ ଯାହା କହୁଛି କହୁ ସେ ଯିବ । ଏଠାରେ ସେ ଆଉ ରହିବ ନାହିଁ । କାହିଁକି ବା ରହିବ ? ଯାହା ପାଇଁ ରହନ୍ତା ତା’ର ତ ଏଭଳି ବ୍ୟବହାର; ସେ ଆଉ ଏଠାରେ ରହି ପଳ ପଳ ହୋଇ ପ୍ରତି ମୁହୂର୍ତ୍ତରେ ମରିବା ଅପେକ୍ଷା ଏକାଥରକେ ମରିଯିବା ଶ୍ରେୟସ୍କର ।

 

ନଦୀ ପାର ହେଉ ହେଉ କୁମ୍ଭୀର ନେବା ଭଲ, ଜଙ୍ଗଲବାଟ ଦେଇ ଯିବାବେଳେ ବାଘ ଖାଇବା ଶ୍ରେୟସ୍କର; ମାତ୍ର ବାଘ, କୁମ୍ଭୀରଠାରୁ ଆହୁରି ହିଂସ୍ର, ଆହୁରି ଭୟଙ୍କର ଯେଉଁମାନେ–ତାଙ୍କ ପାଖରେ ଅଧିକ ସମୟ ଚଳିହେବା ସମ୍ପୂର୍ଣ୍ଣ ଅସମ୍ଭବ ।

 

ମନକଥା ମନରେ ମାରି ଘର କାମରେ ମନ ଦେଲା ସଂଘମିତ୍ରା । ଶାଶୁ, ଶଶୁର, ଯାଆ ନଣନ୍ଦଙ୍କ ସେବାରେ ତ୍ରୁଟି କଲାନାହିଁ ସେ ରାଗିଛି ବୋଲି, ମନକଷ୍ଟ କରିଛି ବୋଲି କେହି କିଛି ଜାଣିପାରିଲେ ନାହିଁ ।

 

ଦିନ ଯାଇଁ ରାତି ହେଲା । ପୁଣି ରନ୍ଧାବଢ଼ା ସାରିଲା ସଂଘମିତ୍ରା । ସମସ୍ତେ ଖାଇ ପିଇ ନିଘୋଡ଼ ନିଦରେ ଶୋଇଲେ । ସଂଘମିତ୍ରା ଛୋଟ ବ୍ୟାଗଟିଏ, ସାମାନ୍ୟ କିଛି ଜଳଖିଆ ଧରି ପୁଅକୁ କାଖେଇ କଟକ ଅଭିମୁଖେ ବାହାରିଲା ।

 

ଯେଉଁ ନଈରେ କେହି କୁମ୍ଭୀର ଭୟରେ ଦିନେହେଲେ ପଶନ୍ତି ନାହିଁ, ସେଇ ନଈ ଦୁଇଟିରେ ପଶି ନିର୍ଭୟରେ ପାର ହୋଇଗଲା । ପାଟିରେ ପାଣି ପଶିଗଲା ସିନା ସେ ବୁଡ଼ିଗଲା ନାହିଁ କି ତାକୁ କୁମ୍ଭୀର ଖାଇଲା ନାହିଁ । ଓଦା ଜୁଡ଼ୁବୁଡ଼ୁ ହୋଇ ଜଙ୍ଗଲ ବାଟଦେଇ ଚାଲିଲା ।

 

ଶୀତ ଦିନ ରାତି ।

 

ଦେଖିଲା ଆଗରେ ଦି'ଜଣ କିଏ ଜଙ୍ଗଲ ଆରମ୍ଭ ହେବା ପୂର୍ବରୁ ବସି ନିଆଁ ଜାଳୁଛନ୍ତି । ବାଟୋଇ ହେବେ ପରା ! ସେମାନଙ୍କ ନିକଟରେ ସଂଘମିତ୍ରା ଯାଇଁ ପହଞ୍ଚିଲା । ସେମାନେ ତାକୁ ଦେଖି ଚିରୁଗୁଣୀ ବୋଲି ଭୟକରି ଦଉଡ଼ି ପଳାଇଲେ । ସଂଘମିତ୍ରା ଯେତେବେଳେ ଡାକିଲା ଭାଇମାନେ ମୁଁ ମଣିଷ, ଭୂତ ନୁହେଁ କି ପ୍ରେତ ନୁହେଁ–ମୋତେ ଭୟ କର ନାହିଁ । ଲୋକ ଦୁଇଜଣ ଛାତିକି ଛେପ ପକାଇ ପକାଇ ଫେରି ଆସିଲେ । ସଂଘମିତ୍ରା ଦେଖିଲା ଦୁଇଜଣ ହଳଧର ଗୋତ୍ରୀ ବ୍ରାହ୍ମଣ ଚକୁଳିଆ ପଣ୍ଡା । ସେ ଆଜି ସକାଳେ ସେମାନଙ୍କୁ ନିଜ ହାତରେ ମନଭରି ଭିକ୍ଷା ଝୁଲି ଫିଟାଇ ଭିକ ଦେଇଥିଲା ।

 

ଚକୁଳିଆ ପଣ୍ଡା ଦୁଇଜଣ ତାକୁ ଚିହ୍ନିଲେ । ତାକୁ କେତେ କଥା ପଚାରିଲେ । ସଂଘମିତ୍ରା ଜିଦ କଲାରୁ ସେମାନେ ତା'ସାଙ୍ଗରେ ଗଲେ । ସେମାନେ ତାଙ୍କ ଗ୍ରାମ ସତ୍ୟବାଦୀକୁ ଫେରୁଥିଲେ । ବାଘ କବଳରୁ ରକ୍ଷା ପାଇବା ପାଇଁ ସମସ୍ତେ ଖଣ୍ଡେ ଖଣ୍ଡେ ନିଆଁ ହୁଳା ହାତରେ ଧରିଲେ ।

 

ଚକୁଳିଆ ପଣ୍ଡା ଦୁଇଜଣ ଯେତେବେଳେ ବାଘ ଭୟରେ ଥରି ଉଠି ଚମକି ପଡ଼ୁଥାନ୍ତି ସଂଘମିତ୍ରା । ସେତେବେଳେ ସେମାନଙ୍କୁ ଦମ୍ଭ ଦେଇ କହୁଥାଏ–"ଭାଇମାନେ ଭୟ କରିବାର କିଛି ନାହିଁ । ବାଘକୁ ସୃଷ୍ଟି କରିଛି ଯିଏ ଆମର ସୃଷ୍ଟିକର୍ତ୍ତା ସିଏ । ବାଘ ମଧ୍ୟ ମଣିଷ ପରି ଗୋଟିଏ ପ୍ରାଣୀ-। ତା' ଆମ ଭିତରେ ତଫାତ୍‍ ଏତିକି ଯେ ସେ ତାର ମନୋଭାବକୁ ସଙ୍କେତରେ ପ୍ରକାଶ କରେ, ଆମେ ଆମର ମନର ଅଭିବ୍ୟକ୍ତିଙ୍କୁ ଭାଷାରେ ପ୍ରକାଶ କରୁ ।"

 

ବାଘର ବି ମଣିଷ ପରି ହୃଦୟ ଓ ମନ ଅଛି । ଭଲ, ମନ୍ଦ ବାରିବାର ଆଘ୍ରାଣ ଶକ୍ତି ଅଛି-। ବେଳେବେଳେ ବି ଦେଖାଯାଏ ମଣିଷ ହୃଦୟଠାରୁ ତା’ର ହୃଦୟ ଆହୁରି କୋମଳ । ତା’ର ମନ ଆହୁରି ନରମ । ସେ ପୁଣି ମଣିଷଠାରୁ ଭାବପ୍ରବଣ ଓ ଦୟାଳୁ । ସ୍ରଷ୍ଟା ଆଦେଶ ବିନା ସେ ଆମକୁ କିପରି ଖାଇବ ?

 

ଯେତେ ବୁଝାଇଲେ ଚକୁଳିଆ ପଣ୍ଡା କି ବୁଝନ୍ତି ? ଆତଙ୍କରେ ସେ ପ୍ରମାଦ ଗଣୁଥାନ୍ତି । କୌଣସିମତେ ଆସି ହରିଦାସପୁର ଷ୍ଟେସନରେ ପହଞ୍ଚି ଟିକେଟ କରି ପାହାନ୍ତି ଟ୍ରେନ ଧରିଲେ ।

 

ବଡ଼ିଭୋରୁ କଟକ ଷ୍ଟେସନରେ ପହଞ୍ଚିଲା ଗାଡ଼ି । ସଂଘମିତ୍ରା ପୁଅକୁ କାଖେଇ, ହାତରେ ବ୍ୟାଗଟି ଧରି ଚକୁଳିଆ ପଣ୍ଡା ଦୁଇଜଣଙ୍କୁ ନମସ୍କାର କରି କାଠଯୋଡ଼ି କୂଳ ନଣ୍ଡାଦେଉଳ ପାଖ ତାଙ୍କ ବସାଘରକୁ ରିକ୍‍ସାରେ ଚାଲିଲା । ଅଳ୍ପ ସମୟ ଭିତରେ ସେ ଯାଇଁ ଘର ନିକଟରେ ପହଞ୍ଚିଗଲା । ମନ ତା’ର ଭାରି ଦବିଗଲା–କେହି କୁଆଡ଼େ ଉଠି ନ ଥାନ୍ତି ।

 

ସେ ବାରିପଛଆଡ଼େ ଯାଇଁ ନିରିମାଖୀଙ୍କ ଭଳି ଠିଆ ହୋଇ କବାଟ ଠକ୍‍ ଠକ୍‍ କଲା । ରେବତୀ ନିଦ ମଳ ମଳ ହୋଇ ଦଉଡ଼ି ଆସି ପଚାରିଲା–"କିଏ ?" ସଂଘମିତ୍ରା କହିଲା–"ମୁଁ" । ରେବତୀ ସାମାନ୍ୟ ବିରକ୍ତ ହୋଇ କହିଲା–‘‘କିଏ ନା ମୁଁ । ଏଥର ସଂଘମିତ୍ରା କହିଲା–"ମୁଁ ସଂଘମିତ୍ରା ।"

 

ରେବତୀ କବାଟ ଫିଟାଇ ଦେଇ କୁଣ୍ଢାଇ ପକାଇଲା ସଂଘମିତ୍ରାଙ୍କୁ । କାଖରୁ ତାର ଛଡ଼ାଇ ନେଲା ଟିକି ପୁଅଟିକୁ, ଘନ ଘନ ତାର ମୁଖରେ ଚୁମ୍ବନ ଦେବାକୁ ଲାଗିଲା । ପିଲାଟି ଅଚିହ୍ନା ପାଇ କାନ୍ଦି ଉଠିଲା । ମାତୃହୃଦୟ ଆନନ୍ଦରେ ଉଛୁଳି ପଡ଼ିଲା ରେବତୀର । ସେ ଅନେକ ଦିନ ହେଲା ଦେଖି ନ ଥିଲା ସଂଘମିତ୍ରାଙ୍କୁ । କେବଳ ତା'ରି ଚିନ୍ତା କରି କରି ରେବତୀର ତନୁ କ୍ଷୀଣ ହେଲାଣି । ନାତି ଜନ୍ମ ହେଲା ଦିନରୁ ବି କେହି ଦେଖି ନ ଥିଲେ । ତା' ଏକୋଇଶିଆକୁ ଯାହା ବାରିକ, ବେଭାର ନେଇ ଯାଇଥିଲା । ତାହାପରେ ଆଉ କେହି ଯାଇ ନାହାନ୍ତି କି ତାକୁ ଦେଖି ନାହାନ୍ତି ।

 

ସଂଘମିତ୍ରାକୁ ଆଣିବା ପାଇଁ ରେବତୀ ଯେତେ ଲଗାଇଲା ରସାନନ୍ଦ କିଛି ଶୁଣିଲା ନାହିଁ-। ତାର ଏକଜିଦ "ମୁଁ ତା’ର ମୁହଁ ଚାହିଁବି ନାହିଁ ।" ଭାଇ ଦେବୀକାନ୍ତର ପଣ ଯେ–ସେ ସଂଘମିତ୍ରାର ଶ୍ୱଶୁର ଘର ଗାଆଁ ମାଟି ମାଡ଼ିବ ନାହିଁ ।

 

ରେବତୀର ମା' ମନ, ଥୟ ଧରେନା । କାନ୍ଦେ, ଚୁପ୍‍ ହୋଇ ରହେ ।

 

ଭଗବାନ ବଡ଼ ଲୋକ । ସଂଘମିତ୍ରାକୁ ଆଣି ତା' ପାଖରେ ପହଞ୍ଚାଇଛନ୍ତି । ଯାହା ପଛେ ହେଉ ଯେ ଯାହା କହିବ କହୁ ଆଉ ସେ ତାକୁ ପ୍ରେତପୁରୀକି ପଠାଇବ ନାହିଁ ।

ରସାନନ୍ଦ ବିଛଣାରୁ ଉଠିଆସି ଯେତେବେଳେ ସଂଘମିତ୍ରା ଆଉ ତା' ପୁଅକୁ ଦେଖିଲା, ସେତେବେଳେ ସେ ସବୁ ପଛକଥା ଭୁଲିଗଲା ।

ରେବତୀ ଓ ରସାନନ୍ଦ ନାତିକି ପାଇ ସ୍ୱର୍ଗ ସୁଖ ଅନୁଭବ କଲେ । ପ୍ରସଙ୍ଗକ୍ରମେ ସଂଘମିତ୍ରା ପୂର୍ବାପରି ସବୁ ଘଟଣା ବାପ ମା'ଙ୍କ ଆଗରେ ବର୍ଣ୍ଣନା କଲା । ରସାନନ୍ଦ ସବୁ ଶୁଣି ମନେ ମନେ ରାଗି, ଦାନ୍ତକାମୁଡ଼ି ଜ୍ଵାଇଁଙ୍କୁ ଭେଟିବାର ସୁଯୋଗକୁ ଅପେକ୍ଷା କରି ରହିଲା ।

ଦେବୀକାନ୍ତ ବି ସବୁ କଥା ଶୁଣି କ୍ରୋଧରେ ରକ୍ତ ଢୋକି ରହିଲା ।

ଅଳ୍ପଦିନ ଭିତରେ ମେଡ଼ିକାଲ କଲେଜରେ ହାଉସ–ସର୍ଜନ ରୂପେ ଯୋଗ ଦେଲା ସଂଘମିତ୍ରା ।

ଦିନ ପରେ ଦିନ ଗଡ଼ି ଚାଲିଲା ।

ପୁଣି–

ସଂଘମିତ୍ରାର ମନ ବଦଳିଗଲା । ଦେହରେ ରୂପ ଚହଟି ଉଠିଲା । ସବୁବେଳେ ସେ ଭାବି ହେଲା ସୌମେନ୍ଦ୍ର କଥା ।

"ସତେ ସେ କ’ଣ ନ କହେ ? ଆମର ପୁଣ୍ୟ ମିଳନ କ'ଣ କେବଳ ଯୌନତାର ? ଜୀବନର ନୁହେଁ ? ଆମର ବନ୍ଧନ କ’ଣ ଖାଲି ଲାଳସାର ? ମମତାର ନୁହେଁ ?

ହେଉ ତାଙ୍କ ଇଚ୍ଛା ।

ଈଶ୍ୱର ତାଙ୍କୁ ମଙ୍ଗଳରେ ରଖନ୍ତୁ ।

ବାଲ୍ୟ ସଙ୍ଗିନୀ ଆଭା ସହିତ ବହୁତ ଦିନ ହେଲା ସଂଘମିତ୍ରାର ସାକ୍ଷାତ ଘଟିନି । ତାକୁ ଥରେ ଦେଖିବା ପାଇଁ ମନଟା ତା’ର ଛଟପଟ ହେଉଛି । ଆଭା ଆଜିକାଲି ବମ୍ବେରେ ରହି ଗାନ୍ଧର୍ବ ମହାବିଦ୍ୟାଳୟରେ ନାମ ଲେଖାଇ ପଢ଼ୁଛି ବୋଲି ସେ ଶୁଣୁଛି । ଜଣେ ପ୍ରସିଦ୍ଧ ଭାଓଲିନ ଶିକ୍ଷକଙ୍କ ସହିତ ତା’ର ବି ପରିଣୟ ସରିଛି । ଆଉ ସେ ପୁଣି–ବାପ, ମା'ଙ୍କୁ ପଚାରୁ ନାହିଁ କି ବାପଘରକୁ ଆସୁନାହିଁ । ଆହୁରି ଶୁଣୁଛି ଯେ ପିଲାବେଳର ସ୍ଵଭାଵ ତା’ର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇ ଯାଇଛି । ବେଳେବେଳେ ଏବେ ଆକାଶବାଣୀରୁ ତା’ର ଵୀଣାଜୀଣା କଣ୍ଠରୁ ସଙ୍ଗୀତର ସୁ-ମଧୁର ସ୍ୱର ଶୁଣିବାକୁ ମିଳୁଛି ।

ଚମତ୍କାର !

ବାସ୍ତବିକ ଭାରି ଚମତ୍କାର । ଅଳ୍ପଦିନ ଭିତରେ ସେ ଭାରତର ଅନ୍ୟାନ୍ୟ ସୁଯୋଗ ସଙ୍ଗୀତ ଶିଳ୍ପୀମାନଙ୍କ ମଧ୍ୟରେ ଜଣେ ବୋଲି ଗଣାହୋଇଛି । ଏହି ସମୟରେ ଖବର କାଗଜ ହକର ଡାକି ଡାକି ଯାଉଥିଲା–"ଅଖିଳ ଭାରତୀୟ ସଙ୍ଗୀତ ପ୍ରତିଯୋଗୀତାରେ ଆଭା ନାମ୍ନୀ ଜଣେ ଓଡ଼ିଆ ଝିଅ ପ୍ରଥମସ୍ଥାନ ଅଧିକାର କଲେ ।"

ସଂଘମିତ୍ରା କାଗଜ ଖଣ୍ଡେ କିଣି ଦେଖେ ଯେ ଆଭାର ମନୋଜ୍ଞ ପ୍ରତିକୃତୀଟି ପ୍ରକାଶିତ ହୋଇଛି । ଶାନ୍ତ, ଶିଷ୍ଟା ଚେହେରା । ମୁଖରେ ସୌମ୍ୟତାର ଛାପ ସୁସ୍ପଷ୍ଟ । ତା' ଅଧରରେ ଆଉ ପୂର୍ବପରି ଦୁଷ୍ଟାମୀ ହସର ଲହରୀ ଖେଳୁନି । ନୟନରେ କାମନା ଗୁମ୍ଫିତ ଢଳଢଳ ଚାହାଣୀରେ ସଙ୍କେତ ମିଳୁନି ! ମସ୍ତକର କେଶ ଫୁରୁଫୁରୁ ଉଡ଼ୁନି । ଦେହର ବାସ ସୁସଞ୍ଚତ ।

 

ମନେ ମନେ ଖୁବ୍‍ ପ୍ରଶଂସା କଲା ସଂଘମିତ୍ରା ଆଭାକୁ । ସେ ଭାବିଲା–"ପ୍ରକୃତରେ ସବୁବେଳେ ସ୍ମୃତି ଅର୍ପଣ କରି ଲାଭ ନାହିଁ । ବେଙ୍ଗ କହେ ବେଙ୍ଗୁଲୀ ଅତୀତର ପୃଥ୍ୱୀ କ୍ଷଣ କ୍ଷଣକେ ଆନ । କାହାର କେତେବେଳେ କେଉଁ ଅବସ୍ଥା ଆସିବ ତା' କିଏ କହିବ ? ଜଣେ ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ହୋଇପାରେ । ଜଣେ ଋଷ୍ୟଶୃଙ୍ଗ ଋଷିରୁ ବି କାମୁକ ହୋଇପାରେ । ଜଣେ ସ୍ଵାଧୀ ପତିବ୍ରତା ରମଣୀ ବି କାରବନିତା ସାଜିପାରେ । ଜଣେ ବାରବଧୂ ବି କୁଳ କାମିନୀ ସାଜି ବଂଶର ମର୍ଯ୍ୟାଦା ରକ୍ଷା କରିପାରେ ।

 

ଜଣେ ଅପଥକୁ ଛାଡ଼ି ସୁପଥକୁ ଆସିଲାପରେ ଆଉ ତା’ର ଅତୀତକୁ ପର୍ଯ୍ୟାଲୋଚନା କରି ଲାଭ କ’ଣ ?

 

ଏହିଭଳି ଭାବରେ ମଣିଷର ଚରିତ୍ରର ଭଲମନ୍ଦ ଦିଗକୁ ସଂଘମିତ୍ରା ମନେ ମନେ ବିଶ୍ଳେଷଣ କରୁଥିବା ବେଳେ ବାହାରୁ ଏକ ଭୀଷଣ ଗଣ୍ଡଗୋଳର ଧ୍ୱନି ଭାସିଆସିଲା । ସଂଘମିତ୍ରା କୌତୁହଳ ହୋଇ ପଦାକୁ ବାହାରି ଦେଖେ ଯେ ଭାଇ ତା’ର ପ୍ରଳୟ ରୂପ ଧାରଣ କରି ସୌମେନ୍ଦ୍ରକୁ ଭୀଷଣ ଭାବରେ ଗୋଟିଏ ରୁଲ ବାଡ଼ିରେ ତୁହାଇ ତୁହାଇ ପିଟିବାରେ ଲାଗିଛି । ମଝିରେ ମଝିରେ ଶୁଣାଯାଉଛି–"ଅପଦାର୍ଥ, ତୋ'ର ଏତେ ଦିମାକ ଯେ ତୁ' ପୁଣି ମୋ ଭଉଣୀକି ମାରିବୁ ?"

 

ଟିକିଏ ଥମିଯାଉଛି ।

 

ପୁଣି ପିଟିବାରେ ଲାଗିଛି । ସୌମେନ୍ଦ୍ର ଦେହକୁ କାଠକରି ଠିଆ ହୋଇଛି । ମୁଣ୍ଡ ଫାଟି ରକ୍ତର ସ୍ରୋତ ଛୁଟିଛି । ଆଉ ଧୈର୍ଯ୍ୟ ଧରି ପାରିଲାନି ସଂଘମିତ୍ରା ଦଉଡ଼ି ଯାଇ ଭାଇ ଦେଵୀକାନ୍ତର ହାତ ଧରି ପକାଇ କହିଲା–"ଥାଉ ଭାଇ ଆଉ ମାରନାହିଁ । ତୁମେ ପରା ମୋତେ ପ୍ରାଣଠାରୁ ଅଧିକ ଭଲ ପାଅ । ମୋ' ମୁଣ୍ଡରୁ ସିନ୍ଦୁର ଲିଭିଗଲେ ତୁମର କ’ଣ ଭଲ ହେବ ?"

 

ଦେବୀକାନ୍ତ ନିସ୍ତବ୍‍ଧ ହୋଇ ଠିଆ ହୋଇଗଲା, ହାତରୁ ତା’ର ରୁଲବାଡ଼ି ଖସି ପଡ଼ିଲା-। ସୌମେନ୍ଦ୍ର ବି କାନ୍ଦି କାନ୍ଦି ସଂଘମିତ୍ରା ଆଡ଼କୁ ଟିକିଏ ଆଡ଼ଚାହାଣୀ ଢାଳି ଚାଲିଗଲା । ରକ୍ତ ଟୋପା ଟୋପା ହୋଇ ସେଇମିତି ପଡ଼ୁଥାଏ । ଏ କରୁଣ ଦୃଶ୍ୟ ଦେଖି ସଂଘମିତ୍ରାର ପାଦ ଆଗକୁ ପଡ଼ୁ ନ ଥାଏ କି ପଛକୁ ଘୁଞ୍ଚୁ ନ ଥାଏ । କିଛି ସମୟ ପରେ ଘରକୁ ଆସିଲା । ଖାଇଲା ନାହିଁ କି ପିଇଲା ନାହିଁ । ଅନୁଶୋଚନାରେ ଭାଙ୍ଗି ପଡ଼ିଲା । କାନ୍ଦିଲା, ମୁହଁମୋଡ଼ି ଶୋଇଲା ।

 

ସ୍ୱାମୀ ଯେତେ ବିଧର୍ମୀ ହେଉ–ଯେତେ ଅତ୍ୟାଚାରୀ ହେଉ–ଯେତେ ନୀତିଭ୍ରଷ୍ଟ ହେଉ ସେ ଆଖି ଆଗରେ ମାଡ଼ ଖାଇଲେ କେଉଁ ସ୍ତ୍ରୀ ଧୈର୍ଯ୍ୟ ଧରି ରହିପାରିବ ? ଆଖିରୁ ଲୁହ ନ ଗଡ଼ାଇ ରହି ପାରିବ ?

 

ଭାଇ ଉପରେ ତାର ରାଗ ହେଲା ।

 

ସେ ସବୁକଥା ପାଶୋରି ପକାଇ ସୌମେନ୍ଦ୍ର ପଛେ ପଛେ ଗଲା । ସୌମେନ୍ଦ୍ର କହିଲା–"ଦେଖ ସଂଘମିତ୍ରା ତୁମର କିଛି ଦୋଷ ନାହିଁ । ମୋର ସବୁ ଦୋଷ । ମୁଁ କଳା କାରମାର ଫଳ ଭୋଗୁଛି । ପର କଥାରେ ପଡ଼ି ତୁମ ଭଳି ଦେବୀପ୍ରତିମା ପ୍ରତି ଯେଉଁ ଅନ୍ୟାୟ କରିଛି ତାର ସମ୍ମୁଚିତ ଶାସ୍ତି ମୁଁ ପାଇଛି । ଯୁଗ ଯୁଗ ଧରି ଦୋଷକୁ ଦଣ୍ଡ ରହିଛି । ମଣିଷ ଅର୍ଥ, କ୍ଷମତା, ବୟସ ମୋହରେ ଯେତେବେଳେ ଅନ୍ୟ କାର୍ଯ୍ୟ କରୁଥାଏ, ସେ ସେତେବେଳେ ଆଦୌ ଭାବେ ନାହିଁ ଯେ କର୍ମର ଫଳ ନିଶ୍ଚୟ ଦିନେ ଭୋଗ କରିବାକୁ ହେବ । ଜଣେ କୌଣସି ଅନ୍ୟାୟ କାର୍ଯ୍ୟ କଲାବେଳେ ଅନ୍ୟଜଣେ ତା ଦେଖି ପାରୁ ନ ଥାଏ ମାତ୍ର ଈଶ୍ୱର ଦେଖିପାରନ୍ତି ? ଈଶ୍ୱର ଦଣ୍ଡ ନିଶ୍ଚିତ । ବହୁ ବିଳମ୍ବରେ ତାଙ୍କ ଦଣ୍ଡ ମିଳେ ମଣିଷ ତାକୁ ଭାଗ୍ୟର ଦୋଷ ବୋଲି ଧରିନିଏ । ଜଣେ ଅନ୍ୟ ଜଣକ ପାଇଁ ଯାହା କରେ, ତାହା ପାଇଁ ତାହା ଥୁଆ ହୋଇଥାଏ ।

 

ସଂଘମିତ୍ରା ନିଜେ ସୌମେନ୍ଦ୍ରର ଚିକିତ୍ସା କଲା । ତା' ସେବାରେ ମନ ପ୍ରାଣ ଢାଳି ଦେଲା-। ସୌମେନ୍ଦ୍ର ଅଳ୍ପଦିନ ଭିତରେ ଭଲ ହୋଇ ନିଜ କାର୍ଯ୍ୟରେ ଯୋଗ ଦେଲା । ସୌମେନ୍ଦ୍ର ସଙ୍ଘମିତ୍ରାଙ୍କ ଭିତରେ ସମ୍ପର୍କ ପୁଣି ମଧୁର ଓ ନିବିଡ଼ ହୋଇ ଉଠିଲା । ଆଭାର ବିଶ୍ୱାସଘାତକତାକୁ ମନେ ମନେ ଘୃଣା କଲା ସୌମେନ୍ଦ୍ର । ଦେଵୀକାନ୍ତର ଦଣ୍ଡକୁ ସେ ଈଶ୍ୱର ଦଣ୍ଡ ବୋଲି ଧରି ନେଲା-। ସେ ଦେଵୀକାନ୍ତ ପ୍ରତି କୌଣସି ଦ୍ୱେଷ ଭାବି ମନରେ ପୋଷଣ କଲା ନାହିଁ ।

 

ସଂଘମିତ୍ରାର ପୁଅକୁ ନେଇ ରସାନନ୍ଦ ତା' ନିକଟରେ ଛାଡ଼ିଦେଇ ଆସିଲା । ରସାନନ୍ଦ ଫେରି ଆସୁଥିଲାବେଳେ ସଂଘମିତ୍ରା ପୁଅ ଡାକ ଛାଡ଼ିଥିଲା–"ଅଜା ମୋତେ କଠଘୋଡ଼ା କିଣିଦେବ ପରା ?"

 

ରସାନନ୍ଦ ବାବୁ ଓ ଶିଖା ଦେବୀଙ୍କୁ ଭାରି ବାଧିଛି । ଆଭା ତାଙ୍କ କଥା ନ ମାନି ଜଣେ ଭାଓଲିନ୍‍ ଶିକ୍ଷକଙ୍କୁ ପତି ରୂପେ ବରଣ କରିଛି । ବାପ ମା' ଉଭୟେ ଯେତେ ମନା କଲେ ମଧ୍ୟ ସେ ମାନିଲା ନାହିଁ । ଏ ବିବାହ ସେଇ ବମ୍ବେରେ ଅନୁଷ୍ଠିତ ହୋଇଯାଇଛି ।

 

ଆଭାର ଅବାଧ୍ୟତା ପଣିଆ ଶିଖାକୁ ଯେତେ ନ ବାଧିଛି ତେତେ ବାଧିଛି ରାମନନ୍ଦନବାବୁଙ୍କୁ ।

 

କି କାଳ ହେଲା ସତେ ?

 

କାହାକୁ କିପରି ବିଶ୍ୱାସ କରିହେବ ? ଯେଉଁ ବାପମାମାନଙ୍କର ପୁଅ ଝିଅଙ୍କର ମଙ୍ଗଳ ଏକମାତ୍ର କାମ୍ୟ–ସେମାନଙ୍କ ଆଦେଶକୁ ଅପେକ୍ଷା ନ ରଖି, ମତାମତକୁ ଖାତିରରେ ନ ଆଣି ପୁଅଝିଅମାନେ ନିଜ ଇଚ୍ଛାରେ ବରଣ କରି ବୟସ ତାଡ଼ନାରେ ସଂସାର ସାଗରକୁ ଡେଇଁ ପଡ଼ୁଛନ୍ତି-। ଭଲ ମନ୍ଦ କିଛି ବିଚାର କରୁ ନାହାନ୍ତି । ପରିଣାମର ଫଳ ଭଲ ହେଉ ନାହିଁ । ଲୋକହସା ହିଁ ସାର ହେଉଛି ।

 

କିଛିଦିନ ଗଲାପରେ ସ୍ଵାମୀ ସ୍ତ୍ରୀ ଭାବେ ଯୋଗ ଦେଇଥିବା ଯୁବକ ଯୁବତୀମାନଙ୍କର ମନରେ ବିତୃଷ୍ଣା ଆସୁଛି । ମତର ପାର୍ଥକ୍ୟ ପରିଲକ୍ଷିତ ହେଉଛି । ସେମାନଙ୍କର କାମନାର ବନ୍ଧନ ମମତାର ବନ୍ଧନ ରୂପେ ରୂପାୟିତ ହୋଇପାରୁ ନାହିଁ । ଆଜିକାଲିର ସ୍ଵାମୀ ସ୍ତ୍ରୀର ସଂପର୍କ କେବଳ ଯୌନଲାଳସା ଉପରେ ଆଧାରିତ ହେଲା ପରି ଅନେକ କ୍ଷେତ୍ରରେ ଜଣା ପଡ଼ୁଛି । ଦେହ ଦିଆ ଦେଇରେ ଅନେକ କେବଳ ବିଶ୍ୱାସ କରୁଛନ୍ତି–ମନ ଦିଆ ଦେଇ ସମ୍ଭବ ହୋଇପାରୁନି । ସ୍ଵାମୀ ସ୍ତ୍ରୀ ଭିତରେ ଯେଉଁ ପବିତ୍ରତା ଯୁଗ ଯୁଗ ଧରି ପ୍ରେମ ରୂପରେ ମଧ୍ୟସ୍ତତା କରି ଆସିଛି ତାହା ନଷ୍ଟ ହୋଇଯାଇଛି ।

 

ସଂସାର ଅନଭିଜ୍ଞ ଯୁବକ ଯୁବତୀମାନେ ଦେହ ପ୍ରେମର ପ୍ରତିନିଧିତ୍ୱ କରେ ବୋଲି ଅର୍ଥହୀନ ଯୁକ୍ତି ବାଢ଼ୁଛନ୍ତି । ପ୍ରେମକୁ କେନ୍ଦ୍ରକରି ଜ୍ୟାମିତିକ ତ୍ରିଭୁଜର କ୍ଷେତ୍ରଫଳ ବାହାର କରୁଛନ୍ତି । ବିଜ୍ଞାନ, ଦର୍ଶନ, ଧର୍ମ ସମ୍ବନ୍ଧରେ ଲମ୍ବା ଚୌଡ଼ା ଭାଷଣମାନ ଦେଉଛନ୍ତି । ପ୍ରେମ, ତିତିକ୍ଷା, ଦୟା ପ୍ରଭୃତି ମାନବ ହୃଦୟର କୋମଳ ପ୍ରବୃତ୍ତି ଗୁଡ଼ିକୁ ହେୟଜ୍ଞାନ ମନେକରି ଦେହର ମିଳନ ଉପରେ ଗୁରୁତ୍ୱ ଆରୋପ କରି ମଧୁମୟ ଦାମ୍ପତ୍ୟ ଜୀବନର ପବିତ୍ରତାକୁ କଳଙ୍କିତ କରୁଛନ୍ତି । ଜୀବନକୁ ଜୀବନ ଭଳି ଗ୍ରହଣ ନ କରି ଯୌବନକୁ ଉପଭୋଗ କରିବାର ଏକ ଅତ୍ୟାବଶ୍ୟକ ଉତ୍ପାଦନ ବୋଲି ବିବେଚନା କରୁଛନ୍ତି ।

 

ଏହାଫଳରେ ଯେପରି କନା ଥାଇ କର୍ପୁର ଉଡ଼ିଯାଏ, ସେହିପରି ଦେହ ଥାଇ ଯୌବନ ପୁଷ୍ପର ପରାଗ–ଉଡ଼ିଗଲେ ବିଚ୍ଛେଦର ସୂତ୍ରପାତ୍ର ହେଉଛି । ପ୍ରେମର ପରିଣତି ରୂପେ ଆତ୍ମହତ୍ୟା ହିଁ ଶ୍ରେୟସ୍କର ମନେ ହେଉଛି ।

 

ଆଗକାଳରେ ଏ ଦେଶରେ ଏ ସବୁର ବିଶେଷ ଚଳଣୀ ନ ଥିଲା । ପରଂପରାର ଏକ ସୁଦୃଢ଼ ଭିତ୍ତି ଉପରେ ସଂସାରିକ ଜୀବନର ମୂଳଦୁଆ ପଡ଼ୁଥିଲା ।

 

ଆଧୁନିକ ଶିକ୍ଷା ସଭ୍ୟତା ହିଁ ଏ ଉଚ୍ଛୃଙ୍ଖଳାତାକୁ ଡାକି ଆଣିଛି । ଭାରତୀୟ ମହାନ ସଂସ୍କୃତି, ଆଦର୍ଶକୁ ଜାଳି ପୋଡ଼ି ଧ୍ୱଂସ କରିଦେବାକୁ ବସିଛି । ଆଦିମ ଯୁଗର ନଗ୍ନ ବର୍ବରୋଚିତ ମନୋବୃତ୍ତିକୁ ପୁଣି ସଂସାର ନାମରେ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରୁଛି । ରକ୍ଷଣଶୀଳତା, କୁସଂସ୍କାରର ବାହାନାକରି ସାମାଜିକ ନିୟମ କାନୁନକୁ ଆଧୁନିକ ଶିକ୍ଷା ଦୀକ୍ଷା ସଂପନ୍ନ ଯୁବକ ଯୁବତୀମାନେ ଭାଙ୍ଗୁଛନ୍ତି ।

 

ସେମାନେ ଯୁକ୍ତି ବାଢ଼ି କହୁଛନ୍ତି–ପ୍ରଗତି ସହିତ ତାଳ ଦେଇ ଆମେମାନେ ନ ଚାଲିଲେ ପଛରେ ପଡ଼ିଯିବା । ଶିକ୍ଷା, ସଭ୍ୟତା, ବିଜ୍ଞାନ, ରାଜନୀତି ସମାଜନୀତି ସବୁଥିରେ ବି ଆମେ ପଛରେ ରହିଯିବା । ଆମେ ଜଳକା ହୋଇ ଚାହିଁଥିବା, ମହାପାତ୍ରେ ମାରି ନେଉଥିବେ ।

 

ପ୍ରଗତି କଥାଟା ଯେଉଁମାନେ ଉଠାଇ ବାହାସ୍ଫୋଟ ମାରନ୍ତି ପ୍ରକୃତରେ ସେମାନଙ୍କର ପ୍ରଗତି ସମ୍ବନ୍ଧରେ ପ୍ରକୃଷ୍ଟ ଜ୍ଞାନ ଥିଲାପରି ମନେ ହୁଏ ନାହିଁ । ପ୍ରଗତି ବୋଇଲେ ବୁଝାଯାଏ ନିତ୍ୟ ବର୍ତ୍ତମାନ, ପ୍ରବାହମାନତା । ଯାହା ଦିନେ ନିତ୍ୟ ବର୍ତ୍ତମାନ ଥିଲା ତାହା ଆଜି ଅତୀତ । ଯାହା ଆଜି ଅନାଗତ ଭବିଷ୍ୟତ ରୂପେ ପ୍ରତୀୟମାନ ହେଉଛି ତାହା ବି ଦିନେ ନିତ୍ୟ ବର୍ତ୍ତମାନ ହେବ–ତା’ପରେ ଅତୀତ ହୋଇଯିବ । ଯାହା ଅତୀତ ହେଉଛି ତାହା କ’ଣ ସବୁ ଖରାପ ? ସବୁ ପରିତେଜ୍ୟ ? ସେଥିରୁ କିଛି ଆହରଣ କିଛି ସ୍ମୃତି ଶଙ୍ଖାଳି କରି ରଖିବାର ନାହିଁ ? ସେଥିରୁ କିଛି ଉପାଦାନ ସଂଗ୍ରହ କରି ବର୍ତ୍ତମାନର ପ୍ରଗତିକୁ ସମୃଦ୍ଧ କରିବାର ନାହିଁ ? ଯେଉଁମାନେ ଏହି ଭ୍ରାନ୍ତ ଧାରଣାର ପୃଷ୍ଠପୋଷକତା କରନ୍ତି ସେମାନଙ୍କୁ ଏହି ଦେବଦର୍ଶୀ ଆଖ୍ୟାରେ ଭୂଷିତ କରିବା ଛଡ଼ା ଅନ୍ୟ କି ଉପାୟ ଅଛି ?

 

ପୂର୍ବ କାଳରେ କୁଳବଧୂ ତା ମୁଣ୍ଡରେ ଓଢ଼ଣା ଟାଣି ହଳଦୀ ଗର ଗର ଦେହରେ ଅସୂର୍ଯ୍ୟଂ ପଶ୍ୟା ରୂପେ ବିବେଚିତ ହୋଇ, ସାମାଜିକତାକୁ ସମ୍ମାନ ଦେଇ, କଠୋର କଟକଣା ଭିତରେ ରହୁଥିଲେ । ସେମାନଙ୍କଠାରୁ କେଉଁ ଗୁଣରେ ଭଲ ଯେଉଁମାନେ ଆଜି ଟେରିଲିନ୍‍ ଟପଲେସ୍‍ ପହରଣ କରି, ସ୍ଲିଭଳେସ ବ୍ଲାଉଜ ପିନ୍ଧି ପାଦରେ ହାଇହିଲ୍‍ ସ୍ୟାଣ୍ଡଲ୍‍ ନାଇଁ କେଶରେ ସାମ୍ପୁମାରି ଜୂଡ଼ାରେ ଖୁସାରିଙ୍ଗ ବାନ୍ଧି, ସମାଜ ଆଖିରେ ଧୂଳିଦେଇ ଦିନ ଦି'ପହରେ ଦେହ ବିକି, ଭ୍ରୂଣହତ୍ୟା ମହାପାପରେ ଭାଗୀ ହେଇ ଅପଖ୍ୟାତିର ବୈଜୟନ୍ତୀ ତଳେ ଆଶ୍ରୟ ନେଉଛନ୍ତି ?

 

ଆଧୁନିକ ଯୁବକ ଯୁବତୀଗଣ ଗୀତାର "ସ୍ଵ ଧର୍ମେ ନିଧନ ଶ୍ରେୟ, ପରୋଧର୍ମ ଭୟାବହଃ କଥାଟାକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଉଛନ୍ତି ।

 

ତାହାଫଳରେ ସମାଜରେ ବିଭ୍ରାଟ ସୃଷ୍ଟି ହେଉଛି । ନାନା ଜଟିଳ ସମସ୍ୟାର ଆଶୁ ଉଦ୍ଭବ ଘଟୁଛି । ଅତୀତ କହ; ବର୍ତ୍ତମାନ କହ, ଭବିଷ୍ୟତ କହ ସବୁ ହିଁ ଭଲ ମନ୍ଦ ନେଇ ଗଠିତ ।

 

ବୁଦ୍ଧିମାନ, ସମଦର୍ଶୀ ବ୍ୟକ୍ତିର କର୍ତ୍ତବ୍ୟ ହେଉଛି ଯାହା ସୁଖଦ, ଯାହା ମଙ୍ଗଳମୟ, ଯାହା ସାର୍ବଜନୀନ ତାକୁ ସମ୍ବଳ କରି ସଂସାରର ପିଚ୍ଛିଳ ପଥରେ ପଥିକ ହେବ ।

 

ଯେତେ ଅଶୁଭ, ଯେତେ ଅନ୍ୟାୟ, ଯେତେ ଲୋମହର୍ଷଣକାରୀ ଘଟଣା, ଯେତେ ଅନାଚାର, ଯେତେ ଦୁର୍ନୀତି ତାକୁ 'ପ୍ରଗତିର' ସଜ୍ଞା ରୂପେ ନିର୍ଣ୍ଣୟ କଲେ ଚଳିବ କିପରି ? ଆମର ଦୃଷ୍ଟିକୋଣକୁ ସୁଦୂରପ୍ରସାରୀ କରିବାକୁ ହେବ । ଦଶ, ଦେଶର ଜାତୀୟତା, ସଂସ୍କୃତି ରୁଚି, ନୀତିକି ଜଗି ବାଟ ଚାଲିବାକୁ ହେବ ?

 

ରାମନନ୍ଦନ ବାବୁ ମୋଟ ଉପରେ ଆଭାର ବ୍ୟବହାରରେ ଭାଙ୍ଗି ପଡ଼ିଥିଲେ । ଅବସରପ୍ରାପ୍ତ ଜୀବନକୁ ଆହୁରି ଦୁର୍ବିସହ, ବିଷାକ୍ତମୟ କରି ତୋଳିଥିଲା ଆଭାର ପରିଣୟ ବ୍ୟାପାର । ଦୁନିଆଁରେ ଗୋଟା ରକମର ଲୋକ ଅଛନ୍ତି, ସେମାନେ ଲାଜସରମକୁ ପୋଡ଼ି ଖାଇଥାନ୍ତି । ମାନ ସମ୍ମାନର ମୂଲ୍ୟ ବୁଝନ୍ତି ନାହିଁ । ସେମାନଙ୍କୁ ପିଠିରେ ମାରୁଥିଲେ ମୁହଁରେ ହସି ହସି କଥା କହନ୍ତି ।

 

ରାମନନ୍ଦନ ବାବୁ କିନ୍ତୁ ସେ ରକମର ଲୋକ ଆଦୌ ନୁହନ୍ତି । ସେ ପ୍ରାଣଠାରୁ ସମ୍ମାନକୁ ବଡ଼ ମନେ କରନ୍ତି । ମଣିଷ ହୋଇ ଯଦି ନିଜର ସମ୍ମାନ ସମ୍ବନ୍ଧରେ ସଚେତନ ନ ହେଲା, ତେବେ ସେ କି ମଣିଷ ? ବଣର ପଶୁ-ପକ୍ଷୀଠାରୁ ତେବେ ସେ କେଉଁ ଗୁଣରେ ଶ୍ରେୟ ?

 

ଶିଖା ଦେବୀ ଯେତେ ବୁଝାଇଲେ ମଧ୍ୟ ରାମନନ୍ଦନ ବାବୁ କିଛି ବୁଝିଲେ ନାହିଁ । ଆଭା କଥା ଭାବି ଭାବି ସେ ଅଧୀର ହେଲେ । ସ୍ଵାମୀ ପ୍ରଣବାନନ୍ଦ ଯେତେ ହିତୋପଦେଶ ଦେଲେ ମଧ୍ୟ ତାଙ୍କ ପ୍ରାଣକୁ କିଛି ସ୍ପର୍ଶ କଲାନାହିଁ ।

 

ସବୁ ସମ୍ପତ୍ତି ବାଡ଼ି ସେ ପ୍ରଣବାନନ୍ଦଜୀଙ୍କ ନାମରେ ଉଇଲ କରିଦେଲେ । ଶେଷ ଇଚ୍ଛା ନାମରେ ଖଣ୍ଡିଏ ମର୍ମ୍ମସ୍ପର୍ଶୀ ପତ୍ର ଲେଖି ଦିନେ ରାତ୍ରିରେ ସ୍ୱାମୀ ସ୍ତ୍ରୀ ଦୁହେଁ ଦେହରେ ଇଲେକ୍‍ଟ୍ରି କରେଣ୍ଟ ଚଳାଇ ତାର ମୃତ୍ୟୁବରଣ କଲେ ।

 

ଏ ଘଟଣା ରାତି ପାହୁ ପାହୁ ଚାରିଆଡ଼େ ବ୍ୟାପିଗଲା । ସ୍ଵାମୀ ପ୍ରଣବାନନ୍ଦ ଏ ଘଟଣାରେ ମ୍ରୀୟମାଣ ହୋଇ ପଡ଼ିଲେ । ତା’ପରେ ନିଜ ସମ୍ପର୍କରେ ନିଜେ ସଚେତନ ହେଲେ । ସେ ଅଲକ୍ଷରେ ପ୍ରାର୍ଥିବ ଜଞ୍ଜାଳ ଆଡ଼କୁ ଟାଣି ହୋଇଯିବାର ଆଶଙ୍କାରୁ ଅବ୍ୟାହତି ନେଲେ ।

 

ରାମାନନ୍ଦନ ବାବୁଙ୍କ ଶେଷ ଇଚ୍ଛା ଅନୁସାରେ ସେ ଏକ ଆଦର୍ଶ ଆଶ୍ରମ ପ୍ରତିଷ୍ଠା କଲେ-

 

ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ବିତିଗଲା । ଦିନ କହ, ମାସ କହ, ବର୍ଷ କହ ସବୁ ମହାକାଳର ଅବସ୍ଥା ବିଶେଷ । ଏହି ଅବସ୍ଥାକୁ କେନ୍ଦ୍ରକରି ପ୍ରତି ମୁହୂର୍ତ୍ତରେ ଅସଂଖ୍ୟ ଘଟଣା ଘଟି ଯାଉଛି । ସେମିତି ରଙ୍ଗନାଥଙ୍କ ଜୀବନରେ ଗୋଟିକ ପରେ ଗୋଟିଏ ହୋଇ ସହସ୍ର ଘଟଣା ଘଟିବାର ଲାଗିଛି । ସେ ଜଣେ ମଣିଷ ଭାବରେ ଯେତିକି ସହିବାର କଥା, ସେତିକି ସହି ଅଦମ୍ୟ ନିଷ୍ଠାବଳରେ ମୃତ୍ୟୁ ଆଡ଼କୁ ଆଗେଇ ଯାଉଛନ୍ତି ।

 

ବୟସ ହୋଇଛି ରଙ୍ଗନାଥ ବାବୁଙ୍କର । କଳିଷଠା ସତଷଠି । ଶରୀରରେ ଆଉ ସେ ପୂର୍ବ ଦ୍ୟୁତି ନାହିଁ, ଶୀର୍ଣ୍ଣ ହେଲାଣି । ଚକ୍ଷୁର ଜ୍ୟୋତି ହଜି ହଜି ଯାଉଛି । କୋଟରଗତ, ବାହୁର ଵଳ ନଷ୍ଟ ହୋଇଛି । କେବଳ ଜୀବିକା ନିର୍ବାହ ପାଇଁ ଚେହେରାଟିକୁ ସଜାଇବକୁ ପଡ଼ୁଛି । ଜୀବିକା ଅର୍ଜନ ପରିପ୍ରେକ୍ଷୀରେ ପୁଣି ନୂଆ କରି ଦାନ୍ତ ଲଗାଇଛନ୍ତି ରଙ୍ଗନାଥ ବାବୁ ।

 

ଜଣା ଅଜଣା ସମସ୍ତେ ରଙ୍ଗନାଥ ବାବୁଙ୍କୁ ଦେଖି ପଚାରନ୍ତି–"ଆପଣ ବୟସରେ ବୁଢ଼ା ହେଲେ ହେଁ ଦୁଗ୍ଧ-ଧବଳ ଦନ୍ତ ମଣ୍ଡିତ ଗୋଟିଏ ହେଲେ ପଡ଼ି ନାହିଁ । ରଙ୍ଗନାଥ ବାବୁ ରସିକତା କରି ଉତ୍ତର ଦିଅନ୍ତି–"ଯେଉଁମାନେ ମିଛ କହନ୍ତି, ଧର୍ମକୁ ଆଖିଠାର ମାରି ନିଜର ସ୍ୱାର୍ଥ ହାସଲ କରନ୍ତି–ସେମାନଙ୍କର ଦାନ୍ତ ସିନା ପଡ଼ିଯିବ । ମୋର ପଡ଼ିବ କାହିଁକି ?"

 

ଲୋକଙ୍କୁ ସିନା ରଙ୍ଗନାଥ ବାବୁ ଏଭଳି କହନ୍ତି; ମାତ୍ର ନଡ଼ିଆ ପିଜୁଳି ପ୍ରଭୃତି ଟାଣ ଜିନିଷ ଚୋବାଇଲା ବେଳେ ଅତି ସତର୍କତାର ସହିତ ସେ ପାଟି ବୁଲାନ୍ତି । ଟିକିଏ ଏପଟ ସେପଟ ହୋଇଗଲେ କେଉଁ ମୁହୂର୍ତ୍ତରେ ସେ ଦାନ୍ତ ମାଢ଼ିରୁ ଖସି ପଡ଼ିବ ତାହା କିଏ କହିବ ?

 

ବାସ୍ତବିକ !

 

ଦାନ୍ତ ଥିବା ଲୋକ ଦାନ୍ତର ମାହାତ୍ମ୍ୟ ବୁଝି ପାରନ୍ତି ନାହିଁ ।

 

ବର୍ମାରୁ ଜାପାନକୁ ଆସିଲା ଦିନୁ ରଙ୍ଗନାଥ ବାବୁ ଗୋଟିଏ ଜାହାଜ କମ୍ପାନୀର ଅଧସ୍ତନ କର୍ମଚାରୀ ରୂପେ ଯୋଗ ଦେଇଛନ୍ତି । ସେ ଜାପାନୀ ଭାଷା ଅନର୍ଗଳ ଭାବରେ କହି ପାରୁଛନ୍ତି । ରଙ୍ଗନାଥ ବାବୁଙ୍କର କର୍ମଦକ୍ଷତାରେ କମ୍ପାନୀର ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମୁଗ୍ଧ । ତାଙ୍କ ବିଶ୍ୱସ୍ତତାକୁ କେବେ କେହି ସନ୍ଦେହ କରି ନାହାନ୍ତି ।

 

ଏହା ଭିତରେ ଭାରତ ସରକାରଙ୍କ ସହିତ ଜାପାନର ଏହି ପ୍ରତିପତ୍ତିଶାଳୀ ଜାହାଜ କମ୍ପାନୀ ଏକ ଚୁକ୍ତିରେ ଆବଦ୍ଧ ହୋଇଛନ୍ତି । ଭାରତୀୟ ଲୋକମାନଙ୍କୁ ଜାପାନର ଅଧିବାସୀମାନେ ଭାରି ପ୍ରସଂଶା କରନ୍ତି । ଭାରତୀୟ ଲୋକମାନଙ୍କର କର୍ମନିଷ୍ଠା, ଚତୁରତା, ସତ୍ୟପ୍ରିୟତା, ଧାର୍ମିକତା ଓ ନିର୍ଭିକତାକୁ ସେମାନେ ପସନ୍ଦ କରନ୍ତି । ଏକ ମହାଦେଶର ଲୋକ ବୋଲି ସେ ଅନ୍ଧ ଭାବରେ ସେମାନେ ଏଭଳି ପ୍ରସଂଶା କରନ୍ତି ଏହା ଭାବିବା ଭୁଲ୍‍ । ସେମାନେ ଭଲଭାବରେ ଜାଣନ୍ତି ଯେ ଭାରତୀୟମାନେ ଧର୍ମଭୀରୁ, ସାହସୀ । ଭାରତ ସିନା ପୃଥିବୀକୁ ଗନ ପାଉଡ଼ର ଦେଇ ପାରିନାହିଁ, ଦେଇଛି ଗଣିତ ଶାସ୍ତ୍ର, ଲୀଳାବତୀ ସୂତ୍ର ଦର୍ଶନ । ଭାରତ ସିନା ଜନ୍ମ କରିନି ରୋଗରବେକନଙ୍କୁ; ମାତ୍ର ଜନ୍ମ କରିଛି ବୁଦ୍ଧ, ଗାନ୍ଧୀ, ଶଙ୍କରାଚାର୍ଯ୍ୟ ଓ ବିବେକାନନ୍ଦଙ୍କୁ ।

 

ଜାହାଜ କମ୍ପାନୀ ଚୁକ୍ତି ଅନୁଯାୟୀ ଜାପାନ ଭାରତ ସରକାରଙ୍କଠାରୁ ଲୁହାପଥର ପାରାଦ୍ୱୀପ ବନ୍ଦର ବାଟେ ନେବା ଠିକ ହେଲା । ବିନିମୟରେ ବିଭିନ୍ନ କଳକବ୍‍ଜା, ବୈଜ୍ଞାନିକ ସାମଗ୍ରୀ, ଖାଦ୍ୟଶସ୍ୟ ଯୋଗାଇବ ଭାରତକୁ । କିଛି ନ ନେଇ ଅର୍ଥ ନେଲେ ବି ଜାପାନ ଦେବ । ଭାରତ ସରକାରଙ୍କର ମର୍ଜି ଉପରେ ସବୁ ନିର୍ଭର କରେ । ପ୍ରଥମ ଅନୁସନ୍ଧାନକାରୀ ଦଳ ଭାରତ ଆସି ଜାପାନ ଫେରିଗଲେ । ସେମାନେ ଯାଇଁ ଭାରତବାସୀ ତଥା ଓଡ଼ିଶାବାସୀଙ୍କର ଅଜସ୍ର ପ୍ରସଂଶା କଲେ । ସେମାନେ ଭାରତୀୟମାନଙ୍କର ପୁଣ୍ୟ ଆତିଥେୟତାରେ ଅଭିଭୂତ ହୋଇପଡ଼ିଲେ-। ପାରାଦ୍ୱୀପର ପରିପାଶ୍ୱିକତା ସମ୍ୱନ୍ଧରେ ବର୍ଣ୍ଣନା କରି ଲୋକଙ୍କୁ ବିସ୍ମିତ କରିଦେଲେ । ରଙ୍ଗନାଥ ଯେତେବେଳେ ଦେଶ ଦେଶର ପ୍ରସଂଶା ଶୁଣିଲେ, ସେତେବେଳେ ଆନନ୍ଦରେ ବିଭୋର ହୋଇଗଲେ । ଅତୀତରେ କେତେ ସ୍ମୃତି ତାଙ୍କ ମନରେ ନାଚିଗଲା । ଜନ୍ମଭୂମିକୁ ଫେରି ଯିବା ପାଇଁ ହୃଦୟ ତାଙ୍କର ବ୍ୟାକୁଳ ହେଲା । ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ କଥାଟି ତାଙ୍କ ପ୍ରାଣରେ ଆଲୋଡ଼ନ ସୃଷ୍ଟି କଲା । ପ୍ରଥମ ଜାହାଜ ଜାପାନରୁ ଭାରତ ଗଲାବେଳେ ସେ ଯିବାକୁ ମନେ ମନେ ସ୍ଥିର କଲେ ।

 

କିଛିଦିନ ପରେ "ୟାମାସିଟାମାରୁ" ନାମକ ଏକ ବୃହତ ଜାହାଜ ଜାପାନରୁ ପାରାଦ୍ୱୀପ ଅଭିମୁଖେ ଆସିଲା । ରଙ୍ଗନାଥ ସେହି ଜାହାଜରେ ଆସିଲେ ।

 

ଅନ୍ଧକାରକୁ ଆଲୋକମୟ କରେ ପ୍ରଦୀପ ।

 

ପ୍ରଦୀପରୁ କିନ୍ତୁ ତୈଳ ଶେଷ ହୋଇଗଲେ ସଳିତା ଲିଭିଯାଇ ପୁଣି ଅନ୍ଧକାରକୁ ଆଲିଙ୍ଗନ କରେ ପ୍ରଦୀପ ।

 

ମଣିଷର ମନ ତଦ୍ରୂପ ।

 

ମଣିଷର ମନ କାମନାର ଦାସ ହୋଇ ଓଲିଆ ଗୋରୁ ଭଳି କଣ୍ଟା, ଝାଂଟା ନ ମାନି, ବାଧାବିଘ୍ନକୁ ଭ୍ରୃକ୍ଷେପ ନ କରି, ନିନ୍ଦା ପରିହାସକୁ ଖାତିର ନ କରି, ହିତ ଅହିତ କଥା ଚିନ୍ତା ନ କରି ଦଉଡ଼େ ଦୁନିଆ ପାରିରୁ ଦରିଆ ପାରି । ସେତେବେଳେ କାମନା ମଉଳି ପଡ଼େ, ଆଶା ମରିଯାଏ, ଭାଷା ସରିଯାଏ, ଯୌବନ ନିଶା ଭାଙ୍ଗିଯାଏ, ସେତେବେଳେ ପୁଣି ମନ ଫେରିଆସେ କାମନାହୀନ ଅବସ୍ଥାକୁ ।

 

ଅଶ୍ରୁଳ-ଅନୁଭୂତିକୁ ପାଥେୟ କରି ଅତୀତକୁ ସମ୍ମାନ ଜଣାଏ । ହଜିଯାଇଥିବା କଥା, ସରିଯାଇଥିବା ସ୍ମୃତିକୁ ପୁଣି ମନେ ପକାଏ ।

 

ଆଭା ସିନା ଦିନେ ଯୌବନ ଉନ୍ମାଦନାରେ ଉନ୍ମନା ହୋଇ ବରଣମାଳା ଦେଇଥିଲା ଜଣେ ଭାଓଲିନ୍‍ ବାଦକଙ୍କ ଗଳାରେ । ପଚାରି ନ ଥିଲା ଗର୍ଭଧାରିଣୀ ଜନନୀକୁ । ଲୋଡ଼ି ନ ଥିଲା ମତ ଜନକଙ୍କର । ଖୋଜିନଥିଲା ସେ ସାଙ୍ଗସାଥୀଙ୍କର ଉପଦେଶ । ଚାହିଁ ନ ଥିଲା ସେ ଶୁଭେଛୁ ମାନଙ୍କର ପରାମର୍ଶ । ଆଜି କିନ୍ତୁ ସେ ଦିନ ବଦଳିଛି । ମନର ପରିବର୍ତ୍ତନ ଘଟିଛି । ଦେହର ଲହୁ ପାଣି ଫାଟି ଆଖି ବାଟେ ଲୁହ ହୋଇ ଝରୁଛି ।

 

କାହାକୁ କହିବ ସିଏ ? ଫୁଲରୁ ମଧୁ ନିଃଶେଷ ହେଲା ପରେ ଭ୍ରମର ମୁହଁ ଆଡେ଼ଇ ଦେଲାପରି ବିଟପୀ ନାରୀ ଦେହରୁ ଯୌବନ ଥରେ ଖସିଗଲେ ପୁରୁଷ ଆଉ ତାକୁ ଭଲପାଏ ନାହିଁ-। ଇଛା-ବରଣ ଅଭିଶାପରେ ପରିଣତ ହୁଏ । ସେଥିପାଇଁ ଶାସ୍ତ୍ରକାରମାନଙ୍କର ମତ ଯେ ବୁଝିବିଚାରି କାର୍ଯ୍ୟ କରୁଥିଲେ ପ୍ରମାଦ ସହଜରେ ପଡ଼େ ନାହିଁ । ଜୀବନ ଚକ ସ୍ୱଚ୍ଛନ୍ଦରେ ଗଡ଼ିଚାଲେ-

 

ଥରେ–

 

ନେଡ଼ିଗୁଡ଼ କହୁଣୀକି ବୋହିଗଲେ-ଆଉ ଯେତେ ଚେଷ୍ଟା କଲେ ବି ତାହା ପୂର୍ବ ଅବସ୍ଥାକୁ ଫେରିପାରେ ନାହିଁ ।

 

ଏବେ ଅଭା ନିଜର କର୍ମଫଳ ଭୋଗୁଛି । ଭାଓଲିନ୍ ବାଦକଙ୍କ ସହିତ ମନୋମାଳିନ୍ୟ ସୂତ୍ରପାତ ହେଲା ପରେ ସେ ନିଜ କୁନିଝିଅଟିକୁ ନେଇ ଓଡ଼ିଶା ଚାଲିଆସିଲା । ଦିନେ ନିଶାର୍ଦ୍ଧରେ କୁନି ଝିଅଟିକୁ ଶୟନାବସ୍ଥାରେ କାଖେଇନେଇ ତାଙ୍କ ନିଜ ଘରେ–ସ୍ୱାମୀ ପ୍ରାଣବାନନ୍ଦଜୀଙ୍କ ଆଶ୍ରମ ଅଗଣାରେ ଶୁଆଇଦେଇ ପଳାଇଗଲା । ସକାଳୁ ସ୍ୱାମୀଜୀ ଉଠି ଝିଅଟିକୁ ଦେଖି ଚମକି ପଡ଼ିଲେ ! କାହା ଝିଅ ବୋଲି ବହୁ ଅନୁସନ୍ଧାନ କରାଗଲା । କେହି ନିଜ ଝିଅ ବୋଲି ଦାବି ଉପସ୍ଥାପନା କଲେ ନାହିଁ । କୁନି ଝିଅଟି ସକାଳେ ଉଠି ମା ମା ବୋଲି ଚିତ୍କାର ଛାଡ଼ିଲା ।

 

ସ୍ୱାମୀଜୀ ଦେଖିଲେ ତୁଳସୀ ଦୁଇପତ୍ରରୁ ବସିଲାଭଳି କୁନିଝିଅଟି ରୂପରେ ଯେମିତି–ଗୁଣରେ ସେମିତି !

 

ସ୍ୱାମୀଜୀ ତାକୁ ପାଖରେ ସବୁବେଳେ ରଖିଲେ । ହାତୀ ପିଠିରେ ପାତି ମାଙ୍କଡ ଚଢ଼ିଲା ପରି ସେ ସ୍ୱାମୀଜୀଙ୍କ ପିଠିରେ ଚଢ଼େ । ତାଙ୍କ ଲମ୍ବା ଲମ୍ବା ଦାଢ଼ିକୁ ଟାଣେ । ତାଙ୍କ କମଣ୍ଡଳକୁ ଲୁଚାଏ । ସେଥିପାଇଁ ସ୍ୱାମୀଜୀ ମନ କଷ୍ଟ କରୁନାହାନ୍ତି କି ବିରକ୍ତ ହଉନାହାନ୍ତି ।

 

ସ୍ୱାମୀଜୀ ତାକୁ ଭାରି ଭଲ ପାଆନ୍ତି । ତାକୁ କୋଳରେ ଧରି ଜହ୍ନମାମୁଁକୁ ଡାକନ୍ତି । କୁନିଝିଅଟି ହସି ହସି ଗଡ଼ିଯାଏ । ତା' ହସରେ ଭାଗ ନ ନେଇ ରହିପାରନ୍ତି ନି ସ୍ୱାମୀଜୀ ।

 

ତାକୁ ସ୍ୱାମୀଜୀ ସାଙ୍ଗରେ ଧରି ଆଶ୍ରମ ବଗିଚାକୁ ବୁଲିବାକୁ ଯାଆନ୍ତି ।

 

ସେ ଫୁଲ ଗଛରେ ପାଣିଦେଲେ କୁନିଝିଅଟି କଳସୀରୁ ଢାଳି ପାଣିଦିଏ । ସନ୍ଧ୍ୟାବେଳେ ଆଶ୍ରମବାସୀଙ୍କ ସହିତ ପ୍ରାର୍ଥନାରେ ଯୋଗ ଦିଏ ।

 

ଶୁଣି ଶୁଣି ଖନ ଖନ କରି ଭଲ ଭଜନ ଗାଇପାରୁଛି ସେ । କଣ୍ୱମୁନିଙ୍କ ଆଶ୍ରମରେ ଶାକୁନ୍ତଳା ରହିଲା ଭଳି ରହିଲା କୁନି ଝିଅଟି । ଆଶ୍ରମ ଜୀବନ ସହିତ ନିଜକୁ ମିଶାଇଦେଲା ସେ । ପାଠ ପଢ଼ିଲା, ବେଦ ଅଧ୍ୟୟନ କଲା । ସଂସ୍କୃତ ଶାସ୍ତ୍ରରେ ସୁପଣ୍ଡିତ ହେଲା ।

 

ସ୍ୱାମୀଜୀ ତାକୁ ଦିନକ ପାଇଁ ଆଶ୍ରମ ବାହାରକୁ ଛାଡ଼ିଲେ ନାହିଁ । ଦିନ ପରେ ଦିନ ଗଡ଼ିଗଲା । କୁନିଝିଅ ଛନ୍ଦକପଟ କ’ଣ ଜାଣିଲା ନାହିଁ । ଅସୂୟା କ’ଣ ଶିଖିଲା ନାହିଁ । ସ୍ୱାମିଜୀ ତାର ନାମ ରଖିଲେ 'ଅନସୂୟା' । ବୟସ ହେଲା ତା’ର । ତନୁ ବୃନ୍ତରେ ମଳୟ ଲାଗି ଯୌବନ ଝୁଲିଲା । ଓଠ ପଳାଶ ବର୍ଣ୍ଣରେ ରଞ୍ଜିତ ହେଲା । ବଦନରେ ପୂର୍ଣ୍ଣଚନ୍ଦ୍ରର ଶୋଭା ବିରାଜିଲା । ଆଖିର ଚାହାଁଣୀରେ ଭରିଗଲା ମାଦକତା ।

 

ଯେଉଁ ଅବସ୍ଥାରେ ବନ୍ୟା ବନ୍ଧ ଭାଙ୍ଗେ-ପ୍ରଣୟୀ ସାପ ଲାଙ୍ଗୁଡ଼ ଧରି ନଦୀ ପାର ହୁଏ, ମୁନିର ମନ ଚହଲି ଯାଏ–ମଧୁପ ଉନ୍ମତ ହୁଏ ସେହି ଅବସ୍ଥାକୁ ଭଜି ମଧ୍ୟ ଦିନେ ହେଲେ ଅନସୂୟାଠାରେ କୌଣସି ବ୍ୟତିକ୍ରମ କେହି ଦେଖିଲେ ନାହିଁ । ବ୍ୟବହାର ଯେପରି ସରଳ, ଭାଷା ସେହିପରି ମଧୁର, ତରଳ । ଯୌବନ ପ୍ରବେଶ କଲାପରେ ନାରୀ ହୃଦୟରେ ସାଧାରଣତଃ ଚାଞ୍ଚଲ୍ୟର ଚମକ ଲାଗେ–ପାଦ ଝରଣା ଚଞ୍ଚଳ ହୋଇଯାଏ ।

 

କିନ୍ତୁ–

 

ଅନସୂୟାର କିଛି ପରିବର୍ତ୍ତନ ଘଟିଲା ନାହିଁ । ସେ ସବୁ ଦିନ ପରି ନିତ୍ୟ-ନୈମିତ୍ତିକ କାର୍ଯ୍ୟରେ ବ୍ୟସ୍ତ ରହିଲା ।

 

ସ୍ୱାମିଜୀ ତା’ର ଚାଲିଚଳନ, ଆଚାର ବ୍ୟବହାରରେ ଏପରି ମୁଗ୍‍ଧ ହୋଇଗଲେ ଯେ ଆଶ୍ରମର ସବୁ ଭାର ତା' ଉପରେ ନ୍ୟସ୍ତ କଲେ । ଅନସୂୟା ନିଜର ସମସ୍ତ ଶକ୍ତି ଖଟାଇ ସ୍ୱାମୀଜୀଙ୍କ ଆଜ୍ଞାକୁ ଅକ୍ଷରେ ଅକ୍ଷରେ ପାଳିଲା । ଆଶ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ରୂପେ ଯୋଗଦେଲା-। ଆଶ୍ରମ ବିଦ୍ୟାଳୟର ଯଶ ଅଳ୍ପଦିନ ଭିତରେ ଏପରି ଭାବରେ ଚାରିଆଡ଼େ ବ୍ୟାପିଗଲା ଯେ ସହ ସହ ଛାତ୍ର ଛାତ୍ରୀ ଅଧ୍ୟୟନ ପାଇଁ ଆଶ୍ରମ ବିଦ୍ୟାଳୟକୁ ଧାଇଁଲେ । ଆଗରୁ ଏକ ନିୟମ ଥିଲା ଯେ କେବଳ ଶିଷ୍ୟମାନଙ୍କର ସନ୍ତାନମାନେ ଆଶ୍ରମ ବିଦ୍ୟାଳୟରେ ପଢ଼ିବେ । ଅନ୍ୟମାନେ ପଢ଼ିପାରିବେ ନାହିଁ । ସ୍ୱାମିଜୀଙ୍କ ଅନୁମତି ନେଇ ଅନସୂୟା ସେ ନିୟମର ପରିବର୍ତ୍ତନ କରିଦେଲା । ତା' ଫଳରେ ଅନ୍ୟ ଅନ୍ତେବାସୀମାନେ ଆଶ୍ରମ ବିଦ୍ୟାଳୟରେ ପଢ଼ିବାର ସୁଯୋଗ ପାଇଲେ ।

 

ସବୁଦିନ ପରି ସେଦିନ ବି ରାତି ଦଶଟା ପରେ ଶୋଇବାକୁ ଗଲା ସଂଘମିତ୍ରା । ଶୋଇବାକୁ ଯେତେ ଚେଷ୍ଟା କଲେ ବି ଶୋଇପାରିଲାନି । ଗୋଟିଏ ଚିନ୍ତା ଗୋଟିଏ ଭାବନାରେ ଆଖିର ପଲକ ପଡ଼ିଲାନି ତା’ର । ଏ କେଇ ଦିନ ହେଲା ସୌମେନ୍ଦ୍ରର ମୁଖମଣ୍ଡଳର ସୌମ୍ୟତା କାହିଁକି ହଜି ହଜି ଯାଉଛି ? ଯେତେ ଚେଷ୍ଟା କଲେ ବି କ’ଣ ହୋଇଛି ତା’ର ଜାଣି ପାରୁନି ସଂଘମିତ୍ରା ।

 

କେବଳ–

 

ସେ ଲକ୍ଷ୍ୟ କରୁଛି ଯେ ସୌମେନ୍ଦ୍ରର କାର୍ଯ୍ୟ କରିବାର ସ୍ପୃହା କମି ଯାଉଛି । ସେ ପୂର୍ବଭଳି ସଭାସମିତିକି ଯାଉନାହିଁ । କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଉ ନାହିଁ । ଯେତେ ଯାହା ପଚାରିଲେ ହୃଦ୍‍ବୋଧ ହେଲା ଭଳି ଜବାବ ତା' ଠାରୁ ମିଳୁ ନାହିଁ ।

 

ଏ ସଂସାର ଏଭଳି ବିଚିତ୍ର ଯେ କୌଣସି କଥାକୁ ଲୁଚାଇଲେ–ଯେତେ ଗୋପନ ରଖିଲେ ତାହା ଦିନେ ନା ଦିନେ ନିଶ୍ଚୟ ଜଣାପଡ଼େ ।

 

ସେଇଭଳି–

 

ଏବେ–

 

ବିଶ୍ୱସ୍ତ-ସୂତ୍ରରୁ ସଂଘମିତ୍ରା ଜାଣି ପାରୁଛି ଯେ ସୌମେନ୍ଦ୍ର କୁଷ୍ଠରୋଗାକ୍ରାନ୍ତ ହୋଇଛି । ବଜ୍ର ପଡ଼ିଲା ସଂଘମିତ୍ରାର ମୁଣ୍ଡରେ । ଚଉଦିଗ ତା'କୁ ଅନ୍ଧାର ଦିଶିଲା । ସେ ସଞ୍ଚିତ କରି ରଖିଥିବା ସମସ୍ତ ଟଙ୍କା ପଇସା ଖର୍ଚ୍ଚ କରି ସୌମେନ୍ଦ୍ରର ଚିକିତ୍ସା କରିବାକୁ ଲାଗିଲା । ଫଳ କିଛି ହେଲାନି । ବେଳକୁ ବେଳ ରୋଗ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । କୁଷ୍ଠ ବିଶେଷଜ୍ଞ ସଂଘମିତ୍ରାକୁ ଯେତେ ସାନ୍ତ୍ୱନା ଦେଲେ ମଧ୍ୟ ସେ ଭଲ ଭାବରେ ବୁଝି ପାରୁଛି ଯେ ସୌମେନ୍ଦ୍ରର ଅବସ୍ଥା ବେଳକୁ ବେଳ ଶୋଚନୀୟ ହୋଇ ଉଠୁଛି । ସେ ତା' ଚେଷ୍ଟାରୁ ବିରତ ହେଉନାହିଁ ।

 

ସୌମେନ୍ଦ୍ର ଇସ୍ତଫା ଦେଇସାରିଛି । ସଂଘମିତ୍ରାର ଅର୍ଜନ ଉପରେ ନିର୍ଭର କରି ସଂସାର ଚଳୁଛି ।

 

ସୌମେନ୍ଦ୍ର ଯେତେ ଖବର ଦେଲେ ମଧ୍ୟ ଗାଁରୁ ବାପ, ଭାଇ କି ମା କେବେ ଆସୁନାହାନ୍ତି । ଏଇତ ସଂସାର । ଆପେ ଭଲ ଥାଇ, ଧନ ଅର୍ଜନ କରି ସମସ୍ତ ମନ ଜଗି ଚଳୁଥିଲେ ଭଲ–ମାତ୍ର ଟିକେ ଅସୁସ୍ଥ ହେଲେ, ଅଣ୍ଟାରୁ ପଇସା ସରିଗଲା ପରେ ଆଉ କେହି ଆଡ଼ ଆଖିରେ ଅନାନ୍ତି ନାହିଁ ।

 

ଯାହା ହେଉ–

 

ସଂଘମିତ୍ରା ସାଧ୍ୟାନୁଯାୟୀ ସୌମେନ୍ଦ୍ରର ସେବା କଲା । ପୁଅକୁ ନେଇ ବାପା ମା'ଙ୍କ ପାଖରେ ଛାଡ଼ି ଦେଇଆସିଲା ।

 

କିନ୍ତୁ–

 

ହାୟ !

 

ସଙ୍ଘମିତ୍ରା ଦିନେ ନିଜ ଦେହରେ ଏକ ଛଉ ଦେଖି ଚମକି ପଡ଼ିଲା । ତା' ମନକୁ ପାପ ଛୁଇଁଲା । କୃଷ୍ଠ ରୋଗ ସଂକ୍ରାମକ ନୁହେଁ ବୋଲି ମନକୁ ତା’ର ବହୁତ ବୁଝାଇଲା । ମନ ବୁଝୁଛି କେଉଁଠି ? ଛଉ ନିରାକରଣ ପାଇଁ ସେ ଗୁପ୍ତ ଚେଷ୍ଟା ଚଳାଇଲା । ସବୁ ରକମ ପ୍ରତିଷେଧକର ଆଶ୍ରୟ ନେଲା । କିଛି ଫଳ ହେଲାନାହିଁ । ଗୋଟିଏ ନାବରେ ଦୁଇଟି ପଝାରି ବସିଲେ । ସଂଘମିତ୍ରା ବି ନିଜର ସମ୍ମାନ ଦୃଷ୍ଟିରୁ ଇସ୍ତଫା ଦେଇ ଦେଲା । ଭଲ ହେବାର ଆଉ ଉପାୟ ନ ଦେଖି ଦିନେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଯାକ ସମୁଦ୍ରକୁ ଡେଇଁପଡ଼ି ଇହଧାମ ପରିତ୍ୟାଗ କରିବାର କଳ୍ପନା କଲେ ।

 

ସେଇଦିନ ରାତିରେ ପୁରୀ ହାଉଡ଼ା ଏକ୍‍ସପ୍ରେସ୍‍ ଯୋଗେ ପୁରୀ ଗଲେ । ନୀଳାଚଳ ନାଥ ଜଗନ୍ନାଥଙ୍କର ଶେଷ ଦର୍ଶନ କରି ରାତି ଅଧରେ ସମୁଦ୍ର ଆଡ଼କୁ ମୁହାଁଇଲେ ।

 

ସେତେବେଳେକୁ ରାତି ତିନିଟା । ନିଶା ସାଇଁ ସାଇଁ ଗର୍ଜୁଛି । ଗୋବରାଜେନା ଚୌକିଦାର ସ୍ୱର୍ଗଦ୍ୱାର ପାଖରେ ଠିଆ ହୋଇ ଗଳାଫଟାଇ କର୍କଶ ସ୍ୱରରେ ଡାକୁଛି–"ହୁସିଆର, ହୁସିଆର ।"

 

ପାଣି ଭିତରକୁ ପଶିବା ପୂର୍ବରୁ ସଂଘମିତ୍ରା ଆଉ ସୌମେନ୍ଦ୍ର ହାତ ଧରା ଧରି ହେଲେ ।

 

ଦି' ପାହୁଣ୍ଡ ପାଣି ଭତରକୁ ପଶି ଯିବା ମାତ୍ରେ ଦୁଇ ବାହୁ ସଂପ୍ରସାରଣ କରି ଉନ୍ମୁକ୍ତ କେଶା ଅର୍ଦ୍ଧନଗ୍ନା ଏକ ନାରୀ ଆଗରେ ଠିଆ ହୋଇ ତୁହାଇ ତୁହାଇ ହାଃ ହାଃ କରି ହସିଲା । ଶଙ୍କିଗଲେ ସୌମେନ୍ଦ୍ର ଆଉ ସଂଘମିତ୍ରା । ବାୟାଣୀଟାଏ ବୋଲି ଧରି ନେଲେ ସେମାନେ । ପାଣି ଭିତରୁ ଉପରକୁ ଉଠି ଆସି ଠିଆ ହେଲେ । ଏଣେ ରାତି ପାହି ଆସୁଛି । ସେମାନଙ୍କର ଇଚ୍ଛା ପୂରଣ ହୋଇ ପାରିବନାହିଁ ।

 

ତେଣୁ–

 

ପୁଣି ସେ ସଦର୍ପରେ ସମୁଦ୍ରରେ ଝାସ ଦେବାକୁ ଆଗେଇ ଗଲେ । ପୂର୍ବଭଳି ସେହି ନାରୀଟି ହସ୍ତ ସଂପ୍ରସାରଣ କରି ଠୋ' ଠୋ' କରି ହସିଲା । ସ୍ୱାମୀ ସ୍ତ୍ରୀ ଦୁଇଜଣଯାକ ଏଥର ସମ୍ମୁଖରେ ଠିଆ ହୋଇଥିବା ନାରୀ ମୂର୍ତ୍ତିଟିକୁ ଜଳଦେବୀ ବୋଲି ମନେ ମନେ ଧରି ନେଲେ । ବାଲୁକାରାଶି ଉପରେ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ ବାଢ଼ି କହିଲେ ମା' ତୁମେ ଯଦି ପ୍ରକୃତ ଜଳଦେବୀ ଆମ୍ଭମାନଙ୍କୁ ବର୍ତ୍ତମାନ କୃଷ୍ଠରୋଗ ମୁକ୍ତ କର ତା' ନ ହେଲେ ଆମ୍ଭେମାନେ ନିଶ୍ଚୟ ଜୀବନ ହରାଇବୁ ।

 

ସେହି ଅର୍ଦ୍ଧନଗ୍ନା, ଉନ୍ମୁକ୍ତ କେଶା ନାରୀ ମୂର୍ତ୍ତିଟି ହସି ହସି କହିଲା–ଭାଗ୍ୟଚକ୍ର ଘୂରୁଛି । ଯାହାର ଯାହା ଭୋଗିବାର ଥିବ ସେ ନିଶ୍ଚୟ ଭୋଗିବ । ସେ ରଜା ହେଉ, ପ୍ରଜା ହେଉ, ଧନୀ ହେଉ, ନିର୍ଦ୍ଧନ ହେଉ, ଜ୍ଞାନୀ ହେଉ, ମୂର୍ଖ ହେଉ ନିୟତୀର ପରିହାସରୁ କେହି ରକ୍ଷା ପାଇବେ ନାହିଁ-। ତୁମର ଇଚ୍ଛା ନିଶ୍ଚୟ ପୂର୍ଣ୍ଣହେବ । ତୁମେ ଏହି ମୁହୂର୍ତ୍ତରେ କଟକ ପ୍ରତ୍ୟାବର୍ତ୍ତନ କରି ମହାନଦୀ କୂଳସ୍ଥ ରାମନନ୍ଦନ ଆଶ୍ରମରେ ଥିବା ସ୍ୱାମୀ ପ୍ରଣବାନନ୍ଦଙ୍କର ଶରଣାପନ୍ନ ହୁଅ ।

 

ସେ ତୁମମାନଙ୍କୁ ନିଶ୍ଚୟ ରୋଗମୁକ୍ତ କରିଦେବେ ।

 

ସ୍ୱାମୀ ସ୍ତ୍ରୀ ଦୁହିଁଙ୍କର ଅଧରରେ ମୃଦୁ ହସର ରେଖା ଫୁଟିଲା । ସେମାନେ ପ୍ରତ୍ୟାବର୍ତ୍ତନ କଲେ କଟକ । ସେହି ନାରୀଟି ହସି ହସି ଅନ୍ଧକାର ଭିତରେ ମିଶିଗଲା । ସଂଘମିତ୍ରା ଏବଂ ସୌମେନ୍ଦ୍ର ଦୁହେଁ ଶରଣାପନ୍ନ ହେଲେ ସ୍ୱାମୀ ପ୍ରଣବାନନ୍ଦଙ୍କର । ଅଳ୍ପଦିନ ପରେ ରୋଗମୁକ୍ତ ହୋଇ ପୂର୍ବର ସୁସ୍ଥ ଅବସ୍ଥାକୁ ଫେରି ପାଇଲେ ।

 

ସେମାନେ ଫେରି ପୁଣି ପୂର୍ବ କାର୍ଯ୍ୟ ପାଇଁ ପ୍ରାର୍ଥନା କଲେ । ପୁଣି ନିଯୁକ୍ତି ପାଇଁ କର୍ମକ୍ଷେତ୍ରରେ ଯୋଗ ଦେଲେ । ସେମାନଙ୍କର ପୁଅ ଆସି ପୁଣି ପାଖରେ ରହିଲା । ମଝିରେ ମଝିରେ ସେମାନେ ସ୍ୱାମୀ ପ୍ରଣବାନନ୍ଦଙ୍କୁ ଦର୍ଶନ କରି ଯାଆନ୍ତି । ସାଙ୍ଗରେ ଥାଏ ପୁଅ ପ୍ରବୀଣଚନ୍ଦ୍ର-। ସେମାନେ ସ୍ୱାମୀଜୀଙ୍କ ଚରଣ ସେବାରେ ରତ ଥିବାବେଳେ ପୁତ୍ର ପ୍ରବୀଣଚନ୍ଦ୍ର ଆଶ୍ରମର ଚତୁର୍ଦ୍ଦିଗରେ ବୁଲିଯାଏ । ବହୁ ଲୋକଙ୍କୁ ସେ ଦେଖେ ।

 

କିନ୍ତୁ–

 

ଜଣକ ପାଖରେ ତା' ଆଖି କାହିଁକି ଲାଖିଯାଏ । ସେ ଜଣକ ହେଉଛି ଅନସୂୟା । ସେ ସାହସ କରି ଅନସୂୟାକୁ କିଛି କହିପାରେନା । ଆଶ୍ରମ ଭିତର ପୁଷ୍କରିଣୀର ଏକ ପାର୍ଶ୍ୱରେ ଦିନେ ବସିଥାଏ ପ୍ରବୀଣଚନ୍ଦ୍ର । ଅନ୍ୟ ପାଖରେ ଅନସୂୟା ବସି ପୋଷା ହରିଣୀର ସଙ୍ଗରେ ଘନ ଘନ ଚୁମ୍ବନ ଦେଇ ତାକୁ ବିବ୍ରତ କରୁଥାଏ । ପ୍ରବୀଣଚନ୍ଦ୍ର ଗୁଣୁ ଗୁଣୁ ହୋଇ ଗୀତ ଗାଏ । ଦକ୍ଷିଣା ପବନରେ ଭାସିଯାଇ ତାହା ବାଜେ ଅନସୂୟା କାନରେ । ଦେହ ତା’ର କଣ ହୋଇଯାଏ । ସେ ବି ବିନିମୟରେ ଗାଏ ଗୀତ ।

 

ଏହିଭଳି ଅନେକ ଦିନ ଧରି ଅଭିନୟ ଚାଲେ । ଦିନେ ଦିନେ ଏଭଳି ହୁଏ–ପୋଖରୀ ଏ କୂଳରେ ବସି ପ୍ରବୀଣଚନ୍ଦ୍ର କାଗଜ ଡଙ୍ଗାରେ ମନ କଥା ଲେଖି ପଠାଇଦିଏ । ଦକ୍ଷିଣା ପବନ ଭସାଇନେଇ ଡଙ୍ଗାକୁ ସେ କୂଳରେ ପହଞ୍ଚାଇ ଦିଏ । ଅନ୍ୟ ଏକ ଡଙ୍ଗାରେ ଅନସୂୟା ପଠାଇଦିଏ । ଏହିପରି ଆମୋଦ ପ୍ରମୋଦରେ ରତ ଥିଲାବେଳେ ଦିନେ ଜଣେ ନାରୀ ଦଉଡ଼ି ଦଉଡ଼ି ଆସି ଠୋ' ଠୋ' ହସି ହସି କହିଲା–"ପିଲାମାନେ କ’ଣ ପ୍ରେମ ଶିଖୁଛ ଶିଖ, ଶିଖ, ଆଗେ ବି ପିଲାବେଳେ ଦିନେ ଏଇଭଳି ପ୍ରେମ ଶିଖୁଥିଲେ ।

 

ହସିଲା–ହାଃ-ହାଃ-ହାଃ-

 

ଡେଇଁ ପଡ଼ିଲା ପୁଷ୍କରିଣୀ ମଧ୍ୟକୁ । ଆଶ୍ରମବାସୀମାନେ ଆସିବା ପୂର୍ବରୁ ଜୀବନକୁ ପାଣି ଛଡ଼ାଇ ପ୍ରବୀଣଚନ୍ଦ୍ର ପୁଷ୍କରିଣୀ ମଧ୍ୟକୁ କୁଦାମାରି ସେହି ନାରୀର ହସ୍ତ ଧରି ଟାଣିଆଣିଲା ଉପରକୁ-। ଅନସୂୟା ଖବର ଦେଲା ସ୍ୱାମିଜୀଙ୍କୁ । ସ୍ୱାମିଜୀ ସେହି ପାଗଳୀ ନାରୀଟିକୁ ପାଖରେ ରଖି ସେବା ଶୁଶ୍ରୁଷା କରି ତାକୁ ଭଲ କରିଦେଲେ । ପାଗଳାମୀ ତାର ଦୂର ହୋଇଗଲା । ସେ ସେହି ଦିନଠାରୁ ରହିଲା ଆଶ୍ରମରେ ।

 

ପ୍ରସଙ୍ଗକ୍ରମେ ଜଣାପଡ଼ିଲା ଯେ ପାଗଳୀ ନାରୀଟି ହେଉଛି ଆଭା । ଅଭାକୁ ବହୁତ ସାନ୍ତ୍ୱନା ଦେଇ ବୁଝାଇଲେ ସ୍ୱାମିଜୀ । ତା’ର ଏଭଳି ପରିବର୍ତ୍ତନରେ ନିଜକୁ ଧନ୍ୟ ମଣିଲେ ସେ ।

 

ଅଭାକୁ ଉଦ୍ଧାର କଲା ଦିନରୁ ପ୍ରବୀଣଚନ୍ଦ୍ରଙ୍କର ଭାରି ଆଦର ଆଶ୍ରମରେ । ସମସ୍ତେ ଭାରି ଭଲ ପା'ନ୍ତି ତାକୁ । ଦିନେ ଦିନେ ସେ ରହିଥାଏ ଆଶ୍ରମରେ, ସଂଘମିତ୍ରା ଓ ସୌମେନ୍ଦ୍ର ଚାଲିଯା'ନ୍ତି । ନିଜେ ଆଭା ସବୁ ଖବର ବୁଝେ ପ୍ରବୀଣଚନ୍ଦ୍ରର ।

 

ଦିନ ପରେ ଦିନ ଗଡ଼ିଯାଏ ।

 

ଦିନେ ଅନସୂୟାର ବିବାହ କଥା ସ୍ୱାମିଜୀ ଉଠାନ୍ତି ସୌମେନ୍ଦ୍ର ଆଉ ସଂଘମିତ୍ରାଙ୍କ ନିକଟରେ । ସ୍ୱାମିଜୀଙ୍କ କଥା ଭାଙ୍ଗି ଦେବାକୁ ଶକ୍ତି କାହିଁ ବା ତାଙ୍କର ?

 

ସେମାନେ ଖାଲି ଏତିକି କହନ୍ତି–"ଆପଣଙ୍କର ଇଚ୍ଛା ଯାହା ତାହା କରନ୍ତୁ । ତେବେ ଏଭଳି ଏକ ଘଟଣା ଘଟିବା ପୂର୍ବରୁ ପ୍ରବୀଣଚନ୍ଦ୍ରଙ୍କୁ ଲାଳନ ପାଳନ କରିଥିବା ତା’ର ଅଜା ଆଇଙ୍କୁ ମତାମତ ନେବା ବିଧେୟ । "

 

ସ୍ୱାମୀଜୀ ଯେତେବେଳେ ସୌମେନ୍ଦ୍ରକୁ ପଚାରିଲେ–"ତା’ର ଅଜା କିଏ ଏବଂ ସେ ଥାଆନ୍ତି କେଉଁଠି ? "

 

ସୌମେନ୍ଦ୍ର କହିଲା–"ତା’ର ରସାନନ୍ଦ ବଳବନ୍ତରାୟ ବିଶିଷ୍ଟ ମହାପାତ୍ର ସେ ଏଇ କଟକରେ ଚାକିରୀ କରନ୍ତି ।"

 

ଚମକି ପଡ଼ିଲେ ସ୍ୱାମିଜୀ !

 

"ରସାନନ୍ଦ ?" –କେଉଁ ରସାନନ୍ଦ ? ଏ କ’ଣ ସେହି ରାସାନନ୍ଦ ?

 

ସେ କ’ଣ ଜୀବନରେ ଅଛି ?

 

ନା-ନା-ନା-

 

ସେ ଜୀବନରେ ନାହିଁ ।

 

ଆଚ୍ଛା ହେଉ, ତାଙ୍କୁ ଆସନ୍ତା ମାଘ ସପ୍ତମୀ ଦିନ ମୋ ପାଖକୁ ଡକାଅ । ସେହିଦିନ ବିବାହ ଅନୁଷ୍ଠିତ ହେବ ।

 

ସ୍ୱାମିଜୀ ଧ୍ୟାନମଗ୍ନ ଗଲେ । ଅନ୍ୟମାନେ ଯେଝା ଯେଝା ଗନ୍ତବ୍ୟ ପଥରେ ଯାତ୍ରା କଲେ-

 

ରସାନନ୍ଦ ଆଉ ରେବତୀ ଦୁହେଁ ନାତି ପ୍ରବୀଣଚନ୍ଦ୍ରର ବିବାହ କଥା ଶୁଣି ହସି ହସି ଗଡ଼ି ଯାଉଥିଲେ ।

 

କିନ୍ତୁ–

 

ଗୋଟିଏ କଥାରେ ସେ ସ୍ୱାମିଜୀଙ୍କ ସହିତ ଏକମତ ହୋଇପାରୁ ନ ଥିଲେ । ଜାତି, ଗୋତ୍ର, କୁଳ କିଛି ନାହିଁ ଅଥଚ ସେ ସୁନ୍ଦରୀ ବୋଲି ତାକୁ ପ୍ରବୀଣଚନ୍ଦ୍ର ବିବାହ କରିବ ।

 

ନା-ନା-ଏହା ହୋଇପାରିବ ନାହିଁ । ଯଦି ଏ ବିବାହ ଅନୁଷ୍ଠିତ ହୁଏ, ତେବେ ସେମାନେ ଯୋଗଦେବେ ନାହିଁ ?

 

ସ୍ୱାମୀ ପ୍ରଣବାନନ୍ଦଙ୍କଠାରୁ ଆସିଥିବା ସମ୍ବାଦଦାତା ବିମର୍ଷରେ ଫେରିଗଲେ । ସ୍ୱାମିଜୀ ଯେତେବେଳେ ରସାନନ୍ଦ ଆଉ ରେବତୀ କଥା ଶୁଣିଲେ, ସେତେବେଳେ ଉର୍ଦ୍ଧ୍ୱକୁ ଆଖିପତା ଟେକି କ’ଣ ବସି ଭାବିଲେ । ତା’ପରେ ମୁରୁକି ମୁରୁକି ହସିଲେ । ଅନସୂୟାର ବିବାହ ଭାଙ୍ଗିଯିବା କଥା ଆଶ୍ରମର ଚାରିଆଡ଼େ ପ୍ରଘଟ ହୋଇଗଲା ।

 

ଅନଶୁୟା ଏ ଦାରୁଣ ସମ୍ବାଦ ଶୁଣିଲା ବେଳୁ ଛାତିରେ ତା’ର ଛନକା ପଶିଲା । ସେ ଖାଇବାପିଇବା ଛାଡ଼ିଦେଲା, ଯେଉଁଠି ବସିଲା ସେଇଠି । ଆଶ୍ରମର ମହିଳା ଭକ୍ତଗଣ ଯେତେ ପ୍ରକାର ବୁଝାଇଲେ ବି ଅନସୂୟାର ମନ ବୁଝୁଛି କେଉଁଠି ।

 

ପୃଥିବୀର ସବୁ ନାରୀ ସମାନ । ସମସ୍ତଙ୍କ ମନ ଏକ । ଠାରେ ଜଣେ ନାରୀ ଯାହା ବୁଝେ ସେଇୟା । ତାକୁ ତା ଜିଦ୍‍ରୁ ଟଳାଇବା ସହଜସାଧ୍ୟ ବ୍ୟାପାର ନୁହେଁ ।

 

ଅନସୂୟା ସେଇମିତି ଜଣେ ନାରୀ । ସେ ଚାହିଁଲେ କଣ ତା' ପଣ ପୂରଣ ପାଇଁ ପ୍ରବୀଣଚନ୍ଦ୍ର ସହିତ ଚାଲିଯାଇପାରନ୍ତାନି ? ଆଶ୍ରମବାସୀଙ୍କ ମୁହଁରେ କଳା ବୋଳି ନିଜ ଇଚ୍ଛାନୁଯାୟୀ କାର୍ଯ୍ୟ କରିପାରନ୍ତା ନି ?

 

ନା–ସେ ସେପରି କରିବାକୁ ଚାହେଁନା । ବରଂ ଜୀବନ ହରାଇ ଦେବ । କାହାକୁ ଲଜ୍ଜା ଦେବ ନାହିଁ କି ନିଜେ ଲୋକ ଲଜ୍ଜାରେ ମରିପାରିବ ନାହିଁ ।

 

ପୁଣି ସ୍ୱାମିଜୀ କ’ଣ ଭାବିବେ ? ଯିଏ ତା’ର ଜୀବନ ବଞ୍ଚାଇଲେ ସ୍ନେହ, ଶ୍ରଦ୍ଧା ସିଞ୍ଚି ମଣିଷ କଲେ, ସେ ତାଙ୍କୁ ବେଖାତିର କରି କିଛି କରିପାରିବ ନାହିଁ । ତା' ହେଲେ ଧର୍ମଦ୍ରୋହିଣୀ ହେବ ।

 

କଥାରେ ଅଛି ଯେ ଯା'ର ସେ ତା’ର । ସଂସାରରେ ସବୁ ଭୁଲି ହୁଏ । ସବୁ ଏଡ଼ାଇ ଦେଇ ହୁଏ, ରକ୍ତର ବନ୍ଧନ କ’ଣ ଭୁଲି ହୁଏ ? ଶୁଭ ବିବାହ ଭାଙ୍ଗିଯିବା କଥା ଶୁଣି ଅନସୂୟାର ଯେତିକି ମନ କଷ୍ଟ ତା'ଠାରୁ ଅଧିକ ମନକଷ୍ଟ ଆଭାର । ଅବସ୍ଥା ଏଭଳି ହୋଇଛି ଯେ ସେ ଆଭାକୁ ନିଜର ଝିଅ ବୋଲି ପରିଚୟ ଦେଇପାରୁନି କି ଆଭାପାଇଁ ଖୋଲାଖୋଲି ଭାବରେ କାହାକୁ କିଛି କହିପାରୁ ନାହିଁ ।

 

ମାତ୍ର–

 

ମା' ମନ ଥୟ ହେଉଛି କେଉଁଠି ? ଆଖିରେ ନିଦ ଆସୁଛି କେଉଁଠି ନା ପେଟକୁ ଭାତ ଯାଉଛି କେଉଁଠି ? ସେଇ ଗୋଟିଏ କଥା–ଗୋଟିଏ ଚିନ୍ତା ଅନସୂୟାର ବିବାହ ପ୍ରବୀଣଚନ୍ଦ୍ର ସହିତ କିପରି ଅନୁଷ୍ଠିତ ହେବ ?

 

ସେ ସବୁବେଳେ ଅନସୂୟା କଥା ଭାବି ଭାବି କ୍ଷୀଣ ହେଲେ । ଅନସୂୟାକୁ ଦେଖି ମନେ ମନେ କାନ୍ଦେ । କେହି ଦେଖିବା ପୂର୍ବରୁ ଆଖି ପୋଛିଦିଏ । ତା’ର ଇଚ୍ଛା ଅନସୂୟା ଘର ସଂସାରରେ ତା’ର ଏ ଜନ୍ମ ସରିଯିବ । ତେଣିକି ସେ ପାଇଲେ ଖାଇବ ନ ପାଇଲେ ନାହିଁ । ଝିଅ ବୋଝକୁ ରଖି ସେ ଆନନ୍ଦରେ ଦିନ କାଟିବ କେମିତି ?

 

ତା' ମୁଣ୍ଡରେ ଏକ ଖିଆଲର ଉଦ୍ଭବ ହେଲା । ସେ ସାଙ୍ଗେ ସାଙ୍ଗେ ରସାନନ୍ଦ ଆଉ ରେବତୀ ପାଖକୁ ଗଲା । ସେମାନେ ଯେପରି ଆଭାକୁ ଦେଖିଲେ କୋଟି ଲାବଣ୍ୟନିଧି ପାଇଲା ପରି ଆଦର କଲେ । ପୂର୍ବକଥା ଆଉ ସେମାନଙ୍କର କୌଣସି ବିଷ-ପ୍ରତିକ୍ରିୟା ସୃଷ୍ଟି କଲାନାହିଁ । ମଣିଷ ଭାବରେ ସେ ଭୁଲିଗଲା ସବୁ ।

 

ସୁଖ ଦୁଃଖ ନାନା କଥା ଆଲୋଚନା ହେଲା । ତା' ଭିତରେ ଉଠିଲା ପ୍ରବୀଣଚନ୍ଦ୍ରର ସଂସାରୀ ହେବା କଥା । ସ୍ୱାମିଜୀଙ୍କ ପ୍ରସ୍ତାବକୁ ସେମାନେ କିପରି ସମର୍ଥନ କରି ନ ପାରି ପ୍ରତ୍ୟଖ୍ୟାନ କଲେ ସେ ବିଷୟରେ ବି କଥା ପଡ଼ିଲା । ଆଭା ସେମାନଙ୍କ କଥାକୁ ସମର୍ଥନ କରି କହିଲା "ହଁ ଯେଉଁ ପିଲାର ଜାତି, କୁଳ, ଗୋତ୍ର ଜଣା ନାହିଁ ସେ କିପରି ବଡ଼ବଡ଼ୁଆ ପିତୃପୁରୁଷଙ୍କୁ ପାଣିଦେବ ? ତା' କଦାପି ହେବା ବାଞ୍ଛନୀୟ ନୁହେଁ ।"

 

ରେବତୀ ହସି ହସି ମୄଦୁ ପରିହାସ କରି ଆଭାକୁ ଲକ୍ଷ୍ୟ କରି କହିଲା "ମା' ତୋ'ର ପରା ଝିଅଟିଏ ଅଛି ? ତା'କୁ ପ୍ରବୀଣଚନ୍ଦ୍ରକୁ ବିଭା କରୁନୁ ? ଦୁଇ ସାଙ୍ଗ ଯାକ ଦୁଇ ସମୁଦୁଣୀ ହେବ-।"

 

ରସାନନ୍ଦ କହିଲା–"ସ୍ୱାମିଜୀ ଏଥିରେ ଏକମତ ହେଲେ ସିନା !"

 

ଆଭା କହିଲା–"ମଉସା, ମୁଁ ସ୍ୱାମିଜୀଙ୍କଠାରୁ ଅନୁମତି ଘେନି ଆସିବି ।"

 

ରେବତୀ ଯେତେବେଳେ କହିଲା–"ତୋ' ଝିଅ ପରା ବମ୍ବେରେ ଅଛି । ଆଭା ଥଙ୍ଗ ଥଙ୍ଗ ହୋଇ ଉତ୍ତର ଦେଲା–

 

"ହଁ.....ମାଉସୀ ।"

 

ଏତିକିବେଳେ ଆସି ପହଞ୍ଚିଲେ ସଂଘମିତ୍ରା ଆଉ ସୌମେନ୍ଦ୍ର । ତିନିଜଣଯାକ ସାକ୍ଷାତ ହୋଇ କୋଳାକୋଳି ହେଲେ । ଆନନ୍ଦାଶ୍ରୁରେ ଗଣ୍ଡ ତିନ୍ତି ଗଲା । ନୀରବରେ ଠିଆହୋଇ ଅତୀତରେ ସୃତି ପାଣ୍ଡୁଲିପିର ପୃଷ୍ଠାକୁ ଓଲଟାଇଲେ ମନେ ମନେ । କେତେ ହସ, କେତେ କାନ୍ଦ, କେତେ ସୁଖ, କେତେ ଦୁଃଖର ବିବରଣୀ ଲିପିବଦ୍ଧ ହୋଇ ରହିଛି ସେଇ ପୃଷ୍ଠାରେ ।

 

ପ୍ରକୃତରେ–

 

ଯେତେବେଳେ ଯେଉଁ ଘଟଣା ଘଟେ, ସେଥିରେ ସତେ ଥାଏ କେତେ ପୁଲକ, କେତେ ଆନନ୍ଦ, କେତେ ଆଶା, କେତେ ଆଶ୍ୱାସନା ? ସେଇସବୁ ଘଟଣା ଦିନେ ଯେ ପୁରୁଣା ହେବ, ତା' କେହି କଳ୍ପନା କରିପାରନ୍ତି ନାହିଁ ।

 

ତେବେ–

 

ବିଗତ ଜୀବନର–ପାଣ୍ଡୁଲିପିର ଚିହ୍ନ ପୃଷ୍ଠା ଓଲଟାଇ ପଢ଼ିଲେ ମନରେ ଭାରି ଆନନ୍ଦ ଲାଗେ ସତେ ! ଇନ୍ଦ୍ରଧନୁର ରଙ୍ଗ ମନରେ ନେସି ହୋଇଯାଏ । ପ୍ରାଣରେ ଗଭୀର ଆଲୋଡ଼ନା ସୃଷ୍ଟି ହୁଏ । ତନୁରେ ନିମିଷକେ ଲାଗି ଚମକିଯାଏ ଶିହରଣ, ଆଖିବାଟେ ଅନୁତାପର ଉଷ୍ଣ ଅଶ୍ରୁ ।

 

ଅବଶ୍ୟ–

 

ମଣିଷର ଅବସ୍ଥା ସବୁଦିନ ସମାନ ରହେ ନାହିଁ । ସେଦିନ ସୌମେନ୍ଦ୍ର ଆଜିର ସୌମେନ୍ଦ୍ର ସାଙ୍ଗରେ ସମାନ ନୁହେଁ । ସେଦିନ ନାହିଁ ନା ସେ କଥା ନାହିଁ ।

 

ଆଭା ଆଉ ସଂଘମିତ୍ରା ଉଭୟେ ବିଗତ ଯୌବନା । ମୁଖରେ ନାହିଁ ମାଧୁର୍ଯ୍ୟ । ଆଖିରେ ନାହିଁ ଭ୍ରମର-ମାରୀ ବିଷଜ୍ୱାଳା । ଅଙ୍ଗରୁ ଲିଭି ଲିଭି ଆସୁଛି ରଙ୍ଗ । ବଚନରୁ ହଜିଛି ବୀଣା-ଜୀଣା-ସ୍ୱର । ପ୍ରତ୍ୟେକଙ୍କ ଅତୀତ କାର୍ଯ୍ୟ ପାଇଁ ଦୁଃଖିତ ଆଉ ଅନୁତପ୍ତ ।

 

ଏଥର ରେବତୀ ସଂଘମିତ୍ରା ଆଉ ଆଭାକୁ ଲକ୍ଷ୍ୟକରି ହସି ହସି କହିଲା–"ପଛ କଥାକୁ ଧରି ଆଉ ଲାଭ ନାହିଁ । ବର୍ତ୍ତମାନ କେମିତି ତୁମେ ଦୁହେଁ ସମୁଦୁଣୀ ହେବ, ସେଇ ବିଷୟ ଚିନ୍ତା କରିବା ।"

 

ସୌମେନ୍ଦ୍ର ବାଧାଦେଇ କହିଲା–"ନା ତା କେମିତି ହୋଇପାରିବ ?"

 

ରସାନନ୍ଦ କହିଲା–"ସେଥିରେ କ୍ଷତି କ’ଣ ? ପୁଅଟାକୁ ଝିଅଟାଏ । ଗୋଟିଏ ଅଚିହ୍ନା ଅଜଣା ଝିଅକୁ ବୋହୂ କରି ଆଣିବା ଅପେକ୍ଷା ଗୋଟିଏ ନିଜର ପିଲାକୁ ଘରକୁ ଆଣିଲେ କ୍ଷତି କ’ଣ-?"

 

ସୌମେନ୍ଦ୍ରର ମୁଖ ବନ୍ଦ ହୋଇଗଲା । କଥା ହେଲା ଆସନ୍ତା ଆଷାଢ଼ ମାସରେ ଏ ବିବାହ ଅନୁଷ୍ଠିତ ହେବ ।

 

ବହୁଦିନ ପରେ–

 

ସମସ୍ତେ ଏକସାଙ୍ଗରେ ବସି ଭୋଜନ କଲେ । ଭୋଜନ ବେଳେ ସୌମେନ୍ଦ୍ର ପ୍ରାୟ ଅଧିକାଂଶ ସମୟ ଅନ୍ୟମନସ୍କ ରହିଲା । ଏହା ଲକ୍ଷ୍ୟ କରି ଗୋଟିଏ ହାତକୁ ଧରିଲା ସଂଘମିତ୍ରା, ଆଉ ଗୋଟିଏ ହାତକୁ ଧରିଲା ଆଭା । ଦୁହେଁ ଏକା ସ୍ୱରରେ ପଚାରିଲେ କଣ ଏତେ ଭାବୁଛ ? ସୌମେନ୍ଦ୍ର ହସି ହସି ଗୋପାଳକୃଷ୍ଣଙ୍କର ପଦିଏ ଗୀତ ଗାଉଥିଲା–

 

–"ମନେ ପଡ଼ୁଛି ମା, ସେଇ ଯମୁନା କୂଳ ।"

 

ଉଣେଇଶ ସତାବନ ମସିହା ।

 

ଆଦ୍ୟ ମାର୍ଗଶୀର ପହିଲି ପାଳି ଗୁରୁବାର । ବୋଇତ ବନ୍ଦାଣ ଉତ୍ସବ ପାଇଁ ବିପୁଳ ଆୟୋଜନ ଚାଲିଛି । ପ୍ରତି ଉତ୍କଳୀୟଙ୍କ ମନରେ ଅସୀମ ଆନନ୍ଦର ଢେଉ ଖେଳୁଛି । କାଲି ଅର୍ଦ୍ଧରାତ୍ରିରୁ ଆସିଛି "ୟାମା–ସିଟା-ମାରୁ ।" ସର୍ବପ୍ରଥମ ଜାପାନୀ ଜାହାଜ । ଲୁହାପଥର ନେବ । ନଙ୍ଗର ପକାଇ ରହିଛି ମହାସମୁଦ୍ର ଭିତରେ । କୂଳକୁ ଆସି ପାରୁନି । ଆସିବାର ସୁବିଧା ନାହିଁ । ଡେକ ନିର୍ମାଣ ହୋଇନି ।

 

ସେ ପ୍ରଥମେ ଲୁହାପଥର ନେଇ ଜାପାନ ଯିବ । ସେଇଥିପାଇଁ ଲୁହାପଥର ସ୍ଥଳପଥ, ଜଳପଥ ଦ୍ୱାରା ଦିନ ରାତି ବୁହା ଚାଲିଛି ।

 

ଆଜି ବୋଇତ ବନ୍ଦାଣ ଉତ୍ସବ ସାଙ୍ଗ ହେବ ପରେ ପରେ ଲୁହାପଥର ବୋଝାଇ କାର୍ଯ୍ୟ ଚାଲିବ । 'ୟାମା-ସିଟା-ମାରୁ' ଲୁହାପଥର ନେଇ ଜାପାନକୁ ଯାତ୍ରା କରିବ ।

 

ପୂର୍ବ ନିର୍ଧାରିତ କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେଲା । ହଜାର ହଜାର ନରନାରୀଙ୍କ କରତାଳି ଧ୍ୱନିରେ ଉତ୍ସବ ସ୍ଥଳ ମୁଖରିତ ହୋଇଗଲା । ପ୍ରଥମେ ପୁର ନାରୀମାନେ ଅର୍ଘ୍ୟ ଥାଳି ଧରି ହୁଳହୁଳି ଧ୍ୱନି କରି ବୋଇତ ବନ୍ଦାଇବାକୁ ଛୋଟ ଲଞ୍ଚରେ ଗଲେ । 'ୟାମା-ସିଟା-ମାରୁ'ରେ ଆସିଥିବା କର୍ମଚାରୀ ଗଣ ଅଭିନବ ଅଭ୍ୟର୍ଥନାରେ ଅଭିଭୂତ ହୋଇଗଲେ-। ଭାରତୀୟ ମହାନ ସଂସ୍କୃତି ପ୍ରତି ସେମାନେ ନତମସ୍ତକ ହୋଇ ଶ୍ରଦ୍ଧା ଜ୍ଞାପନ କଲେ-

 

ତା’ପରେ ଉତ୍କଳର ଗଣତନ୍ତ୍ର ମୁଖ୍ୟ, ଗଣ ପକ୍ଷରୁ ଆନ୍ତରିକ ସମ୍ବର୍ଦ୍ଧନା ଜ୍ଞାପନ କଲେ । ସମ୍ବର୍ଦ୍ଧନାର ଉତ୍ତର ଦେଇ ଜଣେ ପକ୍ଵକେଶ, ଗଳିତ ନଖଦନ୍ତ, ସ୍ଖଳିତ ଯୌବନ-ବୃଦ୍ଧ ଯେତେବେଳେ ଓଡ଼ିଆରେ ଭାଷଣ ଦେବାକୁ ଆରମ୍ଭ କଲେ ବିପୁଳ କରତାଳି ଧ୍ୱନିରେ ଗଗନ, ପବନ ମୁଖରିତ ହୋଇଗଲା । ଭାଷଣ ମଧ୍ୟରେ ସେ ବିଭିନ୍ନ ଯୁଗୋଚିତ ବିଷୟ ଉତ୍‍ଥାନ କଲେ । ସେ ଭାଷଣ ଦେଉଥିବା ସମୟରେ ତାଙ୍କ ପାଖରେ ଠିଆହେଇ ଗୋଟିଏ କୁକୁର ଦୁଇଗୋଡ଼ ଉଠାଇ ଜନତା ଜନାର୍ଦ୍ଦନଙ୍କୁ ପ୍ରଣାମ ଜଣାଉଥିଲା ।

 

ବାସ୍ତବିକ–

 

ସେତେବେଳର ଦୃଶ୍ୟ ଯେ ଦେଖିଛି ସେ ଅଭିଭୂତ ହୋଇଯାଇଛି । ସେ ଭାଷଣ ପ୍ରସଙ୍ଗରେ କହିଲେ–"ଭାଇ ଓ ଭଉଣୀମାନେ, ମୁଁ ଦୀର୍ଘ ପଚିଶ ବର୍ଷ ପରେ ସ୍ଵଦେଶ ବାହୁଡ଼ି ନିଜକୁ ଧନ୍ୟ ମନେ କରୁଛି ! ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କୁ ମୁଁ ପ୍ରଥମେ ହାର୍ଦିକ ଅଭିନନ୍ଦନ ଜଣାଉଛି ।

 

ଏହି ଦେବ ଦେଶ ଓଡ଼ିଶା ଦିନେ ଗଙ୍ଗାଠାରୁ ଗୋଦାବରୀ ଯାଏ ବିସ୍ତୃତ ଥିଲା । ଏହି ଦେଶର ଠାକୁର ରଜା ଦିନେ କାଞ୍ଚି ଜୟ କରି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲେ । ଏହି ଦେଶର ଦୟାନଦୀ କୂଳରେ ଧଉଳି ପାହାଡ଼ ତଳେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇ କରରୁ କରବାଳ ତ୍ୟାଗ କରି "ସଘଂ ଶରଣଂ ଗଚ୍ଛାମି, ଧର୍ମମ ଶରଣଂ ଗଚ୍ଛାମି" ବୋଲି ଉଚ୍ଚାରଣ କରିଥିଲେ । ଆମ ବଡ଼ ଠାକୁର ପୃଥିବୀ ପ୍ରସିଦ୍ଧ । ସବୁ ଧର୍ମର ଲୋକମାନେ ଆମ ବଡ଼ଠାକୁର ଜଗନ୍ନାଥଙ୍କୁ ନିଜର ଠାକୁର ବୋଲି ଦାବି କରନ୍ତି ସର୍ବଧର୍ମର ସମନ୍ୱୟ ହିଁ କେବଳ ଜଗନ୍ନାଥ ସଂସ୍କୃତିରେ ଘଟିଛି । ପୃଥିବୀରେ ଏଭଳି କୌଣସି ଦେଶ ନାହିଁ ଯେଉଁଠାରେ ଚଉଷଠି ପଉଟି ବ୍ୟଞ୍ଜନ ରନ୍ଧା ହେଉଛି ଏବଂ ଜାତିବର୍ଣ୍ଣ ଧର୍ମର ବାଛ ବିଚାର ନ ରଖି ପ୍ରତ୍ୟକ ପ୍ରତ୍ୟକଙ୍କଠାରୁ ଛଡ଼ାଇ ଖାଉଛନ୍ତି ।

 

ପୁଣି–

 

ଆମ କଳାର କଳନା ନାହିଁ ବୋଲି ଆମ ଦେଶକୁ କୁହାଯାଏ ଉତ୍କଳ । ଉତ୍କୃଷ୍ଟ କଳା ଯୋଗୁଁ 'ଉତ୍କଳ' ହୋଇଛି ବୋଲି ଯେଉଁମାନେ ଯୁକ୍ତି ବାଢ଼ନ୍ତି ବାସ୍ତବିକ ସେମାନେ ଭ୍ରାନ୍ତ । ପୁରୀ, କୋଣାର୍କ, ଭୁବନେଶ୍ୱର ମନ୍ଦିରର କାରୁକାର୍ଯ୍ୟ ପୃଥିବୀରେ କେଉଁଠି ଦେଖିବାକୁ ମିଳେ ନାହିଁ । ମିଶରର ପିରାମିଡ଼ଠାରୁ ପୃଥିବୀର ବିଭିନ୍ନ ପ୍ରାନ୍ତରରେ ଯେତେ ଯେତେ ଐତିହାସିକ, କାରୁକାର୍ଯ୍ୟ ବିମଣ୍ଡିତ ସ୍ମୃତିର ଭଗ୍ନାବଶେଷମାନ ଦେଖିବାକୁ ମିଳେ ଯାହା କୋଣାର୍କକୁ ସରିନୁହନ୍ତି ।

 

ଅବଶ୍ୟ–

 

ଦିନ ଥିଲା ଯେତେବେଳେ ଏ ଜାତିର ଶିକ୍ଷା, ସଂସ୍କୃତି, ଧର୍ମ, କଳାକୁ ସହି ନ ପାରି ଅନ୍ୟମାନେ ଅସୂୟା ପରାୟଣ ହୋଇ ସମୂଳେ ନଷ୍ଟ କରିଦେବାକୁ ଚାହିଁଥିଲେ; ତାହା ସମ୍ଭବ ହୋଇନାହିଁ । ପଡ଼ୋଶୀ ପ୍ରଦେଶର ଲୋକମାନେ ସୁଯୋଗ ନେଇ ଓଡ଼ିଶା ଭାଷାର ତଣ୍ଟି ଚିପି ମାରିଦେବାକୁ ଚେଷ୍ଟା କରିଛନ୍ତି; ମାତ୍ର ପାରିନାହାନ୍ତି । କୋଣାର୍କର ଲାସ୍ୟମୟୀ ଦେବଦାସୀକୁ ନେଇ ମଇମନ ସିଂହ ମନ୍ଦିରରେ ଖଞ୍ଜିଛନ୍ତି ମାତ୍ର ତାହା ଛପିପାରି ନାହିଁ । ଓଡ଼ିଆ ଜାତୀୟତା ଓ ଧର୍ମକୁ ଧ୍ୱଂସ କରିବାକୁ ପ୍ରାଣପଣେ ଚେଷ୍ଟା କରିଛନ୍ତି, ସଫଳ କାମ ହୋଇପାରି ନାହାନ୍ତି । ଜଗନ୍ନାଥ ସଂସ୍କୃତି; ଲୋପ ନ ହୋଇ ବରଂ ଜାଜ୍ଜୁଲ୍ୟମାନ, ମହିମାମୟ ହୋଇ ଉଠିଛି । ନୀଳଚକ୍ର ଫର ଫର ଉଡ଼ି ଭକ୍ତି ବିତରଣ କରୁଛି ।

 

ବନ୍ଧୁଗଣ, ଆମ ବୀରତ୍ୱକୁ, ଆମ ଜାତୀୟତାକୁ ଯଦି କେହି ତରଳାଇ ଦେଇଥାଏ–ତାହା ହେଉଛି "ନିତାଇ ଗୌର ରାଧେଶ୍ୟାମ, ଜପ ହରେକୃଷ୍ଣ ହରେରାମ ।" ପ୍ରତାପଶାଳୀ ପ୍ରତାପରୁଦ୍ରଙ୍କଠାରୁ ମହାମନ୍ତ୍ରୀ ରାୟ ରମାନନ୍ଦଙ୍କ ଯାଏ ଏହି ପଦ୍ମତୋଳା ଶୁଣି ନିଜତ୍ୱ ହାରିଛନ୍ତି ।

 

ଦିନଥିଲା, ଯେତେବେଳେ ଆଜି ଯେଉଁଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେଉଛି, ସେହିଠାରେ ମହା କୋଳାହଳ ଲାଗିଥାଏ । ଓଡ଼ିଆ ସାଧବପୁଅ ଏହି ଠାରୁ ଯାଇ ସାତ ସମୁଦ୍ର, ତେର ନଈ ପାରି ହୋଇ ଦେଶକୁ ମଣିମାଣିକ୍ୟ ବୋହି ଆଣୁଥିଲେ । ଜାଭା, ସୁମାତ୍ରା, ବାର୍ଲି, ବୋର୍ଣ୍ଣିଓ, ସିଂହଳ ପ୍ରଭୃତି ଦ୍ଵୀପରେ ପାଲଟଣା ବୋଇତ ସାହାଯ୍ୟରେ ବାଣିଜ୍ୟ କରି ଲକ୍ଷ୍ମୀଙ୍କୁ ସାଙ୍ଗରେ ଧରି ଫେରୁଥିଲେ । ପୂର୍ବୋକ୍ତ ଦ୍ଵୀପରେ ଏବେବି ଓଡ଼ିଆ ସଂସ୍କୃତିର ସଙ୍କେତମାନ ଦେଖିବାକୁ ମିଳେ । ଏହି ସ୍ଥାନ ସାଧବାଣୀମାନଙ୍କର ବୋଇତ ବନ୍ଦାଣ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଥିଲା । ଆଜି ଆଉ ସେଦିନ ନାହିଁ କି ସେକଥା ନାହିଁ । କର୍ପୁର ଉଡ଼ିଯାଇ କନା ପଡ଼ିଛି । ଆପଣମାନେ ବିସ୍ମରଣ ହେଲେ ଚଳିବ ନାହିଁ ଯେ ଏହି ବାଟ ଦେଇ ଅଶୋକଙ୍କ ପୁତ୍ର ମହେନ୍ଦ୍ର କନ୍ୟା ସଂଘମିତ୍ରା ଧର୍ମପ୍ରଚାର ପାଇଁ ସିଂହଳ ପ୍ରଭୃତି ଦେଶକୁ ଯାଇଥିଲେ । ଚୀନ ପରିବ୍ରାଜକ ହୁଏନସାଂ ପୁଷ୍ପଗିରୀ ବିଶ୍ୱ ବିଦ୍ୟାଳୟ ଓ ଅନ୍ୟାନ୍ୟ ବୌଦ୍ଧ ବିହାରମାନ ଦେଖିବାକୁ ଆସିଥିଲା ।

 

ଭାଇ ଓ ଭଉଣୀମାନେ, ଆମ୍ଭେମାନେ ଯେତେଦିନ ଆଳସ୍ୟରେ ସମୟକାଟି ପରନିନ୍ଦା ପରଚର୍ଚ୍ଚାରେ ସୁପ୍ତ ଅବସ୍ଥାରେ ରହିଲେ, ଏବେ ଆମକୁ ଜାଗ୍ରତ ହେବାକୁ ହେବ । ପୃଥିବୀ ସହିତ ତାଳଦେଇ ଶିକ୍ଷା, ସାହିତ୍ୟ, ସଂସ୍କୃତି, ସଭ୍ୟତା, ଧର୍ମ, ବିଜ୍ଞାନ ସବୁଥିରେ ସମାନ ହୋଇ ଚାଲିବାକୁ ହେବ । ତା' ନ ହେଲେ ଅନ୍ୟମାନେ ଆମକୁ ପଛରେ ପକାଇ ଆଗେଇଯିବେ । ମୁଁ ଆଜିକୁ ପଚିଶିବର୍ଷ ତଳେ ଏଠାରୁ ଗଲା ଦିନକୁ ତୁଳନା କରି ଦେଖୁଛି ଯେ ଘୋର ପରିବର୍ତ୍ତନ ସଂଘଟିତ ହେଲାଣି । ଦେଶର ଲୋକସଂଖ୍ୟା ଏପରି ବଢ଼ିଲାଣି, ଖାଦ୍ୟ ସାମଗ୍ରୀର ଏପରି ଅଭାବ ପରିଲକ୍ଷିତ ହେଲାଣି ତାହା କଥାରେ କହିହେବ ନାହିଁ । ସେତେବେଳର କଥା ଆଉ କେତେବର୍ଷ ପରେ ଆମର ଉତ୍ତରାଧିକାରୀମାନେ ଶୁଣିଲେ ମିଥ୍ୟା ମଣିବେ । ସ୍ୱପ୍ନ ବୋଲି ଭାବିବେ । କହୁଥିବା ଲୋକକୁ ହସରେ ଉଡ଼ାଇ ଦେବେ ।

 

କିନ୍ତୁ–

 

ଏହା ଅକ୍ଷରେ ଅକ୍ଷରେ ସତ ଯେ ସେତେବେଳେ ଧାନ ଟଙ୍କାରେ ଦୁଇ ପାଉଟି ଥିଲା, ଗୁଆଘିଅ ସେର ଟଙ୍କାଏ, ମଇଁଷିଘିଅ ସେର ଆଠଣା ଥିଲା । ଛେଳି ଗୋଟିକର ଦାମ ଟଙ୍କାକରୁ ଦେଢ଼ଟଙ୍କା ଭିତରେ ଥିଲା । ଆଜିକାଲି ପରି ଓଜନ ହୋଇ କିଲୋରେ ଦିଆଯାଉ ନ ଥିଲା । ଗୋଟିଏ ଖାସିକୁ ଚାରିପାଞ୍ଚଜଣ ଭାଗ କରି ନେଉଥିଲେ । ସମୟ ସମୟରେ ଆଠଅଣାକୁ ଦୁଇସେର ତିନିସେର ମାଂସ ମିଳୁଥିଲା । ଏହାକୁ ସ୍ତ୍ରୀ ଲୋକମାନେ ଖାଉ ନ ଥିଲେ । ସାଗୁଆତି କହି ଘୃଣା କରୁଥିଲେ । କୁକୁଡ଼ା ମାଂସ ସାଧାରଣତଃ ଇତର ଲୋକଙ୍କ ଛଡ଼ା ଅନ୍ୟ ଲୋକ କେହି ଖାଉ ନ ଥିଲେ । ସମୟ ସମୟରେ ଯୁବକମାନେ କୁକୁଡ଼ା ମାଂସ ଅତି ଶ୍ରଦ୍ଧାରେ ଫିଷ୍ଟ (ଭୋଜୀ) କରି ଖାଉଥିଲେ । ଯଦି ଏକଥା ଜଣାପଡ଼ି ଯାଉଥିଲା, ତେବେ ସେମାନେ ଲାଞ୍ଛିତ ହେବା ସଙ୍ଗେ ସଙ୍ଗେ ନିର୍ଯ୍ୟାତିତ ହେଉଥିଲେ । ସେତେବେଳେ ଲୋକ ଗୁଣ୍ଡ-ଦୁଧ କ’ଣ ଜାଣି ନ ଥିଲେ । ଖାଣ୍ଟିଦୁଧ ସେର ଦୁଇଅଣାକୁ ମିଳୁଥିଲା । ଦୁଧରେ ପାଣି ମିଶାଇବା, ଘିଅରେ ଆଳୁମଣ୍ଡ ଫେଣ୍ଟିବା କଥା ଲୋକେ ଆଦୌ ଜାଣି ନ ଥିଲେ । ମାଛ ସେର ଅଣାଏ ଛ'ପଇସାରେ ମିଳୁଥିଲା । କେଉଟୁଣୀମାନେ ଗାଁରେ ଅଶ୍ୱିନ ମାସରେ ମାଛ ଶୁଖୁଆସବୁ ଦେଇ ଆସୁଥିଲେ; ମାଘମାସରେ ଧାନ ନେଉଥିଲେ । ବାଡ଼ିରେ ଖାଇବା ପାଇଁ ପାଟକପୁରା କଦଳୀ, ରାନ୍ଧିବା ପାଇଁ ବନ୍ତଳ କଦଳୀ କେବଳ ଲୋକେ ଲଗାଉଥିଲେ । ଲୁଗାଖଣ୍ଡିକ ଦଶଅଣା ବାରଣା ଠାରୁ ଆରମ୍ଭ ହେଉଥିଲେ ?

 

ପ୍ରତି ଗାଁ ରେ ବହୁପରିମାଣରେ ଗୋଚର ଥିଲା । ଗୋଚର ଅବରୋଧ କଲେ କଠୋର ଶାସ୍ତି ମିଳୁଥଲା । ଲୋକ ସ୍ଥିତିବାନ ଜମିକୁ ଚାଷ କରି ନ ପାରି ଖଜଣା ଦେବାକୁ ସମର୍ଥ ନ ହୋଇ ଇସ୍ତଫା ଦେଉଥିଲେ ।

 

ପୁଣି–

 

ଇସ୍ତଫା ଦାଖଲ କରିବା ପାଇଁ କିଛି ପାରିଶ୍ରମିକ ରାଜକର୍ମଚାରୀ ମାନଙ୍କୁ ଓଲଟି ଦେବାକୁ ପଡ଼ୁଥିଲା । ଲୋକଙ୍କ ଭିତରେ ଧର୍ମପ୍ରାଣତା ଅତିମାତ୍ରାରେ ପରିଲକ୍ଷିତ ହେଉଥିଲା ।

 

ଅବଶ୍ୟ–

 

ଆଜିକାଲି ପରି ସେତେବେଳେ ରାସ୍ତାଘାଟର ଏତେ ସୁବିଧା ନ ଥିଲା । କଟକ ଯିବାକୁ ଲୋକଙ୍କୁ ଚାରିପାଞ୍ଚଦିନ ଲାଗିଯାଉଥିଲା । ବାଟରେ ଚୋର ତସ୍କରଙ୍କ ଭୟ ପ୍ରବଳ ଭାବରେ ଥିଲା-। ସେତେବେଳେ ଆମର ଚଉଦ ନମ୍ବର ତଉଜି ଓଡ଼ିଶାର ଶସ୍ୟ ଭଣ୍ଡାର ବୋଲାଉଥିଲା ।

ସେଦିନ କୁଆଡ଼େଗଲା ?

ମୁଁ ଆସି ଶୁଣିବାକୁ ପାଇଲି ଯେ ଜମିଦାରୀ ଉଠିଲା ପୂର୍ବରୁ ତତ୍‍କାଳୀନ ରାଜକର୍ମଚାରୀମାନଙ୍କ ଚକ୍ରାନ୍ତ ଯୋଗୁ ଅଶେଷ କ୍ଷତି କୁଜଙ୍ଗର ସାଧିତ ହୋଇଛି ।

ରାଜକର୍ମଚାରୀମାନେ ଷଡ଼ଯନ୍ତ୍ର କରି ବିଦେଶୀ ବର୍ଦ୍ଧମାନ ରାଜାଙ୍କ ମନକୁ ଭୁଲାଇ ହଜାର ହଜାର ଏକର ଜମି ପ୍ରଜାମାନଙ୍କ ନାମରେ ପଟା କରିଦେଇଛନ୍ତି । ଗ୍ରାମ ମାନଙ୍କରେ ଥିବା ଶ୍ମଶାନ ଗୋଚର ଏଥିରୁ ବାଦ ପଡ଼ିନାହିଁ । ସେଥିପାଇଁ ଲୋକେ ଆଉ ଗୋରୁମହିଷ ରଖିପାରୁ ନାହାନ୍ତି । ବିକି ଦେଉଛନ୍ତି । ଦୁଧ, ଘିଅ ଆଉ ମିଳୁନାହିଁ । ଯାହା ମିଳୁଛି ତାହା ଭେଜାଲ । ଜମିଦାରୀ ଉଠିବାର ଅବ୍ୟବହିତ ପୂର୍ବରୁ ରାତାରାତି ଯେଉଁ ହଜାର ହଜାର ଏକର ଜମି ପଟ୍ଟା ଦିଆଯାଇଛି ତାହାସବୁ ଜଙ୍ଗଲ ।

ପୁଣି–

ଏହା କୌଣସି ସ୍ଥାନୀୟ ଅଧିବାସୀଙ୍କୁ ଦିଆହୋଇ ନାହିଁ; କାରଣ ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ରାଜକର୍ମଚାରୀମାନଙ୍କର ପକେଟ ଗରମ କରିବା ସମ୍ଭବ ହେବ ନାହିଁ । ଏଣୁ ମେଦନାପୁରରୁ ଲୋକ ଡାକିଆଣି ଜମି ଦିଆଗଲା ଯେଉଁ କର୍ମଚାରୀମାନେ ଜୀବନରେ ଶହେ ଟଙ୍କା ଦେଖି ନ ଥିଲେ ସେମାନେ ଲକ୍ଷ ଲକ୍ଷ ଟଙ୍କା କୌଶଳରେ ମାରିନେଲେ । ସେତେବେଳେ ଓଡ଼ିଆ କର୍ମଚାରୀମାନେ ନିଜ ଜାତି ଓ ଜାତୀୟତା ପ୍ରତି ପରମ ବିଶ୍ୱାସଘାତକତା କଲେ । ବିଦେଶୀ କର୍ମଚାରୀମାନଙ୍କ ହୀନ ଚକ୍ରାନ୍ତଙ୍କୁ ବୁଝିପାରିଲେ ନାହିଁ । ତା' ଫଳରେ ହଜାର ହଜାର ଏକର ଜଙ୍ଗଲ ନଷ୍ଟ ହୋଇଗଲା । ପଡ଼ୋଶୀ ପ୍ରଦେଶ ବାସୀମାନେ ବର୍ତ୍ତମାନ ଏକ ବିସ୍ତୀର୍ଣ୍ଣ ଉପକୂଳ ଅଞ୍ଚଳରେ ଆସନ ଜମାଇ ବସିଛନ୍ତି । ଏ ଅଞ୍ଚଳକୁ କୌଣସି ବିଦେଶୀ ଲୋକ ଗଲେ ସେ କଦାପି ବିଶ୍ୱାସ କରିବ ନାହିଁ ଯେ ଏହା ଓଡ଼ିଶାର କୌଣସି ଅଂଶ ବୋଲି । ସବୁ ଲୋକେ କଥାବାର୍ତ୍ତା ବଙ୍ଗଳାରେ କରୁଛନ୍ତି । ନଈରୁ ମାଛ ଧରୁଛନ୍ତି । ଜଙ୍ଗଲରୁ କାଠ କାଟୁଛନ୍ତି ।

ଆମ ଲୋକମାନେ ବିଶେଷ ସନନ୍ଦ ଦ୍ୱାରା ଯେଉଁ ବନକର ମଛଦିଆର ସୁବିଧା ପାଇଥିଲେ ତାହା ବାତିଲ ହେବାକୁ ବସିଛି । ନାମକୁ ମାତ୍ର କେବଳ ମିଳୁଛି । ଜଙ୍ଗଲକୁ ଗଲେ କାଠ ମିଳୁନାହିଁ । ନଈକୁ ଗଲେ ମାଛ ଧରିବାକୁ ମିଳୁ ନାହାନ୍ତି ।

ଆମ ଭିତରେ ଜାଗରଣ ନ ଆସିଲେ ଆମ ଭିତରେ ଜାତୀୟତା ନ ଜାଗିଲେ ଯାହା ଆମର ଅଛି ତାହା ନଷ୍ଟ ହୋଇଯିବ ।

ଅବଶ୍ୟ–

ମୁଁ ଦେଖି ଖୁସି ହେଉଛି ଯେ–ଯେଉଁଠାରେ ଦିନରେ ବାଘ ମଣିଷକୁ ପିଠିରେ ପକାଇ ନେଇ ଯାଉଥିଲା, ସେହିଠାରେ ଆଜି ଧବଳ ଟଗର ଅସଂଖ୍ୟ କୋଠାମାନ ଠିଆ ହୋଇଛି । ଲୋକମାନେ ନିର୍ଦ୍ୱନ୍ଦରେ ରାତ୍ରିରେ ଯିବା ଆସିବା କରିବାକୁ ସମର୍ଥ ହେଉଛନ୍ତି । ଯେଉଁ ଅଠର ବାଙ୍କୀ ନଈରେ କୁମ୍ଭୀର ଡଙ୍ଗାରୁ ମଣିଷକୁ ଟାଣି ନେଇ ଯାଉଥିଲା, ସେହି ଅଠର ବାଙ୍କୀକୁ ଜବତ କରି ବନ୍ଧାଯାଇ ସୁନାବ୍ୟା କରାଯାଇଛି । ଏତିକିବେଳୁ ଯଦି ଆମେ ସଚେତନ ନ ହେବା, ଆମର ଦାବିରେ ଆମେ ଅଟଳ ରହି କୃଷି, ବାଣିଜ୍ୟ, ଚାକିରୀ କ୍ଷେତ୍ରରେ ନିଜର ସାମର୍ଥ୍ୟ ପ୍ରତିପାଦନ ନ କରିବା ତେବେ ଆମେ ଚିରଦିନ ନିଜ ଦେଶରେ ବିଦେଶୀ ହୋଇ ରହିଯିବା ।

ଘନ ଘନ କରତାଳି ମଧ୍ୟରେ ବକ୍ତାଙ୍କ ପରିଚୟ ଜାଣିବା ନିମନ୍ତେ ଜନତା ମଧ୍ୟରେ ପ୍ରବଳ କୌତୁହଳ ସୃଷ୍ଟି ହେଲା । ଏଥର ସେ ପରିଚୟ ଦେଇ କହିଲେ ମୋର ନାମ ରଙ୍ଗନାଥ ବଳବନ୍ତରାୟ ବଶିଷ୍ଠ ମହାପାତ୍ର, ପିତାଙ୍କ ନାମ ରବୀନ୍ଦ୍ରନାଥ ବଳବନ୍ତରାୟ ବଶିଷ୍ଠ ମହାପାତ୍ର । ଘର ଅଗସ୍ତିପୁର ।

 

ଏ କଥା ଶୁଣିଲା ମାତ୍ରେ ସଭାରେ ଉପସ୍ଥିତ ଥିବା ଅଗସ୍ତିପୁର ଗ୍ରାମବାସୀମାନେ ଛାତିରେ ହାତ ବାଡ଼େଇ ଆନନ୍ଦ ପ୍ରକାଶ କଲେ । ଦେଖାଗଲା ଜଣେ ଋଷି ପ୍ରତିମ ଲୋକ ଉଠିଯାଇ ରଙ୍ଗନାଥଙ୍କୁ କୁଣ୍ଢାଇ ପକାଇ ବନ୍ଧୁ ବୋଲି ସମ୍ବରଣ କଲେ । ରଙ୍ଗନାଥବାବୁ ପ୍ରଥମେ ତାଙ୍କୁ ଚିହ୍ନି ପାରିଲେ ନାହିଁ । ତା’ପରେ ଯେତେବେଳେ ଜାଣିଲେ ଯେ ସେ ହେଉଛନ୍ତି ତାଙ୍କର ଆଜନ୍ମ ସଙ୍ଗୀ ଶ୍ୟାମାନନ୍ଦ ବାବୁ; ସେତେବେଳେ ତାଙ୍କର ଆନନ୍ଦର ସୀମା ରହିଲା ନାହିଁ ।

 

ଏଥର ରଙ୍ଗନାଥ ବାବୁ ପାଚିଲା କେଶକୁ ସାଉଁଳାଉ ସାଉଁଳାଉ ପଚାରିଲେ–"ଆଚ୍ଛା ରେବତୀ ଆଉ ରସାନନ୍ଦର ଖବର କ’ଣ ?"

 

ସ୍ୱାମୀ ପ୍ରଣବାନନ୍ଦଜୀ କିଛି ଉତ୍ତର ଦେବା ପୂର୍ବରୁ ସେଠାରେ ଠିଆ ହୋଇଥିବା ଯୁବକ ଇଂଜିନିୟର ଦେଵୀକାନ୍ତ ରଙ୍ଗନାଥଙ୍କୁ କୁଣ୍ଢାଇପକାଇ କହିଲା–"ଅଜା, ମୁଁ ହେଉଛି ତୁମ ପୁତ୍ର ରସାନନ୍ଦଙ୍କ ପୁତ୍ର ଦେବୀକାନ୍ତ ।"

 

ସ୍ୱାମୀ ପ୍ରଣବାନନ୍ଦଜୀ, ରଙ୍ଗନାଥବାବୁ ଓ ଦେବୀକାନ୍ତ ଚିହ୍ନାଚିହ୍ନି ହେଲେ । ଏକଥା ଚାରିଆଡ଼େ ପ୍ରଘଟ ହୋଇଗଲା । ଅଗସ୍ତିପୁରକୁ ସେମାନେ ଯିବା ପୂର୍ବରୁ କଟକରୁ ରସାନନ୍ଦ, ରେବତୀ, ସୌମେନ୍ଦ୍ର, ପ୍ରବୀଣଚନ୍ଦ୍ର, ଅନସୂୟା, ଆଭା ଅଗସ୍ତିପୁର ଆସିଥିଲେ ।

 

ଅଗସ୍ତିପୁରରେ ସମସ୍ତଙ୍କର ସାକ୍ଷାତ ହେଲା । ଗାଆଁଯାକର ଲୋକ ଆସି ରୁଣ୍ଡ ହେଲେ-। ରଙ୍ଗନାଥ ଆଣିଥିବା ବିଭିନ୍ନ ରକମର ମିଠେଇ, ଲେମନଚୂସ, ପିଲାମାନଙ୍କୁ ବାଣ୍ଟିଲେ । ପରିଚିତ ଅପରିଚିତ ନାନା ଲୋକେ ଆସି ରଙ୍ଗନାଥଙ୍କୁ ବିଭିନ୍ନ ବିଷୟରେ ପଚାରିଲେ । ରନ୍ଧାବଢ଼ା ହେଲା । ସମସ୍ତେ ଏକତ୍ର ବସି ଭୋଜନ କଲେ । ସ୍ୱାମୀ ପ୍ରଣବାନନ୍ଦ ସମସ୍ତଙ୍କୁ ଖାଇବା ବେଳେ ଚିହ୍ନାଇ ଦେଲେ ।

 

ପ୍ରବୀଣଚନ୍ଦ୍ର ଆଉ ଅନସୂୟାଙ୍କୁ ଯେତେବେଳେ ଚିହ୍ନାଇ ଦେଲେ, ସେତେବେଳେ ରଙ୍ଗନାଥ ହସି ହସି କହିଲେ–"ବାଃ ଭଲ ଯୋଡ଼ିଟି !" ଏ ଦୁଇଜଣଙ୍କୁ ବିବାହ କରାଇଲେ କ୍ଷତି କ’ଣ ?

 

ରସାନନ୍ଦ ସବୁକଥା କହିଗଲା । ପ୍ରବୀଣଚନ୍ଦ୍ରର ଅନସୂୟା ସହିତ ବିବାହ ଭାଙ୍ଗିଯିବା କଥା ପ୍ରକାଶ କଲା । ଆଭା ଆଡ଼କୁ ଅଙ୍ଗୁଳି ଦେଖାଇ କହିଲା–"ଏ ହେଉଛି ଆପଣଙ୍କର ନାତୁଣୀ ସଙ୍ଘମିତ୍ରାର ପିଲାଦିନର ସାଙ୍ଗ । ଏହାର ଝିଅ ସହିତ ପ୍ରବୀଣଚନ୍ଦ୍ର ବିବାହ ହେବା କଥା ସ୍ଥିର ହୋଇଛି । ସ୍ୱାମୀ ପ୍ରଣବାନନ୍ଦ ଯେତେବେଳେ ହସି ହସି ରଙ୍ଗନାଥଙ୍କୁ କହିଲେ–"ଅନସୂୟା ଯେ ଆଭାର ଝିଅ ଛଡ଼ା ଅନ୍ୟ କେହି ନୁହେଁ–ଏ କଥା ସମସ୍ତେ ଜାଣିରଖିବା ଉଚିତ ।"

 

ସଙ୍ଘମିତ୍ରା, ସୌମେନ୍ଦ୍ର ରସାନନ୍ଦ, ରେବତୀ ପ୍ରଭୃତି ଯେତେବେଳେ ଆଭା ଆଡ଼କୁ ବିସ୍ମୟ ବିସ୍ଫାରିତ ନେତ୍ରରେ ଅନାଇଲେ, ସେତେବେଳେ ଆଭା ମଉନେ ସମ୍ମତି ଲକ୍ଷଣ ପ୍ରକାଶ କରି ମୁରୁକି ମୁରୁକି ହସିଲା । ସମସ୍ତଙ୍କ ଠାରୁ ଟିକିଏ ଦୂରରେ ବସିଥିବା ଜଣେ ସ୍ତ୍ରୀଲୋକକୁ ଲକ୍ଷକରି ପ୍ରାଣବାନନ୍ଦଜୀ ପଚାରିଲେ–"ଏହାଙ୍କୁ ତୁମେମାନେ ଚିହିଁଚ ?" ଏକସ୍ୱରରେ ଉତ୍ତର ସମସ୍ତେ ଦେଲେ–"ନାଁ । "

 

ସ୍ୱାମୀ ପ୍ରାଣବାନନ୍ଦଜୀ କହିଲେ–"ଏହାଙ୍କ ନାମ ସୁରଭି ଦେବୀ । ସୁରଭି ଦେବୀ ଚମକି ପଡ଼ିଲେ । ତାଙ୍କୁ ଆଉ ବୁଝିବାକୁ ବାକି ରହିଲା ନାହିଁ ସେ ସ୍ୱାମୀ ପ୍ରାଣବାନନ୍ଦ ଅନ୍ୟ କେହି ନୁହନ୍ତି ତାଙ୍କର ପ୍ରାଣପ୍ରିୟ ଶ୍ୟାମାନନ୍ଦ ବାବୁ । ସେ ସ୍ୱାମୀଙ୍କର ପାଦ ଧରି କ୍ଷମା ମାଗିବାକୁ ଯୋଡ଼ହସ୍ତରେ ଭୂଇଁରେ ପଡ଼ିଗଲେ ।

 

ସେ ଏତେ ଦିନଧରି ପାଖେ ପାଖେ ରହି ଜାଣିପାରି ନ ଥିଲେ ଯେ ସ୍ୱାମୀ ପ୍ରଣବାନନ୍ଦ ହେଉଛନ୍ତି ଶ୍ୟାମାନନ୍ଦ ବାବୁ ବୋଲି । ସେ ଏପରି ଆନନ୍ଦରେ ଅଧୀର ହୋଇଗଲେ ଯେ ସେ ଆନନ୍ଦ ଅନନ୍ତ ଆନନ୍ଦରେ ପରିଣତ ହୋଇଗଲା । ତାଙ୍କ ହାଥ ଧରି ରସାନନ୍ଦ ପ୍ରଭୃତି ଉଠାଇଲା ବେଳେକୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଆନନ୍ଦ ଶୋକରେ ପରିଣତ ହେଲା । ସମସ୍ତଙ୍କ ବଦନମଣ୍ଡଳ ବିଷାଦରେ ମେଘାଚ୍ଛନ୍ନ ହୋଇଗଲା ।

 

ଯଥା ରାତିରେ ତାଙ୍କୁ ସମାଧି ଦିଆଗଲା । ରସାନନ୍ଦ ତାଙ୍କର ଶୁଦ୍ଧିକ୍ରିୟା ଆଦି ସାଡ଼ମ୍ବରରେ ସମାପନ କଲେ ।

 

ରଙ୍ଗନାଥ ପୁଅ, ବୋହୂ, ନାତି, ନାତୁଣୀ ମେଳରେ ରହି ସ୍ୱର୍ଗ ସୁଖ ଅନୁଭବ କଲେ । ଜଣକୁ କେବଳ ସେ ସବୁବେଳେ ଭାବୁଥିଲେ–ସେ ହେଉଛି ରେବତୀ । ତା’ର ପଦିଏ କଥା ତାଙ୍କର ମନେପଡ଼େ ଅଶ୍ରୁ ସଂଚାର କରୁଥିଲା ।

 

"ମୋ ରାଣ, ତୁମେ ବିଦେଶ ଯାଅନାହିଁ । ଯାହା ଧାନ, ଚାଉଳ ଘରେ ଅଛି ତାକୁ ପେଜ ପାଣି କରି ଚଳିବା । ଯେଉଁଦିନ ସରିବ ଏକତ୍ର ଏକ ବିଛଣାରେ ଶେଷ ନିଶ୍ୱାସ ତ୍ୟାଗ କରିବା ।"

 

କଟକର ମହାନଦୀ କୂଳ ରାମନନ୍ଦନଆଶ୍ରମ । ଅସଂଖ୍ୟ ଲୋକଙ୍କର ଭିଡ଼ । ବାଣରୋଷଣୀରେ କମ୍ପୁଛି । ବର ପ୍ରବୀଣଚନ୍ଦ୍ର ଓ କନ୍ୟା ଅନସୂୟା ବେଦୀରେ ବସିଛନ୍ତି । ଆଭା, ସଂଘମିତ୍ରା ଆନନ୍ଦରେ ଫାଟି ପଡ଼ୁଛନ୍ତି । ରଙ୍ଗନାଥ ବାବୁ, ରସାନନ୍ଦ, ସୌମେନ୍ଦ୍ର ପ୍ରଭୃତି ଅତିଥିମାନଙ୍କର ଚର୍ଚ୍ଚାରେ ଲାଗିଛନ୍ତି ।

 

ସ୍ୱାମୀ ପ୍ରଣବାନନ୍ଦଜୀ ନିବିଷ୍ଟ ଚିତ୍ତରେ ବର କନ୍ୟାଙ୍କୁ ଚାହିଁ ରହିଛନ୍ତି । ସ୍ୱାମୀଜୀଙ୍କର ଅସଂଖ୍ୟ ଶିଷ୍ୟମାନେ ବିଭିନ୍ନ ଉପହାର ଆଣି ଜମା କରିଛନ୍ତି । ସମସ୍ତଙ୍କ ମୁହଁରେ ପ୍ରବୀଣଚନ୍ଦ୍ର ଆଉ ଅନସୂୟାର ପ୍ରଶଂସା । ଉଭୟେ ରୂପରେ ରତି କନ୍ଦର୍ପ ପରି । ଯିଏ ଦେଖୁଛି ତା’ର ଆଖି ଖୋସି ହୋଇଯାଉଛି ।

 

ହସ୍ତଗଣ୍ଠି ପଡ଼ିଲାବେଳେ ପୁରୋହିତ ସ୍ୱାମିଜୀଙ୍କୁ ଲକ୍ଷ କରି ପଚାରିଲେ–"କ’ଣ ଯୌତୁକ ଦେବେ କୁହନ୍ତୁ ।"

 

ସ୍ୱାମିଜୀ ହସି ହସି ରାମନନ୍ଦନ ଆଶ୍ରମର ଉଇଲ ଖଣ୍ଡିକ ବଢ଼ାଇ ଦେଲେ । ତା’ପରେ ନିଜ ଛାତିରେ ହାତ ମାରି କହିଲେ ମୁଁ ବି ନିଜକୁ ଯୌତୁକ ରୂପେ ଦାନ କରୁଛି ।

 

ରଙ୍ଗନାଥ ପଚାରିଲେ–"ଆଉ ମୁଁ ?" ସମସ୍ତେ ହସି ଉଠିଲେ ।

 

କିନ୍ତୁ–

 

ଦୁଇଜଣ ହସୁ ନ ଥିଲେ । ସେମାନେ ହେଲେ ରସାନନ୍ଦ, ରେବତୀ । ସ୍ୱାମିଜୀଙ୍କ ମହାନତା କଥା ଭାବି ଭାବି ସେମାନେ ଭାବପ୍ରବଣ ହୋଇ ଉଠୁଥିଲେ ।

 

ବାସ୍ତବିକ୍ !

 

ସ୍ୱାମିଜୀଙ୍କ ଭଳି ଲୋକ କୋଟିକରେ ଗୋଟିଏ ମିଳନ୍ତି । ରକ୍ତ ମାଂସର ଦେହ ବହି ନିଜ ସୁଖ ସ୍ୱାର୍ଥରେ ଜଳାଞ୍ଜଳି ଦେଇ, ନିଜର ଜାୟା, ସୂତାଙ୍କୁ ତ୍ୟାଗ କରି କେତେଜଣ ପରାର୍ଥେ ଜୀବନ ଧରନ୍ତି ? ହୋମ ଅଗ୍ନି ଆଡ଼କୁ ଅନାଇ କେତେ କ’ଣ ଭାବି ଯାଉଥିଲେ ରସାନନ୍ଦ ଆଉ ରେବତୀ ।

 

ଆଭା ଆଉ ସଂଘମିତ୍ରା ସୌମେନ୍ଦ୍ରର ହାତ ଧରି ହସି ହସି ପଚାରିଲେ–"କ’ଣ ଆମ ଜୀବନର ଉପନ୍ୟାସ ଶେଷ ହେଲା ?"

 

ସୌମେନ୍ଦ୍ର କିଛି ଉତ୍ତର ନ ଦେଉଣୁ.....

 

ବ୍ୟାକୁଳ ବସନ୍ତ ଯେପରି ଝରାପତ୍ରର ମର୍ମ୍ମରରେ ଉତ୍ତର ଦେଉଥିଲା–ହଁ-ହଁ-ହଁ.....

 

ସ୍ୱାମୀ ପ୍ରଣବାନନ୍ଦଜୀ ପ୍ରବୀଣଚନ୍ଦ୍ର ଆଉ ଅନସୂୟାଙ୍କୁ ଆଶୀର୍ବାଦ କରୁଥିଲାବେଳେ ବେଦର ସେହି ମହାମନ୍ତ୍ରକୁ ଉଦାତ୍ତ କଣ୍ଠରେ ବ୍ରଜ ଗମ୍ଭୀର ଭାବରେ ଉଚାରଣ କରୁଥିଲେ–

 

"ସର୍ବେ ଭାବନ୍ତୁ ସୁଖୀନଃ; ସର୍ବେ ସନ୍ତୁ ନିରାମୟଃ ।"

Image